ସମ୍ପାଦକୀୟ

Editorial: ଟୋୟୋଟା ଅମଳ

ଏହା ଅବଶ୍ୟ ସତ ଯେ ଆମେରିକା ସହିତ ଭାରତର ବାଣିଜ୍ୟରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଥାଏ: ଆମଦାନି ଠାରୁ ଭାରତର ରପ୍ତାନି ଅଧିକ ହୋଇଥାଏ। କିନ୍ତୁ ତେବେ ମଧ୍ୟ ସଂପୃକ୍ତ ରପ୍ତାନି ଶିଳ୍ପମାନଙ୍କରେ ଭାରତୀୟ ଉତ୍ପାଦନ ଅତ୍ୟଧିକ ହେବା ପରିବର୍ତ୍ତେ....

ଏହା ଅବଶ୍ୟ ସତ ଯେ ଆମେରିକା ସହିତ ଭାରତର ବାଣିଜ୍ୟରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଥାଏ: ଆମଦାନି ଠାରୁ ଭାରତର ରପ୍ତାନି ଅଧିକ ହୋଇଥାଏ। କିନ୍ତୁ ତେବେ ମଧ୍ୟ ସଂପୃକ୍ତ ରପ୍ତାନି ଶିଳ୍ପମାନଙ୍କରେ ଭାରତୀୟ ଉତ୍ପାଦନ ଅତ୍ୟଧିକ ହେବା ପରିବର୍ତ୍ତେ ତା’ର ସମ୍ଭାବ୍ୟ କ୍ଷମତାର ବେଶ୍ ତଳେ ରହିଥିବା ଦେଖାଯାଇଥାଏ। ଆଉ ସେମାନଙ୍କୁ ମଧ୍ୟ ବୁଝାଇଦେବା ଦରକାର ଯେ ଭାରତ ଭଳି ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତିରେ ଯେଉଁଭଳି ବର୍ଦ୍ଧିଷ୍ଣୁ ଶ୍ରମ-ଚାହିଦା ଲାଗି ରହିଥାଏ, ସେଥିରେ ଏବଂ ବିଶେଷ କରି ଭାରତ ଭଳି ଏକ ସଦା ସଜାଗ ଗଣତନ୍ତ୍ରରେ କୌଣସି ଶିଳ୍ପ ଉତ୍ପାଦନରେ ଗୋତି ଶ୍ରମର ବ୍ୟବହାରର ସମ୍ଭାବନା ହେଉଛି ସଂପୂର୍ଣ୍ଣ ଶୂନ୍ୟ।

ଆମେରିକାର ରାଜନୈତିକ ଦୃଶ୍ୟପଟରେ ଡୋନାଲ୍‌ଡ ଟ୍ରମ୍ପ ନାମକ ଜ‌େଣ ରାଷ୍ଟ୍ରପତିଙ୍କର ଆବିର୍ଭାବର କେତେ ବର୍ଷ ପୂର୍ବେ ସ୍ବନାମଧନ୍ୟ ପଦାର୍ଥବିଜ୍ଞାନୀ-ଅର୍ଥନୀତିଜ୍ଞ ଡେଭିଡ୍ ଫ୍ରିଡ୍‌ମ୍ୟାନ୍ ସେଠାରେ ଅବାଧ ବାଣିଜ୍ୟର ପଥରୋଧ କରିବା ପାଇଁ ଟାରିଫ୍ ଲାଗୁ କରାଯିବା ଉଦ୍ୟମ ବିରୋଧରେ ଉପସ୍ଥାପନା କରିଥିବା ନିଜର ଯୁକ୍ତିକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଏକ ରୋଚକ ତୁଳନାର ସାହାଯ୍ୟ ନେଇଥିଲେ। ଫ୍ରିଡ୍‌ମ୍ୟାନ୍ କହିଥିଲେ ଆମେରିକା ଦୁଇଟି ଉପାୟରେ ମଟରକାର୍ ତିଆରି କରିପାରିବ: ସେମାନେ ଡେଟ୍ରଏଟ୍‌ରେ ଥିବା କାରଖାନାମାନଙ୍କରେ ଏହାକୁ ନିର୍ମାଣ କରିପାରିବେ, କିମ୍ବା ସେମାନେ ଆଇଓୱା ରାଜ୍ୟର ଗହମ କ୍ଷେତରେ ଏହାକୁ ଅମଳ କରିପାରିବେ। ଆଇଓୱାରେ ମଟରକାର୍ ଅମଳ କରିବାକୁ ହେଲେ ଯେଉଁ ବିଶେଷ ପ୍ରବିଧି ବ୍ୟବହାର କରିବାକୁ ହେବ, ଯାହା ଗହମକୁ (ମଟରକାର୍ ଇନ୍ଧନ ଇଥାନଲ୍ ନୁହେଁ) ସିଧାସଳଖ ମଟରକାର୍‌ରେ ରୂପାନ୍ତରିତ କରିଦେବ, ତାହା ହେଉଛି ଅବାଧ ବାଣିଜ୍ୟ। ସିଧାସଳଖ ଭାବରେ କହିଲେ ଆଇଓୱାରେ ଉତ୍ପନ୍ନ ଗହମକୁ ଜାହାଜରେ ଭର୍ତ୍ତିକରି ପ୍ରଶାନ୍ତ ମହାସାଗର ଭିତରକୁ ପଠାଇ ଦିଆଯିବ; କିଛି ସମୟ ପରେ ସେଇ ଜାହାଜମାନ ଯେତେବେଳେ ଆମେରିକାକୁ ଲେଉଟି ଆସିବେ, ସେତେବେଳେ ଦେଖାଯିବ ଯେ ସେଥିରେ ଗହମ ସ୍ଥାନରେ ଭର୍ତ୍ତି ହୋଇ ରହିଛି ଟୋୟୋଟା କାର୍‌ମାନ।
ଫ୍ରିଡ୍‌ମ୍ୟାନ୍ ଚଟୁଳ ଢଙ୍ଗରେ କହିଥିଲେ, ପ୍ରଶାନ୍ତ ମହାସାଗରରେ ଭାସମାନ ଯେଉଁ ଅତ୍ୟାଧୁନିକ ଜୈବ କାରଖାନାରେ ଗହମରୁ ମଟରଗାଡ଼ି ଉତ୍ପାଦିତ ହେବ, ସେ କାରଖାନାର ନାମ ହେଉଛି- ଜାପାନ। ଫ୍ରିଡ୍‌ମ୍ୟାନ୍ ତା’ ପରେ ତାଙ୍କର ଏଇ ଲଘୁ ସ୍ବର ପରିହାର କରି ସତର୍କବାଣୀ ଶୁଣାଇଥିଲେ ଯେ ଯଦି କୌଣସି ଆମେରିକୀୟ ରାଷ୍ଟ୍ରପତି ଟାରିଫ୍ ଲଗାଇ ଆମେରିକା ଦ୍ବାରା ଜାପାନରୁ ହେଉଥିବା କାର୍ ଆମଦାନି ପଥରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି – ଡେଟ୍ରଏଟ୍‌ର ଅଟୋୱର୍କର୍ ଭୋଟର୍‌ମାନଙ୍କୁ ତୁଷ୍ଟ କରିବା ପାଇଁ – ତେବେ ସେଥିଯୋଗୁଁ ଜାପାନର ଗହମ ଆମଦାନି ଅର୍ଥାତ୍ ଆମେରିକାର ଗହମ ରପ୍ତାନିରେ ହ୍ରାସ ଘଟି ଆଇଓୱାର କୃଷକମାନଙ୍କୁ କ୍ଷତିଗ୍ରସ୍ତ କରିବ। ଫ୍ରିଡ୍‌ମ୍ୟାନ୍ ତେଣୁ ଆମେରିକୀୟ ରାଷ୍ଟ୍ରପତିମାନଙ୍କୁ ଉପଦେଶ ଦେଇଥିଲେ ଯେ ‌େସମାନେ ସର୍ବଦା ତୁଷ୍ଟୀକରଣ-ଟାରିଫ୍ କିମ୍ବା ଅନ୍ୟ କୌଣସି ବାଣିଜ୍ୟ-ପ୍ରତିରୋଧକ କୌଶଳ ବ୍ୟବହାର କରିବାରୁ ନିବୃତ୍ତ ରହି ଅବାଧ ବାଣିଜ୍ୟ-ଅନୁକୂଳ ନୀତି ଅନୁସରଣ କରିବା ଦ୍ବାରା ସର୍ବାଧିକ ଜାତୀୟ ସ୍ବାର୍ଥ ସାଧିତ ହେବ।
ତେବେ ଏହି ହିତୋପଦେଶ ରାଷ୍ଟ୍ରପତି ଟ୍ରମ୍ପଙ୍କର କର୍ଣ୍ଣଗୋଚର ହୋଇଥିବାର ସମ୍ଭାବନା କ୍ଷୀଣ ଏବଂ ଯଦି ବି ହୋଇଥାଏ, ସେ ଏହାକୁ ପାଳନ କରିବା ସମ୍ଭାବନା ଯେ ଶୂନ୍ୟ, ତାହା ତାଙ୍କର ଏ ଯାବତ୍ ପରିଦୃଷ୍ଟ ଆଚରଣ ସହିତ ଏକ ସଦ୍ୟତମ ଆଚରଣରୁ ସ୍ପଷ୍ଟ ହୋଇଥାଏ। ତାଙ୍କ ନିର୍ଦ୍ଦେଶରେ ଗତ ସପ୍ତାହରେ ଆମେରିକାର ବାଣିଜ୍ୟ ପ୍ରତିନିଧି (‘ୟୁଏସ୍‌ଟିଆର୍’) ଜେମିସନ୍ ଗ୍ରିଅର୍ ଭାରତ ସମେତ ୧୬ଟି ଦେଶ ବିରୁଦ୍ଧରେ ସେ ଦେଶର ଏକ ବାଣିଜ୍ୟ ଆଇନ (‘ଟ୍ରେଡ୍ ଆକ୍ଟ- ୧୯୭୪, ଧାରା- ୩୦୧’) ଲାଗୁ କରା ନ ଯାଇ ଅନୁସନ୍ଧାନ ଆରମ୍ଭ ହେବାକୁ ଯାଉଛି ବୋଲି ଘୋଷଣା କରିଛନ୍ତି। ଏଥିପୂର୍ବରୁ ଟ୍ରମ୍ପ ‘ଇଣ୍ଟର୍‌ନେସନାଲ୍ ଏମର୍ଜେନ୍‌ସି ଇକୋନୋମିକ୍ ପାୱାର୍ସ ଆକ୍ଟ’ ନାମକ ଅନ୍ୟ ଏକ ଆଇନ ବ୍ୟବହାର କରି ଯେଉଁ ତଥାକଥିତ ‘ରେସିପ୍ରୋକାଲ୍ ଟାରିଫ୍’ ଆକ୍ରମଣ ଆରମ୍ଭ କରିଦେଇ ସାରା ପୃଥିବୀର ଅର୍ଥନୀତିକୁ ଅସ୍ତବ୍ୟସ୍ତ କରିଦେଇଥିଲେ, ତାହାକୁ ଆମେରିକାର ସୁପ୍ରିମ୍ କୋର୍ଟ ଅସିଦ୍ଧ ଘୋଷଣା କରିଦେବା ପରେ, ଟ୍ରମ୍ପ ତାଙ୍କର ଟାରିଫ୍ ଅଭିଯାନରୁ ନିବୃତ୍ତ ରହିବା ପରିବର୍ତ୍ତେ ବର୍ତ୍ତମାନ ଏଇ ଭିନ୍ନ ଏକ ଆଇନର ଆଶ୍ରୟ ନେଇ ତାଙ୍କର ଆକ୍ରମଣ ଜାରି ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।
ଏଥିପୂର୍ବରୁ ସେ ସୁପ୍ରିମ୍ କୋର୍ଟରୁ ଝଟ୍‌କା ଖାଇବାର ଠିକ୍ ପରେ ପରେ ଉପରୋକ୍ତ ଟ୍ରେଡ୍ ଆକ୍ଟର ଧାରା- ୧୨୨ ବ୍ୟବହାର କରି ତତ୍‌କ୍ଷଣାତ ୧୦ ଶତାଂଶ ହାରରେ ଟାରିଫ୍ ଲାଗୁ କରିଦେଇଥିଲେ, ଯାହାକୁ ୧୫ ଶତାଂଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। ସେଇ ଆଇନ ଅନୁସାରେ ଟ୍ରମ୍ପ କିନ୍ତୁ ସର୍ବାଧିକ ୧୫୦ ଦିନ ପାଇଁ ଏଇ ଟାରିଫ୍ ଲାଗୁ କରିପାରନ୍ତେ। ସ୍ବାଭାବିକ ଭାବରେ ଏହି ଅପେକ୍ଷାକୃତ ନୀଚା ହାର ତଥା ସ୍ବଳ୍ପ ଅବଧି ଟ୍ରମ୍ପଙ୍କୁ ସନ୍ତୁଷ୍ଟ କରିପାରିବାର ସମ୍ଭାବନା ନାହିଁ। ତେଣୁ ଫ୍ରିଡ୍‌ମ୍ୟାନ୍‌ଙ୍କ ଉପଦେଶର ସଂପୂର୍ଣ୍ଣ ବିରୋଧାଚରଣ କରି ଏକ ଅଧିକ ଦୀର୍ଘସ୍ଥାୟୀ ଟାରିଫ୍ ବ୍ୟବସ୍ଥା ବଳବତ୍ତର କରିବା ଲକ୍ଷ୍ୟ ନେଇ ଟ୍ରମ୍ପ ‘ୟୁଏସ୍‌ଟିଆର୍’ ଦ୍ବାରା ଉପରୋକ୍ତ ଅନୁସନ୍ଧାନ ଆରମ୍ଭ କରିବାକୁ ବାହାରିଛନ୍ତି।
ଏହା ଅନୁସାରେ ଅନୁସନ୍ଧାନକାରୀମାନେ ସଂପୃକ୍ତ ଦେଶର ମାନୁଫାକ୍‌ଚରିଙ୍ଗ କ୍ଷେତ୍ରରେ ଅତିରିକ୍ତ କ୍ଷମତା ଓ ଉତ୍ପାଦନର ଉପସ୍ଥିତି ସମ୍ବନ୍ଧରେ ଅନୁସନ୍ଧାନ କରିବେ, ଯାହା ଆମେରିକୀୟ ବ୍ୟବସାୟ ପ୍ରତି ପ୍ରତିକୂଳ ପ୍ରଭାବ ସୃଷ୍ଟି କରୁଥିବ। ଯେଉଁ ଶିଳ୍ପମାନେ ଏଇ ଅନୁସନ୍ଧାନର ପରିସରଭୁକ୍ତ ହେବେ, ସେଥିରେ ଅନ୍ତର୍ଭୁକ୍ତ ଅଛନ୍ତି ଆଲୁମିନିଅମ୍, ମଟରଗାଡ଼ି, ବ୍ୟାଟେରି, ରାସାୟନିକ ଦ୍ରବ୍ୟ, ଇଲେକ୍ଟ୍ରୋନିକ୍‌ସ, ମେସିନ୍ ଟୁଲ୍‌ସ, ଇସ୍ପାତ ଓ ପରିବହନ ଉପକରଣ। ଟ୍ରମ୍ପଙ୍କର ଯୁକ୍ତି ହେଲା ଏସବୁ ଦେଶମାନଙ୍କରେ ଏଇସବୁ ଶିଳ୍ପମାନ ଅନୁଚିତ ସରକାରୀ ସହାୟତା ଲାଭ କରି ଅତିରିକ୍ତ ଉତ୍ପାଦନ କ୍ଷମତା ସୃଷ୍ଟି କରୁଛନ୍ତି ଏବଂ କୃତ୍ରିମ ଭାବରେ ଶସ୍ତା ମୂଲ୍ୟରେ ରପ୍ତାନି କରି ଆମେରିକାର ଉତ୍ପାଦନକାରୀମାନଙ୍କୁ ନିଜର ଘରୋଇ ବଜାରରୁ ବିତାଡ଼ିତ କରିଦେଉଛନ୍ତି।
ଏହା ବାଦ୍ ଆମେରିକା ଆମଦାନି କରୁଥିବା ଦ୍ରବ୍ୟମାନଙ୍କର ଉତ୍ପାଦନରେ ଗୋତି ଶ୍ରମ (ଫୋର୍ସଡ ଲେବର) ବ୍ୟବହୃତ ହେଉଛି କି ନାହିଁ ଜାଣିବା ପାଇଁ ‌ଭାରତ ସମେତ ୬୦ଟି ଦେଶ ଅନୁସନ୍ଧାନର ସମ୍ମୁଖୀନ ହେବାକୁ ଯାଉଛନ୍ତି। ନିଃସନ୍ଦେହରେ ପୁଣି ପୂର୍ବର ରେସିପ୍ରୋକାଲ୍ ଟାରିଫ୍ ଲାଗୁ କରିବା ପାଇଁ ବାଟ ଖୋଜିବା ହେଉଛି ଏଇ ‘ୟୁଏସ୍‌ଟିଆର୍’ ଅନୁସନ୍ଧାନ ଆରମ୍ଭ କରିବା ପଛରେ ନିହିତ ଥିବା ଟ୍ରମ୍ପଙ୍କର ଅସଲ ଉଦ୍ଦେଶ୍ୟ। ତେବେ ଏଇ ଆଇନରେ କୁହାଯାଇଛି ଯେ ଅନୁସନ୍ଧାନର ସମ୍ମୁଖୀନ ଦେଶ ସହିତ ଆମେରିକାକୁ ଏ ସମ୍ବନ୍ଧରେ ଆଲୋଚନା କରିବାକୁ ହେବ। ସଂଯୋଗ କ୍ରମେ ଏଇ ସମୟରେ ବିଗତ ପ୍ରାୟ ଏକ ବର୍ଷ ଧରି ଭାରତ ଆମେରିକା ସହିତ ଏକ ବାଣିଜ୍ୟ ଚୁକ୍ତି ସଂପାଦନ ନିମିତ୍ତ ଯେଉଁ କଥାବାର୍ତ୍ତା ଚଳାଇଛି, ତାହା ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏବେ ବି ଚାଲୁ ରହିଛି। ତେଣୁ ବର୍ତ୍ତମାନ ସାବଲୀଳ ଭାବରେ ‘ୟୁଏସ୍‌ଟିଆର୍’ ଅନୁସନ୍ଧାନକୁ ସେଇ ଆଲୋଚନାର ଅଂଶରେ ପରିଣତ କରାଯାଇ ପାରିବ।

ଭାରତୀୟ ପକ୍ଷ ଆଲୋଚନା ସମୟରେ ଆମେରିକୀୟମାନଙ୍କର ହୃଦ୍‌ବୋଧ କରାଇବାକୁ ଚେଷ୍ଟା କରିବାକୁ ହେବ ଯେ ଭାରତ ଅନୁସରଣ କରି ଆସିଥିବା ଅର୍ଥ‌େନୖତିକ ଅଭିବୃଦ୍ଧି ମାର୍ଗ ରପ୍ତାନି-କୈନ୍ଦ୍ରିକ ନୁହେଁ, ତେଣୁ ଭାରତ କୌଣସି ଅନୁଚିତ ଉପାୟ ଅବଲମ୍ବନ କରି ରପ୍ତାନିରେ ବୃଦ୍ଧି ଘଟାଇ ନ ଥାଏ। ବରଂ ଭାରତ ବିଦେଶକୁ ଯେତିକି ରପ୍ତାନି କରିଥାଏ, ତା’ ଠାରୁ ସର୍ବଦା ଅଧିକ ଆମଦାନି କରିଥାଏ, ଯେଉଁଥି ପାଇଁ ଭାରତର ଚଳନ୍ତି ହିସାବରେ ସର୍ବଦା ନିଅଣ୍ଟ ଲାଗି ରହିଥାଏ। ଏହା ଅବଶ୍ୟ ସତ ଯେ ଆମେରିକା ସହିତ ଭାରତର ବାଣିଜ୍ୟରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଥାଏ: ଆମଦାନି ଠାରୁ ଭାରତର ରପ୍ତାନି ଅଧିକ ହୋଇଥାଏ। କିନ୍ତୁ ତେବେ ମଧ୍ୟ ସଂପୃକ୍ତ ରପ୍ତାନି ଶିଳ୍ପମାନଙ୍କରେ ଭାରତୀୟ ଉତ୍ପାଦନ ଅତ୍ୟଧିକ ହେବା ପରିବର୍ତ୍ତେ ତା’ର ସମ୍ଭାବ୍ୟ କ୍ଷମତାର ବେଶ୍ ତଳେ ରହିଥିବା ଦେଖାଯାଇଥାଏ। ଆଉ ସେମାନଙ୍କୁ ମଧ୍ୟ ବୁଝାଇଦେବା ଦରକାର ଯେ ଭାରତ ଭଳି ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତିରେ ଯେଉଁଭଳି ବର୍ଦ୍ଧିଷ୍ଣୁ ଶ୍ରମ-ଚାହିଦା ଲାଗି ରହିଥାଏ, ସେଥିରେ ଏବଂ ବିଶେଷ କରି ଭାରତ ଭଳି ଏକ ସଦା ସଜାଗ ଗଣତନ୍ତ୍ରରେ କୌଣସି ଶିଳ୍ପ ଉତ୍ପାଦନରେ ଗୋତି ଶ୍ରମର ବ୍ୟବହାରର ସମ୍ଭାବନା ହେଉଛି ସଂପୂର୍ଣ୍ଣ ଶୂନ୍ୟ।
କିନ୍ତୁ ଯେତେ ବୁଝାଇଲେ ମଧ୍ୟ ଟ୍ରମ୍ପ ଯଦି ପୁଣି ଟାରିଫ୍ ଲାଗୁ କରିବା ପାଇଁ ମନ ସ୍ଥିର କରିସାରିଥିବେ, ସେଥିରୁ କିଛି ସୁଫଳ ମିଳିବ ନାହିଁ। ହୁଏତ ଆମେରିକୀୟମାନଙ୍କ ସହିତ ଏଇ କଥାବାର୍ତ୍ତା ବେଳେ ଯଦି ଫ୍ରିଡ୍‌ମ୍ୟାନ୍‌ଙ୍କର ଗହମ ଓ କାର୍ କାହାଣୀ ସେମାନଙ୍କୁ ମନେ ପକାଇ ଦିଆଯାଆନ୍ତା, କିଏ ଜ‌ାଣେ, ହୁଏତ ସେମାନଙ୍କର ଚେତନା ଉଦୟ ହୁଅନ୍ତା, ଟ୍ରମ୍ପଙ୍କର ଟାରିଫ-ମୋହ-ଭଙ୍ଗ ଘଟନ୍ତା!

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button