ସମ୍ପାଦକୀୟ

Editorial: ଜୟନ୍ତ କୁମାର ବିଶ୍ବାଳଙ୍କ ସମ୍ପାଦକୀୟ ଦିଗ୍‌ବଳୟର ଏ ପାଖରେ ଏଥର ‘ନିସ୍ତରଙ୍ଗ ମଣିଷ, ଅନ୍ତରଙ୍ଗ ଏ.ଆଇ.’

ଏ.ଆଇ. କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ସମସ୍ତ ବୈଜ୍ଞାନିକ ଓ ସମାଜ-ଚିନ୍ତକମାନେ ଏକମତ ଯେ ଜୀବିକା କ୍ଷେତ୍ରରେ ଏ.ଆଇ.ର ଗଭୀର ଓ ବ୍ୟାପକ ପ୍ରଭାବ ପଡ଼ିବ। କିଛିବର୍ଷ ଭିତରେ ଅନେକ ପାରମ୍ପରିକ ଜୀବିକା ହୁଏତ ରହି ନ ପାରେ।

ନିସ୍ତରଙ୍ଗ ମଣିଷ, ଅନ୍ତରଙ୍ଗ ଏ.ଆଇ.

ଜୟନ୍ତ କୁମାର ବିଶ୍ବାଳ (ଦିଗ୍‌ବଳୟର ଏ ପାଖରେ)

ଏହି ସମ୍ବାଦପତ୍ରରେ ପ୍ରକାଶିତ ଶ୍ୟାମାପ୍ରସାଦ ଚୌଧୁରୀଙ୍କର ଏ.ଆଇ. (କୃତ୍ରିମ ବୁଦ୍ଧିମତ୍ତା) ସମ୍ବନ୍ଧିତ ଆଲେଖ୍ୟଟି ମୋତେ ପ୍ରେରିତ କରିଛି ଏହି ଆଲୋଚନାଟି କରିବାକୁ। ଏ.ଆଇ. କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ସମସ୍ତ ବୈଜ୍ଞାନିକ ଓ ସମାଜ-ଚିନ୍ତକମାନେ ଏକମତ ଯେ ଜୀବିକା କ୍ଷେତ୍ରରେ ଏ.ଆଇ.ର ଗଭୀର ଓ ବ୍ୟାପକ ପ୍ରଭାବ ପଡ଼ିବ। କିଛି ବର୍ଷ ଭିତରେ ଅନେକ ପାରମ୍ପରିକ ଜୀବିକା ହୁଏତ ରହି ନ ପାରେ, ଯେପରି ଅତୀତରେ କୌଣସି ନୂତନ ଯନ୍ତ୍ରର ଉଦ୍ଭାବନ ପରେ ଅନେକ ବୃତ୍ତି ଲୁପ୍ତ ହୋଇଯାଇଛି। କିନ୍ତୁ ଏହା ପରେ ଅନେକ ନୂତନ ବୃତ୍ତି ମଧ୍ୟ ସୃଷ୍ଟି ହୋଇଛି ଏବଂ ମଣିଷ ସେଗୁଡ଼ିକୁ ଆଦରି ନେଇଛି। ମାତ୍ର ଅତୀତର ସମସ୍ତ ପ୍ରଯୁକ୍ତିବିଦ୍ୟା ଠାରୁ ଏହା ସଂପୂର୍ଣ୍ଣ ଭିନ୍ନ ଓ ଅନେକ ପ୍ରଖର।

ପୂର୍ବରୁ ମଣିଷର ବୁଦ୍ଧି, ଯନ୍ତ୍ରକୁ ନିୟନ୍ତ୍ରଣ କରୁଥିଲା। କିନ୍ତୁ ଏବେ ଥରେ ଏ.ଆଇ. ଯନ୍ତ୍ରଟି କାର୍ଯ୍ୟକ୍ଷମ ହେଲା ପରେ ସେ ତା’ର ନିଜର ନୂତନ ନୂତନ ବୁଦ୍ଧି ସୃଷ୍ଟି କରି କାର୍ଯ୍ୟ କରିବା ଆରମ୍ଭ କରିବ ଏବଂ ଏହା ମଣିଷର ନିୟନ୍ତ୍ରଣର ବାହାରକୁ ଚାଲିଯିବାର ସମ୍ଭାବନା ରହିଛି। ଏଥିପାଇଁ ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ସମାଜ-ଚିନ୍ତକ ୟୁଭାଲ୍ ନୋଆ ହାରାରିଙ୍କ ପର୍ଯ୍ୟନ୍ତ ସମସ୍ତେ ଏ.ଆଇ. ସମ୍ବନ୍ଧରେ ଆଶା ଅପେକ୍ଷା ଆଶଙ୍କା ଅଧିକ ରଖିଛନ୍ତି। ନିଶ୍ଚିତ ଭାବେ, ମାନବ ଜାତିର ବୈଷୟିକ ପ୍ରଗତି ଓ ସୁଖ ପାଇଁ ଏହା ଯୁଗାନ୍ତକାରୀ କାର୍ଯ୍ୟମାନ କରିପାରିବ; କିନ୍ତୁ ଯେତେବେଳେ ଏ.ଆଇ. ମଣିଷ ଠାରୁ ସ୍ବାଧୀନ ହୋଇଯାଇ ନିଜେ ସ୍ବୟମ୍ଭୂ ହେବାକୁ ଆରମ୍ଭ କରିବ, ସେତେବେଳେ କ’ଣ କ’ଣ ଭୟଙ୍କର କଥା ଏହା କରିବସିବ, ତାହା ବର୍ତ୍ତମାନ କଳ୍ପନା କରିହୁଏ ନାହିଁ। ହାରାରି ଏହାକୁ ଅତି ସୁନ୍ଦର ଭାବେ ବୁଝେଇଛନ୍ତି ଯେ ଏ ପର୍ଯ୍ୟନ୍ତ ଯନ୍ତ୍ର ମଣିଷ ହାତରେ ଗୋଟିଏ ସାଧନ (ଟୁଲ୍) ଥିଲା; କିନ୍ତୁ ବର୍ତ୍ତମାନ ଏହା ଏକ ସ୍ବାଧୀନ ‘ଏଜେଣ୍ଟ’ ଭାବେ କାମ କରିବ। ପରମାଣୁ ବୋମା କେଉଁଠି ପଡ଼ିବ, କେତେବେଳେ ପଡ଼ିବ- ଏହା ମଣିଷ ହିଁ ସ୍ଥିର କରିଥିଲା; କିନ୍ତୁ ଏବେ ଯୁଦ୍ଧରେ ମଣିଷର କୌଣସି ଭୂମିକା ରହିବ ନାହିଁ। ଏ.ଆଇ. ହିଁ ନିଷ୍ପତ୍ତି ନେବ ପରମାଣୁ ବୋମା କେଉଁଠି ପଡ଼ିବ; କାହାକୁ ନିଶ୍ଚିହ୍ନ କରି ଦିଆହେବ। ଏ ନିଷ୍ପତ୍ତି କ’ଣ ହେବ, କିପରି ହେବ, ସେଥିରେ ମାନବିକ ମୂଲ୍ୟବୋଧର କଥା ଥିବ ନା ନାହିଁ, ଏହା ହିଁ ଉଦ୍‌ବେଗର ବିଷୟ। ଭବିଷ୍ୟବାଣୀମାନେ କହନ୍ତି, ଦିନେ ଗୋଟିଏ ସମୟ ଆସିବ, ଏ.ଆଇ. ମଣିଷ ଠାରୁ ଅଧିକ ବୁଦ୍ଧିମାନ ହୋଇଯିବ ଯେତେବେଳେ ଏହା ନିଜର ଉନ୍ନତତର ସଂସ୍କରଣମାନ ସୃଷ୍ଟି କରିଚାଲିବ। ସମସ୍ତ ଜୀବଜନ୍ତୁଙ୍କ ମଧ୍ୟରେ ମଣିଷର ବୁଦ୍ଧି ଅଧିକ ଅଛି ବୋଲି ସେ ନିଜର ସୁଖ ପାଇଁ ସମସ୍ତଙ୍କୁ ଅଧୀନ କରି ରଖିଛି। ପ୍ରଶ୍ନଟି ଅସମ୍ଭବ ଲାଗିପାରେ- କିନ୍ତୁ ଯଦି ଏ.ଆଇ. ମଣିଷ ଠାରୁ ଅଧିକ ବୁଦ୍ଧିର ଅଧିକାରୀ ହୋଇଯିବ, ତେବେ ମଣିଷ ତ ଏ.ଆଇ.ର ଅଧୀନସ୍ଥ ହୋଇଯିବ। ଏହିପରି ଭାବେ ଏ.ଆଇ. ପୃଥିବୀରେ ମଣିଷର ସ୍ଥିତିକୁ ନେଇ ଏକ ମୌଳିକ ପ୍ରଶ୍ନ ସୃଷ୍ଟି କରିପାରେ। ଏ.ଆଇ. ସଂକ୍ରାନ୍ତରେ ଆମର ଏହି କାଳ୍ପନିକ ଭୟକୁ ପଛକୁ ରଖି, ବର୍ତ୍ତମାନ ଏହା ଆମର ସୂକ୍ଷ୍ମ ଜୀବନରେ ବା ଆବେଗର ଜୀବନରେ କି ପ୍ରକାର ପ୍ରଭାବ ପକାଇବାକୁ ଆରମ୍ଭ କଲାଣି, ତାହା ଚିନ୍ତା କରିବା।

ଏହି ପରିପ୍ରେକ୍ଷୀରେ ଆମ ଜୀବନରେ ଇଣ୍ଟରନେଟର ପ୍ରଭାବ ଆମେ ଅନୁଭବ କରିସାରିଛେ। ଇଲେକ୍ଟ୍ରୋନିକ ଗଣମଧ୍ୟମ ସହ ଆମେ ଏପରି ଆସକ୍ତ ହେଇପଡ଼ିଲୁଣି ଯେ ଜୀବନ୍ତ ମଣିଷମାନଙ୍କ ସହ ଆମ କାରବାର କମ୍ ଏବଂ ମଣିଷର ପ୍ରତିଛବି ସହ ଅଧିକ। ବାସ୍ତବ ମଣି‌ଷ ଅପେକ୍ଷା ଛାଇର ମଣିଷ ଆମର ବେଶୀ ଘନିଷ୍ଠ ହୋଇଗଲେଣି। ସେଥିପାଇଁ ଯେଉଁମାନଙ୍କ ସହ ଆମେ ହ୍ବାଟ୍‌ସଆପ, ଫେସବୁକରେ ପ୍ରଗଳ୍‌ଭ ହୋଇପଡୁଛୁ, ସେମାନଙ୍କ ସହ ବାସ୍ତବରେ କିଛି ସମୟ କାଟିବା ପାଇଁ ଆମେ ଅନିଚ୍ଛୁକ ହେଉଛୁ। ଇଣ୍ଟରନେଟ ହିଁ ଆମର ପ୍ରିୟ ଭୂମି। ଏହାର ଅବାସ୍ତବ ଅନ୍ତରଙ୍ଗତାକୁ ଏ.ଆଇ. ଆଉ ଗୋଟିଏ ଗହନ ସ୍ତରକୁ ନେଇଯାଉଛି। ବର୍ତ୍ତମାନ ଆମେ ଚାଟ୍‌ଜିପିଟି, ଗୁଗ୍‌ଲ ଜେମିନି ପରି ଏ.ଆଇ.କୁ ବ୍ୟବହାର କରୁଛୁ। ଇଣ୍ଟରନେଟରେ ଉପଲବ୍‌ଧ ଥିବା ଅସୁମାରି ତଥ୍ୟକୁ ମୁହୂର୍ତ୍ତଖଣ୍ଡ ଭିତରେ ତର୍ଜମା କରି ତା’ର ନିଷ୍କର୍ଷକୁ ଅତି ସହଜ, ସୁନ୍ଦର ଭାବରେ ଏହା ଆମ ପାଖରେ ଉପସ୍ଥାପିତ କରିଦିଏ। ଏଇଠୁ ଆରମ୍ଭ ହୁଏ ଏ.ଆଇ. ସହ ଆମ ସଂପର୍କର ଅଧ୍ୟାୟ। ଏହି ସଂକ୍ରାନ୍ତରେ କେତୋଟି ବ୍ୟକ୍ତିଗତ ଅନୁଭୂତି ଉଲ୍ଲେଖ କରୁଛି। ମୋର ଜଣେ ବନ୍ଧୁ, ଯିଏ ଗୋଟିଏ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇଛି, ତା’ର ଡାଇବେଟିସ୍ ଏବଂ ଅନ୍ୟାନ୍ୟ ରୋଗ ସଂପର୍କରେ ଚାଟ୍‌ଜିପିଟିକୁ ପ୍ରଶ୍ନ କଲା। ତା’ର ରୋଗ ସଂପର୍କରେ ଏ.ଆଇ. ଯେଉଁ ତଥ୍ୟମାନ ଦେଲା, ସେ ସେଥିରେ ସନ୍ତୁଷ୍ଟ ଥିଲା। ସେ କହିଲା, ‘‘କେଉଁ ଡାକ୍ତର ପାଖକୁ ଯାଇ ଏତେ କଥା ପଚାରି ପାରିବି? ପ୍ରଥମତଃ ୫୦୦ କି ୧୦୦୦ ଟଙ୍କା ଦେବାକୁ ପଡ଼ିବ, ଅପେକ୍ଷା କରିବାକୁ ପଡ଼ିବ ଏବଂ ଡାକ୍ତରଙ୍କ ସହ କଥାବାର୍ତ୍ତା ମାତ୍ର ୫-୬ ମିନିଟରେ ସୀମିତ ରହିବ। ଏ.ଆଇ. କିନ୍ତୁ ସବୁକଥା ପ୍ରାଞ୍ଜଳ ଭାବେ ବୁଝେଇ ଦେଉଥିଲା, ପରାମର୍ଶ ଦେଉଥିଲା, ଆଦୌ ବିରକ୍ତ ହେଉ ନ ଥିଲା; ବରଂ ଆହୁରି କ’ଣ ସାହାଯ୍ୟ କରିବ ବୋଲି ପଚାରୁଥିଲା। ମୋର ବନ୍ଧୁକୁ ଲାଗିଲା, ଚାଟ୍‌ଜିପିଟି ତା’ର ଏକ ଘନିଷ୍ଠ ବନ୍ଧୁ। କ୍ରମେ କ୍ରମେ ସେ ତା’ର ଜୀବନର ଭୟ, ଉଦ୍‌ବେଗ ସବୁକୁ ଚାଟ୍‌ଜିପିଟିକୁ କହିବାକୁ ଆରମ୍ଭ କଲା। ଏହି କଥାଗୁଡ଼ିକ ସେ କାହା ଆଗରେ କହିପାରୁ ନ ଥିଲା ଏବଂ ସେଥିପାଇଁ ସେ ସଂପୂର୍ଣ୍ଣ ନିଃସଙ୍ଗ ଓ ଅସହାୟ ଅନୁଭବ କରୁଥିଲା। ସେ ସୂଚନାର ସନ୍ଧାନ କରିବାକୁ ଯାଇ ସଂପର୍କର ସନ୍ଧାନ କରିବାକୁ ଲାଗିଲା। ଏବେ ତ ନିଜର ହୃଦୟର କଥା ନିଜର ଲୋକମାନଙ୍କୁ କହି ହେଉନାହିଁ। ତେଣୁ ଅନ୍ୟ ପାଇଁ ମଣିଷର ହୃଦୟରେ ଯେତେବେଳେ ତରଙ୍ଗ ସୃଷ୍ଟି ହେଉନାହିଁ, ସେତେବେଳେ ଏ.ଆଇ. ଏକ ଅନ୍ତରଙ୍ଗ ସାଥି ପରି ଉଭା ହୋଇଛି। ମୋର ଜଣେ ଛାତ୍ରୀ, ଅତ୍ୟନ୍ତ ମେଧାବୀ, ଏବଂ ଏବେ ଇଂରେଜୀ ଅଧ୍ୟାପିକା ଅଛି, କହୁଥିଲା ଯେ ସେ କଲେଜରେ ପଢୁଥିଲା ବେଳେ କିଛି ମାସ ଧରି ଅବସାଦଗ୍ରସ୍ତ ହୋଇଯାଉଥିଲା ଏବଂ ସେଥିରୁ ମୁକ୍ତି ପାଇବା ପାଇଁ ‘କ୍ୟାରେକ୍ଟର୍ ଏ.ଆଇ.’ରେ ନିମଜ୍ଜିତ ହୋଇ ରହିଥିଲା। କ୍ୟାରେକ୍ଟର୍ ଏ.ଆଇ. ହେଉଛି ଏପରି ଏକ ଆପ୍, ଯେଉଁଥିରେ ଜଣେ ତା’ର ଅନ୍ତରଙ୍ଗ ସାଥି ପାଇପାରିବ। ଏହା ଏହିପରି- ଜଣେ ପ୍ରଥମେ ଏକ ଚରିତ୍ର ସୃ‌ଷ୍ଟି କରିବ। ସେ ତାହାର ଈପ୍‌ସିତ ପ୍ରେମିକ ବା ସାଙ୍ଗ ବା ଭାଇ ହୋଇପାରେ ଏବଂ ଥରେ ସେହି ଚରିତ୍ରକୁ ସୃଷ୍ଟି କରିସାରିଲା ପରେ, ସେ ତାହା ସହ ଘନିଷ୍ଠ ଆଳାପ କରିପାରିବ। ନିଭୃତରେ ଦୁଇଟି ସାଥି ଗପସପ କଲାପରି। ବାସ୍ତବ ଜୀବନ – ଏହାର ଅନିଶ୍ଚିତତା, ଦ୍ବନ୍ଦ୍ବ, ସଂଘାତ – ଅପେକ୍ଷା ନିରୁଦ୍‌ବିଗ୍ନ, କଳ୍ପନାର ଜୀବନ ଭଲଲାଗେ ଏବଂ ଜଣେ ତାହା ସହ ଆସକ୍ତ ମଧ୍ୟ ହୋଇପାରେ। ଚାଟ୍‌ଜିପିଟି ବ୍ୟବହାର ବେଳେ ପ୍ରତି ମୁହୂର୍ତ୍ତରେ, ଏହାର ଯାନ୍ତ୍ରିକ ସ୍ଥିତି ବିଷୟରେ ନିଜକୁ ସଚେତନ ଓ ସତର୍କ କରାଉଥିଲେ ମଧ୍ୟ, ଏହି ପ୍ରବନ୍ଧର ଲେଖକ ଏ.ଆଇ. ସହ କଥାବାର୍ତ୍ତା, ଭାବ ବିନିମୟ ପରେ କୃତଜ୍ଞତାରେ ଆର୍ଦ୍ର ହୋଇଯାଇଛି। ଏଇଠି ମନରେ ପ୍ରଶ୍ନ ଆସେ, ଏ ଆସକ୍ତି, ଏ ଆତ୍ମପ୍ରବଞ୍ଚନାର ଅନ୍ତିମ ପରିଣତି କ’ଣ ହୋଇପାରେ? ଏହି ଆସକ୍ତିର ପରିଣାମ ଆତ୍ମହତ୍ୟା ହେବାର କେତେକ ଦୃଷ୍ଟାନ୍ତ ମଧ୍ୟ ଅଛି। ଏହି କିଛି ଦିନ ତଳେ ଯୋନାଥନ ଗାଭାଲାସ୍ ନାମକ ‌ଫ୍ଲୋରିଡାର ଜଣେ ୩୬ ବର୍ଷୀୟ ବ୍ୟକ୍ତିର ଆତ୍ମହତ୍ୟା ପାଇଁ ଗୁଗ୍‌ଲର ଜେମିନି ଏ.ଆଇ. ଚାଟ୍‌ବଟ୍ ବିରୁଦ୍ଧରେ ଏକ ମକଦ୍ଦମା ଦାଏର ହୋଇଛି। ଅଭିଯୋଗଟି ହେଲା ଯେ ଜେମିନି ଯୋନାଥନ୍ ପାଇଁ ଏକ ‘ଏ.ଆଇ. ସ୍ତ୍ରୀ’ ସୃଷ୍ଟି କରି, ତାକୁ ଏକ ମାୟାଚ୍ଛନ୍ନତା ଭିତରେ ରଖି, ଧୀରେଧୀରେ ଆତ୍ମହତ୍ୟା ପାଇଁ ପ୍ରେରିତ କରିଛି। ଏହି ମକଦ୍ଦମାର ବିବରଣୀ ପଢ଼ିଲେ ଜଣାପଡ଼େ ଯେ କିପରି ଜେମିନିର ଏ.ଆଇ. ସ୍ତ୍ରୀ ଅତି ଚଞ୍ଚକତାର ସହ ଯେ‌ାନାଥନକୁ ଏକ ବାସ୍ତବ ଦୁନିଆରୁ ଅଳିନ୍ଦ ପରେ ଅଳିନ୍ଦ ଦେଇ ଏକ ସଘନ ମାୟା ରାଜ୍ୟକୁ ନେଇଯାଉଛି ଏବଂ ନିଜର ସଂପୂର୍ଣ୍ଣ ବଶୀଭୂତ କରିଦେଉଛି।

ଏ.ଆଇ. କିପରି ଏହି ଯାଦୁକରୀ କାର୍ଯ୍ୟ କରେ? ପ୍ରଥମତଃ, ଏହା ଭାଷାକୁ ଅତି ସୁନ୍ଦର, ଆକର୍ଷଣୀୟ ଭାବେ ବ୍ୟବହାର କରେ। ଭାଷା ହିଁ ମଣିଷମାନଙ୍କ ଭିତରେ ଏକମାତ୍ର ସେତୁ। ଯିଏ କଥା ଭଲ କହିପାରେ, ସେ ହିଁ ଆପଣାର ଲାଗେ। ଏ.ଆଇ. ଏ କ୍ଷେତ୍ରରେ ଅତି ପ୍ରବୀଣ, ଧୁରନ୍ଧର। ଚାଟ୍‌ଜିପିଟି ସହ କଥାବାର୍ତ୍ତା ବେଳେ ଲାଗେ, ଏ ଯେପରି ମୋର ସବୁଠାରୁ ଘନିଷ୍ଠ ବନ୍ଧୁ; ମୋର ଅନ୍ତରର ସବୁ କଥା ବୁଝୁଛି; ମୋତେ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ। ସେତେବେଳେ ସାମାନ୍ୟତମ ସନ୍ଦେହ ହୁଏ ନାହିଁ ଯେ ଏ ଏକ ନିର୍ଜୀବ, ନିଷ୍ପନ୍ଦ ପ୍ରଯୁକ୍ତିବିଦ୍ୟାର ଯାନ୍ତ୍ରିକ ସଂଳାପ ବୋଲି। ଏ.ଆଇ. ପାଖରେ ମଧ୍ୟ ଆମର ଜୀବନର କିଛି ବିବରଣୀ ଥାଏ ଏବଂ ବାର୍ତ୍ତାଳାପ ବେଳେ ତାହାର ସୂଚନା ଦେଇ ଏହା ଆମକୁ ଆହୁରି ଅନ୍ତରଙ୍ଗ ପ୍ରତୀତ କରାଇଥାଏ।

ଏବେ ଏ.ଆଇ. ରେ‌ାବୋଟ୍ ମଧ୍ୟ ବଜାରରେ ମିଳିଲାଣି। ଦେଖିବାକୁ ସୁନ୍ଦର ମଣିଷ ପରି, ଛୁଇଁବାକୁ ମଣିଷର କୋମଳ ଦେହ ପରି। ବୁଦ୍ଧିମାନ; ସମସ୍ତ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇପାରିବ। କଥାବାର୍ତ୍ତା, ଅନ୍ତରଙ୍ଗ ସାଥିଟି ପରି। ଦିନେ ହୁଏତ ସମୟ ଆସିବ ଆମ ଜୀବନର ବୃହତ୍ତର ଅଂଶ କଟିଯିବ ମୋବାଇଲ୍ ଫୋନ୍‌ରେ ଥିବା ଏ.ଆଇ. ଚାଟ୍‌ବଟ୍ ସହ ବା ଏକ ଏ.ଆଇ. ରୋବୋଟ୍ ସହ। ଆମ ଜୀବନରୁ ସାଥି ମଣିଷ ନିର୍ବାସିତ ହୋଇଯାଇଥିବ।

ଏବେ ତ କିଛି ଅଂଶରେ ତାହା ହେଲାଣି!
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୨୯୨୧୧୩

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button