Editorial: କାହା ଲାଗି ଘଣ୍ଟି ବାଜେ?
ଏହି ଯୁଦ୍ଧର ମାସକ ପରେ ଅନୁଭୂତ ହେଉଛି ଯେ ଯୁଦ୍ଧ ବିଧ୍ବସ୍ତ ଇରାନରୁ ଅକଥନୀୟ ମାନବ ଟ୍ରାଜେଡି ସଂବଳିତ ସମ୍ବାଦର ପ୍ରବାହ ଅତ୍ୟନ୍ତ କ୍ଷୀଣ! ଏଣେ, ଯୁଦ୍ଧ ନେଇ ତର୍କ ଓ ବ୍ୟାଖ୍ୟାନ ମୁଖର ଗଣମାଧ୍ୟମ ମଞ୍ଚରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ହୋଇଛି ଶକ୍ତି ସଂକଟ....

ଏହି ଯୁଦ୍ଧର ମାସକ ପରେ ଅନୁଭୂତ ହେଉଛି ଯେ ଯୁଦ୍ଧ ବିଧ୍ବସ୍ତ ଇରାନରୁ ଅକଥନୀୟ ମାନବ ଟ୍ରାଜେଡି ସଂବଳିତ ସମ୍ବାଦର ପ୍ରବାହ ଅତ୍ୟନ୍ତ କ୍ଷୀଣ! ଏଣେ, ଯୁଦ୍ଧ ନେଇ ତର୍କ ଓ ବ୍ୟାଖ୍ୟାନ ମୁଖର ଗଣମାଧ୍ୟମ ମଞ୍ଚରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ହୋଇଛି ଶକ୍ତି ସଂକଟ, ଟ୍ରଂପଙ୍କ ବାଚାଳ ସୁଲଭ ବୟାନବାଜି, ଯୁଦ୍ଧର ସ୍ବରୂପ ଓ ସମାପ୍ତି ନେଇ ବିଶେଷଜ୍ଞମାନଙ୍କ ଅସରନ୍ତି ଅନୁମାନ ଓ ଆକଳନ, ଡ୍ରୋନ ବା ଯୁଦ୍ଧ ବିମାନ ବା ବିଶେଷ ସାମରିକ ପ୍ରଯୁକ୍ତି ଇତ୍ୟାଦିକୁ ଘେନି ଜ୍ଞାନର ସଂପ୍ରେଷଣ ଇତ୍ୟାଦି!
ଗଲା ୨୮ ତାରିଖରେ ‘ଅପରେସନ ଏପିକ ଫ୍ୟୁରି’କୁ ମାସଟିଏ ପୂରିଲା ଏବଂ ଇସ୍ରାଏଲ-ଆମେରିକା ଦ୍ବାରା ସଂଘଟିତ ମିଳିତ ଆକ୍ରମଣରେ ମାର୍ଚ୍ଚ ମାସର ପ୍ରଥମ ପ୍ରଭାତ ବେଳକୁ ଇରାନ ଚୂର୍ଣ୍ଣବିଚୂର୍ଣ୍ଣ ହେବାକୁ ଲାଗିଥିଲା। ତେବେ, ଏହି ଯୁଦ୍ଧ କିଭଳି ଉପରୋକ୍ତ ତିନିଟି ରାଷ୍ଟ୍ର ମଧ୍ୟରେ ସୀମାବଦ୍ଧ ନ ରହି ସମଗ୍ର ପୃଥିବୀକୁ କବଳିତ କରସାରିଛି, ସେ ନେଇ ଅଧିକ କୁହାଯିବା ଅନାବଶ୍ୟକ। ସଂପ୍ରତି, ସାମାଜିକ ଗଣମାଧ୍ୟମେର ପ୍ରସାରିତ ଆକ୍ରମଣର ଆଗ୍ନିକ ଦୃଶ୍ୟ ଓ ମଞ୍ଜଥରା ଶବ୍ଦର ପ୍ରାବଲ୍ୟରେ ଯଦିଓ ସମସ୍ତେ ପରିପୃକ୍ତ, ମୃତାହତଙ୍କ ସଂଖ୍ୟା ଓ ପୀଡ଼ିତମାନଙ୍କ ଦୁର୍ଦ୍ଦଶା ଓ ବିସ୍ଥାପନର କାରୁଣ୍ୟ ସଂପର୍କିତ ସୂଚନା ଓ ଚିତ୍ର ବୁନ୍ଦା ପ୍ରାୟ ମିଳିବାରେ ଲାଗିଛି। ଜାତିସଂଘ ଓ ଅନ୍ୟାନ୍ୟ କେତେକ ସୂତ୍ରରୁ ହିସାବ କରାଯାଉଛି ଯେ ଏହି ଅବଧି ମଧ୍ୟରେ କେବଳ ଇରାନରେ ୨୦୦୦ (୩ ଭାରତୀୟଙ୍କ ସମେତ), ଲେବାନନରେ ୧୦୦୦ ଓ ୧୩ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟିଛି ଏବଂ ୨ ନିୟୁତ ଲୋକ ବିସ୍ଥାପିତ ହୋଇ ସାରିଲେଣି। ଏହି ଯୁଦ୍ଧ ତା’ର ଆକାର ଏବଂ ତହିଁରେ ଅନ୍ୟ ରାଷ୍ଟ୍ରମାନଙ୍କ ସଂପୃକ୍ତି ଦୃଷ୍ଟିରୁ ହୁଏତ ଏକ ବିଶ୍ବଯୁଦ୍ଧର ସମକକ୍ଷ ହୋଇ ନ ପାରେ; କିନ୍ତୁ ଅନୁମାନ କରାଯାଇଥାଏ ଯେ ଏହା ପରେ ଦ୍ବିତୀୟ ବିଶ୍ବଯୁଦ୍ଧ ଉପରାନ୍ତ ‘ୱର୍ଲଡ ଅର୍ଡର’ ବା ‘ବିଶ୍ବର ଧାରା’ରେ ପରିବର୍ତ୍ତନ ଘଟିବ। ଏଭଳି ସ୍ଥିତିରେ ମାସକ ପରେ ଏହି ଯୁଦ୍ଧ ଓ ତା’ର ପ୍ରଭାବ ଉପରେ ଦୃଷ୍ଟି ନିକ୍ଷେପ କରାଯିବାର ଆବଶ୍ୟକତା ରହିଛି।
ଏହା ସୁବିଦିତ ଯେ ଏହି ଯୁଦ୍ଧରେ ଇସ୍ରାଏଲ ସହ ଯୋଗ ଦେବା ସପକ୍ଷରେ ଆମେରିକା ଦ୍ବାରା ପ୍ରଦତ୍ତ କାରଣଟି ଥିଲା ଇରାନକୁ ଧର୍ମାନ୍ଧ ଓ ଏକଛତ୍ରବାଦୀ ଆୟୋତୋଲ୍ଲା ଶାସନ କବଳରୁ ମୁକ୍ତ କରିବା। ହୁଏତ ଧାରଣା ଥିଲା ଯେ ଏକ ବାହ୍ୟ ଆକ୍ରମଣ ହେବା ମାତ୍ରକେ ମୁକ୍ତି ଲାଗି ଉଦ୍ଗ୍ରୀବ ଜନସାଧାରଣ ସଡ଼କକୁ ଓହ୍ଲାଇ ଆସି ଆୟୋତୋଲ୍ଲା ଶାସନକୁ ଭୂଲୁଣ୍ଠିତ କରି ପକାଇବେ! ସେହି ପଥ ସୁଗମ କରିବା ଲାଗି ଇରାନର ସମସ୍ତ ଶୀର୍ଷ ସ୍ଥାନୀୟ ନେତୃ ମଣ୍ଡଳିକୁ ସୁନିର୍ଦ୍ଦିଷ୍ଟ ଭାବେ ହତ୍ୟା କରାଯାଇଥିଲା। ଗୋଟିଏ ମାସର ନିରନ୍ତର ବୋମା ମାଡ଼ ପରେ ଇରାନ କ୍ରମଶଃ ଏକ ଧ୍ବଂସସ୍ତୂପରେ ପରିଣତ ହେବାରେ ଲାଗିଛି। ସେଠାରେ ଆୟୋତୋଲ୍ଲା ବିରୋଧୀ କ୍ଷୀଣତମ ସ୍ବର ଶୁଭିବା ତ ଦୂରର କଥା, ଯାହା ଦୁର୍ବୋଧ୍ୟ ହୋଇ ପଡ଼ିଛି, ତାହା ହେଲା ଭଗ୍ନାବଶେଷ ତଳୁ ତୀବ୍ର ପାଲଟା ଆକ୍ରମଣ ଜାରି ରଖିବାର ସାମର୍ଥ୍ୟ ଏକ ମୁରବି-ବିହୀନ ଇରାନ ପାଉଛି କେଉଁଠୁ? ଖୁବ୍ ସମ୍ଭବ ଯେ ପ୍ରାଚୀନ ପାରସ୍ୟ ସଭ୍ୟତା ଓ ଅଦ୍ବିତୀୟ ବୀର ‘ସାଇରସ ଦ ଗ୍ରେଟ’ଙ୍କ ସାହସର ସ୍ମୃତି କଣିକା ଏ ଯାବତ୍ ଇରାନୀ ଜନସମାଜର ଶୋଣିତରେ ପ୍ରବାହିତ ହେଉଛି, ଯଦ୍ଦ୍ବାରା ନିଜ ଭୂଖଣ୍ଡର ସାର୍ବଭୌମତ୍ବର ହନନ ସେମାନଙ୍କ ଲାଗି ଅକ୍ଷମଣୀୟ ହୋଇ ଉଠିଛି; ଯେଉଁ ସ୍ଥିତିରେ ଆୟୋତୋଲ୍ଲା ବିରୋଧୀ ଅସନ୍ତୋଷ ଅଗତ୍ୟା ମୂଲ୍ୟହୀନ ଭଳି ଦିଶୁଛି! ତେଣୁ ବିଧିବଦ୍ଧ ଯୁଦ୍ଧ ବିରତି ସମ୍ଭବ ନ ହେଲେ ଏହି ଯୁଦ୍ଧ ପ୍ରଲମ୍ବିତ ହେବା ପ୍ରାୟ ନିଶ୍ଚିତ।
ଏବେ ହୃଦ୍ବୋଧ ହେଉଛି ଯେ ହର୍ମୁଜ ପ୍ରଣାଳି ହେଉଛି ସେହି ନାଡ଼ି ଯାହାକୁ ଚିପି ଧରି ପୃଥିବୀକୁ ଶକ୍ତିହୀନ କରି ଦେବାର କ୍ଷମତା ଇରାନ ଠାରେ ଅଛି। ସେମିତି ଆରବ ରାଷ୍ଟ୍ରଗୁଡ଼ିକ ପ୍ରଥମ ଥର ଲାଗି ଇରାନୀ ଆକ୍ରମଣର ଶରବ୍ୟ ହେବା ପରେ ଅଗତ୍ୟା ସେମାନଙ୍କ ସାଞ୍ଜୁର ଛିଦ୍ର ଆବିଷ୍କାର କରି ମୁହ୍ୟମାନ ହୋଇଥିବେ। ମାସଟିଏ କାଳ ଇରାନ ପକ୍ଷରୁ ସଂଘଟିତ ଅତର୍କିତ କ୍ଷେପଣାସ୍ତ୍ର ଆଘାତ ସହିବା ପରେ ଅନ୍ତତଃ ଏତିକି ଜ୍ଞନୋଦୟ ହୋଇଥାଇପାରେ ଯେ ନିଜ ନିଜ ଦେଶର ସୁରକ୍ଷା ଦାୟିତ୍ବକୁ ‘ଆଉଟ୍ ସୋର୍ସିଂ’ (ଆମେରିକା ହାତରେ) କରି ଦିଆଯିବା ଏକ ବଡ଼ ଧୃଷ୍ଟତା!
ନିଜ ରାଷ୍ଟ୍ରର ସୁରକ୍ଷା ସଂଦର୍ଭରେ ଦୁଇ ଧାପ ଆଗେଇ ଯାଇ ଉତ୍ତର କୋରିଆର ଶାସନ ମୁଖ୍ୟ କିମ୍ ଜୋଙ୍ଗ ଉନ୍ ଗଲା ଶୁକ୍ରବାର ଦିନ, ତାଙ୍କ ସଂସଦରେ ଇରାନ-ଆମେରିକା ଯୁଦ୍ଧ ପରିପ୍ରେକ୍ଷୀରେ ପ୍ରଦାନ କରିଥିବା ବାର୍ତ୍ତାଟି ହେଲା, ପରମାଣୁ ଅସ୍ତ୍ରର ନିର୍ମାଣ ଓ ଭଣ୍ଡାର ସୃଷ୍ଟି ହେଉଛି ସାଂପ୍ରତିକ ସମୟର ଅନିବାର୍ଯ୍ୟତା, ଯଦ୍ଦ୍ବାରା ଗୋଟିଏ ରାଷ୍ଟ୍ର ବାହ୍ୟ ଆକ୍ରମଣର ଆଶଙ୍କାରୁ ନିଷ୍କୃତି ପାଇବ! ଅନେକ ବିଶେଷଜ୍ଞଙ୍କ ଅନୁମାନ ଯେ ଯୁଦ୍ଧର ଅବସାନ ପରେ ଇରାନର ଏକମାତ୍ର ଧ୍ୟେୟ ହୋଇପାରେ କଳେବଳେକୌଶଳେ ପଣମାଣୁ ଅସ୍ତ୍ର ନିର୍ମାଣ ଓ ଧାରଣର ସାମର୍ଥ୍ୟ ଲାଭ। ତେଣୁ ହୁଏତ ଏଣିକି ପରମାଣୁ ନିରସ୍ତ୍ରୀକରଣ ପରିବର୍ତ୍ତେ ପରମାଣୁ ଆକ୍ରମଣ ରଚିବାର ସାମର୍ଥ୍ୟ ହିଁ ହେବ ପୃଥିବୀକୁ ଯୁଦ୍ଧର ସଂତ୍ରାସରୁ ମୁକ୍ତ ରଖିବାର ଉପାୟ।
ଏହି ଯୁଦ୍ଧର ମାସକ ପରେ ଅନୁଭୂତ ହେଉଛି ଯେ ଯୁଦ୍ଧ ବିଧ୍ବସ୍ତ ଇରାନରୁ ଅକଥନୀୟ ମାନବ ଟ୍ରାଜେଡି ସଂବଳିତ ସମ୍ବାଦର ପ୍ରବାହ ଅତ୍ୟନ୍ତ କ୍ଷୀଣ! ଏଣେ, ଯୁଦ୍ଧ ନେଇ ତର୍କ ଓ ବ୍ୟାଖ୍ୟାନ ମୁଖର ଗଣମାଧ୍ୟମ ମଞ୍ଚରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ହୋଇଛି ଶକ୍ତି ସଂକଟ, ଟ୍ରଂପଙ୍କ ବାଚାଳ ସୁଲଭ ବୟାନବାଜି, ଯୁଦ୍ଧର ସ୍ବରୂପ ଓ ସମାପ୍ତି ନେଇ ବିଶେଷଜ୍ଞମାନଙ୍କ ଅସରନ୍ତି ଅନୁମାନ ଓ ଆକଳନ, ଡ୍ରୋନ ବା ଯୁଦ୍ଧ ବିମାନ ବା ବିଶେଷ ସାମରିକ ପ୍ରଯୁକ୍ତି ଇତ୍ୟାଦିକୁ ଘେନି ଜ୍ଞାନର ସଂପ୍ରେଷଣ ଇତ୍ୟାଦି! ଭିଏତନାମ ଯୁଦ୍ଧ କାଳରେ ଆମେରିକୀୟ ସାମ୍ବାଦିକ ମୋର୍ଲି ସେଫରଙ୍କ ଦ୍ବାରା ପ୍ରସ୍ତୁତ, ‘ବର୍ନିଂ ଅଫ କାମ୍ ନେ, ସାଉଥ ଭିଏତନାମ’ ଶୀର୍ଷକ ଅତ୍ୟନ୍ତ ମର୍ମସ୍ପର୍ଶୀ କଳା-ଧଳା କ୍ଷୁଦ୍ର ଡକୁମେଣ୍ଟାରି (୧୯୬୫) ବା ‘ଆସୋସିଏଟେଡ ପ୍ରେସ’ର ଫଟୋଗ୍ରାଫର ନିକ ଉଟ୍ଙ୍କ ଦ୍ବାରା ୧୯୭୨ ମସିହାରେ ଉତ୍ତୋଳିତ ସେହି କିଂବଦନ୍ତୀୟ ଫଟୋଗ୍ରାଫ କାହିଁ, ଯାହା ଆମେରିକାରେ ଆମେରିକା ବିରୋଧୀ ଜନମତ ସୃଷ୍ଟି କରି ଭିଏତନାମ ଯୁଦ୍ଧରେ ଅବସାନ ଘଟାଇଥିଲା। ମୋର୍ଲିଙ୍କ ଭିଡିଓରେ ଦେଖିବାକୁ ମିଳିଥିଲା କିଭଳି ଜଣେ ଆମେରିକୀୟ ସୈନିକ ତା’ ସିଗାରେଟ ଲାଇଟରରେ ଭିଏତନାମୀ ଗାଁ (କାମ ନେ)ର ଛଣ ଛପର ଘରାଗୁଡ଼ିକୁ ଜାଳି ଦେବାରେ ବ୍ୟାପୃତ! ନିକ ଉଟ୍ଙ୍କ ଫଟୋଟି ଥିଲା ନଅ ବର୍ଷ ବୟସ୍କା ଭିଏତନାମୀ ବାଳିକା ଫାନ ଥି କିମ ଫୁକଙ୍କର, ଯିଏ ନାପାମ ବୋମା ଆକ୍ରମଣରେ ଜଳୁଥିବା ତାଙ୍କ ଗାଁରୁ ପ୍ରାଣ ବିକଳରେ ପଳାୟନ କରୁଥିଲେ! ଅନେକଙ୍କ ଅନୁମାନ ଯେ ସେଭଳି ସାମ୍ବାଦିକତାର ଯୁଗ ସମ୍ଭବତଃ ସମାପ୍ତ ପ୍ରାୟ! ଅବଶ୍ୟ, ଇରାନ ବା ଲେବାନନରୁ ସ୍ଥାନୀୟ ସାମ୍ବାଦିକମାନେ ଯଥାସମ୍ଭବ ଯୁଦ୍ଧ ସଂକ୍ରାନ୍ତ ସମ୍ବାଦ ପ୍ରେରଣ କରିବେ, କିନ୍ତୁ ହୁଏତ ସେ ସବୁର ବିଶେଷ ପ୍ରଭାବ ପଡ଼ିବ ନାହିଁ!; ଯେମିତି ଘଟି ସାରିଛି ଗାଜା ଆକ୍ରମଣ କାଳରେ, ସେଠାରୁ ଖବର ପଠାଇ ପଠାଇ ପରିଶେଷରେ ଗାଜାର ଧ୍ବଂସ ସ୍ତୂପ ତଳେ ୨୦୦ରୁ ଅଧିକ ସାମ୍ବାଦିକ ନିଶ୍ଚିହ୍ନ ହୋଇଯିବା ସତ୍ତ୍ବେ! ଏବଂ ଅବସୋସର ବିଷୟ ହେବ, ଯେଉଁ ଶକ୍ତିଶାଳୀ ଗଣମାଧ୍ୟମଗୁଡ଼ିକ ପ୍ରଭାବ ସୃଷ୍ଟି କରିପାରନ୍ତେ, ସେମାନେ ୟୁଟ୍ୟୁବ ଓ ଇନଷ୍ଟଗ୍ରାମରେ ଉପଲବ୍ଧ ଫଟୋ ଓ ଭିଡ଼ିଓ ଦେଖାଇ ଏବଂ ନିଉଜରୁମ୍ରେ ତର୍କ-ବିତର୍କର ତମ୍ବିି ତୋଫାନ ସୃଷ୍ଟି କରି ସନ୍ତୁଷ୍ଟ ରହିବେ!
ପୃଥିବୀ ପ୍ରାରମ୍ଭରୁ ଅସୁମାରି ଯୁଦ୍ଧ ଓ ତା’ର ବିଭୀଷିକା ଦେଖି ଆସିଥିଲେ ହେଁ ଯୁଦ୍ଧକୁ ନେଇ ସେହି ଚିରନ୍ତନ ମାର୍ମିକ ପ୍ରଶ୍ନର ଉତ୍ତର ଖୋଜିବାରେ ବେଳ ଅବେଳରେ ଘାରି ହୁଏ, ଯାହା ହେଲା, ଯୁଦ୍ଧରେ କିଏ ଜିତେ? ଡୋନାଲ୍ଡ ଟ୍ରଂପଙ୍କ ଅକ୍ଳାନ୍ତ ଉଚ୍ଚାଟ ଯେ ସେ ଏହି ଯୁଦ୍ଧ ଜିଣି ସାରିଛନ୍ତି! ନୋବେଲ ପୁରସ୍କାର ବିଜେତା ଆମେରିକୀୟ ଲେଖକ ଅର୍ନେଷ୍ଟ ହେମିଂୱେ ଯୁଦ୍ଧ ସଂଦର୍ଭରେ ଲେଖିଥିଲେ ପ୍ରଖ୍ୟାତ ଉପନ୍ୟାସ ‘ଫର ହୁମ ଦି ବେଲ ଟୋଲ୍ସ?’, ଅର୍ଥାତ୍ ‘କାହା ଲାଗି ଘଣ୍ଟି ବାଜେ?’ ହେମିଂୱେ ସ୍ବୟଂ େସ୍ପନୀୟ ସିଭିଲ ୱାର (ଗୃହଯୁଦ୍ଧ)ରେ ସାମ୍ବାଦିକତା କରିବା ସହିତ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରିଥିଲେ। ଯୁଦ୍ଧ ଭୂମିରେ ତାଙ୍କ ପ୍ରତ୍ୟକ୍ଷ ଅନୁଭୂତି କାରଣରୁ ଏହି ଉପନ୍ୟାସ ଏକ ଅମ୍ଳାନ କୃତିରେ ପରିଣତ ହୋଇଛି। ହେମିଂୱେ ଏହି ପୁସ୍ତକର ନାମଟିକୁ ଆଣିଥିଲେ ପ୍ରଖ୍ୟାତ କବି ଜନ ଡନଙ୍କ ସୁପ୍ରସିଦ୍ଧ କବିତା ‘ନୋ ମ୍ୟାନ ଇଜ ଆନ ଆଇଲାଣ୍ଡ’ର ଗୋଟିଏ ଧାଡ଼ିରୁ! ଜନ ଡନଙ୍କ ଏହି ଅତ୍ୟନ୍ତ ହୃଦୟସ୍ପର୍ଶୀ କ୍ଷୁଦ୍ର କବିତା ପ୍ରତ୍ୟେକ ମନୁଷ୍ୟକୁ ତା’ ସ୍ଥିତି ନେଇ ସଚେତ କରାଏ। କବିତାର ସାରମର୍ମଟି ଏହି ଭଳି: କୌଣସି ମନୁଷ୍ୟ ଗୋଟିଏ ଦ୍ବୀପ ନୁହେଁ, ସେ ମାନବ ଜାତିର ଏକ ଅଂଶ। ତେଣୁ ପ୍ରତ୍ୟେକ ମନୁଷ୍ୟର ମୃତ୍ୟୁ ମୋତେ କ୍ଷୟ କରିଥାଏ। ତେଣୁ ଗୀର୍ଜାରେ ଯଦି ଘଣ୍ଟି ବାଜେ, ତେବେ ପଚାରି ପଠାଅ ନାହିଁ ଯେ କାହା ପାଇଁ ତାହା ବାଜୁଛି! କାରଣ ଏହା ତୁମ ପାଇଁ ବାଜିଥିବ ଅବା! କବିତାର ତାତ୍ପର୍ଯ୍ୟ ହେଲା, କାହାର ମୃତ୍ୟୁରେ ଗୀର୍ଜାରେ ବାଜୁଥିବା ଘଣ୍ଟିର ଶବ୍ଦ ତୁମକୁ ନିଜ ଅନିବାର୍ଯ୍ୟ ପରିଣତି ନେଇ ସଚେତ କରାଉ। ହେମିଂୱେ ତାଙ୍କ ଉପନ୍ୟାସର ନାମକରଣ ସକାଶେ କବିତାର ଏହି ଧାଡ଼ିଟିକୁ ବାଛିବାର ମୂଳ କାରଣଟି ଥିଲା ଦର୍ଶାଇବା ଯେ ଯୁଦ୍ଧ ମାତ୍ରକେ ଅର୍ଥହୀନ; କୌଣସି ଯୁଦ୍ଧରେ କାହାର ହେଲେ ବିଜୟ ଘଟି ନ ଥାଏ; ଯିଏ ବିଜୟୀ ବୋଲି ଦର୍ପୋନ୍ମତ୍ତ ହୁଏ, ସେ ହୁଏତ ଶୁଣି ପାରି ନ ଥାଏ ଯେ ତା’ ସକାଶେ ମଧ୍ୟ ଘଣ୍ଟି ବାଜୁଥାଏ! ତେଣୁ ସେ ପଚାରିଚନ୍ତି, ‘କାହା ଲାଗି ଘଣ୍ଟି ବାଜେ?’
ସୌଜନ୍ୟ ସମ୍ବାଦ




