ମହାନଗର

Exam: ଯୁକ୍ତ୨ ଇଣ୍ଟରନାଲ୍‌ ପରୀକ୍ଷା ଆରମ୍ଭ: ୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ, ସିସିଟିଭି ନଜରରେ ପରୀକ୍ଷା ଅନୁଷ୍ଠିତ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ଇଣ୍ଟରନାଲ୍‌ ଓ ପ୍ରୋଜେକ୍ଟ ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ପ୍ରଥମ ଦିନର ପରୀକ୍ଷା ସୁରୁଖୁରୁରେ ସରିଛି।

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ଇଣ୍ଟରନାଲ୍‌ ଓ ପ୍ରୋଜେକ୍ଟ ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ପ୍ରଥମ ଦିନର ପରୀକ୍ଷା ସୁରୁଖୁରୁରେ ସରିଛି। କୌଣସି ସ୍ଥାନରେ ଅସୁବିଧା ହୋଇ ନ ଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟାଳୟଗୁଡ଼ିକ ନିଜର ସୁବିଧା ଅନୁଯାୟୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ବିଭିନ୍ନ ବିଷୟର ପରୀକ୍ଷା କରାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଦ୍ୟାଳୟର ବିଷୟଭିତ୍ତିକ ଶିକ୍ଷକମାନେ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲେ। ଉତ୍ତର ଖାତାଗୁଡ଼ିକ ୪ ପୃଷ୍ଠା ବିଶିଷ୍ଟ ହୋଇଥିବାରୁ ପରୀକ୍ଷାର୍ଥୀ ତାହାରି ଭିତରେ ହିଁ ପ୍ରଶ୍ନର ଉତ୍ତରଗୁଡ଼ିକ ଲେଖିଥିଲେ। ଯେଉଁ ପରୀକ୍ଷାର୍ଥୀଙ୍କର ବୈଧ ପଞ୍ଜୀକରଣପତ୍ର ରହିଥିଲା ସମସ୍ତଙ୍କୁ ପରୀକ୍ଷା ଲାଗି ସୁଯୋଗ ମିଳିଛି। କେତେକ ବିଦ୍ୟାଳୟରେ ଆଜି ହିଁ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ହୋଇଛି। ପରୀକ୍ଷାର ସୁପରିଚାଳନା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା।

ଆସନ୍ତା ୩୧ ତାରିଖ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେବ। ବିଜ୍ଞାନ, କଳା, ବାଣିଜ୍ୟ, କରେସ୍ପଣ୍ଡେଣ୍ଟ୍‌ ପାଠ୍ୟକ୍ରମ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ନ ଥିବା ବିଷୟଗୁଡ଼ିକ ପାଇଁ ୪୫ ମିନିଟ୍‌ର ପରୀକ୍ଷା କରାଯିବ, ଯାହାର ସମ୍ପୂର୍ଣ୍ଣ ମାର୍କ ୧୦ କିମ୍ବା ୨୦ ରହିବ। ୨୦ ମାର୍କ ବିଶିଷ୍ଟ ପ୍ରୋଜେକ୍ଟଗୁଡ଼ିକର ଅବଧି ୨ ଘଣ୍ଟା ଧାର୍ଯ୍ୟ ହୋଇଛି। ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ୍‌ ଓ ପ୍ରୋଜେକ୍ଟ ବିଷୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ପାଇଁ କଡ଼ା ନିୟମ ହୋଇଛି। ଇଣ୍ଟରନାଲ ପରୀକ୍ଷାରେ ପାସ୍‌ କରିବାକୁ ହେଲେ ପରୀକ୍ଷାର୍ଥୀଙ୍କୁ ୨୦ରୁ ୬ ଓ ୧୦ରୁ ୩ ମାର୍କ ରଖିବା ବାଧ୍ୟତାମୂଳକ। ନ ହେଲେ ସେ ଫେଲ୍‌ ହେବେ। ଯଦି କୌଣସି କାରଣ ପାଇଁ ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟରେ ଛାତ୍ରଛାତ୍ରୀ ଭାଗ ନେଇପାରନ୍ତି ନାହିଁ ତେବେ ସେମାନେ ଜାନୁଆରି ୧୦ରୁ ୧୫ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ପରୀକ୍ଷାରେ ଭାଗ ନେଇପାରିବେ। ଧାର୍ଯ୍ୟ ତାରିଖ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସ୍ଥିର କରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

 

ସୌଜନ୍ୟ ସମ୍ବାଦ

 

Leave a Reply

Your email address will not be published. Required fields are marked *

Back to top button