ଦେଶ ବିଦେଶ

First column: ପ୍ରଥମ ସ୍ତମ୍ଭ: ଗାଁ କନିଆ ଶିଙ୍ଘାଣିନାକୀ

ଏହା ଏକ ଅପ୍ରିୟ ସତ ଯେ, ପୃଥିବୀରେ ବାସ କରୁଥିବା ମଣିଷଙ୍କ ମଧ୍ୟରେ ଜଳବାୟୁକୁ ସବୁଠାରୁ କମ୍‌ କ୍ଷତି ପହଞ୍ଚାଉଥିବା ଲୋକ ହିଁ ସବୁଠାରୁ ଅଧିକ ଜଳବାୟୁଜନିତ ଯନ୍ତ୍ରଣା ଭୋଗ କରନ୍ତି।

ଏହା ଏକ ଅପ୍ରିୟ ସତ ଯେ, ପୃଥିବୀରେ ବାସ କରୁଥିବା ମଣିଷଙ୍କ ମଧ୍ୟରେ ଜଳବାୟୁକୁ ସବୁଠାରୁ କମ୍‌ କ୍ଷତି ପହଞ୍ଚାଉଥିବା ଲୋକ ହିଁ ସବୁଠାରୁ ଅଧିକ ଜଳବାୟୁଜନିତ ଯନ୍ତ୍ରଣା ଭୋଗ କରନ୍ତି। କୋଳାହଳଠାରୁ ଯଥେଷ୍ଟ ଦୂରରେ ଥିବା ଓଡ଼ିଶାର ଆଦିବାସୀ ବିମାନରେ ଉଡ଼ନ୍ତି ନାହିଁ କି ମୋଟରଗାଡ଼ି ଚଲାନ୍ତି ନାହିଁ। ଫାଷ୍ଟ୍ ଫ୍ୟାସନ୍‌ ଆପଣାନ୍ତି ନାହିଁ କିମ୍ବା ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ନାହିଁ। ସେମାନେ ପ୍ରକୃତିକୁ ଗଭୀର ଭାବେ ଭଲପାଆନ୍ତି; ନଦୀ, ଝରଣା, ଜଙ୍ଗଲକୁ ସମ୍ମାନ କରନ୍ତି। ସୂର୍ଯ୍ୟ, ଚନ୍ଦ୍ରଙ୍କୁ ଦେବତା ମାନନ୍ତି। ପୃଥିବୀ ଓ ପ୍ରକୃତି ସହ ସମନ୍ୱୟ ରକ୍ଷାକରି ଆନନ୍ଦରେ ଜୀବନଯାପନ କରନ୍ତି। ପାହାଡ଼ରୁ ପାହାଡ଼, ଜଙ୍ଗଲରୁ ଜଙ୍ଗଲ, ବହୁ ଦୂରଦୂରାନ୍ତ ସ୍ଥାନ ଏମାନେ ପାଦରେ ଅତିକ୍ରମ କରନ୍ତି। ଯେତିକି ଦରକାର ପ୍ରକୃତିଠାରୁ ସେତିକି ନିଅନ୍ତି। ଖାଦ୍ୟ ଓ ଔଷଧ ପାଇଁ ମହୁଲ ଫୁଲ, କେନ୍ଦୁପତ୍ର, ହରିଡ଼ା, ବାହାଡ଼ା, ଅଁଳା ସଂଗ୍ରହ କରନ୍ତି, ମାଟିରେ ଘର କରି ଛଣ କି ତାଳପତ୍ରରେ ଛପର କରନ୍ତି। ବାଉଁଶରେ ଘର ପାଇଁ ଉପକରଣ ତିଆରନ୍ତି, ଖାଦ୍ୟ ପରଷିବା ଲାଗି ଶାଳପତ୍ର ବ୍ୟବହାର କରନ୍ତି। ରାଗି, ମାଣ୍ଡିଆ, କାଙ୍ଗୁ ଭଳି ସ୍ଥାନୀୟ ଜଳବାୟୁ ଉପଯୋଗୀ ଫସଲ କରିବା ସହ ପ୍ରତିକୂଳ ପାଗରେ ଜୀବନଧାରଣ ପାଇଁ ବୀଜଗୁଡ଼ିକୁ ସାଇତି ରଖନ୍ତି। ଏଥିସହିତ ନିୟମିତ ମଞ୍ଜି ପୋତି, ଗଛ ଲଗାଇ ଜଙ୍ଗଲକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ସେମାନଙ୍କ ଜୀବନଶୈଳୀରେ କାର୍ବନ ଫୁଟ୍‌ପ୍ରିଣ୍ଟର ମାତ୍ରା ଶୂନ୍ୟ।

ଏଣେ ସହରରେ ରହୁଥିବା ଆମ ପରି ଲୋକଙ୍କର ପ୍ରଚୁର ଲୋଭ, ଅନନ୍ତ ଆବଶ୍ୟକତା ଓ ସେଥିପାଇଁ ଅନାବଶ୍ୟକ କିଣାକିଣି ପ୍ରାକୃତିକ ସମ୍ପଦର ଶୋଷଣରେ ହିଁ ଶେଷ ହୋଇଥାଏ। ଓଡ଼ିଶାର କେନ୍ଦୁଝରକୋରାପୁଟରାୟଗଡ଼ା ଓ ନିୟମଗିରି ପରି ଆଦିବାସୀ ଅଞ୍ଚଳରେ ଲୁହାପଥର, ବକ୍ସାଇଟ୍‌ ଓ କୋଇଲା ଖଣି ପାଇଁ ବଡ଼ ବଡ଼ ପ୍ରକଳ୍ପ ଚାଲେ। ଖଣି ପାଇଁ ପଦା ହୋଇଯାଏ ବିଶାଳ ଜଙ୍ଗଲ। ନଦୀଝରଣା ଶୁଖିଯାଏ ଓ ଏହାର ପାଣି ପ୍ରଦୂଷିତ ହୋଇଯାଏ। ଏଥିଯୋଗୁଁ ମରୁଡ଼ି ଓ ଜଳସଙ୍କଟ ଦେଖାଦିଏ। ପୁଣି ଏହି ପ୍ରକଳ୍ପ ଆଦିବାସୀଙ୍କଠାରୁ ଛଡ଼ାଇ ନିଏ ଜମି। ଖାଦ୍ୟ, ପାନୀୟ ପାଇଁ ସେମାନଙ୍କୁ ମାଇଲ୍‌ମାଇଲ୍‌ ଚାଲିବାକୁ ପଡ଼େ ଏବଂ ମୌଳିକ ଆବଶ୍ୟକତା ପାଇଁ ଅହରହଃ ସଂଘର୍ଷ କରିବାକୁ ପଡ଼େ।

କିଛି ସପ୍ତାହ ପୂର୍ବେ ଓଡ଼ିଶା ପରିବେଶ କଂଗ୍ରେସରେ ପାରମ୍ପରିକ ଆଦିବାସୀ ଜ୍ଞାନକୌଶଳ ବିଷୟରେ ଆଲୋଚନା କରି କଲମ୍ବିଆର ଦୁର୍ଗମ ଆମାଜନ ଜଙ୍ଗଲ ଭିତରେ ଚାରିଜଣ ଆଦିବାସୀ ପିଲା କିପରି ସଂଘର୍ଷ ଭିତରେ ଦୀର୍ଘ ସମୟ ଧରି ବଞ୍ଚି ରହିଥିଲେ ତାହା ବର୍ଣ୍ଣନା କରିଥିଲେ ସାବରମତୀ। ଏ ପିଲାଙ୍କ ମଧ୍ୟରେ ସବୁଠୁ ବଡ଼ ପିଲାଟିର ବୟସ ଥିଲା ତେର ବର୍ଷ ଓ ସବୁଠାରୁ ସାନ ଥିଲା ମାତ୍ର ଏଗାର ମାସର କଅଁଳ ଶିଶୁ। ବିମାନ ଦୁର୍ଘଟଣାରେ ନିଜ ମାଆକୁ ହରାଇବା ପରେ ଭୟଙ୍କର ଜଙ୍ଗଲ ଭିତରେ ବିପଦସଙ୍କୁଳ ଅବସ୍ଥାରେ ବିଷାକ୍ତ ସାପ, ହିଂସ୍ର ବନ୍ୟପ୍ରାଣୀ, ବର୍ଷା, କ୍ଷୁଧା ଓ ତୃଷା ସହ ଲଢ଼ି ସେହି ଚାରିଜଣ ଚାଳିଶ ଦିନ ଯାଏଁ ଜୀବିତ ରହିଥିଲେ। ଏହା କିପରି ସମ୍ଭବ ହୋଇପାରିଲା? କାରଣ ସେମାନେ ପିଲାଦିନୁ ଜଙ୍ଗଲୀ ପରିବେଶ ସହ ପରିଚିତ। ସେମାନେ ଜାଣିଥିଲେ, ଜଙ୍ଗଲ ଭିତରେ କେଉଁ ଫଳ ଖାଇବା ନିରାପଦ, କେଉଁ ପତ୍ର କ୍ଷୁଧା ନିବାରଣ କରେ, କେଉଁଟି ବିଷ ବୃକ୍ଷ ଓ କେଉଁଟି ଔଷଧୀୟ ବୃକ୍ଷ। ଘଞ୍ଚ ଅରଣ୍ୟ ଭିତରେ ନିରାପଦ ରହିବାର କୌଶଳ ସେମାନଙ୍କୁ ଜଣାଥିଲା ବୋଲି ସେମାନେ ବଞ୍ଚିରହିଲେ ଏବଂ ଉଦ୍ଧାର ହେଲେ।

ଓଡ଼ିଶାରେ ମଧ୍ୟ ଏପରି ଜ୍ଞାନର ଅଭାବ ନାହିଁ। କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼ ଭଳି ସ୍ଥାନରେ କନ୍ଧ, ଦେଶିଆ, ଭୂମିଆ, ସଉରା, ବଣ୍ଡା, ପରଜା, ଡଙ୍ଗରିଆ କନ୍ଧ, ପାଉଡ଼ିଭୂୟାଁ ଆଦି ଆଦିବାସୀ ସ୍ବଭାବତଃ ଖୁବ୍‌ ଧୀର, ଶାନ୍ତ ଓ ସହନଶୀଳ। ସେମାନଙ୍କୁ ପାହାଡ଼ି ବନ୍ୟା ସହ୍ୟ କରିପାରୁଥିବା ବଂଶାନୁକ୍ରମିକ ଫସଲ ସମ୍ପର୍କରେ ଜଣା, ଯେଉଁଥିପାଇଁ ପ୍ରତିକୂଳ ପାଗରେ ମଧ୍ୟ ସେମାନେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଥାଆନ୍ତି। ଆକାଶରେ ମେଘ, ପବନର ଦିଗ, ପଶୁପକ୍ଷୀଙ୍କ ଆଚରଣ ଓ ଗଛଲତା ଆଦିରେ ପରିବର୍ତ୍ତନ ଦେଖି ସେମାନେ ଆଶ୍ଚର୍ଯ୍ୟଜନକ ଭାବରେ ନିର୍ଭୁଲ୍‌ ପାଣିପାଗର ପୂର୍ବାନୁମାନ କରିପାରନ୍ତି। ଏହି ବିଦ୍ୟା ଚାଷବାସ ଓ ଗୋଷ୍ଠୀ ପରିଚାଳନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତିକି ଦରକାର ସେତିକି ନିଅ, ପ୍ରତିଦାନରେ ଯାହା ପାରୁଛ ପ୍ରକୃତିକୁ ଫେରେଇ ଦିଅ- ସେମାନେ ଏହି ଧର୍ମରେ ବିଶ୍ୱାସ କରନ୍ତି। ପିଢ଼ିରୁ ପିଢ଼ିକୁ ଗଡ଼ିଆସୁଥିବା ଏହି ଜ୍ଞାନ ହେତୁ ଓଡ଼ିଶାରେ ବହୁ ସମ୍ପ୍ରଦାୟ ଆଜି ବି ସ୍ବଚ୍ଛନ୍ଦରେ ଜୀବନଯାପନ କରୁଛନ୍ତି।

କଥାରେ ଅଛି, ଗାଁ କନିଆ ଶିଙ୍ଘାଣିନାକୀ। ଆମେ ପ୍ରାୟତଃ ଆମର ପାରମ୍ପରିକ ଜ୍ଞାନକୁ ଅଣଦେଖା କରିଥାଉ। ଆମେ ଆମ ନିଜ ଲୋକଙ୍କ ପାଖରେ ଥିବା ଶକ୍ତିର ଉଚିତ ଆକଳନ କରି ନଥାଉ। ଆମ ମାଟି, ଆମ ଜଙ୍ଗଲ ବିଷୟରେ ବାସ୍ତବ ଅନୁଭୂତି ନଥିବା ବଡ଼ବଡ଼ ବିଶେଷଜ୍ଞମାନଙ୍କୁ ପୁଳା ପୁଳା ଟଙ୍କା ବାଣ୍ଟିବାରେ ଆମର କୁଣ୍ଠା ନଥାଏ। ବେଳେବେଳେ ମୋ ମନକୁ ଆସେ, ଯଦି ଆମ ଆଦିବାସୀ ଭାଇଭଉଣୀ ସୋସିଆଲ୍‌ ମିଡିଆରେ ଥାଆନ୍ତେ, ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ କରୁଥାଆନ୍ତେ, ଫେସ୍‌ବୁକ୍ ଓ ଏକ୍ସରେ ଜ୍ଞାନ ବାଣ୍ଟୁଥାଆନ୍ତେ, ତା’ହେଲେ ହୁଏତ ଆମେ ସେମାନଙ୍କୁ ଅଧିକ ଗୁରୁତ୍ବ ପ୍ରଦାନ କରୁଥାଆନ୍ତୁ। ଜଙ୍ଗଲୀ ବୃକ୍ଷର ମଞ୍ଜିକୁ ସାଇତି ରଖୁଥିବା ହାତ, ଜଙ୍ଗଲକୁ ପାହାନ୍ତିରୁ ପହରା ଦେଉଥିବା ମଣିଷ, ତାରାଖଚିତ ଆକାଶ ତଳେ ଶୁଭୁଥିବା କାହାଣୀର କୌଣସି ଭିଡିଓ ନାହିଁ। ଆମେ ଦୂରଦୂରାନ୍ତରୁ ଉତ୍ତର ଖୋଜୁଛୁ, ହେଲେ ଉତ୍ତର ଆମ ପାଖରେ ଅଛି। ଆମେ ପୃଥିବୀକୁ ବଞ୍ଚାଇବାକୁ ବଡ଼ ବଡ଼ କଥା କହୁଛୁ, ହେଲେ ଯେଉଁମାନେ ବାସ୍ତବରେ ପୃଥିବୀ ସହ ଅଛନ୍ତି, ତା’ରି କୋଳରେ ଜିଉଛନ୍ତି, ସେମାନଙ୍କୁ କେବେ ଶୁଣିବା? ସେମାନଙ୍କଠାରୁ କେବେ ଶିଖିବା?

ତନୟା ପଟ୍ଟନାୟକ
ସଂପାଦକ

ସୌଜନ୍ୟ ସମ୍ବାଦ

 

 

Leave a Reply

Your email address will not be published. Required fields are marked *

Back to top button