ଜାତୀୟବାଣିଜ୍ୟ

Excise duty on petrol: ପେଟ୍ରୋଲ୍‌, ଡିଜେଲ୍‌ରୁ ଉତ୍ପାଦ ଶୁଳ୍କ ୧୦ ଟଙ୍କା କମିଲା: ଖୁଚୁରା ଦାମ୍‌ କମିବନି

ମଧ୍ୟପ୍ରାଚ୍ୟ ଯୁଦ୍ଧ ଚାଲିଥିବା ବେଳେ ସାଧାରଣ ଗ୍ରାହକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଆଜି ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଉତ୍ପାଦ ଶୁଳ୍କ ୧୦ ଟଙ୍କା ହ୍ରାସ କରିଛନ୍ତି। ଫଳରେ ପେଟ୍ରୋଲ୍‌ ଲିଟରରେ ଉତ୍ପାଦ ଶୁଳ୍କ ୩ ଟଙ୍କାକୁ ହ୍ରାସ ପାଇଛି ଓ ଡିଜେଲ୍‌ ଉପରେ ତାହା ଶୂନ ହୋଇଛି।

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଚାଲିଥିବା ବେଳେ ସାଧାରଣ ଗ୍ରାହକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଆଜି ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଉତ୍ପାଦ ଶୁଳ୍କ ୧୦ ଟଙ୍କା ହ୍ରାସ କରିଛନ୍ତି। ଫଳରେ ପେଟ୍ରୋଲ୍‌ ଲିଟରରେ ଉତ୍ପାଦ ଶୁଳ୍କ ୩ ଟଙ୍କାକୁ ହ୍ରାସ ପାଇଛି ଓ ଡିଜେଲ୍‌ ଉପରେ ତାହା ଶୂନ ହୋଇଛି। ଟିକସ ହ୍ରାସ କରି କେନ୍ଦ୍ର ସରକାର ଗ୍ରାହକଙ୍କୁ ସମ୍ଭାବ୍ୟ ଦରବୃଦ୍ଧିରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ତେଲର ଖୁଚୁରା ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ବର୍ତ୍ତମାନ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ୍‌ରେ  ଲିଟର ପିଛା ୨୬ ଟଙ୍କା ଓ ଡିଜେଲ୍‌ରେ ୮୧ ଟଙ୍କା ୯୦ ପଇସାର କ୍ଷତି ସହୁଛନ୍ତି। ସେମାନଙ୍କ ଦୈନିକ କ୍ଷତି ୨୪୦୦ କୋଟି ଟଙ୍କାରୁ ଅଧିକ ରହୁଛି। ଯୁଦ୍ଧ ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୧୦ ଡଲାରରୁ ଅଧିକ ହୋଇଯିବା ପରେ ତେଲ କମ୍ପାନିଗୁଡ଼ିକ ଉପରେ ବଡ଼ଧରଣର ଚାପ ସୃଷ୍ଟି ହୋଇଛି। ଟିକସ କମ୍‌ କରାଯାଇଥିବାରୁ ସେମାନଙ୍କ ଆର୍ଥିକ ଚାପ କିଛିଟା ହାଲୁକା ହେବ। ତେବେ ଏହି ପଦକ୍ଷେପ ଯୋଗୁଁ କେନ୍ଦ୍ର ସରକାର ୧.୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ହରାଇବେ। ଏଥି ସହିତ ଦେଶରେ ତେଲ ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଆଜି ଡିଜେଲ୍‌ ଓ ବିମାନ ଇନ୍ଧନ ଉପରେ ରପ୍ତାନି ଶୁଳ୍କ ଲଗାଇଛନ୍ତି। ଏହି ଶୁଳ୍କରୁ ସରକାର ପନ୍ଦର ଦିନରେ ୧୫୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଖୁଚୁରା ଦାମ୍‌ କମିବନି
ଡିଜେଲ୍‌, ଟର୍ବାଇନ୍‌ ଫୁଏଲ୍‌ ଉପରେ ରପ୍ତାନି ଶୁଳ୍କ

ଉତ୍ପାଦ ଶୁଳ୍କ ହ୍ରାସ ସମ୍ପର୍କରେ ସୂଚନା ଦେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ‌ଯେ ଗତ ମାସରେ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ୍‌ ପିଛା ୭୦ ଡଲାରରୁ ବୃଦ୍ଧି ପାଇ ୧୨୨ ଡଲାରରେ ପହଞ୍ଚିଛି। ସେହି ଅନୁସାରେ ସାରା ଦୁନିଆରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍‌ ବଢ଼ିଛି। ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରଗୁଡ଼ିକରେ ତେଲ ଦାମ୍‌ରେ ୩୦-୫୦ ପ୍ରତିଶତ ବୃଦ୍ଧି ଘଟିଛି। ଉତ୍ତର ଆମେରିକାର ଦାମ୍‌ ୩୦ ପ୍ରତିଶତ, ୟୁରୋପରେ ୨୦ ପ୍ରତିଶତ ଓ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ଦାମ୍‌ ୫୦ ପ୍ରତିଶତ ବଢ଼ିଛି। ଏହି ପରିସ୍ଥିତିରେ ମୋଦୀ ସରକାରଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା। ତାହା ହେଉଛି ଅନ୍ୟ ପ୍ରମୁଖ ରାଷ୍ଟ୍ରଗୁଡ଼ିକ ଭଳି ଭାରତର ନାଗରିକମାନଙ୍କ ପାଇଁ ଦର ବଢ଼ାଇବା କିମ୍ବା ସେହି ଭାରକୁ ନିଜେ ବହନ କରି ଭାରତୀୟ ନାଗରିକଙ୍କୁ ଅନ୍ତର୍ଜାତୀୟ ଅସ୍ଥିରତାରୁ ସୁରକ୍ଷା ପ୍ରଦାନ କରିବା। ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଚାରି ବର୍ଷ ହେଲାଣି ଦିଆଯାଇଥିବା ପ୍ରତିବଦ୍ଧତାକୁ ବଜାୟ ରଖି ନିଜେ ଆର୍ଥିକ ବୋଝ ବହନ କରି ଭାରତୀୟ ନାଗରିକଙ୍କ ସ୍ବାର୍ଥକୁ ସରକାର ସୁରକ୍ଷିତ ରଖିଛନ୍ତି।

‌ଗତକାଲି ଘରୋଇ ତୈଳ ବିପଣନ କମ୍ପାନି ନାୟରା ଏନର୍ଜି ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ଓ ଡିଜେଲ୍‌ ଦାମ୍‌ ୩ ଟଙ୍କା ବଢ଼ାଇଥିଲା। ତାହାର ଗୋଟିଏ ଦିନ ପରେ ସରକାର ପେଟ୍ରୋଲ୍‌, ଡିଜେଲ୍‌ ଉପରୁ ଶୁଳ୍କ ହ୍ରାସ କରିଛନ୍ତି। ଦେଶରେ ବିକ୍ରି ହେଉଥିବା ତେଲ ଉପରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଟିକସ ବସାଇଥାନ୍ତି। କେନ୍ଦ୍ର ସରକାର ଅସୁଲ କରୁଥିବା ଉତ୍ପାଦ ଶୁଳ୍କ ହ୍ରାସ ପାଇଛି। ରାଜ୍ୟଗୁଡ଼ିକ ଭାଟ୍‌ ଆଦାୟ କରୁଛନ୍ତି। ଯଦି କୌଣସି ରାଜ୍ୟ ନିଜର ଭାଟ୍‌ କମ୍‌ କରିବେ ତେବେ ସେହି ରାଜ୍ୟରେ ତେଲ ଦାମ୍‌ କମିଯିବ। ତୈଳ କମ୍ପାନିଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦାମ୍‌ ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ବିଚାରକୁ ନେଇ ପେ‌ଟ୍ରୋଲ୍‌ ଓ ଡିଜେଲ୍‌ର ଖୁଚୁରା ଦର ନିର୍ଦ୍ଧାରଣ କରୁଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବାପରେ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ ପ୍ରଣାଳୀରେ ପରିବହନ ବାଧାପ୍ରାପ୍ତ ହୋଇଥିବାରୁ‌ ଦେଶକୁ ଠିକ୍‌ ଭାବେ ତେଲ ଆସିପାରୁନାହିଁ। କେନ୍ଦ୍ର ସରକାର ବିଭିନ୍ନ ଉତ୍ସରୁ ତେଲ ଓ ଗ୍ୟାସ୍‌ ସଂଗ୍ରହ କରୁଛନ୍ତି। ଦେଶରେ ତେଲର କୌଣସି ଅଭାବ ନଥିବା ସରକାର ବାରମ୍ବାର କହୁଛନ୍ତି। ତେଲ ସରିଯିବାକୁ ନେଇ ପ୍ରଚାର କରାଯାଉଥିବା ଗୁଜବକୁ ବିଶ୍ବାସ ନ କରିବାକୁ ପରାମର୍ଶ ଦେଉଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button