Breaking News

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ : ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳ ପ୍ରମୁଖ ସାମିଲ

ଭୁବନେଶ୍ଵର :  ଆଜି ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ଜିଲ୍ଲାରେ ପାଣି ପଂଚାୟତ ସମାବେଶପାଣି ପଞ୍ଚାୟତ ସଭ୍ୟ, କୃଷକ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତ ଓ କୃଷକମାନଙ୍କର ମୂଲ୍ୟବାନ ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରିବାରେ ପାଣି ପଂଚାୟତ ପକ୍ଷ ସୁଯୋଗ ପ୍ରଦାନ କରିଥାଏ । ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ବଲାଙ୍ଗୀର ଜିଲ୍ଲାରେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁନ୍ତ ବୌଦ୍ଧ ଜିଲ୍ଲାରେ ପଞ୍ଚାୟତିରାଜ, ପାନୀୟ ଜଳ , ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ବରଗଡ଼ରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁଙ୍କ ସମେତ ବିଧାୟକ ବରଗଡ଼ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପରିଷଦ ସଭାପତି, ବ୍ଲକ ଉପାଧ୍ୟକ୍ଷ ଏବଂ ଜଳ ସମ୍ପଦ ବିଭାଗର ସମ୍ପୃକ୍ତ ଯନ୍ତ୍ରୀମାନେ ଜିଲ୍ଲାସ୍ତରୀୟ ଉତ୍ସବରେ ଯୋଗ ଦେଇଥିଲେ ।
ସେହିପରି ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଶାରଦା ପ୍ରସାଦ ନାୟକ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀକୁନ୍ତୀ ପ୍ରଧାନ, ବିଧାୟକ ତଳସରା ଶ୍ରୀ ଭବାନୀ ଭୋଇ, ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ପ୍ରମୁଖ ଯୋଗ ଦେଇଥିଲେ । ଏହା ବ୍ୟତୀତ ଆସିକାରେ ମାନ୍ୟବର ସାଂସଦ, ଛତ୍ରପୁର ଓ ବ୍ରହ୍ମପୁର, ଢେଙ୍କାନାଳ,ସୁବର୍ଣ୍ଣପୁର, ପଟାଙ୍ଗୀ, ନିମାପଡ଼ା, ଖୋର୍ଦ୍ଧା, ପୁରୀ, ରଣପୁର, ନିଆଳି, ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା, ଆଦି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସଂପୃକ୍ତ ମାନ୍ୟବର ବିଧାୟକ ଏବଂ ଜିଲ୍ଲାପାଳମାନେ ପାଣି ପଞ୍ଚାୟତ ସମାରୋହରେ ଅଂଶଗ୍ରହଣ କରି ଉଦବୋଧନ ଦେଇଥିଲେ । ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜଳ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପାଣି ପଞ୍ଚାୟତ ସଭ୍ୟ, କୃଷକ ଏବଂ ଅନ୍ୟାନ୍ୟଗୁରୁତ୍ୱପୂର୍ଣ୍ଣ ଅଂଶୀଦାରମାନଙ୍କୁ ସଚେତନ କରିଥିଲେ ।
ଏହି ଅବସରରେ ଜିଲ୍ଲାସ୍ତରରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ କୃଷି ଯାନ୍ତ୍ରୀକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ମେଳାର ସମନ୍ୱୟରେ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ତର୍କ, ପ୍ରବନ୍ଧ,ଚିତ୍ରାଙ୍କନ, କୁଇଜ୍ ଓ ମଡେଲ ପ୍ରଦର୍ଶନୀ ପ୍ରଦର୍ଶନ ଭଳି ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହିତ ସମନ୍ୱିତ ଜଳସେଚନ ଓ କୃଷି ଯୋଜନା (ଆଇଆଇଏପି) ପ୍ରଣୟନ ଓ କାର୍ଯ୍ୟକାରିତା ନିମନ୍ତେ ପ୍ରତି ଜିଲ୍ଲାରୁ ଗୋଟିଏ ଲେଖାଏଁ ପାଣି ପଞ୍ଚାୟତକୁ ପୁରସ୍କୃତ କରାଯାଇଛି। ପୁସ୍ତିକା ବଣ୍ଟନ, ବ୍ୟାନର ଓ ଲୋଗୋ ପ୍ରଦର୍ଶନ, ସ୍ଲୋଗାନ, ଟ୍ୟାଗ୍ ଲାଇନ୍ ବ୍ୟବହାର ସହ,ସଙ୍ଗୀତ, ଶପଥ ପାଠ ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସୂଚନା ଶିକ୍ଷା ଯୋଗାଯୋଗ, ଜଳ ଉପଯୋଗିତାରେ ବ୍ୟବହାରିକ ପରିବର୍ତ୍ତନ ଉଦ୍ଦେଶ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ସାମଗ୍ରୀ , ଦୃଶ୍ୟ ଶ୍ରାବ୍ୟ ଆଦିକୁ ନେଇ ପ୍ରଚାର ପ୍ରସାର କରୁଥିବା ପାଣି ପଞ୍ଚାୟତ ରଥ ଗୁଡ଼ିକ ଜିଲ୍ଲାର ପ୍ରକଳ୍ପ, ଡିଭିଜନ୍ ଓ ପ୍ରମୁଖ ସ୍ଥାନଗୁଡ଼ିକୁ ପରିକ୍ରମା କରିବା ପରେ ଆଜି ଜିଲ୍ଲା ମୁଖ୍ୟାଳୟକୁ ଫେରି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Comments are closed.