ସମ୍ପାଦକୀୟ

Editorial: ଷଣ୍ଢକୁ ଭାଗବତ

ଟ୍ରମ୍ପ ଏଇ ପଦକ୍ଷେପ ନେବା ସହିତ ଖୋଦ୍ ଆମେରିକା ୧୯୪୫ରେ ସ୍ବାକ୍ଷର କରିଥିବା ମିଳିତ ଜାତିସଂଘର ସନନ୍ଦର ଯେ ନଗ୍ନ ଉଲ୍ଲଂଘନ କରିଛନ୍ତି, ତାହା ତାଙ୍କୁ ନିଶ୍ଚିତ ରୂପେ ଜଣା ଥିବ। ସେଇ ସନନ୍ଦରେ ଲିପିବଦ୍ଧ ଅଛି ଯେ ସ୍ବାକ୍ଷରକାରୀ ରାଷ୍ଟ୍ରମାନେ ପରସ୍ପରର ସାର୍ବଭୌମତ୍ବକୁ ସର୍ବଦା ସମ୍ମାନ....

ଟ୍ରମ୍ପ ଏଇ ପଦକ୍ଷେପ ନେବା ସହିତ ଖୋଦ୍ ଆମେରିକା ୧୯୪୫ରେ ସ୍ବାକ୍ଷର କରିଥିବା ମିଳିତ ଜାତିସଂଘର ସନନ୍ଦର ଯେ ନଗ୍ନ ଉଲ୍ଲଂଘନ କରିଛନ୍ତି, ତାହା ତାଙ୍କୁ ନିଶ୍ଚିତ ରୂପେ ଜଣା ଥିବ। ସେଇ ସନନ୍ଦରେ ଲିପିବଦ୍ଧ ଅଛି ଯେ ସ୍ବାକ୍ଷରକାରୀ ରାଷ୍ଟ୍ରମାନେ ପରସ୍ପରର ସାର୍ବଭୌମତ୍ବକୁ ସର୍ବଦା ସମ୍ମାନ ଜଣାଇବେ ଏବଂ କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ବିରୁଦ୍ଧରେ ସାମରିକ ଶକ୍ତି ପ୍ରୟୋଗ କରିବ ନାହିଁ। ତେବେ ଏକ ମାରଣା ଷଣ୍ଢକୁ ଭାଗବତ ପାଠ କରି ଶୁଣାଇ ତାକୁ ଆକ୍ରମଣ କରିବାରୁ ନିବୃତ୍ତ କରିବା ନିମିତ୍ତ ଉଦ୍ୟମ କରିବା ଯାହା ଡୋନାଲ୍‌ଡ ଟ୍ରମ୍ପଙ୍କୁ ଜାତିସଂଘ ସନନ୍ଦ ପଢ଼ି ଶୁଣାଇବା ହେଉଛି ‌ତାହା।

ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଦ୍ବାରା ଭେନେଜୁଏଲାର ରାଷ୍ଟ୍ରପତି ଓ ତାଙ୍କର ପତ୍ନୀଙ୍କର ରାତିଅଧିଆ ହରଣଚାଳ ବିଶ୍ବବ୍ୟାପୀ ଅସ୍ବସ୍ତି ସୃଷ୍ଟି କରିଥିବା ବେଳେ, ଯଦି କେଉଁଠି ଏହା ଏକ ଗଭୀର ଆଶ୍ବସ୍ତି ସୃଷ୍ଟି କରିଥିବ, ତାହା ହେଉଛି ପ୍ରତି ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ବିଜେତା ଚୟନ ଦାୟିତ୍ବ ନିର୍ବାହ କରୁଥିବା ନର୍‌ୱେଜିଆନ୍ ନୋବେଲ କମିଟି। ଡୋନାଲ୍‌ଡ ଟ୍ରମ୍ପ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯିବା ପାଇଁ ଏହି କମିଟି ଏବଂ ନରୱେ ସରକାରଙ୍କ ଉପରେ ଯେପରି ନିରବଚ୍ଛିନ୍ନ ଚାପ ପକାଇ ଚାଲିଥିଲେ, ତାହା ସେତେବେଳେ ପୃଥିବୀବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ନିଜର ଏହି ଲଜ୍ଜାହୀନ ଦାବି ସପକ୍ଷରେ ଯୁକ୍ତି ବାଢ଼ି ଟ୍ରମ୍ପ ଅସଂଖ୍ୟ ଥର ଘୋଷଣା କରି ଚାଲିଥିଲେ ଯେ ସେ ତାଙ୍କର ଦ୍ବିତୀୟ ପାଳି ଶାସନର ଆଠ ମାସ ମଧ୍ୟରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଆଠ ଆଠଟି ଯୁଦ୍ଧ ବନ୍ଦ କରି ଦେଇଛନ୍ତି। ସେ ନିଜେ ନିଜକୁ ଓ ତାଙ୍କର ଅନୁଗତ ସମର୍ଥକମାନେ ତାଙ୍କୁ ଜଣେ ଶାନ୍ତିଦୂତ ରୂପେ ବର୍ଣ୍ଣନା କରିବାରେ ଲାଗିଥିଲେ। ଯଦି ଏଭଳି ଚାପ ନିକଟରେ ମୁଣ୍ଡ ନୁଅଁାଇ ଗତ ଅକ୍‌ଟୋବରରେ ଏଇ ପାଞ୍ଚଜଣିଆ କମିଟି ଟ୍ରମ୍ପଙ୍କୁ ତୁଷ୍ଟ କରିବା ପାଇଁ ତାଙ୍କୁ ତାଙ୍କର ଅତିବାଞ୍ଛିତ ପୁରସ୍କାରଟି ଦେଇ ଦେଇଥା‌ନ୍ତେ, ତେବେ ସେଇ ବିଜ୍ଞ ଚୟନକର୍ତ୍ତା ପାଞ୍ଚ ଜଣ ଆଜି କେଉଁଠି ମୁହଁ ଲୁଚାଇବାକୁ ଜାଗା ପାଆନ୍ତେ ନାହିଁ ଯେତେବେଳେ ଟ୍ରମ୍ପଙ୍କର ଏହି କାଣ୍ଡ ଦେଖନ୍ତେ।
ଅତୀତରେ ଅବଶ୍ୟ ହେନ୍‌ରୀ କିସିଞ୍ଜର୍‌ଙ୍କ ଠାରୁ ଆରମ୍ଭ କରି ଆବି ଅହମଦ୍‌ଙ୍କ ପର୍ଯ୍ୟନ୍ତ ନୋବେଲ ଶାନ୍ତି ପୁରସ୍କାର ବିଜେତାମାନଙ୍କର ଆଚରଣ ଆଦର୍ଶସ୍ଥାନୀୟ ହୋଇ ନାହିଁ ଓ ସେଥିପାଇଁ ପୁରସ୍କାର ପ୍ରଦାନକାରୀ କମିଟି ଅପଦସ୍ଥ ହେବା କିଛି ନୂଆ କଥା ନୁହେଁ‌; କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ନୋବେଲ ଶାନ୍ତି ପୁରସ୍କାର ବିଜେତା ରାତି ଅଧରେ ସୈନ୍ୟ ଚାଳନା କରି କାହାର ବାସଭବନରେ ଧସେଇ ପଶି ସେଠାରେ ମୁତୟନ ଥିବା ତିରିଶ ଜଣ ସରିକି ନିରାପତ୍ତାରକ୍ଷୀଙ୍କୁ ହତ୍ୟା କରି ଜଣେ ମହିଳା ଓ ତାଙ୍କ ସ୍ବାମୀଙ୍କୁ ହରଣଚାଳ କରି ନେଇ ନ ଥିଲେ। ତାହା ପୁଣି ଅନ୍ୟ ଏକ ସାର୍ବଭୌମ ଦେଶରେ ଅବସ୍ଥିତ ସେଇ ଦଂପତିଙ୍କର ବାସଭବନ। ତେଣୁ ନର୍‌ୱେଜିଆନ୍ ନୋବେଲ କମିଟି ବର୍ତ୍ତମାନ ନିଜକୁ ଧନ୍ୟବାଦ ଦେଉଥିବ ଯେ ସେ ଶାନ୍ତି ପୁରସ୍କାର ପାଇବା ପାଇଁ ଡୋନାଲ୍‌ଡ ଟ୍ରମ୍ପଙ୍କୁ ଚୟନ କରିନାହିଁ।
ଅବଶ୍ୟ ଟ୍ରମ୍ପଙ୍କ ଦ୍ବାରା ଅପହୃତ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଡୁରୋ ନିଜେ ଜଣେ ସାଧୁସନ୍ଥ ନୁହନ୍ତି; ତାଙ୍କର ଏକଛତ୍ର ଅବୈଧ ଶାସନ ବିରୁଦ୍ଧରେ ସଂଗ୍ରାମ ଚଳାଇଥିବା ଯୋଗୁଁ ଏକ ବିଡ଼ମ୍ବନା ଭଳି ସେଇ ଦେଶର ବିପକ୍ଷ ନାରୀନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ଏଥରର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। କିନ୍ତୁ ତାହା ମାଡୁରୋଙ୍କୁ ହରଣଚାଳ କରିବା ଲାଗି ଟ୍ରମ୍ପଙ୍କୁ କୌଣସି ଅଧିକାର ପ୍ରଦାନ କରି ନ ଥାଏ।
ତେବେ ଟ୍ରମ୍ପଙ୍କର ଆଚରଣ ଅନ୍ୟ ଯେଉଁ ଏକ ସମ୍ଭାବନା ପ୍ରତି ଇସାରା ଦେଇଥାଏ, ତାହା ହେଲା, ଯଦି ତାଙ୍କୁ ତାଙ୍କର ଈପ୍‌ସିତ ନୋବେଲ ଶାନ୍ତି ପୁରସ୍କାରଟି ମିଳି ଯାଇଥାନ୍ତା, ତା’ ହେଲେ ସେ ଏଇ ହିଂସାତ୍ମକ ଅପରାଧ ରଚନା କରିବାରୁ ନିବୃତ୍ତ ରହିଥାନ୍ତ କି ଆଉ? କାରଣ ସେ ଚାହୁଁଥିବା ଖେଳନାଟିକୁ ଅନ୍ୟ ଜଣେ ନେଇଗଲେ ପିଲାଟିଏ ଯେପରି କ୍ଷୁବ୍‌ଧ ହୋଇଯାଏ, ଟ୍ରମ୍ପ ଠିକ୍ ସେହିପରି ମାରିଆ ମାଚାଡୋଙ୍କ ଉପରେ ଏଭଳି କ୍ଷୁବ୍‌ଧ ହୋଇପଡ଼ିଛନ୍ତି (ଯଦିବା ବିଚାରୀ ମାରିଆ ଏହାହିଁ ଆଶଙ୍କା କରି ପୁରସ୍କାର ପାଇବା ମାତ୍ରେ ତାହାକୁ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେଇଥିଲେ) ଯେ ଭେନେଜୁଏଲାରେ ମାଚାଡୋଙ୍କ ପ୍ରତି ସମ୍ମାନ କିମ୍ବା ସମର୍ଥନ ନାହିଁ ବୋଲି ମିଥ୍ୟା ମନ୍ତବ୍ୟ ପ୍ରଦାନ କରି ମାଡୁରୋଙ୍କ ସ୍ଥାନରେ ତାଙ୍କୁ ସେ ଦେଶର ଶାସନ ଦାୟିତ୍ବ ଅର୍ପଣ କରିବାକୁ ମନା କରିଦେଇଛନ୍ତି।
କିନ୍ତୁ ଟ୍ରମ୍ପ ଏକ ସାଧାରଣ ଶିଶୁ ନୁହନ୍ତି, ଯିଏ ଖେଳନାଟିକୁ ପାଇଯିବା ପରେ ସନ୍ତୁଷ୍ଟ ହୋଇ ରହିଯାଆନ୍ତା। ଅନ୍ତତଃ ଦୁଇଟି ବଳିଷ୍ଠ କାରଣ ଯୋଗୁଁ ଏହା ନିଶ୍ଚିତ ଯେ ନୋବେଲ ଶାନ୍ତି ପୁରସ୍କାର ପାଇଲା ପରେ ମଧ୍ୟ ଟ୍ରମ୍ପ ବର୍ତ୍ତମାନ ଭେନେଜୁଏଲା ଉପରେ ଏଇଭଳି ‘କାଓ ବାଏ’ସୁଲଭ ଆକ୍ରମଣ କରନ୍ତେ। ଗୋଟିଏ ହେଉଛି ଆଗାମୀ ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ସେ ଦେଶର ସଂସଦ କଂଗ୍ରେସକୁ ପ୍ରତିନିଧି ନିର୍ବାଚିତ କରିବାକୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ। ଟ୍ରମ୍ପଙ୍କର ଅର୍ଥନୈତିକ କୁପରିଚାଳନା ସୃଷ୍ଟି କରିଥିବା ପ୍ରତିକୂଳ ପ୍ରତିକ୍ରିୟା ‌େଯାଗୁଁ ତାଙ୍କର ସମର୍ଥକମାନଙ୍କ ମଧ୍ୟରେ ଦେଖାଦେବାକୁ ଆରମ୍ଭ କରିଥିବା ଫାଟ ଏହି ନିର୍ବାଚନରେ ପ୍ରତିପକ୍ଷ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀମାନଙ୍କର ବିଜୟକୁ ସହଜସାଧ୍ୟ କରିବାର ଏକ ବାସ୍ତବ ସମ୍ଭାବନା ସୃଷ୍ଟି ହେଲାଣି। ଏଇ ସମୟରେ ମାଡୁରୋ ଓ ତାଙ୍କ ପତ୍ନୀଙ୍କୁ ଅପହରଣ କରି ନିଜର ସମର୍ଥକମାନଙ୍କ ସମ୍ମୁଖରେ ନିଜକୁ ଜଣେ ବହୁବଳୀ ରୂପେ ପ୍ରଦର୍ଶିତ କରି ନିର୍ବାଚନ ସମୟରେ ସେମାନଙ୍କ ଅାନୁଗତ୍ୟ ନିଶ୍ଚିତ କରିବା ହେଉଛି ଟ୍ରମ୍ପଙ୍କର ଅନ୍ୟତମ ଉଦ୍ଦେଶ୍ୟ।
ଦ୍ବିତୀୟ କାରଣଟି ହେଉଛି ବର୍ତ୍ତମାନ ସେଠାରେ ଅଦାଲତୀ ନିର୍ଦ୍ଦେଶ ବଳରେ ସରକାରଙ୍କ ଦ୍ବାରା ଉନ୍ମୋଚିତ ହୋଇ ଚାଲିଥିବା ଏପ୍‌ଷ୍ଟାଇନ୍ ଫାଇଲ୍‌ମାନ। ଯଦିବା ଆମେରିକୀୟ ସମାଜରେ ନେତାଙ୍କର ଚାରିତ୍ରିକ ସ୍ଖଳନକୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଏ ନାହିଁ, ତଥାପି ସେଥିରେ ଥିବା ଟ୍ରମ୍ପଙ୍କର ଯୌନ ଉଚ୍ଛୃଙ୍ଖଳତାର ରେକର୍ଡ ସେଭଳି ସମାଜରେ ମଧ୍ୟ ତାଙ୍କ ପ୍ରତି ତୀବ୍ର ଘୃଣାଭାବ ସୃଷ୍ଟି କରିବାକୁ ଲାଗିଲାଣି। ଆଗାମୀ ଦିନମାନଙ୍କରେ ଅଧିକ ଅଧିକ ଏପ୍‌ଷ୍ଟାଇନ୍ ଫାଇଲ୍‌ସ ପ୍ରକାଶ ପାଇବା ସହିତ ଟ୍ରମ୍ପଙ୍କର ଭାବମୂର୍ତ୍ତି ଅଧିକରୁ ଅଧିକ କ୍ଷତିଗ୍ରସ୍ତ ହେବାର ଦୃଢ଼ ସମ୍ଭାବନା ରହିଛି। ଏପ୍‌ଷ୍ଟାଇନ୍ ଫାଇଲ୍‌ସରୁ ଆମେରିକୀୟମାନଙ୍କ ଧ୍ୟାନ ହଟାଇ ନିଜର ଭାବମୂର୍ତ୍ତିକୁ ରକ୍ଷା କରିବା ନିମିତ୍ତ ଟ୍ରମ୍ପ ଏଇ ବାସ୍ତବ ଅପହରଣ ନାଟକ ରଚନା କରିଛନ୍ତି। ଅବଶ୍ୟ ଏଇ ଦୁଇ ତାତ୍‌କାଳିକ କାରଣ ବାଦ୍ ଅନ୍ୟ ଯେଉଁ ଏକ ଦୀର୍ଘସୂତ୍ରୀ ଲକ୍ଷ୍ୟ ଭେନେଜୁଏଲା ଦଖଲ କରିବା ଲାଗି ଟ୍ରମ୍ପଙ୍କୁ ପ୍ରବୃତ୍ତ କରିଛି, ତାହା ହେଉଛି ଜଣାଶୁଣା ଭାବରେ ସେ ଦେଶର ତୈଳ ସଂପଦ ଲୁଟ୍।

 

ତେବେ ଟ୍ରମ୍ପ ଏଇ ପଦକ୍ଷେପ ନେବା ସହିତ ଖୋଦ୍ ଆମେରିକା ୧୯୪୫ରେ ସ୍ବାକ୍ଷର କରିଥିବା ମିଳିତ ଜାତିସଂଘର ସନନ୍ଦର ଯେ ନଗ୍ନ ଉଲ୍ଲଂଘନ କରିଛନ୍ତି, ତାହା ତାଙ୍କୁ ନିଶ୍ଚିତ ରୂପେ ଜଣା ଥିବ। ସେଇ ସନନ୍ଦରେ ଲିପିବଦ୍ଧ ଅଛି ଯେ ସ୍ବାକ୍ଷରକାରୀ ରାଷ୍ଟ୍ରମାନେ ପରସ୍ପରର ସାର୍ବଭୌମତ୍ବକୁ ସର୍ବଦା ସମ୍ମାନ ଜଣାଇବେ ଏବଂ କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ବିରୁଦ୍ଧରେ ସାମରିକ ଶକ୍ତି ପ୍ରୟୋଗ କରିବ ନାହିଁ। ତେବେ ଏକ ମାରଣା ଷଣ୍ଢକୁ ଭାଗବତ ପାଠ କରି ଶୁଣାଇ ତାକୁ ଆକ୍ରମଣ କରିବାରୁ ନିବୃତ୍ତ କରିବା ନିମିତ୍ତ ଉଦ୍ୟମ କରିବା ଯାହା ଡୋନାଲ୍‌ଡ ଟ୍ରମ୍ପଙ୍କୁ ଜାତିସଂଘ ସନନ୍ଦ ପଢ଼ି ଶୁଣାଇବା ହେଉଛି ‌ତାହା। କେବଳ ଆଜି ଟ୍ରମ୍ପ ନୁହନ୍ତି, ଅତୀତରେ ମଧ୍ୟ ଏକାଧିକ ଆମେରିକୀୟ ରାଷ୍ଟ୍ରପତି ଏକାଧିକ ଥର ଏଇଭଳି ଜାତିସଂଘର ସନନ୍ଦକୁ ବେଖାତିର କରି ଅନ୍ୟ ଦେଶ ଉପରେ ସାମରିକ ଆକ୍ରମଣ ଚଳାଇ ଆସିଛନ୍ତି। ତେବେ ଅନ୍ୟମାନେ ଏଭଳି ଆକ୍ରମଣର ଯଥାର୍ଥତା ସାବ୍ୟସ୍ତ କରିବା ନିମିତ୍ତ କୌଣସି ଏକ ଆଦର୍ଶଗତ କାରଣ ପ୍ରଦର୍ଶିତ କରିଥିବା ବେଳେ (ଭିଏତନାମ, ଇରାକ, ଆଫଗାନିସ୍ତାନ, ଗ୍ରେନାଡା ଆଦି) ଟ୍ରମ୍ପ ଖୋଲାଖୋଲି ଘୋଷଣା କରିଛନ୍ତି ଯେ ଭେନେଜୁଏଲାର ବିଶାଳ ତୈଳ ସଂପଦକୁ ଲୁଟ୍ କରିବା ହେଉଛି ତାଙ୍କର କାର୍ଯ୍ୟାନୁଷ୍ଠାନର ଅନ୍ୟତମ ଉଦ୍ଦେଶ୍ୟ। ଏଣିକି ପୃଥିବୀରେ ଏହା ଯେଉଁ ଜୋର୍‌ ଯାର ମୁଲକ ତା’ର ରୂପକ ଜଙ୍ଗଲ ରାଜ୍‌କୁ ଆମନ୍ତ୍ରଣ କରିବାକୁ ଯାଉଛି, ସେଥିରେ ତିଷ୍ଠିବାକୁ ହେଲେ ଆମକୁ ଏକତାବଦ୍ଧ ହୋଇ ନିଜର ଶକ୍ତି ବୃଦ୍ଧି କରିବା ବ୍ୟତୀତ ଅନ୍ୟ କିଛି ଉପାୟ ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button