editorial: ଶକ୍ତିହୀନ ସ୍ନାତକ
ସାଧାରଣତଃ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ବ୍ୟୟବହୁଳ ଉଚ୍ଚମାନର ବୈଷୟିକ ଶିକ୍ଷା ଉପଲବ୍ଧ ଥିବା ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରବେଶ କରୁଥିବା ବେଳେ, ଅସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ କେବଳ ସାଧାରଣ ଡିଗ୍ରିମାନ ହାସଲ କରିପାରିଥାନ୍ତି....

ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରବେଶ କରୁଥିବା ବେଳେ, ଅସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ କେବଳ ସାଧାରଣ ଡିଗ୍ରିମାନ ହାସଲ କରିପାରିଥାନ୍ତି, ଯାହା ପାଇଁ ନିଯୁକ୍ତି ବଜାରରେ ଚାହିଦା ଅତ୍ୟନ୍ତ ଦୁର୍ବଳ ହୋଇଥାଏ।
ଯେତେବେଳେ ଭାରତର ଜନସଂଖ୍ୟାଜନିତ ଲାଭ ବା ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’କୁ ଆମର ଏକ ପ୍ରମୁଖ ଅର୍ଥନୈତିକ ଶକ୍ତି ରୂପେ ପ୍ରଦର୍ଶନ କରାଯାଇଥାଏ, ସେତେବେଳେ ସାଧାରଣତଃ ୧୫-୫୯ ବୟସ ସୀମା ମଧ୍ୟରେ ରହିଥିବା ଏକ ବିଶାଳ ଉତ୍ପାଦନକ୍ଷମ ଜନସଂଖ୍ୟାକୁ ଏଇ ଶକ୍ତିର ଉତ୍ସ ରୂପେ ବିଚାର କରାଯାଉଥିଲେ ହେଁ, ପ୍ରକୃତରେ ଜନସଂଖ୍ୟାର ଯେଉଁ ଅଂଶରେ ଏଇ ଶକ୍ତି ସର୍ବାଧିକ ମାତ୍ରାରେ କେନ୍ଦ୍ରୀଭୂତ ହୋଇଥାଏ, ତାହା ହେଉଛି ୧୫-୨୯ର ଉଦ୍ଦାମ ବୟସ ସୀମା ଅନ୍ତର୍ଗତ ଅଂଶ। ଜନସଂଖ୍ୟାର ଏଇ ଅଂଶକୁ ଦେଶର ଯୁବଶକ୍ତି ପୀଠ ବୋଲି କହିଲେ ଭୁଲ୍ ହେବନାହିଁ। ଉତ୍ତମ ସ୍ବାସ୍ଥ୍ୟ ଓ ଶିକ୍ଷାର ଅଧିକାରୀ ହୋଇ ଏଇ ଯୁବକଯୁବତୀମାନେ ଯଦି ଉପଯୁକ୍ତ ଉତ୍ପାଦନଶୀଳ ନିଯୁକ୍ତିରେ ପ୍ରବେଶ କରନ୍ତି, ସେମାନେ ଦେଶର ଅର୍ଥନୀତିକୁ ଉତ୍ତରୋତ୍ତର ସମୃଦ୍ଧି ପଥରେ ଆଗେଇ ନେବେ।
ପୃଥିବୀର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ଏ ବାବଦରେ କିପରି ଏକ ଅତ୍ୟନ୍ତ ସୁବିଧାଜନକ ସ୍ଥିତିରେ ରହିଥାଏ, ନିମ୍ନୋକ୍ତ ପରିସଂଖ୍ୟାନରୁ ସେ ସମ୍ବନ୍ଧରେ ସହଜରେ ଧାରଣା କରିହେବ। ଭାରତରେ ଏଇ ବୟସ ସୀମା ମଧ୍ୟରେ ଥିବା ଯୁବକଯୁବତୀମାନଙ୍କ ସଂଖ୍ୟା ହେଉଛି ପ୍ରାୟ ୩୭ କୋଟି, ସେ ତୁଳନାରେ କେତେକ ଉନ୍ନତ ଇଉରୋପୀୟ ଦେଶମାନଙ୍କର ସମୁଦାୟ ଲୋକସଂଖ୍ୟା ହେଉଛି ଏହିପରି: ବ୍ରିଟେନ୍- ପ୍ରାୟ ସାତ କୋଟି, ଫ୍ରାନ୍ସ- ପ୍ରାୟ ସାତ କୋଟି, ଜର୍ମାନି- ପ୍ରାୟ ଆଠ କୋଟି। ଏଇ ପରିସଂଖ୍ୟାନ ଯାହା ସୂଚାଇଥାଏ, ତାହା ହେଲା ଭାରତ ପାଇଁ ଏହା ବହନ କରୁଥିବା ଏକ ବିଶାଳ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ସୃଷ୍ଟି ହେବାର ସମ୍ଭାବନା।
ଏଇ ସମ୍ଭାବନା କେତେ ଦୂର ବାସ୍ତବତାରେ ପରିଣତ ହେବ, ତାହା କିନ୍ତୁ ନିର୍ଭର କରିଥାଏ ଏଇ ଯୁବକଯୁବତୀମାନେ ଶିକ୍ଷା ସମାପ୍ତ କରିବା ପରେ କେତେ ଦୂର ସେଇ ଅନୁଯାୟୀ ଉପଯୁକ୍ତ ଉତ୍ପାଦନଶୀଳ ବୃତ୍ତିମାନଙ୍କରେ ନିଯୁକ୍ତି ପାଇବାରେ ସଫଳ ହେବେ। ଯଦି ଏଇ ଶିକ୍ଷିତ ଯୁବକଯୁବତୀମାନଙ୍କ ମଧ୍ୟରୁ ଅଧିକାଂଶ ଠିକଣା ସମୟରେ ଉପଯୁକ୍ତ ନିଯୁକ୍ତି ଲାଭ କରି ନ ପାରନ୍ତି, ତେବେ ସେମାନଙ୍କ ଦ୍ବାରା କୌଣସି ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ଉପୁଜିବା ସମ୍ଭବ ହେବ ନାହିଁ। ଭାରତ ମଧ୍ୟ ଅତୀତରେ ଏଇ ସମସ୍ୟା ସହିତ ସୁପରିଚିତ, ଯାହାର ନାମ ହେଉଛି- ଶିକ୍ଷିତ ବେକାରି। ଭାରତ ବର୍ତ୍ତମାନ ହାସଲ କରିଚାଲିଥିବା ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ସତ୍ତ୍ବେ, ସେଇ ସମସ୍ୟା ଏବେ ବି ଯେ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ସୃଷ୍ଟି ପଥରେ ପ୍ରତିବନ୍ଧକ ସାଜି ଛିଡ଼ା ହୋଇଛି, ତାହା ଏବେ ସପ୍ତାହକ ତଳେ ପ୍ରକାଶ ପାଇଥିବା ଆଜିମ୍ ପ୍ରେମ୍ଜୀ ୟୁନିଭର୍ସିଟି ଦ୍ବାରା ପ୍ରସ୍ତୁତ ‘ଷ୍ଟେଟ୍ ଅଫ୍ ୱର୍କିଙ୍ଗ୍ ଇଣ୍ଡିଆ ୨୦୨୬’ ରିପୋର୍ଟ ଦ୍ବାରା ସାବ୍ୟସ୍ତ ହୋଇଛି।
ଦେଶବ୍ୟାପୀ ଚର୍ଚ୍ଚାର ବିଷୟବସ୍ତୁରେ ପରିଣତ ହୋଇଥିବା ଏଇ ରିପୋର୍ଟ ବହନ କରୁଥିବା ଯେଉଁ ସୂଚନା ହେଉଛି ସର୍ବାଧିକ ଚିନ୍ତାଜନକ, ତାହା ହେଲା ଦେଶରେ ଦେଖାଯାଉଥିବା ସ୍ନାତକ ବେକାରିର ଆକାର। ଏହା ଅନୁସାରେ ଦେଶରେ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଥିବା ସ୍ନାତକମାନଙ୍କ ମଧ୍ୟରୁ ପ୍ରାୟ ୪୦ ଶତାଂଶ ବେକାର ହୋଇଥିବା ବେଳେ, ୨୫-୨୯ ବର୍ଷ ବୟସର ସ୍ନାତକମାନଙ୍କ ମଧ୍ୟରୁ ପ୍ରାୟ ୨୦ ଶତାଂଶ ବେକାର ଅବସ୍ଥାରେ ଅଛନ୍ତି। ଏଭଳି ସ୍ନାତକ ବେକାରି ଅନେକ ଦିନ ଧରି ଲାଗି ରହିଥିବା ବେଳେ, ଦେଶରେ ଶିକ୍ଷାନୁଷ୍ଠାନମାନଙ୍କରୁ ଅଧିକରୁ ଅଧିକ ସଂଖ୍ୟାରେ ସ୍ନାତକମାନେ ନିର୍ଗତ ହୋଇ ଚାଲିଥିବାରୁ ଏଇ ବେକାରିର ଆକରରେ ବୃଦ୍ଧି ଜୋର୍ ଧରିବା ଦେଖାଯାଉଛି। ଉଦାହରଣ ସ୍ବରୂପ ୨୦୦୪-୨୦୨୩ ମଧ୍ୟରେ ଦେଶରେ ପ୍ରତି ବର୍ଷ ହାରାହାରି ପ୍ରାୟ ପାଞ୍ଚ ନିୟୁତ ସ୍ନାତକ ସୃଷ୍ଟି ହେବାରେ ଲାଗିଥିଲେ ହେଁ, ସେମାନଙ୍କ ମଧ୍ୟରୁ ପ୍ରାୟ ୨.୮ ନିୟୁତ ମାତ୍ର ନିଯୁକ୍ତି ପାଇବାରେ ସକ୍ଷମ ହୋଇଥିଲେ। ବେକାର ସ୍ନାତକମାନଙ୍କ ମଧ୍ୟରୁ ମାତ୍ର ପ୍ରାୟ ୭ ଶତାଂଶ ଏକ ବର୍ଷ ମଧ୍ୟରେ ସ୍ଥାୟୀ ଦରମାଯୁକ୍ତ ନିଯୁକ୍ତି ପାଇବାରେ ସକ୍ଷମ ହୋଇଥାନ୍ତି। ୨୦୨୩ ସୁଦ୍ଧା ୨୦-୨୯ ବୟସ ସୀମା ମଧ୍ୟସ୍ଥ ୬୩ ନିୟୁତ ସ୍ନାତକମାନଙ୍କ ମଧ୍ୟରୁ ପ୍ରାୟ ୧୧ ନିୟୁତ ବେକାର ରହିଥିଲେ।
ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ଦେଶରେ ଯେଉଁ ନିଯୁକ୍ତି ସୃଷ୍ଟି ହେବାରେ ଲାଗିଛି, ତାହା ଶିକ୍ଷିତ ଯୁବକଯୁବତୀମାନଙ୍କ ଯୋଗ୍ୟତା ଅନୁସାରେ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ନୁହେଁ। ଅର୍ଥାତ୍ ଦେଶରେ ଯଥେଷ୍ଟ ସଂଖ୍ୟକ ଦରମାଯୁକ୍ତ ନିଯୁକ୍ତି ସୃଷ୍ଟି ହେଉନାହିଁ। ଉଦାହରଣ ସ୍ବରୂପ ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ଭାରତରେ ମୋଟ ୮୩ ନିୟୁତ ନିଯୁକ୍ତି ସୃଷ୍ଟି ହୋଇଥିଲା, କିନ୍ତୁ ସେଥିମଧ୍ୟରୁ ପ୍ରାୟ ୪୦ ନିୟୁତ ସୃଷ୍ଟି ହୋଇଥିଲା କୃଷି କ୍ଷେତ୍ରରେ, ଅର୍ଥାତ୍ ଅସଂଗଠିତ କ୍ଷେତ୍ରରେ। ଉଲ୍ଲେଖ ନିଷ୍ପ୍ରୟୋଜନ, ଶିକ୍ଷିତ ସ୍ନାତକମାନେ ନିଯୁକ୍ତି ସନ୍ଧାନରେ ଏ କ୍ଷେତ୍ରରେ ପ୍ରବେଶ କରିବାକୁ ସର୍ବଦା କୁଣ୍ଠା ପ୍ରକାଶ କରିଥାନ୍ତି।
ତେବେ ଏଇ ସମସ୍ୟାର ଅନ୍ୟ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ମଧ୍ୟ ରିପୋର୍ଟରେ ଆଲୋକପାତ କରାଯାଇଛି, ତାହା ହେଲା ଏଇ ନିଯୁକ୍ତି-ସନ୍ଧାନୀ ଯୁବକଯୁବତୀମାନଙ୍କର ନିଯୁକ୍ତି-ଯୋଗ୍ୟତା। ଉଦାରୀକରଣ ଆରମ୍ଭ ସମୟରେ ଦେଶରେ ମାତ୍ର ୧,୬୪୪ଟି ଉଚ୍ଚତର ଶିକ୍ଷାନୁଷ୍ଠାନ ଥିବାବେଳେ ବର୍ତ୍ତମାନ ସେଇ ସଂଖ୍ୟା ୭୦,୦୦୦ ଅତିକ୍ରମ କରିସାରିଲାଣି ଏବଂ ବିଗତ ୨୫ ବର୍ଷ ମଧ୍ୟରେ ଦେଶରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନ ‘ଆଇଟିଆଇ’ମାନଙ୍କର ସଂଖ୍ୟାରେ ପ୍ରାୟ ୩୦୦ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ଏ ସମସ୍ତ ଶିକ୍ଷାନୁଷ୍ଠାନରୁ ବାହାରୁଥିବା ଶିକ୍ଷିତ ଯୁବକଯୁବତୀମାନଙ୍କ ମଧ୍ୟରୁ ଅନେକଙ୍କ ଠାରେ ଶିଳ୍ପବାଣିଜ୍ୟ କ୍ଷେତ୍ରରେ ନିଯୁକ୍ତତିଦାତାମାନେ ଆବଶ୍ୟକ କରୁଥିବା ଭଳି ଦକ୍ଷତା ଅନୁପସ୍ଥିତ ଥିବା ପରିଲକ୍ଷିତ ହୋଇଥାଏ।
ସୌଜନ୍ୟ ସମ୍ବାଦ




