ଓଡିଶାଜିଲ୍ଲା

Farmers: କୁହୁଳୁଛି ଧାନ ଧୂଆଁ: ବିରୋଧୀ ମାରୁଛନ୍ତି ଫୁଙ୍କ, ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ୁଛନ୍ତି ଚାଷୀ

ଧାନ କୁଇଣ୍ଟାଲ୍ ପିଛା ୩୧୬୯ ଟଙ୍କା ଦିଅ, ନଚେତ ବିଧାୟକଙ୍କ ଦରମା ବୃଦ୍ଧି ପ୍ରତ୍ୟାହାର କର। ଏଭଳି କୌତୂହଳପ୍ରଦ ଦାବି ରଖି ଆନ୍ଦୋଳନ ଚେତାବନୀ ଦେଇଛି ରାଜବୋଡ଼ାସମ୍ବର କୃଷକ ସଂଗଠନ। ସମସ୍ତ ଚାଷୀଙ୍କ ସବୁ ଟୋକନ୍‌ ଜାରି ସହ ମଣ୍ଡିରେ ପଡ଼ିଥିବା....

ସମ୍ବଲପୁର: ଧାନ କୁଇଣ୍ଟାଲ୍ ପିଛା ୩୧୬୯ ଟଙ୍କା ଦିଅ, ନଚେତ ବିଧାୟକଙ୍କ ଦରମା ବୃଦ୍ଧି ପ୍ରତ୍ୟାହାର କର। ଏଭଳି କୌତୂହଳପ୍ରଦ ଦାବି ରଖି ଆନ୍ଦୋଳନ ଚେତାବନୀ ଦେଇଛି ରାଜବୋଡ଼ାସମ୍ବର କୃଷକ ସଂଗଠନ। ସମସ୍ତ ଚାଷୀଙ୍କ ସବୁ ଟୋକନ୍‌ ଜାରି ସହ ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଣ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଛି ଏହି ସଂଗଠନ।  ଉପରୋକ୍ତ ଦାବି ପୂରଣ ନ ହେଲେ ଆସନ୍ତା ୨୧ ତାରିଖରୁ ବଡ଼ ଆନ୍ଦୋଳନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟରେ ବୃଦ୍ଧି କରିଥିବା ୬୯ ଟଙ୍କାକୁ ରାଜ୍ୟ ସରକାର ନିଜ ପକେଟ୍‌ରେ ନରଖି ଚାଷୀଙ୍କୁ ପ୍ରଦାନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଧାନ ସଂଗ୍ରହରେ ସୃଷ୍ଟ ଜଟିଳତାକୁ ନେଇ ସାରା ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। କେଉଁଠି ବି ଧାନସଂଗ୍ରହ ବ୍ୟବସ୍ଥିତ ହୋଇପାରି ନାହିଁ।

ଟୋକନ୍ ଆସି ନ ଥିବାରୁ ଆସନ୍ତା ୧୯ ତାରିଖ ଦିନ ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ବନ୍ଦ ଡାକରା ଦେଇଥିବାବେଳେ ଏହାକୁ ସମର୍ଥନ କରି ଘଟଣାକୁ ରାଜନୈତିକ ରଙ୍ଗ ଦେଇଛି ବିଜେଡି। ବିଜେଡି କେବଳ ବନ୍ଦକୁ ସମର୍ଥନ କରିବ ନାହିଁ, ନିଜେ ବନ୍ଦରେ ସାମିଲ ହେବ ବୋଲି ଆଜି ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ରୋହିତ ‌ପୂଜାରୀ ଘୋଷଣା କରିଛନ୍ତି। ଅପରପକ୍ଷରେ ଆସନ୍ତାକାଲି ସମ୍ବଲପୁର ସହର ମୁଖ୍ୟ ବଜାରକୁ ଚାଷୀମାନେ ଧାନ ନେଇ ପହଞ୍ଚିବେ ଏବଂ ସେଠାରେ ପସରା ପକାଇ ବିକ୍ରି କରି ପ୍ରତିବାଦ ଜଣାଇବେ ବୋଲି କହିଛନ୍ତି।

ଧାନବିକ୍ରି ଠିକ୍‌ରେ ହୋଇପାରୁ ନ ଥିବାରୁ ବିଭିନ୍ନ ସ୍ଥାନରେ ପ୍ରତିଦିନ ଆନ୍ଦୋଳନ ଓ ଉତ୍ତେଜନା ଜାରି ରହିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତମ୍ବାଛଡ଼ା ମଣ୍ଡିରେ ଚାଷୀଙ୍କ ଧାନ ଉଠାଣରେ ବିଳମ୍ବ ଯୋଗୁ ସୋମବାର ଉତ୍ତ୍ୟକ୍ତ ଚାଷୀମାନେ ମଣ୍ଡି ପରିସରରେ ଧାରଣାରେ ବସିବା ସହ ମଣ୍ଡି ଦାୟିତ୍ୱରେ ଥିବା ନୋଡାଲ୍‌ ଅଫିସର, ମଣ୍ଡି ଅଧିକାରୀ ଓ ଧାନକ୍ରୟ ଦାୟିତ୍ୱରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତାଙ୍କୁ ଅଫିସ୍‌ରେ ତାଲା ପକାଇ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ମଣ୍ଡି ଖୋଲିବାକୁ ୧୪ ଦିନ ବିତିଥିଲେ ବି ୭୯ଟି ମଣ୍ଡିରୁ ମାତ୍ର ୩୦ଟିରେ ଧାନ କିଣା ଚାଲିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୁଇଣ୍ଟାଲ୍‌ ପିଛା ୪ରୁ୫ କେଜି କଟ୍‌ନି ନହେଲେ ମିଲର୍ସ ଧାନ ଉଠାଉ ନାହାନ୍ତି ବୋଲି କହିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଧାନକିଣା ଅବ୍ୟବସ୍ଥା ନେଇ ବରିଷ୍ଠ ନେତା ବାଳଗୋପାଳ ମିଶ୍ର ଗର୍ଜିଛନ୍ତି। ଶୀଘ୍ର ଚାଷୀଙ୍କଠାରୁ ଧାନସଂଗ୍ରହ ସ୍ବାଭାବିକ ନ ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ପାଟଣାଗଡ଼ ସମେତ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।

OdishaFarmersKalahandi

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button