Editorial: ପଡ଼ୋଶୀ ପୁଞ୍ଜି

ଅତୀତର ଅନୁଭୂତି କହିଥାଏ ଯେ କେବଳ ରୁଷିଆ ହିଁ ହେଉଛି ଏକମାତ୍ର ଦେଶ ଯିଏ ଅକୁଣ୍ଠିତ ଭାବରେ ଏହା କରିଛି- େଯମିତି କ୍ରାୟୋଜେନିକ୍ ରକେଟ୍ ଇଞ୍ଜିନ ନିର୍ମାଣ ଜ୍ଞାନକୌଶଳ। ନିଃସନ୍ଦେହରେ ଚୀନ ଠାରୁ ଏଭଳି ସହଯୋଗ ଆଶା କରାଯାଇ ପାରିବ ନାହିଁ। ଏଣୁ ଚୀନା ନିବେଶକମାନଙ୍କୁ ଭାରତରେ ପ୍ରବେଶ କରିବା ପାଇଁ ସୁଯୋଗ ଦେବା ସହିତ ଆମେ ଏଇ ପ୍ରବେଶକୁ ସାହାଣମେଲା ଶ୍ରେଣୀର ନ କରି ସେଥିପାଇଁ ସାବଧାନତାର ସହିତ ସୁଚିନ୍ତିତ ଭାବରେ କ୍ଷେତ୍ର ଚୟନ କରିବା ବୁଦ୍ଧିମାନର କାର୍ଯ୍ୟ ହେବ।
ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟ କାଳରେ ବର୍ତ୍ତମାନ ପୃଥିବୀର ପ୍ରମୁଖ ଦେଶମାନେ ଯେଉଁଭଳି କୂଟନୈତିକ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି, ତାହାକୁ ଏଇ କାଳ ଖଣ୍ଡର ଜଟିଳତମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଇ ପରୀକ୍ଷା ପାଇଁ ଯିଏ ପ୍ରଶ୍ନପତ୍ର ପ୍ରସ୍ତୁତ କରିଛନ୍ତି, ସିଏ ଅବଶ୍ୟ ହେଉଛନ୍ତି ଆମେରିକାର ଉଦ୍ଭ୍ରାନ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଇ ଜଟିଳତାର ଏକ ଉଦାହରଣ ସ୍ବରୂପ କୌଣସି ଏକ ଦେଶର କୂଟନୀତି ନିର୍ଦ୍ଧାରକମାନେ ଆଜିର ଟ୍ରମ୍ପୀୟ ଦୁନିଆରେ କାହାକୁ ଶତ୍ରୁ କିମ୍ବା କାହାକୁ ମିତ୍ର ବୋଲି ବିଚାର କରି କାର୍ଯ୍ୟ କରିବେ, ସେ ସମ୍ବନ୍ଧରେ ନିଶ୍ଚିତ ହୋଇପାରୁ ନାହାନ୍ତି; କାରଣ ମିତ୍ରର ଆଚରଣ କେତେବେଳେ ଶତ୍ରୁସୁଲଭ ହେବା ବେଳେ, ଶତ୍ରୁର ଆଚରଣ ମିତ୍ରସୁଲଭ ହେବା ଦେଖାଯାଉଛି। ଯେମିତି, ଆମେରିକା ତା’ର ମିତ୍ର ଦେଶ କାନାଡାକୁ କିମ୍ବା ଡେନ୍ମାର୍କର ଏକ ଅଂଶ ହୋଇଥିବା ଗ୍ରୀନ୍ଲାଣ୍ଡକୁ ଦଖଲ କରିବାକୁ କୁହାଟ ଦେଇ ଚାଲିଥିବା ବେଳେ, ଭାରତ ଟ୍ରମ୍ପଙ୍କର ଟାରିଫ୍ ଧମକର ସମ୍ମୁଖୀନ ହୋଇଥିବା ସମୟରେ ଭାରତକୁ ଯିଏ ଦୃଢ଼ ନୈତିକ ସମର୍ଥନ ପ୍ରଦାନ କରିବା ଦେଖାଯାଇଛି, ସେ ହେଉଛି ତା’ର ଚିର ଶତ୍ରୁ ଦେଶ ଚୀନ।
ଏଇଭଳି ଏକ ଅସ୍ଥିର ତଥା ଅଶାନ୍ତ ପରିବେଶରେ ଦେଶମାନେ ଯେତେବେଳେ କେଉଁ ପଥ ଅନୁସରଣ କରିବେ, ତାହାର ଥଳକୂଳ ପାଉ ନ ଥିବା ଦେଖାଯାଉଛି, ଭାରତ ସେତେବେଳେ କୌଣସି କ୍ଷଣିକ ଆବେଗ ଦ୍ବାରା ପରିଚାଳିତ ନ ହୋଇ ଯେଉଁଭଳି ପଟୁତା ସହିତ କେବଳ ଜାତୀୟ ସ୍ବାର୍ଥରକ୍ଷା କରିବା ଲକ୍ଷ୍ୟ ନେଇ ଏକାଧିକ ପରସ୍ପର-ବିରୋଧୀ ଦେଶମାନଙ୍କ ସହିତ ସୁସଂପର୍କ ରକ୍ଷା କରିପାରିଛି, ତାହାକୁ ବିଜ୍ଞ ପର୍ଯ୍ୟବେକ୍ଷକମାନେ ଏକ କୂଟନୈତିକ ଚମତ୍କାରିତା ରୂପେ ବିଚାର କରୁଛନ୍ତି। ଏହାର ପ୍ରମାଣ ସ୍ବରୂପ ଗୋଟିଏ ବାକ୍ୟରେ କୁହାଯାଇପାରେ: ଭାରତ ଏକ ସମୟରେ ରୁଷିଆରୁ ତୈଳ ଆମଦାନି କରୁଛି, ଆମେରିକାରେ ପୁଞ୍ଜି ନିବେଶ କରୁଛି (ଅମ୍ବାନି ମାଧ୍ୟମରେ), ଇସ୍ରାଏଲ ସହିତ ଭ୍ରାତୃତ୍ବ ପ୍ରଦର୍ଶନ କରୁଛି, ଇରାନ ସହିତ ବନ୍ଧୁତ୍ବ ଘୋଷଣା କରୁଛି, ଚୀନ ସହିତ ବ୍ୟବସାୟ ସୁଗମ କରୁଛି।
ଭାରତ ତା’ର ବାସ୍ତବବାଦୀ କୂଟନୀତିର ଶେଷୋକ୍ତ ଉଦାହରଣ ସ୍ବରୂପ ଏବେ ଏକ ସଦ୍ୟ ପଦକ୍ଷେପ ଗ୍ରହଣ କରି ଭାରତରେ ଚୀନା ପୁଞ୍ଜି ନିବେଶ ପ୍ରତି ୨୦୨୦ରେ ଲାଗୁ କରିଥିବା ‘ପ୍ରେସ୍ନୋଟ୍-୩’ ରୂପକ କୋଭିଡ୍ ପାଣ୍ଡେମିକ୍ ସମୟର କଠୋର କଟକଣା କୋହଳ କରିଦେବା ଘୋଷଣା କରିଛି। ଉଦ୍ଦେଶ୍ୟ: ଟ୍ରମ୍ପସୃଷ୍ଟ ଅସ୍ଥିରତା ଯୋଗୁଁ ଯେତେବେଳେ ଭାରତରୁ ବୈଦେଶିକ ପୁଞ୍ଜି ପ୍ରତ୍ୟାହୃତ ହେବା ଦେଖାଯାଉଛି, ଏଇ ପଦେକ୍ଷପ ଯୋଗୁଁ ଚୀନା ପୁଞ୍ଜିର ପ୍ରବେଶ ଦ୍ବାରା ସେଇ ଶୂନ୍ୟସ୍ଥାନ ପୂରଣ ହୋଇପାରିବ। ଏଣିକି ଭାରତ ସହିତ ସ୍ଥଳ ସୀମା ରହିଥିବା ଦେଶମାନେ (ପ୍ରମୁଖ- ଚୀନ) କୌଣସି ବିଶେଷ ସରକାରୀ ନିୟନ୍ତ୍ରଣ ବା ଅନୁମୋଦନର ସମ୍ମୁଖୀନ ନ ହୋଇ ସିଧାସଳଖ ପଥ (ଅଟୋମାଟିକ୍ ରୁଟ୍) ଦେଇ ଏକ ଭାରତୀୟ କଂପାନିରେ ପୁଞ୍ଜି ନିବେଶ କରିପାରିବେ, ଯାହାର ସର୍ବୋଚ୍ଚ ସୀମା ହେଉଛି ସଂପୃକ୍ତ କଂପାନିର ‘ପେଡ୍-ଅପ୍ କ୍ୟାପିଟାଲ୍’ (‘ପ୍ରଦତ୍ତ ପୁଞ୍ଜି’)ର ଦଶ ଶତାଂଶ। ଏହା ବାଦ୍ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆବଶ୍ୟକ ହେଉଥିବା ସରକାରୀ ଅନୁମୋଦନକୁ ତ୍ବରାନ୍ବିତ କରାଯାଇ ତାହା ସର୍ବାଧିକ ୬୦ ଦିନ ମଧ୍ୟରେ ପ୍ରଦାନ କରାଯିବା ନିମିତ୍ତ ବ୍ୟବସ୍ଥା କରାଯାଇଛି। ଏଥିରେ ଯେଉଁ ସମସ୍ତ କ୍ଷେତ୍ର ଅନ୍ତର୍ଭୁକ୍ତ ଅଛନ୍ତି, ସେଥିରେ ଅଛି ପୁଞ୍ଜି ଦ୍ରବ୍ୟ, ଇଲେକ୍ଟ୍ରୋନିକ୍ସ ପାଇଁ ପୁଞ୍ଜି ଦ୍ରବ୍ୟ, ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ, ପଲିସିଲିକନ୍ ୱେଫର୍ ନିର୍ମାଣ ଆଦି।
ତେବେ ଭାରତରେ ପଡ଼ୋଶୀ-ପୁଞ୍ଜି ନିବେଶକୁ ଏଭଳି ସୁଗମ କରାଯାଉଥିବା ସହିତ ସର୍ତ୍ତ ମଧ୍ୟ ରଖାଯାଇଛି ଯେ ଭାରତର ଯେଉଁ କଂପାନିରେ ଏହି ପଡ଼ୋଶୀ ପୁଞ୍ଜି ପ୍ରବେଶ କରିବ, ସେ କଂପାନିର ମାଲିକ ହୋଇଥିବେ ଭାରତୀୟ ଏବଂ ତା’ର ନିୟନ୍ତ୍ରଣ ରହିଥିବ ଭାରତୀୟଙ୍କ ହାତରେ। ଅର୍ଥାତ୍ ଭାରତ ବର୍ତ୍ତମାନ ତା’ର ନୀତିରେ ଆଂଶିକ ପରିବର୍ତ୍ତନ ଘଟାଇ ଏଠାରେ ଶିଳ୍ପ ବ୍ୟବସାୟରେ ସୀମିତ ଚୀନା ସଂପୃକ୍ତି ପାଇଁ ଦ୍ବାର ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ, ସଂପୃକ୍ତ ଶିଳ୍ପୋଦ୍ୟୋଗର ନିୟନ୍ତ୍ରଣକୁ ଚୀନା ପ୍ରଭାବରୁ ମୁକ୍ତ ରଖିବାକୁ ଚାହେଁ।
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ବର୍ତ୍ତମାନ ସମୟରେ ପୁଞ୍ଜି ନିବେଶ, ପ୍ରବିଧି ଓ ଜାତୀୟ ନିରାପତ୍ତା ପରସ୍ପର ସହିତ ଓତପ୍ରୋତ ଭାବରେ ଜଡ଼ିତ ହୋଇଥିବା ଦେଖାଯାଇଥାଏ। ଏଇ କାରଣରୁ ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ ଆଦି ଦେଶମାନେ ସେମାନଙ୍କର ଟେଲିକମ୍ ନେଟ୍ୱର୍କରେ ‘ହୁଆୱେ’ ପରି ଚୀନା କଂପାନିମାନଙ୍କ ଦ୍ବାରା ନିର୍ମିତ ଯନ୍ତ୍ରପାତି ବ୍ୟବହାର ନିଷିଦ୍ଧ କରିଦେଇଛନ୍ତି, ଯଦିବା ଏଗୁଡ଼ିକର ଦକ୍ଷତା ଉଚ୍ଚମାନର ହୋଇଥାଏ ଓ ମୂଲ୍ୟ ପ୍ରତିଯୋଗିତାମୂଳକ ହୋଇଥାଏ। ସେମାନଙ୍କର ଆଶଙ୍କା ଯେ ପ୍ରତ୍ୟେକ ଚୀନା କଂପାନିର ସେ ଦେଶର ସରକାର ଓ ସେନାବାହିନୀ ସହିତ ବାଧ୍ୟତାମୂଳକ ଭାବରେ ଘନିଷ୍ଠ ସଂପର୍କ ରହିଥାଏ, ଏବଂ ଏଇ ଯନ୍ତ୍ରପାତିେର ଲୁକ୍କାୟିତ ଥିବା ଗୋପନ ସୂଚନା ସଂଗ୍ରହକାରୀ ବ୍ୟବସ୍ଥା ମାଧ୍ୟମରେ ସେମାନେ ଦୂରରେ ଥାଇ ସେ ଦେଶ ସମ୍ବନ୍ଧରେ ସ୍ପର୍ଶକାତର ତଥ୍ୟ ସଂଗ୍ରହ କରିଥାନ୍ତି। କେତେକ ଇଲେକ୍ଟ୍ରୋନିକ୍ ଉପକରଣ (ଯେମିତି ମୋବାଇଲ ଫୋନ)ର ଯନ୍ତ୍ରାଂଶରେ ମଧ୍ୟ ଏଭଳି ଗୁପ୍ତଚର କ୍ଷମତା ସ୍ଥାପନ କରାଯାଇ ପାରିବ। ଏଣୁ ଚୀନା ପୁଞ୍ଜି ନିବେଶକୁ ସୁଗମ କରାଯିବା ସଙ୍ଗେସଙ୍ଗେ, ଏହା ମଧ୍ୟ ନିଶ୍ଚିତ କରାଯିବା ଉଚିତ ଯେ ଯେପରି ଏଭଳି ସମସ୍ତ ସନ୍ଦିଗ୍ଧ ଯନ୍ତ୍ରାଂଶର ଡିଜାଇନ୍ ଓ ନିର୍ମାଣ ସଂପୂର୍ଣ୍ଣ ରୂପେ ଭାରତରେ ଅନୁଷ୍ଠିତ ହୁଏ।
ଏହା ସମ୍ଭବ ହେବା ନିମିତ୍ତ ଯାହା ନିତାନ୍ତ ଆବଶ୍ୟକ, ତାହା ହେଲା ସଂପୃକ୍ତ ଦେଶ ଭାରତକୁ ଆବଶ୍ୟକ ଜ୍ଞାନକୌଶଳ ସଂପୂର୍ଣ୍ଣ ରୂପେ ହସ୍ତାନ୍ତର କରିବା। କିନ୍ତୁ ଅତୀତର ଅନୁଭୂତି କହିଥାଏ ଯେ କେବଳ ରୁଷିଆ ହିଁ ହେଉଛି ଏକମାତ୍ର ଦେଶ ଯିଏ ଅକୁଣ୍ଠିତ ଭାବରେ ଏହା କରିଛି- େଯମିତି କ୍ରାୟୋଜେନିକ୍ ରକେଟ୍ ଇଞ୍ଜିନ ନିର୍ମାଣ ଜ୍ଞାନକୌଶଳ। ନିଃସନ୍ଦେହରେ ଚୀନ ଠାରୁ ଏଭଳି ସହଯୋଗ ଆଶା କରାଯାଇ ପାରିବ ନାହିଁ। ଏଣୁ ଚୀନା ନିବେଶକମାନଙ୍କୁ ଭାରତରେ ପ୍ରବେଶ କରିବା ପାଇଁ ସୁଯୋଗ ଦେବା ସହିତ ଆମେ ଏଇ ପ୍ରବେଶକୁ ସାହାଣମେଲା ଶ୍ରେଣୀର ନ କରି ସେଥିପାଇଁ ସାବଧାନତାର ସହିତ ସୁଚିନ୍ତିତ ଭାବରେ କ୍ଷେତ୍ର ଚୟନ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ଉଦାହରଣ ସ୍ବରୂପ ଯେଉଁ କ୍ଷେତ୍ରମାନଙ୍କର ଜାତୀୟ ନିରାପତ୍ତା ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପର୍କ ଥାଏ – ପ୍ରତିରକ୍ଷା ଉପକରଣ, ବିଦ୍ୟୁତ୍ ଗ୍ରିଡ୍, ଟେଲିକମ୍ ନେଟ୍ୱର୍କ ଆଦି ଭଳି – ସେଥିରେ ଚୀନା ନିବେଶକମାନଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବା ଉଚିତ ନୁହେଁ କିମ୍ବା ସେ କ୍ଷେତ୍ରମାନଙ୍କରେ ଚୀନା ସହଯୋଗରେ ନିର୍ମିତ କୌଣସି ଉପରକରଣ ବ୍ୟବହୃତ ହେବା ମଧ୍ୟ ଉଚିତ ନୁହେଁ।
ମୁଖ୍ୟତଃ ରପ୍ତାନିକୈନ୍ଦ୍ରିକ କ୍ଷେତ୍ରମାନଙ୍କରେ ହିଁ ଚୀନା ନିବେଶକମାନଙ୍କର ପ୍ରବେଶକୁ ପ୍ରୋତ୍ସାହିତ କରିବା ଉଚିତ ହେବ। ବିଶେଷ କରି ‘ଆପ୍ଲ’ର ପ୍ରବେଶ ପରେ ଭାରତ ଏବେ ମୋବାଇଲ ଫୋନ ପରି ଇଲେକ୍ଟ୍ରୋନିକ୍ ଦ୍ରବ୍ୟମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ରପ୍ତାନିକାରୀ ଦେଶ ରୂପେ ଆବିର୍ଭୂତ ହେବାକୁ ଆରମ୍ଭ କରିଛି। ଚୀନ ସହିତ ସହଯୋଗ ଏଇ ପ୍ରକ୍ରିୟାକୁ ତ୍ବରାନ୍ବିତ କରିପାରିବ। ଅାଉ ଏଭଳି ଅର୍ଥନୈତିକ ସହଯୋଗ ଯୋଗୁଁ ଯଦି ସୀମାନ୍ତରେ ଶାନ୍ତି ବିରାଜମାନ କରେ, ତାହା ଉଭୟ ଦେଶ ପାଇଁ ଅଶେଷ ମଙ୍ଗଳପ୍ରଦ ହେବ।
ସୌଜନ୍ୟ ସମ୍ବାଦ




