ବିଶେଷ

Dispute over the river: ନଦୀକୁ ନେଇ ବିବାଦ

ବହୁବର୍ଷ ଧରି ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ବିଭିନ୍ନ ନଦୀକୁ ନେଇ ବିବାଦ ଚାଲିଛି। ମହାନଦୀ, ଗୋଦାବରୀ, ସୁବର୍ଣ୍ଣରେଖାକୁ ନେଇ ବିବାଦ ଚଳିତବର୍ଷର ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ବିରୋଧୀ...

ବହୁବର୍ଷ ଧରି ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ବିଭିନ୍ନ ନଦୀକୁ ନେଇ ବିବାଦ ଚାଲିଛି। ମହାନଦୀ, ଗୋଦାବରୀ, ସୁବର୍ଣ୍ଣରେଖାକୁ ନେଇ ବିବାଦ ଚଳିତବର୍ଷର ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ବିରୋଧୀ, ଶାସକ ଦଳ ତିନିଟି ନଦୀର ବିବାଦ ପାଇଁ ପରସ୍ପର ଉପରେ ଆରୋପପ୍ରତ୍ୟାରୋପ ଲଗାଇଥିଲେ। କିନ୍ତୁ କୌଣସି ଗୋଟିଏ ବି ବିବାଦର ସମାଧାନ ହୋଇପାରିଲାନି। ଓଡ଼ିଶାର ନଦନଦୀକୁ ନେଇ ବହୁ ଯୋଜନା ହେଉଥିଲେ ହେଁ ନଦୀରେ ପାଣି ଦିନକୁ ଦିନ କମିବାରେ ଲାଗିଛି। ଏକଦା ଚିରସ୍ରୋତା ଥିବା ନଦୀଗୁଡ଼ିକ କାର୍ତ୍ତିକରୁ ଶୁଖିଯାଉଛି। କୌଣସି ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ନୂଆ ବ୍ୟାରେଜ୍ ହୋଇପାରିଲାନି। କିନ୍ତୁ ସରକାର ୫ବର୍ଷରେ ୧୫ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏତେ ଯୋଜନାକୁ ପାଣି ଅଛି ତ!

ବନ୍ଦର କ୍ଷମତା ୫୦୦ ନିୟୁତ ଟନ୍‌ରେ ପହଞ୍ଚିବ 

ରାଜ୍ୟ ସରକାର ଓଡ଼ିଶାରେ ଜଳ ପରିବହନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯୋଜନା କରିଛନ୍ତି। ଯାହା ସମୃଦ୍ଧ ଓଡ଼ିଶାର ପରିଚୟ ହେବ। ଏଥିପାଇଁ ବନ୍ଦର କ୍ଷମତା ୫୦୦ ନିୟୁତ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୩୬ ସୁଦ୍ଧା ଦେଶର ବନ୍ଦରଭିତ୍ତିକ କାର୍ଗୋ ପରିବହନର ୩୩% ଓଡ଼ିଶାରୁ ହେବ। ଏହି ବିଶାଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ଅଧିକ ବନ୍ଦର ନିର୍ମାଣ ସହ ଏବେ ଥିବା ବନ୍ଦରଗୁଡ଼ିକର ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ପୁରୀରେ ଏକ କ୍ରୁଜ୍ ଟର୍ମିନାଲ ପାଇଁ ୫୦୦କୋଟି ଖର୍ଚ୍ଚ ଅଟକଳ ହୋଇଛି। ଗଞ୍ଜାମ ଜିଲ୍ଲାର ବାହୁଦାରେ ସବୁଦିନିଆ ସାଟେଲାଇଟ୍‌ ବନ୍ଦର ପାଇଁ ୨୧,୫୦୦ କୋଟି, ମହାନଦୀ ମୁହାଣରେ ୨୨,୭୦୦ କୋଟି ଟଙ୍କା ନିବେଶରେ ଏକ ମେଗା ଜାହାଜ ନିର୍ମାଣ କ୍ଲଷ୍ଟର୍ ହେବ। ଏହାସହ  ୨୦୩୬ ସୁଦ୍ଧା ରାଜ୍ୟରେ ୮ଟି ବନ୍ଦର ନିର୍ମାଣ ହେବ। ଏଥିରେ ଅଗ୍ରାଧିକାର ଭିତ୍ତିରେ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବିମାନବନ୍ଦରକୁ ରଖାଯାଇଛି।

ମହାନଦୀ, କୁଆଖାଇ ତଟ ପାଇବ ନୂଆରୂପ

ସମ୍ବଲପୁର ଓ ଭୁବନେଶ୍ବରର ସହରାଞ୍ଚଳବାସୀଙ୍କୁ ନଦୀକୂଳରେ ଭିନ୍ନ ଅନୁଭୂତି ମିଳିବ। ଗୁଜରାଟର ସାବରମତୀ ନଦୀକୂଳରେ ଯେପରି ବିକାଶ କରାଯାଇଛି ତା’ର ଝଲକ ଓଡ଼ିଶାର ଦୁଇଟି ନଦୀ ମହାନଦୀ ଓ କୁଆଖାଇରେ ଦେଖିବାକୁ ମିଳିବ। ମହାନଦୀ ନଦୀତଟ ବିକାଶ ଯୋଜନାରେ ସମ୍ବଲପୁରର ମାଣ୍ଡାଲିଆରୁ ଚୌନପୁର ପର୍ଯ୍ୟନ୍ତ ମହାନଦୀରେ ନଦୀକୂଳ, ଭୁବନେଶ୍ବରର ପାଣ୍ଡରା ନିକଟସ୍ଥ କୁଆଖାଇ ଓ କୁଶଭଦ୍ରାରେ ନଦୀତଟ ବିକାଶ କରାଯିବ। ୩ବର୍ଷରେ ମୋଟ ୨୪୦କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ସମ୍ବଲପୁରରେ ୧୬୦କୋଟି ଓ ଭୁବନେଶ୍ବରରେ ୮୦କୋଟି ଖର୍ଚ୍ଚ ହେବ।
ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି, ନଦୀକୂଳରେ ସହର ପାଇଁ ସାମାଜିକ, ସାଂସ୍କୃତିକ ସୁବିଧା ଯୋଗାଇଦେବା, ଜଳକ୍ରୀଡ଼ା, ମନୋରଞ୍ଜନ ପାର୍କ, ବିଜ୍ଞାନ ପାର୍କ, ଔଷଧୀୟ ଉଦ୍ୟାନ ଆଦିର ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣ, ନଦୀତଟ କ୍ଷୟ ତଥା ନଦୀ ସଂରଚନାର ନିୟନ୍ତ୍ରଣ, ଆବର୍ଜନା ନିଷ୍କାସନ ପଥ ପରିବର୍ତ୍ତନ କରି ନଦୀଜଳ ସଫା ରଖିବା, ଜଳ ସଂରକ୍ଷଣ ଦ୍ୱାରା ଜଳାଭାବ ସମୟରେ ନିକଟସ୍ଥ ଅଞ୍ଚଳକୁ ପାନୀୟଜଳ ଯୋଗାଣ ଏବଂ ସମ୍ବଳର ସ୍ଥାୟୀ ବିକାଶ ସହିତ ପାରିପାର୍ଶ୍ୱିକ କ୍ଷେତ୍ରକୁ ପୁନର୍ଜୀବିତ କରିବା।
ସମ୍ବଲପୁରରେ ମହାନଦୀ କୂଳରେ ପାର୍କିଂ ସ୍ଥାନ, ଜଗିଙ୍ଗ୍ ପାର୍କ, ସେଲ୍‌ଫି ପଏଣ୍ଟ, ପାର୍କ, ଖୋଲା ଜିମ୍, ଘାଟର ଉନ୍ନତୀକରଣ, ସ୍ନାନ ଘାଟ ନିର୍ମାଣ, ଆରତୀ ଘାଟ, ଥିମ୍‌ ପ୍ଲାଜା, ସପିଂ କମ୍ପ୍ଲେକ୍ସ, ଶୌଚାଳୟ ଆଦି ନିର୍ମାଣ ହେବ। ସେହିପରି ଭୁବନେଶ୍ବରରେ ନଦୀକୂଳ ଘାଟର ବିକାଶ, ରିଙ୍ଗ୍‌ରୋଡ ସହିତ ଦୃଶ୍ୟ ପଏଣ୍ଟ ବିକାଶ, ଭାସମାନ ଜେଟି, ଲକ୍‌ଗେଟ୍‌, ସେତୁ, ପାର୍କିଂ, କାଫେଟେରିଆ, ଶୌଚାଳୟ, ନଦୀପଥ ସହିତ ଆଭ୍ୟନ୍ତରୀଣ ପାଦଚଲା ରାସ୍ତା ନିର୍ମାଣ କରାଯିବ।

ଜାତୀୟ ଜଳପଥ-୫ ଓ ୬୪ ପାଇଁ ଏମ୍‌ଓୟୁ

ବହୁବର୍ଷ ଧରି କେବଳ ଯୋଜନାରେ ସୀମିତ ଥିବା ଜାତୀୟ ଜଳପଥ-୫ ଓ ଜାତୀୟ ଜଳପଥ-୬୪ର ବିିକାଶ ପାଇଁ ସରକାର ପାଦେ ଆଗେଇଛନ୍ତି। ଏଥିପାଇଁ ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧୀକରଣ, ଓଡ଼ିଶା ସରକାର, ପାରାଦୀପ ବନ୍ଦର ପ୍ରାଧୀକରଣ ଓ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଛି।
ସ୍ଥାୟୀ ମାଲ ପରିବହନ ଓ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧି ପାଇଁ ଓଡ଼ିଶାର ନଦୀ ପ୍ରଣାଳୀକୁ ଉପଯୋଗ କରିବା ଦିଗରେ ଏହି ଚୁକ୍ତିନାମା ଏକ ପ୍ରମୁଖ ପଦକ୍ଷେପ ହେବ। ୧୨,୨୦୦ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ତାଳଚେର କୋଇଲା କ୍ଷେତ୍ରରୁ ପାରାଦୀପ ଓ ଧାମରା ବନ୍ଦରକୁ କୋଇଲା ଏବଂ ଅନ୍ୟାନ୍ୟ ବଲ୍‌କ କାର୍ଗୋର ସୁଗମ ପରିବହନ କରିବା। ଏହାଦ୍ବାରା ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ହେବ, ରାସ୍ତା ଓ ରେଳ ନେଟ୍‌ୱର୍କକୁ କମ୍‌ ବ୍ୟବହାର କରାଯିବ, ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରାଯିବ।

ସୁବର୍ଣ୍ଣରେଖା ବାଲିକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଟଣାଓଟରା

ଛତିଶଗଡ଼ ମହାନଦୀକୁ ପାଣି ନ ଛାଡ଼ିବା, ଆନ୍ଧ୍ରର ଗୋଦାବରୀ ଉପରେ ପୋଲାଭରମ୍ ପ୍ରକଳ୍ପ ଯୋଗୁ ମାଲକାନଗିରିର ବହୁ ଅଞ୍ଚଳ ବୁଡ଼ିବା ଭଳି ସମସ୍ୟା ସୁବର୍ଣ୍ଣରେଖା ନଦୀରେ ନାହିଁ। ଏଠାରେ ନଦୀର ବାଲିକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଭିତରେ ଟଣାଓଟରା। ପଶ୍ଚିମବଙ୍ଗର ବାଲି ମାଫିଆ ଓଡ଼ିଶା ସୀମାରେ ପଶି ବାଲିି ଲୁଟୁଥିବାବେଳେ ଓଡ଼ିଶା ବିରୋଧ କରୁଛି। କିନ୍ତୁ ପଶ୍ଚିମବଙ୍ଗ ନିଜ ସୀମା କହି ବାଲି ତାଡ଼ି ଚାଲିଛି।
ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମା ବିବାଦ ସ୍ଥଳଭାଗରେ ବହୁବର୍ଷ ହେଲା ଚାଲିଥିବାବେଳେ ଜଳପଥରେ ଗତ କିଛିବର୍ଷ ହେଲା ଜୋର୍‌ ଧରିଛି। ଜଳେଶ୍ବର ନିକଟରେ ସୁବର୍ଣ୍ଣ‌େରଖା ପଠାର ୧୨କିମି ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାର ଦଣ୍ଟାଣ ଅଞ୍ଚଳକୁ ନେଇ ଏହି ବିବାଦ ବଢ଼ିବାରେ ଲାଗିଛି। ଏପରିକି ଏହି ବିବାଦର ସମାଧାନ ପାଇଁ ଚଳିତବର୍ଷ ଦୁଇ ରାଜ୍ୟର ସରକାର ଓରସାକ୍ ଦ୍ବାରା ଜିଓ ରେଫରେନ୍ସିଂ କରିବାକୁ ଆଲୋଚନା କରିଥିଲେ ବି ଏନେଇ କିଛି ନିଷ୍କର୍ଷ ବାହାରିପାରୁନି। ଏହାର ଫାଇଦା ନେଇ ପଶ୍ଚିମବଙ୍ଗର ବାଲି ମାଫିଆ ବୈତରଣୀକୁ ତାଡ଼ି ଖିନ୍‌ଭିନ୍ କରିସାରିଲେଣି। ନଦୀର ଅଧିକାଂଶ ଅଞ୍ଚଳରେ ଏବେ ବାଲି ବଦଳରେ ମାଟି ଦେଖିବାକୁ ମିଳିଲାଣି।

୬ ଅନ୍ତଃନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ୧୭୯୦କୋଟି

ରାଜ୍ୟରେ ବନ୍ୟା ଆଶଙ୍କା କମାଇବା, ମରୁଡ଼ି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ନଦୀ ସଂଯୋଗୀକରଣ ଯୋଜନା କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ମଧ୍ୟରେ ସର୍ବୋତ୍ତମ ଜଳବଣ୍ଟନକୁ ସୁନିଶ୍ଚିତ କରିବା, ଅତିରିକ୍ତ ଜଳ ସଂରକ୍ଷଣ କ୍ଷମତା ସୃଷ୍ଟି କରି ମରୁଡ଼ିର ମୁକାବିଲା କରିବା, ବନ୍ୟା ଆଶଙ୍କାକୁ ହ୍ରାସ କରିବା, କୃଷି ଉତ୍ପାଦନକୁ ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ’ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୬ଟି ପ୍ରକଳ୍ପ ପାଇଁ ୫ବର୍ଷରେ (୨୦୨୫-୨୬ରୁ ୨୦୨୯-୩୦) ମଧ୍ୟରେ ୧୭୯୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପଗୁଡ଼ିକ ହେଲା କାଟ୍ରା ସଂଯୋଗୀକରଣ ପ୍ରକଳ୍ପ (କଂସପାଳ ଆଇଏସ୍‌ଏସ୍‌ ଫିଡର ଚ୍ୟାନେଲ), ବାହୁଦା- ଋଷିକୁଲ୍ୟା ଅବବାହିକା ସଂଯୋଗୀକରଣ ପ୍ରକଳ୍ପ (ନନ୍ଦିନୀ ନଳା), ହୀରାଧରବାଟି ବନ୍ୟା ପ୍ରବାହ ଚ୍ୟାନେଲ୍‌ ପ୍ରକଳ୍ପ, ବାହୁଦା-ତାମ୍ପରା ସଂଯୋଗୀକରଣ ପ୍ରକଳ୍ପ, ଅଙ୍ଗ- ସୁକତେଲ ଗାର୍ଲାଣ୍ଡ କେନାଲ ପ୍ରକଳ୍ପ, ତେଲେଙ୍ଗିରି ଅପର କୋଲାବ ସଂଯୋଗୀକରଣ ପ୍ରକଳ୍ପ ପ୍ରମୁଖ। ଏହି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୦୪ ମସିହାରୁ ରାଜ୍ୟ ସରକାର ବ୍ରାହ୍ମଣୀ-ବୈତରଣୀ-ବୁଢ଼ାବଳଙ୍ଗ ଅବବାହିକା, ମହାନଦୀ-ବୈତରଣୀ ଅବବାହିକା, ଇନ୍ଦ୍ରାବତୀ-ମହାନଦୀ ଅବବାହିକା, ସୁବର୍ଣ୍ଣରେଖା-ଜମ୍ଭିରା-ବୁଢ଼ାବଳଙ୍ଗ ଅବବାହିକା,ବଂଶଧାରା-ଋଷିକୁଲ୍ୟା, ମହାନଦୀ-ବ୍ରାହ୍ମଣୀ, ଇବ୍-ବ୍ରାହ୍ମଣୀ, ମହାନଦୀ-ଋଷିକୁଲ୍ୟା, ନାଗାବଳୀ-ବଂଶଧାରା-ଋଷିକୁଲ୍ୟା ନଦୀ ସଂଯୋଗୀକରଣ ନେଇ ଯୋଜନା ହୋଇଥିଲେ ହେଁ ଏହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନି।

ନେରେଡ଼ି ବ୍ୟାରେଜ୍‌କୁ ନେଇ ବିବାଦରେ ବଂଶଧାରା

ଆନ୍ଧ୍ରପ୍ରଦେଶ ସରକାର ନେରେଡ଼ିଠାରେ ବଂଶଧାରା ନଦୀ ଉପରେ ଏକ ବ୍ୟାରେଜ୍ କରୁଛନ୍ତି। ଏହାଦ୍ବାରା ୬୦ହଜାର ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏହି ବ୍ୟାରେଜ୍‌ ଯୋଗୁ ରାୟଗଡ଼ା ଓ ଗଜପତି ଜିଲ୍ଲାର ପ୍ରାୟ ୧୨୦୦ଏକର ଜମିରେ ପାଣି ମାଡ଼ିଯିବ। ତେଣୁ ଓଡ଼ିଶା ଏହି ପ୍ରକଳ୍ପକୁ ବିରୋଧ କରୁଛି। ବିବାଦ ବହୁବର୍ଷ ହେଲା ଚାଲିଥିବାବେଳେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଆନ୍ଧ୍ରପ୍ରଦେଶ ସପକ୍ଷରେ ରାୟ ଦେଇଥିଲେ। ହେଲେ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏ‌ହାକୁ ଲାଗୁ କରାଯାଇପାରିନି।
ଏହା ମଧ୍ୟରେ ଆନ୍ଧ୍ର ସରକାର କହିଛନ୍ତି, ବଂଶଧାରା ନଦୀରେ ବଡ଼ ବନ୍ୟା (୬ଲକ୍ଷ କ୍ୟୁସେକ୍ ଜଳ) ପରିଚାଳନା ପାଇଁ ଡିଜାଇନ୍‌ରେ ପରିବର୍ତ୍ତନ ହୋଇଛି। ଏଥିପାଇଁ ଓଡ଼ିଶା ଓ ଆନ୍ଧ୍ରରୁ ଜମି ଅଧିଗ୍ରହଣ ହେବା ଆବଶ୍ୟକ। ଆନ୍ଧ୍ରରୁ ଜମି ଅଧିଗ୍ରହଣ ଶେଷ ହୋଇଥିଲେ ହେଁ ଓଡ଼ିଶା ସରକାର ଜମି ଦେଉନାହାନ୍ତି କି ପ୍ରକଳ୍ପ ନିର୍ମାଣରେ ସହଯୋଗ କରୁନାହାନ୍ତି। ଏହାପରେ ଓଡ଼ିଶା ସରକାର ବଂଶଧାରା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ ହେଁ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇନି।

ମହାନଦୀ ବିବାଦ ତୁଟିଲାନି 

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ବିବାଦର କିଛି ସ୍ଥାୟୀ ସମାଧାନ ହୋଇପାରିଲିନି। ୨୦୧୮ରୁ ଗଠନ ହୋଇଥିବା ମହାନଦୀ ଟ୍ରିବ୍ୟୁନାଲ୍‌ରେ କେବଳ ତାରିଖ ପରେ ତାରିଖ ଗଡ଼ି ଚାଲିଛି। କେନ୍ଦ୍ର, ଓଡ଼ିଶା ଓ ଛତିଶଗଡ଼ରେ ଗତ ଦେଢ଼ବର୍ଷ ହେଲା ବିଜେପି ସରକାର ଥିବାରୁ ରାଜ୍ୟବାସୀ ଆଶା କରିଥିଲେ ଟ୍ରିପଲ୍‌ ଇଞ୍ଜିନ୍‌ ସରକାରରେ ମହାନଦୀ ବିବାଦର ଶୀଘ୍ର ସମାଧାନ ହୋଇଯିବ। କିନ୍ତୁ ହୋଇପାରିଲାନି। ହେଲେ ମହାନଦୀ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ, କେନ୍ଦ୍ରର ହସ୍ତକ୍ଷେପ ଯୋଗୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏନେଇ ଆଲୋଚନା କରିଛନ୍ତି। ଆପୋସ ସମାଧାନ ମାଧ୍ୟମରେ ମହାନଦୀ ବିବାଦ ସମାଧାନ କରିବାକୁ ଆଗଉଛନ୍ତି ବୋଲି ଟ୍ରିବ୍ୟୁନାଲକୁ ଜଣାଇଛନ୍ତି। କିନ୍ତୁ ଶୁଖିଲା ମହାନଦୀକୁ ଦେଖି ବ୍ୟଥିତ ହୋଇପଡ଼ୁଛନ୍ତି ରାଜ୍ୟବାସୀ। ଯେତେ ଶୀଘ୍ର ବିବାଦର ସମାଧାନ ଚାହୁଛନ୍ତି ତାହା ହୋଇପାରୁନି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡ଼ିକୁ ଦୃଷ୍ଟିରେ ରଖି ଏବଂ ମହାନଦୀ ଜଳ ପ୍ରସଙ୍ଗର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେକରି ରାଜ୍ୟ ସରକାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଗଠିତ ଏହି ୮ଜଣିଆ କମିଟିରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରତିନିଧିଙ୍କୁ ସ୍ଥାନିତ କରାଯାଇଛି। ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ ଏବଂ ରାଜ୍ୟର ବୈଷୟିକ, ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗ୍‌ଦର୍ଶନ ପ୍ରଦାନ କରିବ।

ପୋଲାଭରମ୍ ବିବାଦ ବଢ଼ିଲା, କେନ୍ଦ୍ର ସହଯୋଗ ମିଳିଲାନି

ଗୋଦାବରୀ ନଦୀ ଉପରେ ଆନ୍ଧ୍ରପ୍ରଦେଶ ସରକାର ପୋଲାଭରମ୍ ପ୍ରକଳ୍ପ କରୁଛନ୍ତି। ଏହା ଏମିତି ଏକ ପ୍ରକଳ୍ପ ଯେଉଁଥିପାଇଁ କେବଳ ଆନ୍ଧ୍ରପ୍ରଦେଶ ଉପକୃତ ହେବାକୁ ଥିବାବେଳେ ୩ଟି ରାଜ୍ୟ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ପ୍ରଭାବିତ ହେବେ। ସବୁଠୁ ଅଧିକ କ୍ଷତି ଓଡ଼ିଶାର ହେବ। ୧୯୮୦ ମସିହାରେ ପୋଲାଭରମ୍ ପ୍ରକଳ୍ପର ଶିଳାନ୍ୟାସ ହେବା ଦିନଠାରୁ ଓଡ଼ିଶା ବିଭିନ୍ନ ସମୟରେ ବିରୋଧ କରୁଥିଲା। କିନ୍ତୁ ୨୦୧୪ରେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଜାତୀୟ ମାନ୍ୟତା ଦେବା ପରେ ଓଡ଼ିଶାର ବିରୋଧ ବଢ଼ିଥିଲା। ଆଜି ପର୍ଯ୍ୟନ୍ତ ପୋଲାଭରମ୍ ନେଇ ଯାହା ବି ନିଷ୍ପତ୍ତି ହୋଇଛି, କେନ୍ଦ୍ରରେ ୟୁପିଏ, ଏନ୍‌ଡିଏ ସରକାର ଯିଏ ବି ଥିଲେ ଓଡ଼ିଶାକୁ ସୁହାଇଲା ଭଳି କିଛି ନିଷ୍ପତ୍ତି ହୋଇନି। ୨୦୨୪ରେ ଆନ୍ଧ୍ରରେ ବିଜେପିର ସହଯୋଗୀ ଟିଡିପି ସରକାର, ଓଡ଼ିଶାରେ ବିଜେପି ସରକାର ଆସିବା ପରେ ରାଜ୍ୟବାସୀ ଆଶା କରିଥିଲେ ରାଜ୍ୟ ସରକାର କେନ୍ଦ୍ର ମାଧ୍ୟମରେ ଆନ୍ଧ୍ର ଉପରେ ଚାପ ପକାଇ କିଛି ବାଟ ବାହାର କରିବେ। କିନ୍ତୁ କେନ୍ଦ୍ର ସରକାର ଏହି ପ୍ରକଳ୍ପ ଶେଷ କରିବାକୁ ଆନ୍ଧ୍ରକୁ ୧୮୦୦୦ କୋଟି ଦେବା, ବନ୍ଧର ଉଚ୍ଚତା ୪୧.୧୫ ମିଟରରୁ ୪୫.୭୨ମିଟରକୁ ବଢ଼ାଇବାକୁ ଅନୁମତି ଦେବା ପରେ ବିବାଦ ଉଗ୍ରରୂପ ଧାରଣ କରିଥିଲା। ଉଭୟ ବିଜେଡି ଓକଂଗ୍ରେସ ଅଭିଯୋଗ କରିଥିଲେ, ଏହାଦ୍ବାରା ପିଛିଲା ପାଣି ମାଡ଼ି ମାଲକାନଗିରିର ମୋଟୁ ଅଞ୍ଚଳର ୨୩୬ଟି ଗାଁକୁ ବୁଡ଼ାଇଦେବ। ଏଥିରେ ୬୩୧୬ଟି ଆଦିବାସୀ ପରିବାର ପ୍ରଭାବିତ ହେବେ। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲେ ବି କିଛି ସୁଫଳ ମିଳିନି।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button