Election: ମମତା ବାନାର୍ଜୀଙ୍କୁ ହତ୍ୟା ଧମକ ଦେଇଛି ବିଜେପି, ଅଭିଯୋଗ ଆଣିଲା ଟିଏମ୍‌ସି

ନୂଆଦିଲ୍ଲୀ: ବିଜେପି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା ଧମକ ଦେଇଛି ବୋଲି ଅଭିଯୋଗ କରି ଶାସକ ଟିଏମ୍‌ସି ଦଳ ସଦ୍ୟ ବିବାଦ ସୃଷ୍ଟି କରିଛି। ବିଜେପି ରାଜ୍ୟକୁ ‘ଗୋଲି ମାରୋ’ ଏବଂ ‘ ଠୋକ୍‌ ଦୋ’ ସଂସ୍କୃତି ଆଣିବାକୁ ଚେଷ୍ଟା କରୁଛି ବୋଲି ଟିଏମ୍‌ସି ଅଭିଯୋଗ କରିଛି।

ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ନିର୍ବାଚନ ପୂର୍ବରୁ ଦକ୍ଷିଣ ୨୪ ପ୍ରଗଣାରେ ଏକ ଚଢ଼ଉ ସମୟରେ ନିର୍ବାଚନ କମିସନ୍‌ଙ୍କ ଦ୍ବାରା ନିଯୁକ୍ତ ଜଣେ ପୁଲିସ ପର୍ଯ୍ୟ‌ବେକ୍ଷକ ଅଜୟ ପାଲ୍‌ ଶର୍ମା ଜଣେ ଟିଏମ୍‌ସି ପ୍ରାର୍ଥୀ ଜାହାଙ୍ଗିର ଖାନ୍‌ଙ୍କୁ ଚେତାବନୀ ଦେବାର ଭିଡିଓ ଭାଇରାଲ୍‌ ହେବାପରେ ଏହି ସଦ୍ୟ ବିବାଦ ଉପୁଜିଛି। ଏକ୍ସରେ ଏକ ପୋଷ୍ଟ୍‌ କରି ଟିଏମ୍‌ସି କହିଛି ଯେ ଦୁଷ୍କର୍ମ ଧମକ ପରେ ବିଜେପି ଏବେ ମମତା ବାନାର୍ଜୀଙ୍କ ବିରୋଧରେ ଖୋଲା ହତ୍ୟା ଧମକ ଦେଉଛି। ଉଭୟ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନ୍‌ଙ୍କୁ ଟାର୍ଗେଟ୍‌ କରି ଟିଏମ୍‌ସି କହିଛି ଯେ ନିର୍ବାଚନ କମିସନ୍‌ ଏବେ ନିରବଦ୍ରଷ୍ଟା ସାଜିଛନ୍ତି।

ବିଜେପି ପଶ୍ଚିମବଙ୍ଗ ପାଇଁ ଏହି ପରିବର୍ତ୍ତନ ଆଣିଛି। ବିଜେପି ପଶ୍ଚିମବଙ୍ଗକୁ ‘ଗୋଲି ମାରୋ’ ଏବଂ ‘ଠୋକ୍‌ ଦୋ’ ସଂସ୍କୃତି ଆଣିବାକୁ ଚେଷ୍ଟା କରୁଛି। ଦଳ ବିଜେପି ଜାତୀୟ ମୁଖପାତ୍ର ଆଲୋକ ଅଜୟଙ୍କର ଏକ ପୋଷ୍ଟ୍‌କୁ ଦର୍ଶାଇ ବିଜେପି ମମତାଙ୍କୁ ହତ୍ୟା ଧମକ ଦେଇଥିବା କହିଛି। ଆଲୋକ ଏକ ପୋଷ୍ଟ୍‌ କରି କହିଥିଲେ ଯେ, ଯଦି ଆପଣ ଆମକୁ ଭୟଭୀତ କରିବାକୁ ଚେଷ୍ଟା କରିବେ ଆପଣଙ୍କୁ ଗୁଳି କରାଯିବ ଦିଦି’।

ସୌଜନ୍ୟ ସମ୍ବାଦ