Financial Tips: ଆପଣଙ୍କ ସମ୍ମତି ବିନା କୌଣସି ବ୍ୟାଙ୍କ ଆପଣଙ୍କ ଖାତାରୁ ଟଙ୍କା ଉଠାଇପାରିବ କି? ଜାଣନ୍ତୁ କ’ଣ ରହିଛି ନିୟମ…

ଅଧିକାଂଶ ଲୋକ ବିଶ୍ବାସ କରନ୍ତି ଯେ, ସେମାନଙ୍କ ବିନା ଅନୁମତିରେ କୌଣସି ବ୍ୟାଙ୍କ ତାଙ୍କ ଖାତାରୁ ଟଙ୍କା ଉଠେଇପାରିବ ନାହିଁ। ଏହା ଆପାତତଃ ସତ; କାରଣ ଏକ ବ୍ୟାଙ୍କ କୌଣସି ବୈଧ କାରଣ ବିନା ଆପଣଙ୍କ ଆକାଉଣ୍ଟରୁ ଟଙ୍କା କାଟିପାରିବ ନାହିଁ। ତଥାପି, କିଛି ପରିସ୍ଥିତି ଓ ବ୍ୟାଙ୍କ ନିୟମ ଏମିତି ଅଛି ଯେଉଁଠି ଆପଣଙ୍କ ଅନୁମତି ନ ନେଇ ବ୍ୟାଙ୍କ ଟଙ୍କା କାଟିବାର ଅଧିକାର ରଖିଛି। ଧରନ୍ତୁ, ଆପଣ ଏକ ବ୍ୟାଙ୍କରୁ ଋଣ ନେଇଛନ୍ତି ଏବଂ କିସ୍ତି ଦେଉନାହାନ୍ତି, ତେବେ ଉକ୍ତ ବ୍ୟାଙ୍କର ଅନ୍ୟ ଏକ ସଞ୍ଚୟ ଆକାଉଣ୍ଟରୁ ଟଙ୍କା କାଟିବାର ଅଧିକାର ଅଛି। ଯାହାଦ୍ୱାରା ବ୍ୟାଙ୍କର ବକେୟା ରାଶି ପୂରଣ ହୋଇପାରିବ। ଏହାକୁ ‘ରାଇଟ୍‌ ଅଫ୍‌ ସେଟ୍-ଅଫ୍‌’ କୁହାଯାଏ। ଏହି ନିୟମଗୁଡ଼ିକ ବିଷୟରେ ଆଜି ଜାଣିବା…

ଟଙ୍କା କଟେ କାହିଁକି?

ଆପଣଙ୍କ ଖାତାରୁ ଅନେକ ସମୟରେ ଟଙ୍କା କଟିଯାଏ ଏଥିପାଇଁ କି, ଆପଣ ପୂର୍ବରୁ କେବେ ପୂର୍ବରୁ ସାଇନ୍ କରିଛନ୍ତି କିମ୍ବା ଅନ୍‌ଲାଇନ୍‌ରେ ଅନୁମୋଦନ କରିଛନ୍ତି। ନହେଲେ ଆପଣ ଅଟୋ-ଡେବିଟ୍‌ ବା ଇଏମ୍‌ଆଇ, ବୀମା ପ୍ରିମିୟମ୍‌, ଏସ୍‌ଆଇପି ଅଥବା ନେଟ୍‌ଫ୍ଲିକ୍‌ସ/ଆମାଜନ୍‌ ପରି ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମର ସବ୍‌ସ୍କ୍ରିପ୍‌ସନ୍‌ ନେଇଛନ୍ତି। ଥରେ ଯଦି ଆପଣ ‌ଷ୍ଟାଣ୍ଡିଂ ଇନ୍‌ଷ୍ଟ୍ରକ୍‌ସନ୍‌ ସେଟ୍‌ କରି‌ଦିଅନ୍ତି, ତ‌େବେ ବ୍ୟାଙ୍କ ସବୁମାସରେ ଉକ୍ତ ସେଟ୍‌ ତାରିଖରେ ହିଁ ଟଙ୍କା କାଟିଥାଏ। ଏଥିପାଇଁ ଆପଣଙ୍କୁ ଦ୍ବିତୀୟଥର ପଚାରିବାକୁ ବ୍ୟାଙ୍କ ଜରୁରୀ ମନେକରେନି।

 

କେମିତି କଟେ ବାଲାନ୍ସ?

ଆକାଉଣ୍ଟ ଖୋଲିବା ସମୟରେ ଆପଣ ସାଇନ୍‌ ଅପ୍‌ କରୁଥିବା ସର୍ତ୍ତାବଳୀରେ ଅନେକ ଶୁଳ୍କ ଅନ୍ତର୍ଭୁକ୍ତ; ଯେମିତି କି ମେଣ୍ଟେନାନ୍‌ସ ଓ ପେନାଲ୍‌ଟି; ଯେଉଁଥିରେ ସର୍ବନିମ୍ନ ବାଲାନ୍ସ ବଜାୟ ନ ରଖିବା ପାଇଁ ଜରିମାନା, ଏସ୍‌ଏମ୍‌ଏସ୍‌ ଆଲର୍ଟ ଶୁଳ୍କ, ଏଟିଏମ୍‌ ଟ୍ରାଞ୍ଜାକ୍‌ସନ୍‌ ଶୁଳ୍କ କିମ୍ବା ବାର୍ଷିକ ଡେବିଟ୍ କାର୍ଡ ଶୁଳ୍କ ଜଡ଼ିତ। ସେହିପରି ହିଡେନ୍‌ ଚାର୍ଜେସ୍‌ରେ ଏହା ବ୍ୟାଙ୍କ ନୀତିର ଏକ ଅଂଶ, ତେଣୁ ବ୍ୟାଙ୍କ ସେଗୁଡ଼ିକୁ ଆପଣଙ୍କ ବାଲାନ୍ସରୁ ସିଧାସଳଖ କାଟିଥାଏ।

ଏହାପରେ ଲୋନ୍‌ ରିକଭରି ଓ ‘ରାଇଟ୍‌ ଅଫ୍‌ ସେଟ୍-ଅଫ୍’ ନିୟମ ଲୋକଙ୍କୁ ପ୍ରାୟତଃ ଆଶ୍ଚର୍ଯ୍ୟ କରିଥାଏ। ଯଦି ଆପଣ ଏକ ବ୍ୟାଙ୍କରୁ ଋଣ ନେଇଛନ୍ତି ଏବଂ କିସ୍ତି ଦେଉନାହାନ୍ତି, ତେବେ ବକେୟା ରାଶି ଆଦାୟ ପାଇଁ ବ୍ୟାଙ୍କ ସେହି ବ୍ୟାଙ୍କରେ ଆପଣଙ୍କ ଅନ୍ୟ ଏକ ସଞ୍ଚୟ ଖାତାରୁ ଟଙ୍କା କାଟିବାର ଅଧିକାର ଅଛି। ଏହାକୁ ‘ରାଇଟ୍‌ ଅଫ୍‌ ସେଟ୍-ଅଫ୍’ କୁହାଯାଏ। ଏହାବାଦ୍‌ ଯଦି ଆପଣଙ୍କୁ ଆୟକର ବିଭାଗର ନୋଟିସ୍‌ ବା କୋର୍ଟ ଅର୍ଡର୍‌ ଆସୁଛି, ତେବେ ବ୍ୟାଙ୍କ ଆପଣଙ୍କ ଖାତାରୁ ଟଙ୍କା କାଟି ସମ୍ପୃକ୍ତ ବିଭାଗକୁ ପୈଠ କରିବାକୁ ଆଇନତଃ ବାଧ୍ୟ।

ତେବେ‌ ପ୍ରତ୍ୟେକଥର କାଟିବା ଠିକ୍‌ କଥା ନୁହେଁ। ଅନେକ ସମୟରେ, ମାନବିକ ତ୍ରୁଟି କିମ୍ବା ବୈଷୟିକ ତ୍ରୁଟି କ୍ଷତି ମଧ୍ୟ ପହଞ୍ଚାଇପାରେ। ସମାନ କାରବାର ପାଇଁ ଦୁଇଥର ଟଙ୍କା କାଟିବା ବା ଡବଲ୍‌ ଚାର୍ଜ ନେବା ଏବଂ ଯଦି ଆପଣ କୌଣସି ମଞ୍ଜୁରି ଦେଇନାହାନ୍ତି କିମ୍ବା ଏହା କୌଣସି ବ୍ୟାଙ୍କ ଚାର୍ଜ ନୁହେଁ, ତେବେ ଏହା ସାଇବର ଠକେଇ ମଧ୍ୟ ହୋଇପାରେ। ଏହାକୁ ଅଣଦେଖା କରିବା ମହଙ୍ଗା ହୋଇପାରେ।

ଟଙ୍କା କଟିଲେ କ’ଣ କରିବେ?

ଯଦି ଆପଣଙ୍କ ଆକାଉଣ୍ଟରୁ ହଠାତ୍ ଟଙ୍କା କାଟି ଦିଆଯାଏ, ତେବେ ଭୟଭୀତ ହେବା ପରିବର୍ତ୍ତେ, ଆପଣ ଏହି ପଦକ୍ଷେପଗୁଡ଼ିକ ନେବା ଜରୁରି।
• ଆପଣଙ୍କ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଯାଞ୍ଚ କରନ୍ତୁ। ପ୍ରଥମେ, କାହା ନାମରେ ଟଙ୍କା କଟିଛି ତାହା ଦେଖିବା ପାଇଁ ଆପଣଙ୍କର ନେଟ୍ ବ୍ୟାଙ୍କିଂ କିମ୍ବା ପାସ୍‌ବୁକ୍‌ ଯାଞ୍ଚ କରନ୍ତୁ।
• ଯଦି ଆପଣ ଜାଣିପାରୁନାହାନ୍ତି, ତେବେ ତୁରନ୍ତ ବ୍ୟାଙ୍କର ଗ୍ରାହକ ସେବାକୁ କଲ୍‌ କରନ୍ତୁ କିମ୍ବା ସିଧାସଳଖ ବ୍ୟାଙ୍କ ଯାଇ ଏକ ଲିଖିତ ଅଭିଯୋଗ ଦାଖଲ କରନ୍ତୁ।
• ଆପଣଙ୍କ ଫୋନ୍‌ରେ ସବୁବେଳେ ଏସ୍‌ଏମ୍‌ଏସ୍‌ ଓ ଇମେଲ୍‌ ଆଲର୍ଟ ଅନ୍‌ ରଖନ୍ତୁ। ଯାହାଦ୍ବାରା ଆପଣ ଛୋଟବଡ଼ ପ୍ରତିଟି କାରବାର ବିଷୟରେ ତୁରନ୍ତ ସୂଚନା ପାଇପାରିବେ।

 

 

 

 

ସୌଜନ୍ୟ ସମ୍ବାଦ