ଦେଶ ବିଦେଶ

Delhi Riots Case: ୨୦୨୦ ଦିଲ୍ଲୀ ଦଙ୍ଗା: ସର୍ଜିଲ ଇମାମକୁ ମିଳିଲା ୧୦ ଦିନିଆ ଜାମିନ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀଦଙ୍ଗା ମାମଲାର ଅଭିଯୁକ୍ତ ଜେଏନ୍‌ୟୁର ପୂର୍ବତନ ଛାତ୍ର ସର୍ଜିଲ ଇମାମକୁ ଦିଲ୍ଲୀର ଏକ କୋର୍ଟ ୧୦-ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସର୍ଜିଲକୁ ଏହି ଜାମିନ ତା’ର ସାନଭାଇର ବିବାହରେ ଯୋଗ ଦେବା ଓ ଅସୁସ୍ଥ ମା’ ସହିତ କିଛି ସମୟ ବିତେଇବାକୁ ପ୍ରଦାନ କରାଯାଇଛି। ୨୦୨୦ ଫେବ୍ରୁଆରିରେ ଦିଲ୍ଲୀରେ ହୋଇଥିବା ଦଙ୍ଗା ପଛରେ ବଡ଼ ଷଡ଼୍‌ଯନ୍ତ୍ର ଅଭିଯୋଗରେ ଇମାମକୁ ଗିରଫ କରାଯାଇଥିଲା। ଏଥିରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୦୦ରୁ ଅଧିକ ଆହତ ହୋଇଥିଲେ। ନାଗରିକ ସଂଶୋଧନ ଆଇନ (ସିଏଏ) ବିରୋଧରେ ପ୍ରତିବାଦ କରିବାକୁ ବଡ଼ଧରଣର ଷଡ଼୍‌ଯନ୍ତ୍ର ରଚା ଯାଇଥିଲା ବୋଲି ସରକାର କହିଥିଲେ।

କୋର୍ଟରେ ଇମାମର ପକ୍ଷ ରଖି ଓକିଲ କହିଥିଲେ, ଇମାମ ପାଞ୍ଚ ବର୍ଷ ହେଲା ଜେଲରେ ବନ୍ଦ ଥିବାବେଳେ ତାଙ୍କୁ ସାମୟିକ ଭାବେ ମଧ୍ୟ କେବେ ବି ଜାମିନ୍‌ ମିଳିନାହିଁ। ଇମାମଙ୍କ ମା’ ଅସୁସ୍ଥ ଥିବାବେଳେ ତାଙ୍କ ଭାଇଙ୍କ ବାହାଘର ପାଇଁ ପ୍ରସ୍ତୁତି କରିବାକୁ କେହି ନାହାନ୍ତି, ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ। ଅନ୍ୟପକ୍ଷରେ ସରକାରୀ ପକ୍ଷ ଏହି ଆବେଦନକୁ ବିରୋଧ କରିଥିଲେ। ବିବାହ କାର୍ଯ୍ୟକ୍ରମ ପାଇଁ ତାଙ୍କର ଉପସ୍ଥିତି ଜରୁରୀ ନୁହେଁ। ଅଭିଯୁକ୍ତ ବାହାରକୁ ଆସିଲେ ପ୍ରମାଣ ନଷ୍ଟ କରିବା କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଥିବା ଯୁକ୍ତି ରଖିଥିଲେ। ଦିଲ୍ଲୀର କରକରଡୁମା କୋର୍ଟ ଇମାମଙ୍କୁ ଜାମିନ ସମୟରେ କୌଣସି ସାକ୍ଷ୍ୟ କିମ୍ବା ମାମଲା ସହିତ ଜଡ଼ିତ ଳୋକଙ୍କୁ ଯୋଗାଯୋଗ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଅବଧି ଶେଷ ହେବା ପରେ ଇମାମ ମାର୍ଚ୍ଚ ୩୦ ତାରିଖରେ ଜେଲ ଅଧୀକ୍ଷକଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିବା ଓ କୋର୍ଟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। କୋର୍ଟ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ସମାନ ପରିମାଣର ଦୁଇ ଜାମିନଦାରଙ୍କ ବଦଳରେ ଏହି ଜାମିନ ପ୍ରଦାନ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button