Employment: ବର୍ଷେ ଚାକିରି ପରେ ଗ୍ରାଚୁଇଟି ମିଳିବ: ମହିଳାଙ୍କୁ ରାତିରେ କାମ କରିବାକୁ ଅନୁମତି
ଦେଶରେ ଆଜିଠାରୁ ସମସ୍ତ ଚାରି ଶ୍ରମ କୋଡ୍ ଲାଗୁ ହୋଇଛି। ସେଗୁଡ଼ିକ ହେଊଛି ମଜୁରି କୋଡ୍ (୨୦୧୯), ଶିଳ୍ପ ସମ୍ପର୍କ କୋଡ୍ (୨୦୨୦), ସାମାଜିକ ସୁରକ୍ଷା କୋଡ୍ (୨୦୨୦) ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି କୋଡ୍ (୨୦୨୦)।

ନୂଆଦିଲ୍ଲୀ: ଦେଶରେ ଆଜିଠାରୁ ସମସ୍ତ ଚାରି ଶ୍ରମ କୋଡ୍ ଲାଗୁ ହୋଇଛି। ସେଗୁଡ଼ିକ ହେଊଛି ମଜୁରି କୋଡ୍ (୨୦୧୯), ଶିଳ୍ପ ସମ୍ପର୍କ କୋଡ୍ (୨୦୨୦), ସାମାଜିକ ସୁରକ୍ଷା କୋଡ୍ (୨୦୨୦) ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି କୋଡ୍ (୨୦୨୦)। ପୂର୍ବରୁ ପ୍ରଚଳନରେ ଥିବା ୨୯ଟି ଶ୍ରମ ନିୟମ ସ୍ଥାନରେ ଏହି ଚାରି କୋଡ୍ ଲାଗୁ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ବାଧୀନତା ପରବର୍ତ୍ତୀ ସମୟରେ ଏହା ହେଉଛି ସବୁଠୁ ବ୍ୟାପକ ଓ ପ୍ରଗତିଶୀଳ ଶ୍ରମ ଭିତ୍ତିକ ସଂସ୍କାର। ଏହା ଶ୍ରମିକଙ୍କୁ ସଶକ୍ତ କରିବ ଓ ସହଜ ବ୍ୟବସାୟର ପ୍ରସାର କରିବ।
ମହିଳାଙ୍କୁ ରାତିରେ କାମ କରିବାକୁ ଅନୁମତି
ଲାଗୁ ହେଲା ଚାରି ଶ୍ରମ କୋଡ୍
ଶ୍ରମ କୋଡ୍ ଲାଗୁ ହୋଇଥିବାରୁ ସ୍ଥାୟୀ କର୍ମଚାରୀଙ୍କ ଭଳି ଏକ ନିର୍ଦ୍ଦିଷ୍ଟ ମିଆଦର କର୍ମଚାରୀମାନେ ମଧ୍ୟ ଛୁଟି, ମେଡିକାଲ୍ ଓ ସାମାଜିକ ସୁରକ୍ଷା ସୁବିଧା ପାଇବେ। ଏକ ବର୍ଷର ଚାକିରି ପରେ କର୍ମଚାରୀମାନେ ଗ୍ରାଚୁଇଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ପୂର୍ବରୁ ଏଥିପାଇଁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା। ବର୍ଷକୁ ଥରେ କର୍ମଚାରୀଙ୍କୁ ମାଗଣା ସ୍ବାସ୍ଥ୍ୟ ଯାଞ୍ଚ ସୁବିଧା ମିଳିବ। ଏହି ସଂସ୍କାର ଅତ୍ୟଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତିକୁ କମ୍ କରିବ। ପ୍ରଥମ ଥର ପାଇଁ ଶ୍ରମ କୋଡ୍ରେ ଗିଗ୍ କାର୍ଯ୍ୟ, ପ୍ଲାଟ୍ଫର୍ମ କାର୍ଯ୍ୟ ଓ ଏଗ୍ରିଗ୍ରେଟର୍ସର ସଂଜ୍ଞା ନିର୍ଧାରଣ କରାଯାଇଛି। ଏହା ଦ୍ବାରା ଡେଲିଭରି ଏଜେଣ୍ଟମାନେ ଉପକୃତ ହେବେ। ଆଧାର ଲିଙ୍କ୍ ହୋଇଥିବା ସାର୍ବଜନୀନ ଆକାଉଣ୍ଟ ନମ୍ବର ଜାରି କରାଯିବ। ଯାହା ଫଳରେ ରାଜ୍ୟ ବଦଳାଇଲେ ମଧ୍ୟ କର୍ମଚାରୀଙ୍କୁ ସୁବିଧା ମିଳିବା ଜାରି ରହିବ।
ନୂଆ ନିୟମରେ ଲିଙ୍ଗଗତ ବୈଷମ୍ୟକୁ ନିଷିଦ୍ଧ କରାଯାଇଛି। ସମାନ କାମ ପାଇଁ ସମାନ ପାଉଣା ଦିଆଯିବ। ସବୁ କ୍ଷେତ୍ରରେ ମହିଳାମାନଙ୍କୁ ରାତିରେ କାମ କରିବା ଅନୁମତି। ଅଭିଯୋଗ ଶୁଣାଣି କମିଟିରେ ମହିଳା ସଦସ୍ୟ ରହିବା ବାଧ୍ୟତାମୂଳକ। ଯୁବବର୍ଗଙ୍କ ପାଇଁ ସର୍ବନିମ୍ନ ବେତନର ଗ୍ୟାରେଣ୍ଟି ରହିବ। ଶ୍ରମିକଙ୍କୁ ନିଯୁକ୍ତିପତ୍ର ଦେବା ବାଧ୍ୟତାମୂଳକ। ଛୁଟି ସମୟରେ ସେମାନଙ୍କୁ ବେତନ ଦେବାକୁ ହେବ। ବିଡ଼ି ଓ ସିଗାରେଟ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରି ନିର୍ଧାରଣ କରାଯିବ। ଦୈନିକ କାର୍ଯ୍ୟ ସମୟ ୮-୧୨ ଘଣ୍ଟା ଓ ସପ୍ତାହକୁ ୪୮ ଘଣ୍ଟା ରହିବ। ଓଭରଟାଇମ୍ ସ୍ବେଚ୍ଛାକୃତ ରହିବ ଓ ଓଭରଟାଇମ୍ କଲେ ଦୁଇଗୁଣା ଅଧିକ ପାଉଣା ମିଳିବ। ୫୦୦ରୁ ଅଧିକ ଶ୍ରମିକ ଥିବା ସଂସ୍ଥାରେ ବାଧ୍ୟତାମୂଳକ ଭାବେ ସୁରକ୍ଷା କମିଟି ଗଠନ ହେବ।
ସୌଜନ୍ୟ – ସମ୍ବାଦ



