ମହାନଗର

Fire: ଆପାର୍ଟମେଣ୍ଟରେ ନିଆଁ

ଦିନ ପାଖାପାଖି ସାଢ଼େ ୨ଟା। ଆପାର୍ଟମେଣ୍ଟର ବିଭିନ୍ନ ଫ୍ଲାଟ୍‌ରେ କିଏ ଖାଉଥିଲେ ତ କିଏ ବିଶ୍ରାମ ନେଇଥାନ୍ତି। ହଠାତ୍‌ ହୋହଲ୍ଲା ଶୁଣାଗଲା, ନିଆଁ ଲାଗିଛି, ଦୌଡ଼ି ଆସ, ଆମକୁ ଉଦ୍ଧାର କର...

ଭୁବନେଶ୍ବର: ଦିନ ପାଖାପାଖି ସାଢ଼େ ୨ଟା। ଆପାର୍ଟମେଣ୍ଟର ବିଭିନ୍ନ ଫ୍ଲାଟ୍‌ରେ କିଏ ଖାଉଥିଲେ ତ କିଏ ବିଶ୍ରାମ ନେଇଥାନ୍ତି। ହଠାତ୍‌ ହୋହଲ୍ଲା ଶୁଣାଗଲା, ନିଆଁ ଲାଗିଛି, ଦୌଡ଼ି ଆସ, ଆମକୁ ଉଦ୍ଧାର କର..। ଦ୍ବିତୀୟ ମହଲାରୁ ଚିତ୍କାର ଆସୁଥିଲା। ଦେଖୁ ଦେଖୁ ନିଆଁ ବ୍ୟାପିବାକୁ ଲାଗିଲା। ଏଭଳି ଭୟଙ୍କର ସ୍ଥିତି ଉପୁଜିଥିଲା ଲକ୍ଷ୍ମୀସାଗର ଥାନା ଝାରପଡ଼ା ଅଞ୍ଚଳର ନୀଳପଦ୍ମା ଆପାର୍ଟମେଣ୍ଟରେ। ଅଗ୍ନିକାଣ୍ଡ ଯୋଗୁ ଆପାର୍ଟମେଣ୍ଟର ବିଭୂ ପାଢ଼ୀ(୮୦), ମୀନାକ୍ଷୀ ପାଢ଼ୀ(୭୩), ଗୁଣ୍ଡିଚା ନନ୍ଦନ ପାତ୍ର(୬୩) ୩ଜଣ ବରିଷ୍ଠ ନାଗରିକ ଗୁରୁତର ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ଖବରପାଇ ଅଗ୍ନିଶମବାହିନୀର ୪ଟି ଦମକଳ ପହଞ୍ଚି ଘଣ୍ଟାଏ ଅପରେସନ୍‌ ପରେ ନିଆଁକୁ ଆୟତ୍ତ କରିଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିଲା। ଏସି ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ଦିଗରେ ଅଗ୍ନିଶମ ଟିମ୍‌ ଅଧିକ ତଦନ୍ତ କରୁଛି।

ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନ ସାଢ଼େ ଦୁଇଟା ସମୟରେ ୫ ମହଲା ବିଶିଷ୍ଟ ନୀଳପଦ୍ମା ଆପାର୍ଟମେଣ୍ଟ ୨ୟ ମହଲାର ୨୦୩ ନମ୍ବର ଫ୍ଲାଟ୍‌ରେ ଥିବା ଲାଇବ୍ରେରିରୁ ହଠାତ୍‌ ପ୍ରବଳ ଧୂଆଁ ବାହାରିଥିଲା। କ୍ଷଣିକ ମଧ୍ୟରେ ନିଆଁ ବ୍ୟାପିଯିବା ସହ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା। ବାହାରେ ଥିବା ଲୋକେ ଧୂଆଁ ସାଙ୍ଗକୁ ନିଆଁ ଦେଖି ପାଟିକରି ଡାକିଥିଲେ। ଫ୍ଲାଟ୍‌ରେ ଥିବା ବରିଷ୍ଠ ନାଗରିକ ମଧ୍ୟ ନିଆଁ କବଳରୁ ବର୍ତ୍ତିବା ପାଇଁ ଚିତ୍କାର କରିଥିଲେ। ନିଆଁ ବ୍ୟାପୁଥିବା ଦେଖି କିଛି ଲୋକ ଜୀବନ ବିକଳରେ ଆପାର୍ଟମେଣ୍ଟରୁ ତଳକୁ ଧାଇଁଥିଲେ। କିଛି ଲୋକ ସାହସ ଜୁଟାଇ ଧାଇଁ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସେକ୍ରେଟାରିଏଟ୍‌ ଓ କଳ୍ପନା ଅଗ୍ନିଶମ କେନ୍ଦ୍ରରୁ ୪ଟି ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରଥମେ ଆପାର୍ଟମେଣ୍ଟ ଭିତରେ ପଶି ନିଆଁ ଧାସ ଓ ଧୂଆଁରେ ଗୁରୁତର ହୋଇଥିବା ୩ ବରିଷ୍ଠ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ଧାଁ’ଦୌଡ଼ ଯୋଗୁ ଆହତ ଅନ୍ୟ ୭ଜଣଙ୍କୁ ଉଦ୍ଧାର କରି ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟ ହସ୍ପିଟାଲ୍‌କୁ ପଠାଇଥିଲେ। ଅଗ୍ନିକାଣ୍ଡ ଯୋଗୁ ଲାଇବ୍ରେରିର ଲକ୍ଷାଧିକ ଟଙ୍କାର ବହି ଜଳିଯାଇଥିବା ବେଳେ ଅନ୍ୟ ଫ୍ଲାଟ୍‌ରେ ସେଭଳି କିଛି ବଡ଼ ଅଘଟଣ ଘଟି ନଥିଲା। ଠିକ୍‌ ସମୟରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଛି।

ରାତି ଅଧରେ ୩ କାର୍‌ ଜାଳିଦେଲା

ରାତି ଅଧରେ ୩ଟି କାର୍‌ ଜାଳିଦେଲା ଦୁର୍ବୃତ୍ତ। ବିଳମ୍ବିତ ରାତିର ଏ ଘଟଣା ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ଘଟିଛି। ଦୁର୍ବୃତ୍ତ ନିଆଁ ଲଗାଇ ସେଠାରୁ ଚମ୍ପଟ ମାରିବାର ସିସିଟିଭି ଦୃଶ୍ୟ ଭାଇରାଇ୍‌ ହେବାରେ ଲାଗିଛି। ତେବେ ସେ କିଏ? କାହିଁକି ତିନି ତିନିଟି କାର୍‌ରେ ନିଆଁ ଲଗାଇଲା? ତାହା ଏବେ ବି ଅସ୍ପଷ୍ଟ। ଏ ନେଇ କାର୍‌ ମାଲିକ ଡି.ଶିବଶ୍ରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।
ସୂଚନା ମୁତାବକ, ଗତରାତି ପାଖାପାଖି ସାଢ଼େ ୩ଟା ସମୟରେ ଶିବଶ୍ରୀଙ୍କ ପରିବାର ଶୋଇଥିବା ବେଳେ ହଠାତ୍‌ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଭୟରେ ପରିବାର ଲୋକେ ଉଠିପଡ଼ିଥିଲେ। ଝରକା ପଟେ ଦେଖିବା ବେଳେକୁ ବାହାରେ ଥିବା କାର୍‌ ଜଳୁଥାଏ। ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ପଡ଼ୋଶୀଙ୍କୁ ଡାକିବା ସହ ସେମାନେ ବାହାରକୁ ଆସି ନିଆଁ ଆୟତ୍ତ ପାଇଁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଅଧଘଣ୍ଟାଏ କସରତ ପରେ ନିଆଁକୁ ଆୟତ୍ତ କରିଥିଲେ। ଶିବଶ୍ରୀଙ୍କ ସେଲ୍‌ଟସ୍‌ କାର୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅନ୍ୟ ଦୁଇଟି ଗାଡ଼ି ୪୦ ପ୍ରତିଶତ ପୋଡ଼ିଯାଇଥିଲା। ପ୍ରଥମେ ବ୍ୟାଟେରିରୁ ସର୍ଟସର୍କିଟଜନିତ ଅଗ୍ନିକାଣ୍ଡ ବୋଲି ଆଶଙ୍କା କରାଯାଉଥିଲା। ହେଲେ ପରେ ପୁଲିସ ସିସିଟିଭି ଫଟୋ ଯାଞ୍ଚ୍‌ ବେଳେ ଜଣେ ଦୁର୍ବୃତ୍ତ ହାତରେ ପେଟ୍ରୋଲ୍‌ ବୋତଲ ଧରି କାର୍‌ ନିକଟକୁ ଆସିଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ କାର୍‌ରେ ନିଆଁ ଲଗାଇଥିଲେ। ସେ ଯୁବକ ଜଣଙ୍କ କିଏ? ଗାଡ଼ିରେ ନିଆଁ ଲଗାଇବା ପଛରେ ପୂର୍ବଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି, ଏହଛଡ଼ା ଦୁର୍ବୃତ୍ତ ଏକା ନା ଅନ୍ୟ କାହାର ସମ୍ପୃକ୍ତି ରହିଛି। ଏ ସମସ୍ତ ଦିଗରୁ ପୁଲିସ ଖୋଳତାଡ଼ କରୁଛି।

ଦୀପ ନିଆଁରୁ ନର୍ସ ଗୁରୁତର

ମନ୍ଦିରରେ ଦୀପଦାନ ସମୟରେ ଦୀପଷ୍ଟାଣ୍ଡରୁ ନିଆଁ ଲାଗି ଜଣେ ନର୍ସ ଗୁୁରୁତର ହୋଇଛନ୍ତି। ସେ ହେଲେ ସସ୍ମିତା ଦଳେଇ(୨୯)। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ହେଲେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ସସ୍ମିତା ସତ୍ୟବିହାର ଅଞ୍ଚଳରେ ଥିବା ତ୍ରୈମ୍ବକେଶ୍ବର ମନ୍ଦିରକୁ ଯାଇଥିଲେ। ଦୀପଷ୍ଟାଣ୍ଡରେ ଦୀପ ରଖୁଥିବା ବେଳେ ଅସାବଧାନତାବଶତଃ ଦୀପଷ୍ଟାଣ୍ଡରୁ ଶାଢ଼ିରେ ନିଆଁ ଲାଗିଯାଇଥିଲା। କ୍ଷଣିକ ମଧ୍ୟରେ ଜୋର୍‌ରେ ଜଳିବାକୁ ଲଗିଥିଲା। ସେଠାରେ ଥିବା ପୂଜାରୀ ଓ ଅନ୍ୟ ଶ୍ରଦ୍ଧାଳୁ ମହିଳାଙ୍କ ଦେହରୁ ନିଆଁ ଲିଭାଇବା ବେଳକୁ ମହିଳାଙ୍କ ଶରୀରର ପାଖାପାଖି ୫୦ ପ୍ରତିଶତ ଜଳିଯାଇଥିଲା। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ପହଞ୍ଚି  ତାଙ୍କୁ ଡାକ୍ତରଖାନା ପଠାଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button