ସମ୍ପାଦକୀୟ

Editorial: ସମୟର ସିନ୍ଦୁକ

ଅତୀତ ଓ ଭବିଷ୍ୟତର ଏକ ବିଭାଜନ ପରି ପ୍ରତୀୟମାନ ହେଉଥିବା ଆଜିର ନବ ବର୍ଷ ପାଳନରେ ମଜ୍ଜି ଯାଇଥିବା ବସ୍ତୁବାଦୀମାନେ ମଧ୍ୟ ମନେ ରଖିବା ଉଚିତ ଖୋଦ୍ ଆଇନଷ୍ଟାଇନ କହିଥିଲେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ବିଭାଜନ ହେଉଛି ଏକ ଇନ୍ଦ୍ରଜାଲ ମାତ୍ର।

ଅତୀତ ଓ ଭବିଷ୍ୟତର ଏକ ବିଭାଜନ ପରି ପ୍ରତୀୟମାନ ହେଉଥିବା ଆଜିର ନବ ବର୍ଷ ପାଳନରେ ମଜ୍ଜି ଯାଇଥିବା ବସ୍ତୁବାଦୀମାନେ ମଧ୍ୟ ମନେ ରଖିବା ଉଚିତ ଖୋଦ୍ ଆଇନଷ୍ଟାଇନ କହିଥିଲେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ବିଭାଜନ ହେଉଛି ଏକ ଇନ୍ଦ୍ରଜାଲ ମାତ୍ର।

ଆଜି ହେଉଛି ନୂଆ ବର୍ଷ ୨୦୨୬ର ପ୍ରଥମ ଦିନ। ସତେ ଯେମିତି ପୁରୁଣା ବର୍ଷ ୨୦୨୫କୁ ଖ‌େଣ୍ଡ ପୁରୁଣା ଲୁଗା ଭଳି ପରିତ୍ୟାଗ କରି ଅତୀତ ଗର୍ଭକୁ ଫିଙ୍ଗି ଦେଇ ସମୟର ସିନ୍ଦୁକରୁ ଏଇ ନୂଆ ଲୁଗାଟିକୁ ଆମେ ବାହାର କରିଛୁ ଆଗାମୀ ୩୬୫ ଦିନ ପାଇଁ ପିନ୍ଧିବା ଲାଗି। ପୃଥିବୀ ସାରା ଲୋକମାନଙ୍କ ସହିତ ସାମିଲ ହୋଇ ଆମେ ଆଜି ଏଇଭଳି ନୂଆ ବର୍ଷକୁ ସ୍ବାଗତ କରୁଥିଲେ ହେଁ, ଭାରତରେ ଏହା ଏପରି ଏକ ବିଶେଷତ୍ବ ବହନ କରିଥାଏ, ଯାହା ଅନ୍ୟତ୍ର ଦେଖିବାକୁ ମିଳି ନ ଥାଏ।
ଯେଉଁ ଗ୍ରେଗରିଆନ କ୍ୟାଲେଣ୍ଡରକୁ ଅନୁସରଣ କରି ଆଜି ଦିନଟିକୁ ଏକ ନୂତନ ବର୍ଷର ପ୍ରଥମ ଦିନ ରୂପେ ସ୍ବାଗତ କରାଯାଉଛି, ତାହାର ପ୍ରବର୍ତ୍ତକ ହେଉଛନ୍ତି କ୍ୟାଥଲିକ ଖ୍ରୀଷ୍ଟିଆନମାନଙ୍କର ସର୍ବୋଚ୍ଚ ଧର୍ମଗୁରୁ ପୋପ ତ୍ରୟୋଦଶ ଗ୍ରେଗରି, ଯିଏ ୧୫୮୨ରେ ଏହାର ପ୍ରଚଳନ ଆରମ୍ଭ କରିଥିଲେ। ଔପନିବେଶକ ବ୍ରିଟିଶ ସରକାର ୧୭୫୨ରେ ଭାରତର ବ୍ରିଟିଶ ଶାସନାଧୀନ ରାଜ୍ୟମାନଙ୍କରେ ଯେତେବେଳେ ପୂର୍ବ ପ୍ରଚଳିତ ଜୁଲିଆନ କ୍ୟାଲେଣ୍ଡର ସ୍ଥାନରେ ଏହି ଗ୍ରେଗରିଆନ କ୍ୟାଲେଣ୍ଡରକୁ ସରକାରୀ କ୍ୟାଲେଣ୍ଡର ରୂପେ ଘୋଷଣା କଲେ, ସେତେ‌େ‌ବଳେ ଏହା ସହିତ ତାଳମେଳ ରଖିବା ଲାଗି କ୍ୟାଲେଣ୍ଡରରେ ଡିଅଁା ମାରି ଏକା ଥରକେ ଏଗାର ଦିନ ଅତିକ୍ରମ କରିବାକୁ ପଡ଼ିଥିଲା, ଯାହା ଫଳରେ ୧୭୫୨ର ସେପ୍‌ଟେମ୍ବର ୨ ତାରିଖ ପର ଦିନ ହୋଇଥିଲା ୧୪ ତାରିଖ। ସରକାର ସେମାନଙ୍କର ଆୟୁଷରୁ ୧୧ ଦିନ ଲେଖାଏଁ ଚୋରି କରିନେଲେ ବୋଲି ପ୍ରତିବାଦ କରି ସେତେବେଳେ କେତେକ ସ୍ଥାନରେ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିବା ଦେଖାଯାଇଥିଲା।
ସ୍ବାଧୀନ ଭାରତ ସରକାର ୧୯୫୭ରେ ସରକାରୀ କାର୍ଯ୍ୟରେ ବ୍ୟବହୃତ ହେବା ପାଇଁ ଏଇ ଗ୍ରେଗରିଆନ କ୍ୟାଲେଣ୍ଡରକୁ ବିଧିବଦ୍ଧ ସ୍ବୀକୃତି ପ୍ରଦାନ କରିଥିଲେ, ଯାହା ୧୯୫୨ରେ ତୁଙ୍ଗ ପଦାର୍ଥବିଜ୍ଞାନୀ ଫ୍ରଫେସର ମେଘନାଦ ଶାହାଙ୍କର ସଭାପତିତ୍ବରେ ଗଠିତ କ୍ୟାଲେଣ୍ଡର ରିଫର୍ମ କମିଟିର ସୁପାରିସ ଉପରେ ଆଧାରିତ ଥିଲା। ବ୍ୟାପକ ବ୍ୟବହାର ମାଧ୍ୟମରେ ଏହି ଗ୍ରେଗରିଆନ କ୍ୟାଲେଣ୍ଡର କ୍ରମେ ଯେଉଁ ସାମାଜିକ ସ୍ବୀକୃତି ଲାଭ କରିଛି, ଆଜିର ନବ ବର୍ଷ ପାଳନ ତାହାର ସ୍ବାକ୍ଷର ବହନ କରିଥିଲେ ହେଁ, ଭାରତୀୟ ସଂସ୍କୃତିରେ ଏବେ ମଧ୍ୟ ବିଭିନ୍ନ ସମୟରେ ପାରମ୍ପରିକ ନବ ବର୍ଷ ପାଳନ ଜୀବନ୍ତ ହୋଇ ରହିଛି- ପଞ୍ଜାବରେ ବୈଶାଖୀରୁ ଆସାମରେ ବୋହାଗ ବିହୁ, ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତି, ତାମିଲନାଡୁରେ ପୁଥାଣ୍ଡୁ, କର୍ଣ୍ଣାଟକରେ ଉଗାଡ଼ି, ମହାରାଷ୍ଟ୍ରରେ ଗୁଡ଼ି ପାଡ଼ୱା କିମ୍ବା ଗୁଜରାଟରେ ବେସ୍ତୁ ବରଷ ଆଦି ପର୍ଯ୍ୟନ୍ତ। ଏହା ହିଁ ହେଉଛି ଆମ ଦେଶରେ ଆଜି ନବ ବର୍ଷ ପାଳନର ବିଶେଷତ୍ବ- ଗ୍ରେଗରିଆନ ନବ ବର୍ଷକୁ ଆମେ ଏଠାରେ ଏକ ଦିଗ୍‌ବିଜୟୀ ବୀର ରୂପେ ସ୍ବାଗତ କରୁନାହୁଁ, ଅନେକ ନବ ବର୍ଷମାନଙ୍କୁ ନେଇ ଗଠିତ ଆମର ଯୌଥ ପରିବାରର ଜଣେ ଅତିଥି ରୂପେ ତା’ର ଉଚିତ ଚର୍ଚ୍ଚା କରୁଛୁ। ଏହା ହେଉଛି ବିବିଧତାର ସଂଗମ ସ୍ଥଳୀ ରୂପେ କାର୍ଯ୍ୟ କରିବା ପାଇଁ ଭାରତ ବହନ କରୁଥିବା ଏକ ବିରଳ ଅନ୍ତର୍ନିହିତ କ୍ଷମତାର ସ୍ବତଃସ୍ଫୂର୍ତ୍ତ ପରିପ୍ରକାଶ। ଭାରତ କିପରି ପ୍ରାଚୀନକୁ ଫିଙ୍ଗି ନ ଦେଇ ଆଧୁନିକକୁ ଆମନ୍ତ୍ରଣ କରିଥାଏ, ଏହା ହେଉଛି ତାହାର ପ୍ରମାଣ।

 

ଆମେ କିନ୍ତୁ ଯଦିବା କ୍ୟାଲେଣ୍ଡରର ପୃଷ୍ଠା ଓଲଟାଇ ନୂଆ ବର୍ଷକୁ ଅଭିବାଦନ ଜଣାଉଛୁ, ଅତୀତକୁ ବିଦାୟ ଦେଇ ଆଜିର ନବ ବର୍ଷ ପାଳନ ମାଧ୍ୟମରେ ଅନାଗତ ଭବିଷ୍ୟତକୁ ସ୍ବାଗତ କରୁଛୁ, ପ୍ରକୃତରେ କ’ଣ ଆମେ ସମୟକୁ ଏଭଳି ନିଖୁଣ ଭାବରେ ତିନି ଖଣ୍ଡ- ଅତୀତ, ବର୍ତ୍ତମାନ, ଭବିଷ୍ୟତ – ରେ ବିଭକ୍ତ କରିଦେଇ ନୂଆ ବର୍ଷ ପାଳନରେ ମାତି ଯାଇପାରିବା, ସତେ ଯେମିତି ଆମେ ପୁରୁଣା ଲୁଗା ଭଳି ଫିଙ୍ଗି ଦେଇଥିବା ଅତୀତ ସହିତ ଆମର ଆଉ କିଛି ସଂପର୍କ ନାହିଁ? ଏମିତିରେ ଯେଉଁ ମୁହୂର୍ତ୍ତକୁ ଆମେ ‘ବର୍ତ୍ତମାନ’ ରୂପେ ମର୍ଯ୍ୟାଦା ପ୍ରଦାନ କରି ଉତ୍ସବ ପାଳନ କରୁଛୁ, ତାହା ଆମେ ସଚେତନ ହେବା ପୂର୍ବରୁ ଆଖି ପିଛୁଳାକେ ଅତୀତର ଅଂଶରେ ପରିଣତ ହୋଇ ସାରି ନ ଥାଏ କି? ବିଂଶ ଶତାବ୍ଦୀର ପ୍ରଖ୍ୟାତ ଫରାସୀ ଦାର୍ଶନିକ ତଥା ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ହେନ୍‌ରି ବର୍ଗସନ୍ କହି ନ ଥିଲେ କି: ‘‘ବିଶୁଦ୍ଧ ବର୍ତ୍ତମାନ ହେଉଛି ନିରନ୍ତର ଭବି‌ଷ୍ୟତକୁ ଗିଳି ଚାଲିଥିବା ଏକ ଧରା ଦେଉ ନ ଥିବା ଅତୀତର ଜୟଯାତ୍ରା। ସତକଥା ହେଲା ଆମର ପ୍ରତ୍ୟେକ ଅନୁଭୂତି ତତ୍‌କ୍ଷଣାତ ସ୍ମୃତିରେ ପରିଣତ ହୋଇ ସାରିଥାଏ।’’? ବର୍ଗସନ୍ ଆମକୁ ସାବଧାନ କରି ଦେଇଥିଲେ ଯେ ଘଡ଼ି ନିର୍ଦ୍ଦେଶିତ ସମୟ ଆମ ଠାରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରିଥାଏ ଯେ କୌଣସି ଏକ ସ୍ଥାନର ଦୈର୍ଘ୍ୟ ମାପିବା ପରି ସମୟକୁ ମଧ୍ୟ ମପା ଯାଇପାରିବ, ଖଣ୍ଡ ବିଖଣ୍ଡିତ କରି ଦିଆଯାଇ ପାରିବ। ଆମେ ଆଜି ଯେତେବେଳେ ପୁରୁଣା ବର୍ଷକୁ ପଛରେ ଛାଡ଼ି ଦେଇ ନୂଆ ବର୍ଷରେ ପ୍ରବେଶ କରିଛୁ, ଅ‌ାମେ ସେତେବେଳେ କୌଣସି ଏକ ଭୌଗୋଳିକ ସୀମାରେଖା ଅତିକ୍ରମ କଲା ପରି ସେ ପଟରୁ ଏ ପଟକୁ ଡେଇଁ ପଡ଼ିନାହୁଁ, ଆମେ ଏକ ନଦୀର ସ୍ରୋତ ପରି ବହି ଆସିଛୁ, ସାଙ୍ଗରେ ବର୍ଗସନ୍ ସୂଚାଇଥିବା ଭଳି ସମସ୍ତ ସ୍ମୃତିର ସମ୍ଭାର ଧରି- ଅନୁଭୂତି, ଅଭ୍ୟାସ, ନିରାଶା, ଆଶା, ଅନୁଶୋଚନାର ସମ୍ଭାର। ନୂତନ ବର୍ଷରେ ପ୍ରବେଶ ପୁରାତନ ବର୍ଷ ସହିତ ଆମର ସଂପର୍କକୁ ଛିନ୍ନ କରିଦେଇ ନ ଥାଏ। ନବ ବର୍ଷ ପାଳନ ତେଣୁ ସମୟରେ ଏକ ଫାଟ ସୃଷ୍ଟି କରି ନ ଥାଏ, ଏହା ଆମ ଚେତନାରେ ଏକ ବିରତି ସଦୃଶ କାର୍ଯ୍ୟ କରିଥାଏ, ଯେତେବେଳେ ଆମେ ଆମର ଅନ୍ତର୍ନିହିତ ଯାତ୍ରାର ଦିଗ ସମ୍ବନ୍ଧରେ ଚିନ୍ତା କରିବାକୁ ବେଳ ପାଇଥାଉ।
ହିନ୍ଦୁ ବେଦାନ୍ତ ଦର୍ଶନରେ ମଧ୍ୟ ସମୟ ଏକ ସରଳ ରେଖାରେ ଗତି କରି ନ ଥାଏ, ତାହା ଚକ୍ରାକାରରେ ଘୂରିବାରେ ଲାଗିଥାଏ, ଯୁଗ ପରେ ଯୁଗର ଉଦୟ ଓ ଅସ୍ତ ଘଟିଥାଏ; ସୃଷ୍ଟିର ଆବିର୍ଭାବ ଓ ବିଲୟ ପ୍ରକ୍ରିୟା ନିରନ୍ତର ଲାଗି ରହିଥାଏ। ଯାହା ଅନ୍ତ ପରି ମନେ ହୋଇଥାଏ, ତାହା ପୁଣି ଆରମ୍ଭରେ ରୂପାନ୍ତରିତ ହୋଇଥାଏ। ଏହି ଦୃଷ୍ଟିଭଙ୍ଗୀ ଅନୁଯାୟୀ ନବ ବର୍ଷ ପାଳନ କୌଣସି ସଂପୂର୍ଣ୍ଣ ନୂତନର ଆବାହନ ନୁହେଁ, ଏହା ହେଉଛି ଏକ ଆତ୍ମ-ନବୀକରଣର ମୁହୂର୍ତ୍ତ- ନିଜ ମଧ୍ୟରେ ଧର୍ମ ଭାବ ଜାଗ୍ରତ କରିବା ପାଇଁ, ନୈତିକ ସନ୍ତୁଳନ ରକ୍ଷା କରିବା ପାଇଁ, ବ୍ରହ୍ମର ସନ୍ଧାନ କରିବା ପାଇଁ ପୁଣି ଏକ ସୁଯୋଗ।
ଅତୀତ ଓ ଭବିଷ୍ୟତର ଏକ ବିଭାଜନ ପରି ପ୍ରତୀୟମାନ ହେଉଥିବା ଆଜିର ନବ ବର୍ଷ ପାଳନରେ ମଜ୍ଜି ଯାଇଥିବା ବସ୍ତୁବାଦୀମାନେ ମଧ୍ୟ ମନେ ରଖିବା ଉଚିତ ଖୋଦ୍ ଆଇନଷ୍ଟାଇନ କହିଥିଲେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ବିଭାଜନ ହେଉଛି ଏକ ଇନ୍ଦ୍ରଜାଲ ମାତ୍ର। ତାଙ୍କ ମତ ଅନୁସାରେ ସ୍ଥାନ ଓ କାଳ ପୃଥକ ନୁହନ୍ତି, ଏବଂ ଏହି ଏକୀକୃତ ସ୍ଥାନ-କାଳ (ସ୍ପେସ୍‌-ଟାଇମ୍)ର ଅବଧାରଣା ହେଉଛି ଆପେକ୍ଷିକ। ତାଙ୍କ ମତବାଦକୁ ଯଦି ଅନୁସରଣ କରାଯାଏ, ଏହା ସ୍ପଷ୍ଟ ହୋଇଥାଏ ଯେ ନବ ବର୍ଷ ପାଳନ ପାଇଁ ବ୍ରହ୍ମାଣ୍ଡ ମୁହୂର୍ତ୍ତଟିଏ ମଧ୍ୟ ଅଟକି ଯାଏନାହିଁ ମନୁଷ୍ୟମାନଙ୍କ ଠାରୁ ଭବ୍ୟ ସମ୍ବର୍ଦ୍ଧନା ଲାଭ କଲା ପରେ ପୁଣି ତା’ର ଯାତ୍ରା ପଥରେ ଆଗେଇ ଯିବା ପାଇଁ।
ଆମ ମନରେ ଆଜି ଏଇଭଳି ବିକ୍ଷିପ୍ତ ଚିନ୍ତାମାନ ଉଦ୍ରେକ ହେଉଥିବା ବେଳେ, ଅନ୍ୟ ଯେଉଁ ଏକ ଗୁରୁତର ଚିନ୍ତା ମଧ୍ୟ ଧସେଇ ପଶିଥାଏ, ତାହା ହେଲା- ବର୍ତ୍ତମାନ ଦ୍ରୁତ ବେଗରେ ମନୁଷ୍ୟର ସ୍ଥାନ ଦଖଲ କରିବାକୁ ଆରମ୍ଭ କରିଥିବା ‘ଏଆଇ’ର ମସ୍ତିଷ୍କରେ ମଧ୍ୟ ନବ ବର୍ଷ ଏଇଭଳି ଆଲୋଡ଼ନ ସୃଷ୍ଟି କରୁଥିବ କି ନାହିଁ? ସେମାନେ କ’ଣ ସମୟକୁ ବର୍ଗସନୀୟ ଅନୁଭୂତି ପୁଷ୍ଟ ଅବଧି (ଡ୍ୟୁରେସନ୍) ରୂପେ କିମ୍ବା ହିନ୍ଦୁମାନଙ୍କର କର୍ମ ରୂପେ ଅନୁଭବ କରୁଥିବେ? ଆଗାମୀ ସମୟରେ ଉତ୍ପାଦନରୁ ଶାସନ ପର୍ଯ୍ୟନ୍ତ ଯେତେବେଳେ ଏହି ଆବେଗହୀନ ‘ଏଆଇ’ ଦ୍ବାରା ନିୟନ୍ତ୍ରିତ ହେବାକୁ ଯାଉଛି, ‌ମାନବ ସମାଜ ପାଇଁ ତା’ର ଅନ୍ତିମ ପରିଣାମ କିଭଳି ହୋଇପାରେ, ଆଜି ନୂଆ ବର୍ଷ ପାଳନରେ ମଜ୍ଜି ଯାଇଥିବା ବେଳେ, ଆମେ ଟିକିଏ ସମୟ ବାହାର କରି ସେ ସମ୍ବନ୍ଧରେ ମଧ୍ୟ ଟିକେ ଚିନ୍ତା କରିବା ଦରକାର। ଆମେ ନିଃସନ୍ଦେହ ଯେ ଆଜି ‘ଏଆଇ’ର ବ୍ୟବହାର ମଧ୍ୟ ଅନେକଙ୍କର ନବ ବର୍ଷ ପାଳନକୁ ବହୁ ଅଧିକ ରଙ୍ଗୀନ ଓ ରସାଳ କରି ତୋଳିଥିବ।
ସମସ୍ତଙ୍କୁ ଶୁଭ ନବ ବର୍ଷ!

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button