ଦେଶ ବିଦେଶ

Drump-Zelensky: ଟ୍ରମ୍ପ-ଜେଲେନ୍‌ସ୍କି ୩ ଘଣ୍ଟା ଆଲୋଚନା

ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ବୋଲଡିମିର ଜେଲେନ୍‌ସ୍କିଙ୍କ ମଧ୍ୟରେ ରବିବାର ଦୀର୍ଘ ସମୟଧରି ଆଲୋଚନା ହୋଇଛି।

ଫ୍ଲୋରିଡା: ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ବୋଲଡିମିର ଜେଲେନ୍‌ସ୍କିଙ୍କ ମଧ୍ୟରେ ରବିବାର ଦୀର୍ଘ ସମୟଧରି ଆଲୋଚନା ହୋଇଛି। ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋଠାରେ ତିନିଘଣ୍ଟା ଧରି ହୋଇଥିବା ଆଲୋଚନା ପରେ ମଧ୍ୟ ଦୁଇ ନେତା କୌଣସି ବଡ଼ଧରଣର ଘୋଷଣା କରିନାହାନ୍ତି। ୨୦୨୨ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମାପ୍ତି କରିବାକୁ ଟ୍ରମ୍ପ ୨୦-ସୂତ୍ରୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଉଭୟ ନେତା ଏହି ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ତେବେ ଏହା ଜଟିଳ ପ୍ରକ୍ରିୟା ହୋଇଥିବାରୁ ଅଧିକ ସମୟ ଲାଗିବ ବୋଲି କହିଥିଲେ। ଜେଲେନସ୍କିଙ୍କ ସହିତ ଆଲୋଚନା ପୂର୍ବରୁ ଟ୍ରମ୍ପ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଫୋନରେ କଥା ହୋଇଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ଟ୍ରମ୍ପଙ୍କ ପ୍ରସ୍ତାବ ନେଇ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ରବିବାର ଟ୍ରମ୍ପ ଜେଲେନସ୍କିଙ୍କ ସହିତ ଆଲୋଚନାବେଳେ ତାଙ୍କର ପ୍ରଶଂସା କରିବା ସହିତ ଖୁବ୍‌ଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଆମେରିକା, ୟୁକ୍ରେନ ଓ ୟୁରୋପୀୟ ଦେଶ ଏହା ଉପରେ ଆଗାମୀ ଦିନରେ ୱାସିଂଟନରେ ଅଧିକ ଆଲୋଚନା କରିବେ ବୋଲି ଟ୍ରମ୍ପ କହିଛନ୍ତି। ପୁଟିନଙ୍କ ସହିତ ସେ ଆଉଥରେ କଥା ହେବେ‌ ବୋଲି ମଧ୍ୟ କହିଛନ୍ତି।  ତେବେ ୟୁକ୍ରେନକୁ ଯୁଦ୍ଧ ଶେଷ କରିବାକୁ ସେ କୌଣସି ସମୟ ସୀମା ଦେଇନଥିଲେ। ତାଙ୍କ ପ୍ରତିନିଧି ଷ୍ଟିଭ ୱିଟକଫ ଓ ଜ୍ବାଇଁ ଜେରାଡ କୁଶନରଙ୍କ ଦ୍ବାରା ଅଧିକ ଆଲୋଚନା ଜାରି ରହିଥିବାରୁ ଚାରି ବର୍ଷଧରି ଚାଲିଥିବା ଏହି ଯୁଦ୍ଧ ଶେଷ କରିବାକୁ ସେମାନେ ଆଲୋଚନାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଟ୍ରମ୍ପ କହିଛନ୍ତି। ଏହି ଆଲୋଚନା ଯୁଦ୍ଧ ସମାପ୍ତ କରିବ ନହେଲେ ଏହା ଆହୁରି ଅଧିକ ଦିନ ଚାଲିବ ଯେପରିକି ନିୟୁତ ନିୟୁତ ଲୋକଙ୍କ ଜୀବନ ନେବ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଜେଲନେସ୍କିଙ୍କ ସହିତ ଆଲୋଚନା ପରେ ପୁଟିନଙ୍କ ସହିତ ଫୋନରେ ଆଉ ଥରେ କଥା ହୋଇଥିଲେ। ଫ୍ଲୋରିଡା ବାସଭବନରେ ଜେଲେନସ୍କିଙ୍କୁ ଭେଟିବା ସମୟରେ ଟ୍ରମ୍ପଙ୍କ ହାତରେ ମେକ୍‌-ଅପ୍‌ ହୋଇଥିବା ପରି ଜଣାପଡ଼ିଥିଲା। ଟ୍ରମ୍ପଙ୍କ ହାତର ଅବସ୍ଥା ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟାକୁ ଦର୍ଶାଉଛି ବୋଲି ଏହାପରେ ଆଲୋଚନା ଚାଲିଛି। ସ୍ବାସ୍ଥ୍ୟଗତ ସମସ୍ୟାକୁ ଲୁଚାଇବାକୁ ଟ୍ରମ୍ପ ହାତରେ ଏପରି ଭାବେ ବ୍ୟାଣ୍ଡେଜ୍‌ ଲଗାଇ ମେକ୍-ଅପ୍‌ କରିଥିବା ଚର୍ଚ୍ଚା ହେଉଛି।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button