Breaking News

Flashback 2024: ସତ୍ତା ପରିବର୍ତ୍ତନର ସାକ୍ଷୀ ସାଜିଲା ‘ବର୍ଷ-୨୦୨୪’ । ୨୪’ରେ ବଦଳିଲା ୨୪ ବର୍ଷର ସରକାର । ଗଲେ ନବୀନ, ଆସିଲେ ମୋହନ । ସେପଟେ ଦିଲ୍ଲୀରେ ମୋଦୀ ୩.୦ ସରକାର

ଏ ବର୍ଷ, ୨୦୨୪ ଥିଲା ନିର୍ବାଚନର ବର୍ଷ । ଓଡ଼ିଶାରେ ବିଧାନସଭା ସହିତ ଦେଶ ଦେଖିଥିଲା ଲୋକସଭା ନିର୍ବାଚନ । ତେବେ ଓଡ଼ିଶାର ସତ୍ତା ପରିବର୍ତ୍ତନର ଏକମାତ୍ର ସାକ୍ଷୀ ସାଜିଥିଲା- ବର୍ଷ ୨୦୨୪ । ଯେଉଁଠି ଦୀର୍ଘ ୨୪ ବର୍ଷ କାଳ କ୍ଷମତାରେ ଥିବା ବିଜେଡି, ଶାସନରୁ ହଟିବା ସହ, ପ୍ରଥମ ଥର ପାଇଁ ନିଜ ବଳରେ ସରକାର ଗଢିଥିଲା ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀ ଚେୟାରରୁ ହଟିଥିଲେ ନବୀନ, ଆଉ ସବୁ କଳ୍ପନାଜଳ୍ପନାକୁ ଭୁଲ ପ୍ରମାଣିତ କରି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା ବିଜେପି ।

ଏ ବର୍ଷ, ୨୦୨୪ ଥିଲା ନିର୍ବାଚନର ବର୍ଷ । ଓଡ଼ିଶାରେ ବିଧାନସଭା ସହିତ ଦେଶ ଦେଖିଥିଲା ଲୋକସଭା ନିର୍ବାଚନ । ତେବେ ଓଡ଼ିଶାର ସତ୍ତା ପରିବର୍ତ୍ତନର ଏକମାତ୍ର ସାକ୍ଷୀ ସାଜିଥିଲା- ବର୍ଷ ୨୦୨୪ । ଯେଉଁଠି ଦୀର୍ଘ ୨୪ ବର୍ଷ କାଳ କ୍ଷମତାରେ ଥିବା ବିଜେଡି, ଶାସନରୁ ହଟିବା ସହ, ପ୍ରଥମ ଥର ପାଇଁ ନିଜ ବଳରେ ସରକାର ଗଢିଥିଲା ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀ ଚେୟାରରୁ ହଟିଥିଲେ ନବୀନ, ଆଉ ସବୁ କଳ୍ପନାଜଳ୍ପନାକୁ ଭୁଲ ପ୍ରମାଣିତ କରି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା ବିଜେପି । ଦେଶରେ ମଧ୍ୟ ଏ ବର୍ଷ, ମୋଦୀଙ୍କୁ ମିଳିଥିବା ତୃତୀୟ ଥର ପାଇଁ କ୍ଷମତା । ଲୋକସଭାରେ ବିଜେପିର ବଳ କମିଥିଲେ ବି, ଏନଡିଏ କିନ୍ତୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସଫଳ ହେଇଥିଲା । ଆଉ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ ।୨୦୨୪ ବର୍ଷ ଆରମ୍ଭରୁ ହିଁ, ଦେଶ ସହ ଓଡ଼ିଶାରେ ବୋହିଥିଲା ରାଜନୀତିର ଗରମ ହାଓ୍ୱା । ନେତାଠୁ ଆରମ୍ଭ କରି କର୍ମୀ, ସମସ୍ତେ ମାତିଥିଲେ ନିର୍ବାଚନରେ । ଆଉ ନିର୍ବାଚନ କମିଶନ ଦିନ ଧାର୍ଯ୍ୟ କରିଦେବା ପରେ, ଆରମ୍ଭ ହେଇଯାଇଥିଲା ପ୍ରଚାର ଆଉ ରାଲି । ଓଡ଼ିଶାରେ ପୁଣିଥରେ କ୍ଷମତା ଅକ୍ତିଆର କରିବାକୁ ବିଜେଡି ସବୁ ବଳ ଲଗେଇ ଦେଇଥିଲା । ଆଉ ବିଜେପି ମୋଦୀଙ୍କ ଚେହେରା ଏବଂ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାଇଥିଲା । ମଝିରେ କିଛି ଦିନ ପାଇଁ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଗଣମାଧ୍ୟମରେ ଶିରୋନାମା ପାଲଟିଥିଲେ ବି, ଶେଷରେ ଦଳ ଏକାକୀ ଲଢିବାକୁ ଘୋଷଣା କରିଥିଲା । ଆଉ ସେବେଠୁ ଆରମ୍ଭ ହେଇଯାଇଥିଲା ଜୋରଦାର ଟକ୍କର ।୪ଟି ପର୍ଯ୍ୟାୟରେ ୨୧ ସାଂସଦ ଆଉ ୧୪୭ ବିଧାୟକ ବାଛିବାକୁ ଭୋଟ୍ ଦେଇଥିଲେ ଓଡ଼ିଆ ଭୋଟର । ଆଉ ଜୁନ୍ ୪ରେ ଯେଉଁ ରେଜଲ୍ଟ ଆସିଥିଲା, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଦୀର୍ଘ ବର୍ଷ କାଳ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ହରେଇ, ନିର୍ବାଚନରେ ୧୪୭ରୁ ୭୮ ଆସନ ଜିତିଥିଲା ଭାରତୀୟ ଜନତା ପାର୍ଟି । ଆଉ ଯେଉଁ ଦଳ ଦିନେ ଶହେରୁ ଅଧିକ ବିଧାୟକଙ୍କୁ ସରକାରରେ ବସିଥିଲା, ସେହି ବିଜୁ ଜନତା ଦଳ ମାତ୍ର ୫୧ ଆସନରେ ଅଟକି ଯାଇଥିଲା । ରାଜ୍ୟ କଂଗ୍ରେସର ସିଟ୍ ବିଧାନସଭାରେ ୯ରୁ ୧୪କୁ ବଢିଥିଲେ ବି, ପ୍ରଦର୍ଶନ କିନ୍ତୁ ପୂର୍ବଭଳି ନିରାଶଜନକ ରହିଥିଲା। ଦିଲ୍ଲୀରେ ବି ୨୦୨୪ର ଜନମତ, ସବୁ ଏକଜିଟ୍ ପୋଲର ଆକଳନକୁ ଭୁଲ ପ୍ରମାଣିତ କରିଦେଇଥିଲା । ୪ ଶହ ପାରର ନାରା ଦେଇଥିବା ବିଜେପି, ମାତ୍ର ୨୪୦ ଆସନରେ ଅଟକିଯାଇଥିଲା ବେଳେ । ଏନଡିଏ କେନ୍ଦ୍ରରେ ପାଇଥିଲା ୩୦୩ ଆସନ । ଜୁନ୍ ୪ ତାରିଖର ଏହି ରେଜଲ୍ଟ ପରେ, ଜୁନ୍ ୯ ତାରିଖରେ  ଭବ୍ୟ ଶପଥ ଗ୍ରହଣ ଉତ୍ସବ ଦେଖିଥିବା ସାରା ଦେଶ । ଯେଉଁଥିରେ ମୋଦୀ ନେଇଥିଲେ ପଦ ଆଉ ଗୋପନୀୟତାର ଶପଥ, ଆଉ ତାଙ୍କୁ ଶପଥ ପାଠ କରାଇଥିଲେ ଓଡ଼ିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

୨୦୨୪ର ନିର୍ବାଚନ ଖାଲି ଶାସକ ନୁହେଁ, ବିରୋଧୀ ଶିବିରରେ ମଧ୍ୟ ଉତ୍ସାହ ଭରିଥିଲା । ୨୦୧୯ରେ ଯେଉଁ କଂଗ୍ରେସ ଦିନେ, ବିରୋଧୀ ଦଳର ନେତା ବାଛିବାକୁ ବଳ ପାଇନଥିଲା, ସେହି କଂଗ୍ରେସ ୨୦୨୪ରେ ୯୯ ଆସନ ଜିତିବା ସହ, ରାହୁଲ ଗାନ୍ଧୀ ବସିଥିଲେ ବିରୋଧୀ ଦଳ ନେତା ଆସନରେ । ଖାଲି ସେତିକି ନୁହେଁ, ଇଣ୍ଡିଆ ମେଣ୍ଟ ମଧ୍ୟ ବିରୋଧୀ ଶିବିରକୁ ବଳ ଦେଇଥିଲା ।

୨୦୨୪ରେ ଦେଶର କିଛି ରାଜ୍ୟରେ ମଧ୍ୟ ଘଟିଥିଲା ଶାସନର ପଟ୍ଟ ପରିବର୍ତ୍ତନ । ଜାମ୍ମୁକାଶ୍ମୀରରେ ଧାରା ୩୭୦ ପରେ ପ୍ରଥମ ଥର ପାଇଁ ନିର୍ବାଚନ ହେଇଥିଲା ବେଳେ, ସେଠାରେ ଘଉ ଆଉ କଂଗ୍ରେସ ମେଣ୍ଟ କ୍ଷମତା ଦଖଲ କରିଥିଲା । ସେହିପରି ହରିୟାଣାରେ ବିଜେପି- ସରକାର ବିରୋଧୀ ହାଓ୍ୱାକୁ ରୋକି ପାରିଥିବାବେଳେ, ଏକଜିଟ୍ ପୋଲକୁ ଭୁଲ୍ ପ୍ରମାଣିତ କରି ପୁଣିଥରେ ସତ୍ତା ଦଖଲ କରିଥିଲା । ଆଉ ଝାଡ଼ଖଣ୍ଡ କମାଲ କରିଥିଲେ ସ୍ୱାମୀ-ସ୍ତ୍ରୀ ଯୋଡି । ବିଜେପିକୁ ଟକ୍କର ଦେଇ, ଏହି ଯୋଡି – ହେମନ୍ତ ସୋରେନ୍ ଆଉ କଳ୍ପନା ସୋରେନ୍, ପୁଣିଥରେ ଝାଡ଼ଖଣ୍ଡରେ ଗଢିଥିଲେ ସରକାର । ମହାରାଷ୍ଟ୍ରରେ ୨୦୨୪ର ବିଧାନସଭା ନିର୍ବାଚନ ଯେତିକି, ଘଟଣାବହୁଳ ଥିଲା, ତାକୁ ନେଇ ଚର୍ଚ୍ଚା ମଧ୍ୟ ସେତିକି ହେଉଥିଲା । ଆଉ ଏହାରି ଭିତରେ, ମହାୟୁତି ମେଣ୍ଟ ପୁଣିଥରେ ସରକାର ଗଠନ କରିବାକୁ ନିର୍ବାଚନରେ ବଳ ଯୋଗାଡିପାରିଥିଲା । ରେଜଲ୍ଟ ପରେ, ବିଜେପି ବଡ ଭାଇ ସାଜି, ମୁଖ୍ୟମନ୍ତ୍ରୀ ଆସନରେ ନିଜ ନେତାଙ୍କୁ ବସାଇବାରେ ସକ୍ଷମ ହେଇଥିଲା । ଆଉ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ୩ୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  ଭାବେ ନେଇଥିଲେ ଶପଥ । କୁହାଯାଏ ରାଜନୀତିରେ କିଛି ବି ସ୍ଥାୟୀ ନୁହେଁ, ଏଠି ସତ୍ତା କେବେ ବି ଓଲଟିପାରେ । ସରକାରରେ ଥିବା ଦଳ, କେବେ ବି ବିରୋଧୀ ଆସନକୁ ଆସିପାରେ । ଆଉ ବିରୋଧୀ ଆସନରେ ବସିଥିବା ଦଳ, କେବେ ବି ସତ୍ତା ହାସଲ କରିପାରେ । ତେବେ ୨୦୨୪ରେ ଘଟିଥିବା ଏହି ସବୁ ରାଜନୈତିକ ଘଟଣାକ୍ରମର, ଭବିଷ୍ୟତ କଣ ହେଉଛି, ତାହା ଦେଖିବାକୁ ବାକି ରହିଲା ।

 

 

 

 

 

ସୌଜନ୍ୟ-କନକ

Comments are closed.