Breaking News

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ: ଏବେ କରାଯିବ ସଚେତନ, ନୂଆବର୍ଷରୁ କଡ଼ାକଡ଼ି

ଭକ୍ତଙ୍କୁ ଅଶାଳୀନ ପୋଷାକ ମନା: ଶ୍ରୀମନ୍ଦିରକୁ ପିନ୍ଧି ଯାଇପାରିବେନି ହାଫ୍‌ ପ୍ୟାଣ୍ଟ, ଚିରାଫଟା ପୋଷାକ, ମିନି ଡ୍ରେସ୍‌

  • ଶ୍ରୀମନ୍ଦିର ଏକ ଧାର୍ମିକ ସ୍ଥାନ, ଏହା କେଉଁ ପାର୍କ କି ସମୁଦ୍ର କୂଳ ନୁହେଁ
  • ଗ୍ରହଣ ପାଇଁ କୁମାର ପୂର୍ଣ୍ଣିମାରେ ରାତି ୨ରୁ ନୀତି
  • ରତ୍ନଭଣ୍ଡାର ସୁରକ୍ଷିତ : ମୁଖ୍ୟ ପ୍ରଶାସକ

ପୁରୀ:‌ ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା। ଶ୍ରୀମନ୍ଦିରରେ ଅଶ୍ଳୀଳତାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବନାହିଁ। ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ, ମିନି ଡ୍ରେସ୍‌ ଆଦି ପିନ୍ଧି କେହି ଦେଉଳରେ ପ୍ରବେଶ କରିପାରିବେ ନାହିଁ। ବରଂ ଭକ୍ତମାନେ ଶାଳୀନତାପୂର୍ବକ ପାରମ୍ପରିକ ପୋଷାକ ପରିଧାନ କରି ଆସିବେ। ଏଥିପାଇଁ ପ୍ରଥମେ ସଚେତନ କରାଯିବ ଓ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ନୂଆବର୍ଷ ଅର୍ଥାତ୍‌ ଜାନୁଆରି ପହିଲାରୁ ଏହି ନିୟମ କଡ଼ାକଡ଼ି କରାଯିବ। ଯେଉଁମାନେ ଅମାନ୍ୟ କରିବେ, ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଆଜି ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଅକ୍ଟୋବର ୨୫ରୁ ବାଳଧୂପ ଓ ରାଇଦାମୋଦର ବେଶ(କାର୍ତ୍ତିକ ବ୍ରତ) ଆରମ୍ଭ ହେଉଥିବାରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନୀତି ସବ୍‌କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭିତରଚ୍ଛ ଭବାନୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟିର ୫ ସେବାୟତ ପ୍ରତିନିଧି ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ଜଗନ୍ନାଥ କର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସମହାରାଜ, ନୀତି ସବ୍‌କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି ଯେ ଆଜି ପ୍ରମୁଖ ପ୍ରସଙ୍ଗ ଥିଲା, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକ ପରିଧାନ। ଶ୍ରୀମନ୍ଦିର ଏକ ଧାର୍ମିକ ସ୍ଥାନ। ଏହା କେଉଁ ପାର୍କ କି ସମୁଦ୍ର କୂଳ ନୁହେଁ। ଲୋକେ ଏଠାକୁ ଧାର୍ମିକ ଭାବନା ନେଇ ଆସୁଛନ୍ତି। ଏଣୁ ୧୨ ବର୍ଷ ବୟସରୁ ଅଧିକ ବୟସର ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି, ସେମାନଙ୍କ ପୋଷାକ ପରିଧାନରେ ଶାଳୀନତା ଅଣାଯିବ। ଭକ୍ତମାନେ ଯେଭଳି ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ ନ କରନ୍ତି, ତାଉପରେ କଡ଼ା ନଜର ରଖାଯିବ। ଚାରିଦ୍ବାରରେ ଚର୍ଚ୍ଚା, ପ୍ରତିହାରୀମାନେ ଏହା ଉପରେ ନଜର ରଖିବେ।

ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ଭିତରଛ ଭବାନୀ ଶଙ୍କର ମହାପାତ୍ର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ, ପରିଚାଳନା କମିଟି ସଭ୍ୟ ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଅନନ୍ତ ତିଆଡ଼ି, ଜଗନ୍ନାଥ କର, ଡ. ଦୁର୍ଗାପ୍ରସାଦ ଦାସ ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ କାର୍ତ୍ତିକ ମାସ ଏବଂ ଆଗାମୀ ୨୮ ତାରିଖର ଗ୍ରହଣ ନୀତି ପ୍ରସ୍ତୁତ କରାଯାଇଛି। ପାଳିଆ ସେବକଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ରଥଯାତ୍ରା ପରିଚାଳନାରେ ରହିଥିବା କେତେକ ତ୍ରୁଟି ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି।

Comments are closed.