ଜିଲ୍ଲା

Farmers: ଅଧପନ୍ତରିଆ ରାସ୍ତା ପାଇଁ ଚାଷୀ ହିନସ୍ତା

ବାଲିଅନ୍ତା ବ୍ଲକ୍‌ ଅନ୍ତର୍ଗତ ବାରିଜଙ୍ଗ-ସିଙ୍ଗିରିଶାସନ ଗ୍ରାମ ଉନ୍ନୟନ ରାସ୍ତା କାମ ଆରମ୍ଭ ହେବାର ୨ ବର୍ଷ ବିତିଲାଣି। ଜଳ ନିଷ୍କାସନ ପାଇଁ କଲ୍‌ଭର୍ଟ ନିର୍ମାଣ କାର୍ଯ୍ୟ ସରିଛି। ହେଲେ କଲ୍‌ଭର୍ଟ....

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌  ଅନ୍ତର୍ଗତ ବାରିଜଙ୍ଗ-ସିଙ୍ଗିରିଶାସନ ଗ୍ରାମ ଉନ୍ନୟନ ରାସ୍ତା କାମ ଆରମ୍ଭ ହେବାର ୨ ବର୍ଷ ବିତିଲାଣି। ଜଳ ନିଷ୍କାସନ ପାଇଁ କଲ୍‌ଭର୍ଟ ନିର୍ମାଣ କାର୍ଯ୍ୟ ସରିଛି। ହେଲେ କଲ୍‌ଭର୍ଟ ଉଭୟ ପାର୍ଶ୍ବ ସଂଯୋଗକାରୀ ରାସ୍ତା ନିର୍ମାଣ ଆରମ୍ଭ ହୋଇନି। ସଂଯୋଗକାରୀ ରାସ୍ତା ନିର୍ମାଣ ହୋଇନଥିବାରୁ ଯାନବାହନ ଚଳାଚଳ ସମ୍ଭବ ହେଉ ନାହିଁ l ଏହି ରାସ୍ତା ନିର୍ମାଣ ଆଳରେ ଅଧପନ୍ତରିଆ ହୋଇ ରହିଥିବାରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଏହି ରାସ୍ତା କଡ଼ରେ ଥିବା ବିଲରେ ଚାଷ କରିଥିବା ଚାଷୀମାନେ। ରାସ୍ତା ସମସ୍ୟା ଯୋଗୁ ଟ୍ରାକ୍ଟର୍‌ରେ ଧାନ ଖଳାକୁ ବୋହିବାକୁ ଅଧିକ ଭଡ଼ା ପଡ଼ୁଛି। ଭାର୍ଗବୀ ନଦୀବନ୍ଧ ଦେଇ ୧୦ କିମି ରାସ୍ତାରେ ଗାଡି ବୁଲାଇ ଖଳାକୁ ଆଣିଲା ବେଳକୁ ଟ୍ରାକ୍ବର୍‌ ଟ୍ରିପ୍‌ ପିଛା ୧୫ ଶହ ଟଙ୍କା ଖର୍ଚ୍ଚ ହେଉଛି। ବାରିଜଙ୍ଗ ମୌଜାରେ ହେକ୍ଟର ହେକ୍ଟର ଧାନ ଖଳାକୁ ଆସିପାରୁନି। ଗ୍ରାମବାସୀ ଏନେଇ ପଞ୍ଚାୟତ ସମିତି ଜନଶୁଣାଣି ଶିବିରର ବିଡିଓ ରଶ୍ମିତା ନାଥଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ହେଲେ ଏଯାଏ ରାସ୍ତା ନିର୍ମାଣ ଆରମ୍ଭ ହୋଇପାରିନି।

କେବଳ ଚାଷୀ ନୁହେଁ, ରାସ୍ତା ନିର୍ମାଣ ଅଧପନ୍ତରିଆ ଥିବାରୁ  ସାଧାରଣ ଲୋକେ ମଧ୍ୟ ଲୋକେ ଦହଗଞ୍ଜ ହେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟତରେ ମଧ୍ୟ ସମାନ ଅବସ୍ଥା। ରାସ୍ତାରେ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗକାରୀ ରାସ୍ତା ନିର୍ମାଣ କରାଯାଇ ନାହିଁ। ବାରିଜଙ୍ଗ-ସିଙ୍ଗିରିଶାସନ ମୁଖ୍ୟ ରାସ୍ତା ଏକପ୍ରକାର ବ୍ୟବହାର ଅନୁପୋଯୋଗୀ ହୋଇଯାଇଛି। ସୂଚନା ଅନୁସାରେ ୨୦୨୨-୨୩ରେ ୫ କିମି ରାସ୍ତା ପାଇଁ ୩ କୋଟି ଅନୁଦାନ ମଞ୍ଜୁର ହୋଇଥିଲା। ରାସ୍ତା ନିର୍ମାଣ ବର୍ଷକ ମଧ୍ୟରେ ଶେଷ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଥିଲା। ହେଲେ ଠିକାଦାର ଚରମ ଅବହେଳା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସଂପର୍କରେ ସହକାରୀ ଯନ୍ତ୍ରୀ ନାରାୟଣ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ଯଥାଶୀଘ୍ର କାମ ଆରମ୍ଭ ନକଲେ ଅନ୍ୟ ଠିକାଦାରଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯିବା ନେଇ ତାଗିଦ କରାଯାଇଛି।

ସୌଜନ୍ୟ ସମ୍ବାଦ

 

Leave a Reply

Your email address will not be published. Required fields are marked *

Back to top button