ଦେଶ ବିଦେଶ

Fear of a major conspiracy in Jharkhand: ଝାଡ଼ଖଣ୍ଡରେ ବଡ଼ ଷଡ୍‌ଯନ୍ତ୍ରର ଆଶଙ୍କା: କୋଡ଼ରମା ଗୋଦାମରୁ ୨୧ ପେଟି ବିସ୍ଫୋରକ ଚୋରି, ମାଓବାଦୀଙ୍କ ହାତ ସନ୍ଦେହ

ଝାଡ଼ଖଣ୍ଡର କୋଡ଼ରମା ଜିଲ୍ଲା ମରକଚୋ ଥାନା ଅନ୍ତର୍ଗତ ନାୱାଡିହର ବାହାଦୁରପୁର ଗାଁ ନିକଟରେ ଥିବା ଏକ ବିସ୍ଫୋରକ ଗୋଦାମରୁ ବହୁ ପରିମାଣର ଜିଲୋଟିନ୍‌ ପାଉଡ଼ର ଲୁଟ୍‌ ହୋଇଛି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ବିଶ୍ରା: ଝାଡ଼ଖଣ୍ଡର କୋଡ଼ରମା ଜିଲ୍ଲା ମରକଚୋ ଥାନା ଅନ୍ତର୍ଗତ ନାୱାଡିହର ବାହାଦୁରପୁର ଗାଁ ନିକଟରେ ଥିବା ଏକ ବିସ୍ଫୋରକ ଗୋଦାମରୁ ବହୁ ପରିମାଣର ଜିଲୋଟିନ୍‌ ପାଉଡ଼ର ଲୁଟ୍‌ ହୋଇଛି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ବିସ୍ଫୋରକ ଗୋଦାମଟି ୨୦୧୬ ମସିହାରୁ ନକ୍ସଲଙ୍କୁ ବିସ୍ଫୋରକ ଯୋଗାଣ ମାମଲାରେ ସିଲ୍‌ ହୋଇ ରହିଥିଲା। ସୂଚନା ଅନୁସାରେ, ଘନଜଙ୍ଗଲ ମଧ୍ୟରେ ଥିବା ବାରୁଦ ଗୋଦାମର ମୁଖ୍ୟଦ୍ୱାରରେ ଦୁଇଟି ତାଲା ଲଗାଯାଇଥିଲା। ଦୁର୍ବୃତ୍ତମାନେ ଗୋଟିଏ ତାଲା ଭାଙ୍ଗି ଓ ଅନ୍ୟଟିକୁ ଗ୍ୟାସ୍‌ କଟର୍‌ ସାହାଯ୍ୟରେ କାଟି ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି। ଭିତରେ ରଖାଯାଇଥିବା ୭୮ ପେଟିରୁ ୨୧ ପେଟି ଜିଲୋଟିନ୍‌ ପାଉଡ଼ର ସେମାନେ ନେଇ ଯାଇଛନ୍ତି।

ସକାଳେ କାଠ ଆଣିବାକୁ ଯାଇଥିବା ଗ୍ରାମବାସୀ ମୁଖ୍ୟଦ୍ବାର ଭଙ୍ଗା ହୋଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଏତେ ପରିମାଣର ବିସ୍ଫୋରକ ଲୁଟ୍‌ ହେବା ପଛରେ ଏକ ବଡ଼ ଗ୍ୟାଙ୍ଗ୍‌ କିମ୍ବା ନକ୍ସଲ ସଙ୍ଗଠନର ହାତ ଥିବା ସନ୍ଦେହ କରାଯାଉଛି। ତେବେ ନକ୍ସଲ ଅଧ୍ୟୁଷିତ ସମ୍ବେଦନଶୀଳ ଅଞ୍ଚଳରେ ଥାନାରୁ ୯ କିମି ଦୂରରେ ସିଲ୍‌ ଥିବା ଗୋଦାମର ସୁରକ୍ଷା ବ୍ୟବସ୍ଥା କାହିଁକି ଅବହେଳିତ ଥିଲା ବୋଲି ପ୍ରଶ୍ନ ଉଠିଛି। ସେଠାରେ କୌଣସି ସୁରକ୍ଷାକର୍ମୀ ଓ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ନଥିବା ଗଭୀର ସନ୍ଦେହ ସୃଷ୍ଟି କରୁଛି।

 

ଏହି ଗୋଦାମଟି ଡୋମଚାଞ୍ଚର ଫୁଲୱାରିଆ ନିବାସୀ ସ୍ୱର୍ଗତ ରାଜୁ ମେହେତାଙ୍କ ନାମରେ ଥିବା ଜଣାପଡ଼ିଛି। ଏହାର ପୂର୍ବ କଳା ଇତିହାସ ରହିଛି। ଅଗଷ୍ଟ ୨୦୧୬ରେ ଗୟାର ବାରାଚଟ୍ଟି ଅଞ୍ଚଳରେ ପୁଲିସ ଏକ ଯାନରୁ ନକ୍ସଲଙ୍କ ପାଇଁ ନିଆଯାଉଥିବା ବହୁ ପରିମାଣର ବିସ୍ଫୋରକ ଜବତ କରିଥିଲା। ସେହି ମାମଲାର ସୂତ୍ର ଧରି କୋଡ଼ରମା ପୁଲିସ ଏହି ଗୋଦାମକୁ ୨୦୧୬ ମସିହାରେ ସିଲ୍‌ କରିଥିଲା। ସେତେବେଳେ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଓ କୋଡ଼ରମାର ତିନିଜଣଙ୍କୁ
ସଜା ମଧ୍ୟ ହୋଇଥିଲା।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button