Breaking News

ନକଲି ମହାପ୍ରସାଦ ପ୍ରସ୍ତୁତ-ଭକ୍ତଙ୍କ ବିଶ୍ୱାସ ସହିତ ସାଂଘାତିକ ଖେଳ

ପୁରୀ: ମହାପ୍ରସାଦ ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ । ଅଣସର ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହି ସମୟରେ ପୁରୀ ପର୍ବତୀପୁର ପାଇକ ସାହିରୁ ଆସିଛି ବେଆଇନ ଭାବେ ଅବଢ଼ା ପ୍ରସ୍ତୁତି ଓ ବିକ୍ରି ଅଭିଯୋଗ । ଖବର ପାଇ ଗଣମାଧ୍ୟମ ସେଠାରେ ପହଞ୍ଚିଥିବା ବେଳେ ସାମ୍ବାଦିକଙ୍କୁ ଦେଖି ପ୍ରସ୍ତୁତକାରୀ ସେଠାରୁ ପଳାଇଥିଲେ । ତେବେ ଯାହା ଦେଖିବାକୁ ମିଳିଥିଲା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛି । ଯେଭଳି କୋଡ଼ୁଆରେ ମହାପ୍ରସାଦ ପ୍ରସ୍ତୁତ ହୁଏ, ଅବିକଳ ସେହିଭଳି ଭାବେ ଅବଢ଼ା ପ୍ରସ୍ତୁତ କରି ବିକ୍ରୟ କରିବାକୁ କିଛି ଦୁର୍ବୁତ୍ତ ଯୋଜନା କରୁଥିବା ଅଭିଯୋଗ ହୋଇଛି ।

ଭକ୍ତଙ୍କ ବିଶ୍ୱାସ ସହିତ ସାଂଘାତିକ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ଲୁଚାଛପାରେ ପ୍ରସ୍ତୁତ ଓ ବିକ୍ରି ହେଉଛି ନକଲି ଅବଢ଼ା। ଶ୍ରୀମନ୍ଦିରରେ ଯେପରି କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ ଏହାର ଅବିକଳ ନକଲ କରାଯାଇଛି। ଚୋରଘର ସର୍ବଦା ଅନ୍ଧାର ରୁହେନି, ଠିକ୍‌ ସେହିପରି ଆଜି ରୋଷେଇ ହୋଇ ବିକ୍ରି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଏହି ନକଲି ମହାପ୍ରସାଦ ଧରାପଡ଼ିଛି। ପୁରୀ ଲୋକନାଥରୋଡ୍‌ ଅନ୍ତର୍ଗତ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଏହି ରାକେଟ ଚାଲିଥିବା ଅନୁମାନ କରାଯାଉଛି।

ସାହିରେ ଥିବା ସାପୁଆ ମଠ ନାମକ ସ୍ଥାନରେ ରୋଷେଇ ନିମନ୍ତେ ସମସ୍ତ ସାମଗ୍ରୀ ଏକାଠି କରାଯାଇଥିଲା। ନଡ଼ିଆ କୋରାଯିବା ସହ ପରିବା କାଟି ଏଠାରେ ରଖା ଯାଇଥିଲା। ଏହି ମଠ ନିକଟ ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଇଛି। ଖୁବ୍ ଅପରିଷ୍କାର ପରିବେଶରେ ଏହି ରୋଷେଇ ଚାଲିଥିଲା। ଗଣମାଧ୍ୟମ ପହଞ୍ଚିବା ବେଳକୁ ବହୁ ସଂଖ୍ୟକ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରଭୃତି ପ୍ରସ୍ତୁତ ହୋଇ ପଶି ସାରିଥିବା ବେଳେ ଆହୁରି ଅନେକ କୁଡ଼ୁଆରେ ଭାତ, ଡାଲି, ସାଦାବେସର, ମହୁର ପ୍ରଭୁତି ପ୍ରସ୍ତୁତ କରିବାକୁ ରୋଷେୟା ଓ ଯୋଗାଣିଆ କାମରେ ଲାଗିଥିଲେ। ଟପ୍‌ ଓ କରେଇରେ ରୋଷେଇ କରାଯିବା ପରେ ଏହାକୁ କୁଡୁଆରେ ପ୍ୟାକ୍‌ କରାଯାଉଥିଲା।

ପରେ କୁଡ଼ୁଆକୁ କୋଇଲା ଆଞ୍ଚ ଉପରେ ରଖାଯାଇ ଏହାକୁ ଅସଲି ରୂପ ଦେବାକୁ ସବୁ ପ୍ରୟାଶ କରାଯାଉଥିଲା। ଯେପରି ଲୋକଙ୍କୁ ଲାଗିବ ଏହା ସତ ମହାପ୍ରସାଦ। ଏହି ମଠରେ ବହୁ ସଂଖ୍ୟକ କୁଡ଼ୁଆ, ନଡ଼ିଆ, ଚାଉଳ, ପନିପରିବା ପ୍ରଭୃତି ମହଜୁଦ୍ ଥିବା ଦେଖିବାକୁ ମିଳୁଥିବାରୁ ଏହି ସ୍ଥାନକୁ ଏକ ନକଲି ମହାପ୍ରସାଦ ବିକ୍ରି ଓ ଯୋଗାଣ ଆଡ୍ଡାରେ ପରିଣତ କରାଯାଇଥିବା ଜଳଜଳ ଦିଶୁଛି। ଅବିକଳ ମହାପ୍ରସାଦ ଭଳି ଏହାକୁ କାହିଁକି କୁଡ଼ୁଆରେ ରଖାଯାଉଛି ଓ କେଉଁ ଉଦ୍ଦେଶ୍ୟରେ, କାହାକୁ ପଠାଯାଉଛି ବୋଲି ପ୍ରଶ୍ନ କରିବାରୁ ରୋଷେୟା, ଯୋଗାଣିଆ ସମେତ କାମ କରୁଥିବା ଲୋକମାନେ ଘଟଣାସ୍ଥଳରୁ ଛୁ ମାରିଥିଲେ।

Comments are closed.