Breaking News

ଫେସବୁକ୍‌ରୁ ପ୍ରେମ : ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପାକିସ୍ତାନ ଚାଲିଗଲେ ଭାରତୀୟ ବିବାହିତ ମହିଳା

ଅଲୌୱାର : ପ୍ରେମ ପାଇଁ ସୀମା ଡେଇଁ ଭାରତରୁ ପାକିସ୍ତାନକୁ ଚାଲିଗଲେ ବିବାହିତ ମହିଳା। ରାଜସ୍ଥାନ ଅଲୱରରୁ ପାକିସ୍ତାନ ଖାଇବର ପଖତୁନୱା ଅଞ୍ଚଳର ଦିର ଜିଲାରେ ଯାଇ ପହଞ୍ଚିଛନ୍ତି ଅଞ୍ଜୁ ପ୍ରସାଦ । ସୋସିଆଲ ମିଡିଆରେ ଅଲୱରର ଅଞ୍ଜୁ ପ୍ରସାଦଙ୍କ ସହ ପାକିସ୍ତାନର ନସରୁଲ୍ଲାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୩୪ ବର୍ଷୀୟ ଅଞ୍ଜୁ ପାକିସ୍ତାନର ୨୯ ବର୍ଷୀୟ ନସରୁଲ୍ଲାଙ୍କୁ ଭଲ ପାଇ ବସିଥିଲେ । ଆଉ ପ୍ରେମ ପାଇଁ ସେ ସୀମା ସରହଦ ଡେଇଁବା ପାଇଁ ନିଷ୍ପତ୍ତି ନେଇଥିଲେ ।
ସ୍ୱାମୀଙ୍କୁ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କ ଜନ୍ମ ଉତ୍ତରପ୍ରଦେଶର ବଲିୟା ଜିଲାର କାଇଲୋର ଗାଁରେ । ଏବେ ସେ ରାଜସ୍ଥାନର ଅଲୌୱାର ଜିଲ୍ଲାରେ ରହୁଥିଲେ । ଅଞ୍ଜୁ ବିବାହିତା ହୋଇଥିବା ବେଳେ ଦୁଇଟି ପିଲାର ମା’ ମଧ୍ୟ । ତାଙ୍କର ଏକ ୧୫ ବର୍ଷୀୟା ଝିଅ ଓ ୫ ବର୍ଷୀୟ ପୁଅ ଅଛନ୍ତି ।

୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହକୁ ଇତି ମଧ୍ୟରେ ୧୬ ବର୍ଷ ଅତିକ୍ରମ କରି ସାରିଲାଣି । ଉଭୟଙ୍କ ହସଖୁସିର ସଂସାରରେ ଏବେ କଳା ବାଦଲ ଘୋଟି ଯାଇଛି । ନିଜ ଜୀବନରେ କେବେ ବି ଏକୁଟିଆ କୁଆଡ଼େ ଯାଇ ନ ଥିବା ଅଞ୍ଜୁଙ୍କ ପାକିସ୍ତାନ ଯିବା ଘଟଣାକୁ ତାଙ୍କ ପରିବାର ଲୋକେ ସହଜରେ ବିଶ୍ୱାସ କରି ପାରୁ ନାହାନ୍ତି।

ସେପଟେ ଅଞ୍ଜୁଙ୍କ ପାକିସ୍ତାନୀ ପ୍ରେମିକ ନସରୁଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଛନ୍ତି । ନସରୁଲ୍ଲାଙ୍କୁ ଭେଟିବାକୁ ଅଞ୍ଜୁ ପାକିସ୍ତାନ ହାଇକମିଶନରଙ୍କ ନିକଟରେ ଭିସା ପାଇଁ ଆବେଦନ କରିଥିଲେ । ଦୀର୍ଘ ୩ ବର୍ଷ ପରେ ଅଂଜୁଙ୍କୁ ପାକିସ୍ତାନ ଯାତ୍ରା କରିବାକୁ ଭିସା ମିଳିଥିଲା । ଘଟଣା ପ୍ରଘଟ ହେବା ପରେ ପାକିସ୍ତାନ ପୋଲିସ ଅଂଜୁକୁ ପଚରାଉଚରା କରିଥିଲା ।

ତେବେ ଅଞ୍ଜୁ ନିୟମ ମୁତାବକ ଭିସା ଆବେଦନ କରି ପାକିସ୍ତାନ ଗସ୍ତରେ ଆସିଛନ୍ତି ବୋଲି ପାକ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଖବର ପ୍ରଚାର ହେବା ପରେ ରାଜସ୍ଥାନ ପୋଲିସ ଅଲୱରରେ ଥିବା ଅଞ୍ଜୁଙ୍କ ଘରେ ଯାଇ ତନାଘନା ଲାଗି ପହଞ୍ଚିଛି । ଗୁରୁବାର ଦିନ ଜୟପୁର ଯିବାକୁ କହି ଅଞ୍ଜୁ ଚାଲିଯାଇଥିବା କହିଛନ୍ତି ତାଙ୍କ ସ୍ୱାମୀ ଅରବିନ୍ଦ ।
ନିକଟରେ ପାକିସ୍ତାନରୁ ଭାରତକୁ ଚାଲି ଆସିଥିବା ମହିଳା ସୀମା ହାଇଦରକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ପ୍ରେମ ପାଇଁ ପାକିସ୍ଥାନକୁ ଭାରତୀୟ ବିବାହିତ ମହିଳା ଯାତ୍ରା କରିବା ଘଟଣା ଏବେ ବେଶ୍ ଚର୍ଚ୍ଚାରେ ରହିଛି।

Comments are closed.