ଦେଶ ବିଦେଶ

Double blow to Pakistan :ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଦୋହରା ଝଟ୍‌କା: ଭାରତ ପାଇଁ ବଡ଼ ବିଜୟ

ଜାତିସଂଘରେ ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି। ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧକ ମନିଟରିଂ କମିଟିର ସଦ୍ୟତମ ରିପୋର୍ଟରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦକୁ ତାଲିକାଭୁକ୍ତ କରାଯାଇଛି।

ନ୍ୟୁୟର୍କ : ଜାତିସଂଘରେ ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି। ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧକ ମନିଟରିଂ କମିଟିର ସଦ୍ୟତମ ରିପୋର୍ଟରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦକୁ ତାଲିକାଭୁକ୍ତ କରାଯାଇଛି। ଏହାକୁ ଜାତିସଂଘ ଦ୍ୱାରା ଏକ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରାଯାଇଛି। ଏହି ଆତଙ୍କବାଦୀ ସଂଗଠନ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ମଧ୍ୟ ଜଡିତ। ପାକିସ୍ତାନ ବାଲୁଚ୍ ଲିବରେସନ୍ ଆର୍ମି (ବିଏଲ୍‌ଏ)କୁ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ସହଯୋଗୀ ଭାବରେ ଘୋଷଣା କରିବାରେ ମଧ୍ୟ ବିଫଳ ହୋଇଛି। ଦୁଇଟି ଦୁଇଟି ମୋର୍ଚ୍ଚାରେ ବିଫଳ ହୋଇ ପାକିସ୍ତାନକୁ ଦୋହରା ଝଟ୍‌କା ଲାଗିଛି।

ପାକିସ୍ତାନ କଲା ପ୍ରତିବାଦ
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ଗୋଷ୍ଠୀ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଶାଖା ଜମାତ-ଉଲ-ମୁମିନାତ ପ୍ରତିଷ୍ଠା କରିବାକୁ ଯୋଜନା କରୁଛି। ରିପୋର୍ଟରେ ଜୈଶ୍-ଏ-ମହମ୍ମଦର ଉଲ୍ଲେଖକୁ ପାକିସ୍ତାନ ଦୃଢ଼ ବିରୋଧ କରିଥିଲା। ଏପରିକି ସଂଗଠନ ନିଷ୍କ୍ରିୟ ରହିଛି ବୋଲି କହି ନିଜର ଅସହମତି ପ୍ରକାଶ କରିଥିଲା। ଜୈଶ୍-ଏ-ମହମ୍ମଦର ଉଲ୍ଲେଖକୁ ବିରୋଧ କରିବାରେ ପାକିସ୍ତାନ ଏକମାତ୍ର ସଦସ୍ୟ ଦେଶ ଥିଲା। ଅନ୍ୟ ଦେଶମାନେ ଭାରତର ମତକୁ ସମର୍ଥନ କରିଥିଲେ।

ଜୈଶ୍ ଗଠନ କରୁଛି ମହିଳା ଆତଙ୍କବାଦୀ ଦଳ
ରିପୋର୍ଟ ଅନୁଯାୟୀ, ଏକ ସଦସ୍ୟ ରାଷ୍ଟ୍ର ଦାବି କରିଛି ଯେ, ଜୈଶ୍-ଏ-ମହମ୍ମଦ ଅନେକ ଆକ୍ରମଣ ପାଇଁ ଦାୟୀ। ଏହା ମଧ୍ୟ ରିପୋର୍ଟ ହୋଇଛି ଯେ, ଜୈଶ୍-ଏ-ମହମ୍ମଦ ନଭେମ୍ବର ୯ ରେ ଲାଲକିଲ୍ଲା ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲା। ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଅକ୍ଟୋବର ୮ ରେ, ଜୈଶ୍-ଏ-ମହମ୍ମଦ ନେତା ମୌଲାନା ମାସୁଦ ଆଝାର ଆଲଭି ଆତଙ୍କବାଦୀ ଆକ୍ରମଣକୁ ସମର୍ଥନ କରିବା ପାଇଁ ଏକ ସ୍ୱତନ୍ତ୍ର ମହିଳା ସଂଗଠନ ଜମାତ-ଉଲ-ମୁମିନତ ପ୍ରତିଷ୍ଠା ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲେ।

ରିପୋର୍ଟରେ ପହଲଗାମ ଆକ୍ରମଣର ଉଲ୍ଲେଖ
ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ପହଲଗାମ ଆକ୍ରମଣ ପଛରେ ଥିବା ତିନି ଜଣ ଆତଙ୍କବାଦୀ ଜମ୍ମୁ-କାଶ୍ମୀରରେ ନିହତ ହୋଇଛନ୍ତି। ପର୍ଯ୍ୟବେକ୍ଷକ ଗୋଷ୍ଠୀର ପୂର୍ବ ରିପୋର୍ଟରେ ପ୍ରଥମେ ପହଲଗାମ ଆକ୍ରମଣ ପାଇଁ ଦାୟୀ ଥିବା ଗୋଷ୍ଠୀ ଭାବରେ ଦି ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଉଲ୍ଲେଖ କରାଯାଇଥିଲା। ପାକିସ୍ତାନର ପ୍ରତିବାଦ ସତ୍ତ୍ୱେ, ଜାତିସଂଘ ଦ୍ୱାରା ନିର୍ଣ୍ଣିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ସହଯୋଗୀ ହୋଇଥିବାରୁ ଏହି ଗୋଷ୍ଠୀକୁ ନିଷିଦ୍ଧ କରାଯାଇଥିଲା।

ପାକିସ୍ତାନ ଚାହୁଁଛି ଜୈଶ୍ ନାମ ଉଲ୍ଲେଖ ନ ହେଉ
ଯଦିଓ ଜୈଶ୍-ଏ-ମହମ୍ମଦ ଅଲ-କାଏଦା ସହିତ ସମ୍ପର୍କ ଯୋଗୁ ଜାତିସଂଘର ୧୨୬୭ ପ୍ରତିବନ୍ଧକ କମିଟି ଅନ୍ତର୍ଗତ ଏକ ନିଷିଦ୍ଧ ସଂଗଠନ ବୋଲି କୁହାଯାଇଛି। ତେବେ ପାକିସ୍ତାନ ରିପୋର୍ଟରେ ଜୈଶ୍‌ ନାମକୁ ବାରମ୍ବାର ଉଲ୍ଲେଖ ନକରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛି। ଏହି ସଂଗଠନଗୁଡ଼ିକ ଆଉ ପାକିସ୍ତାନରୁ କାର୍ଯ୍ୟ କରୁନାହିଁ ବୋଲି ଦର୍ଶାଇବା ପାକ୍ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ବାଲୁଚ୍ ଲିବରେସନ ଆର୍ମିକୁ ଆତଙ୍କବାଦୀ ଘୋଷଣା କରିବାରେ ବିଫଳ
ପାକିସ୍ତାନ ବାଲୁଚ୍ ଲିବରେସନ୍ ଆର୍ମିକୁ ତେହରିକ-ଏ-ତାଲିବାନ ପାକିସ୍ତାନ ଓ ଏହାର ସହଯୋଗୀ ସଂଗଠନ ଅଲ-କାଏଦା କିମ୍ବା ଆଇଏସ୍‌ଆଇଏଲ୍ ସହିତ ଯୋଡ଼ିବା ପାଇଁ ସମର୍ଥନ ହାସଲ କରିବାରେ ବିଫଳ ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବାଲୁଚ୍ ଲିବରେସନ୍ ଆର୍ମି ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡରରେ ଏକ ଆକ୍ରମଣ କରିଥିଲା, ଯେଉଁଥିରେ ୩୨ ଜଣ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, କିଛି ସଦସ୍ୟ ରାଷ୍ଟ୍ର ମୂଲ୍ୟାଙ୍କନ କରୁଛନ୍ତି, ବାଲୁଚ୍ ଲିବରେସନ୍ ଆର୍ମି ଓ ଅଲ-କାଏଦା ମଧ୍ୟରେ କୌଣସି ସମ୍ପର୍କ ନାହିଁ ।

ଆମେରିକା, ୟୁକେ ଓ ଫ୍ରାନ୍ସ ପକ୍ଷରୁ ଅବରୋଧ
ପାକିସ୍ତାନ ଜାତିସଂଘର ୧୨୬୭ କମିଟି ଦ୍ୱାରା ବିଏଲ୍‌ଏକୁ ଏକ ଅଲ-କାଏଦା-ସଂଯୁକ୍ତ ସଂଗଠନ ଭାବରେ ନାମିତ କରିବାକୁ ଚେଷ୍ଟା କରୁଛି। ଏହା ଟିଟିପି ସହିତ ମିଳିତ ହେବାର ମିଥ୍ୟା ଅଭିଯୋଗ ଆଣିଛି। ପ୍ରକୃତରେ, ଆମେରିକା, ୟୁକେ ଓ ଫ୍ରାନ୍ସ ଜାତିସଂଘର କମିଟି ଅନ୍ତର୍ଗତ ବିଏଲ୍‌ଏକୁ ଆତଙ୍କବାଦୀ ସଂଗଠନ ଭାବେ ନାମିତ କରିବା ପାଇଁ ପାକିସ୍ତାନ-ଚୀନ୍ ପ୍ରସ୍ତାବକୁ ଅବରୋଧ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button