Breaking News

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଜନତା ମଇଦାନରେ ହେବ ସାମୟିକ ସଂଗ୍ରାହଳୟ, ସ୍ଥାନ ପାଇବ ଓଡ଼ିଆ ଅସ୍ମିତା ଓ ଗୌରବର ଗାଥା

ଭୁବନେଶ୍ୱର:  ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ତିନିଦିନ ଧରି ଅସ୍ଥାୟୀ ସଂଗ୍ରାହଳୟର ଆୟୋଜନ କରାଯିବ । ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ଭାଷା ସମ୍ପର୍କିତ ବିଭିନ୍ନ କଳାକୃତି ଏଥିରେ ପ୍ରଦର୍ଶିତ ହେବ । ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର. ବାଲକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରମୁଗମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଇପିକଲ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅସ୍ଥାୟୀ ସଂଗ୍ରାହଳୟରେ ରାଜ୍ୟ ସଂଗ୍ରାହଳୟ, ଆଦିବାସୀ ସଂଗ୍ରାହଳୟ, କଳାଭୂମି, ନୌବାଣିଜ୍ୟ ସଂଗ୍ରାହଳୟ, ରାଜ୍ୟ ଅଭିଲେଖଗାରରେ ଉପଲବ୍ଧ କଳାକୃତି ମାନ ତିନିଦିନ ଧରି ପ୍ରଦର୍ଶିତ ହେବ । ଏହା ଓଡ଼ିଆ ଜାତିର ଅସ୍ମିତା, ବୀରତ୍ୱ ଓ ସ୍ୱାଭିମାନର କଥା କହିବ । ପ୍ରତ୍ୟେକ ଆଗନ୍ତୁକଙ୍କୁ ରାଜ୍ୟର ପ୍ରାଚୀନ ପରମ୍ପରା ସହ ନିକଟତର କରିବ। ଏହା ସତେ ଯେମିତି ଏକ ଜାତିର ଜୀବନ ଓ ଭବିଷ୍ୟତର କଥା ବଖାଣିବ ଯାହା ଦର୍ଶକ ମାନଙ୍କ ମନରେ ଏକ ଅଭୁଲା ଅନୁଭୂତି ଆଣିଦେବ । ଏହି ଅବସରରେ ଜନତା ମଇଦାନକୁ ଅସ୍ଥାୟୀ ସଂଗ୍ରାହଳୟ ଭାବେ ଘୋଷଣା କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ପ୍ରତ୍ୟେକ ଦିନ ସକାଳ ୧୧ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଏଥିନିମନ୍ତେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।

ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ସ୍ଥାନରେ ସମସ୍ତ ସଂଗ୍ରାହଳୟର ଝଲକ ଓଡିଶାବାସୀ ଦେଖିବାକୁ ପାଇବେ । ପ୍ରତ୍ୟେକ ଆଗନ୍ତୁକ କଳାକୃତି ଦେଖିବାବେଳେ ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବେ ।

Comments are closed.