ଓଡିଶା

Fighting death for a stomach: ପେଟ ପାଇଁ ମୃତ୍ୟୁ ସହ ଲଢ଼େଇ: ନଦୀ ପାର ପାଇଁ ତୁମ୍ବା, ପାଣି ବୋତଲ ଭରସା

ନଦୀ ଏପଟେ ଘର, ସେପଟେ ଚାଷ ଜମି। ଗାଁରେ ଜୀବିକାର କିଛି ମାଧ୍ୟମ ନାହିଁ। ଫଳରେ ପେଟକୁ ଦାନା ଯୋଗାଡ଼ ପାଇଁ ଗ୍ରାମବାସୀଙ୍କୁ ନଦୀ ପାରି ହେବାକୁ ପଡ଼ୁଛି। ତାହା ପୁଣି ଲାଉ ତୁମ୍ବା ଓ ପାଣି ବୋତଲ ସାହାଯ୍ୟରେ।

ମାଲକାନଗିରି: ନଦୀ ଏପଟେ ଘର, ସେପଟେ ଚାଷ ଜମି। ଗାଁରେ ଜୀବିକାର କିଛି ମାଧ୍ୟମ ନାହିଁ। ଫଳରେ ପେଟକୁ ଦାନା ଯୋଗାଡ଼ ପାଇଁ ଗ୍ରାମବାସୀଙ୍କୁ ନଦୀ ପାରି ହେବାକୁ ପଡ଼ୁଛି। ତାହା ପୁଣି ଲାଉ ତୁମ୍ବା ଓ ପାଣି ବୋତଲ ସାହାଯ୍ୟରେ। ସ୍ବାଧୀନତାର ୮ ଦଶନ୍ଧି ପରେ ବି ବିକାଶଠୁ ଦୂରରେ ରହି ଏପରି ଦୁର୍ବିସହ ଜୀବନ ବିତାଉଛନ୍ତି ଚିତ୍ରକୋଣ୍ଡା ବ୍ଲକ୍‌ ଯନ୍ତ୍ରୀ ପଞ୍ଚାୟତର ତାବେର ଗ୍ରାମବାସୀ। ଯନ୍ତ୍ରୀ ପଞ୍ଚାୟତରୁ ୧୦ କିମି ଦୂରରେ ରହିଛି ଏହି ଗାଁ। ଗାଁରେ ୪୦ ପରିବାର ବସବାସ କରୁଛନ୍ତି। ହେଲେ କୌଣସି ମୌଳିକ ସୁବିଧା ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁ କିଛି ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ଗ୍ରାମବାସୀଙ୍କ ବାସସ୍ଥାନ ଓ ଦାନାପାଣିକୁ ଦୁଇ ଭାଗ କରିଛି ତାବେର ନଦୀ। ମୁଖ୍ୟ ଜୀବିକା ଚାଷ ହୋଇଥିବାରୁ ଗ୍ରାମବାସୀ ପ୍ରତ୍ୟେକ ଦିନ ଅଣ୍ଟାରେ ଲାଉ ତୁମ୍ବା ଓ ଖାଲି ପାଣି ବୋତଲ ବାନ୍ଧି ବିପଦପୂର୍ଣ୍ଣ ଭାବେ ନଦୀ ପାର୍‌ ହୁଅନ୍ତି। ଗ୍ରାମବାସୀଙ୍କ ସମେତ ହଳବଳଦ ମଧ୍ୟ ନଦୀ ପାରି ହୋଇଥାନ୍ତି।

ନଦୀ ପାର ପାଇଁ ତୁମ୍ବା, ପାଣି ବୋତଲ ଭରସା

ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇଁ ଆନ୍ଧ୍ର ଭରସା

ବିକାଶଠୁ ଦୂରରେ ତାବେର ଗ୍ରାମବାସୀ

ବିପଦପୂର୍ଣ୍ଣ ନଦୀ ପାର ସମୟରେ ଚାଲିଯାଇଛି ଅନେକଙ୍କ ଜୀବନ। ଅନ୍ୟ କିଛି ବିକଳ୍ପ ରାସ୍ତା ନଥିବାରୁ ମହିଳା, ପୁରୁଷ ସହ ଛୋଟ ପିଲା ମଧ୍ୟ ଆବଶ୍ୟକ ସମୟରେ ନଦୀ ପାର୍‌ ହୋଇ ବିଭିନ୍ନ କାମରେ ବାହାରକୁ ଯାଇଥାନ୍ତି। ଗଭୀର ନଦୀ ପାର୍‌ ହେବା ଗ୍ରାମବାସୀଙ୍କର ଅଭ୍ୟାସ ହୋଇ ଯାଇଥିବାରୁ ବର୍ଷା ଦିନେ ମଧ୍ୟ ପ୍ରଖର ସ୍ରୋତକୁ କାଟି ପାର୍‌ ହୋଇଥାନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଗ୍ରାମବାସୀଙ୍କୁ ନଦୀ ଅପର ପାର୍ଶ୍ବରେ ଥିବା ଆନ୍ଧ୍ର ବଜାରକୁ ଯିବାକୁ ପଡ଼ିଥାଏ। ତେବେ ଗ୍ରାମବାସୀଙ୍କ ଏହି ଦୁର୍ଦ୍ଦଶା ସମ୍ପର୍କରେ କୌଣସି ଖବର ପ୍ରଶାସନ ପାଖରେ ନାହିଁ। ନଦୀ ଉପରେ ସେତୁ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଛନ୍ତି। କିଛି ସୁଫଳ ମିଳିନି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ବାଭିମାନ ଅଞ୍ଚଳର ବିକାଶକୁ ସରକାର ପ୍ରାଥମିକତା ଦେଇଛନ୍ତି। ଅଥଚ ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ତାବେର ଭଳି ଅନେକ ଦୁର୍ଗମ ଅଞ୍ଚଳକୁ ବିକାଶ ଅପହଞ୍ଚ ହୋଇ ରହିଛି। ତାବେର ଗାଁ ସମସ୍ୟା ସମ୍ପର୍କରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି, ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ଅଛି। ତାବେର ନଦୀରେ ସେତୁ ନିର୍ମାଣ ସହ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button