ବିଶେଷତଃ ଅଲ୍ଟ୍ରା-ପ୍ରୋସେସ୍ଡ ଫୁଡ୍ ବା ଅତି ପ୍ରକ୍ରିୟାକୃତ ଆହାର ମନୁଷ୍ୟ ପାକସ୍ଥଳୀରେ ଅଣୁଜୀବଙ୍କ କ୍ରିୟାକଳାପରେ ବ୍ୟାଘାତ ଓ ପରିବର୍ତ୍ତନ ଘଟାଇପାରେ। ଏ ଧରଣର ଖାଦ୍ୟରେ ଦିଆଯାଉଥିବା ଏମଲ୍ସିଫାୟର୍, କୃତ୍ରିମ ଶର୍କରା ଓ ରଙ୍ଗ ଭଳି ଅସଂଖ୍ୟ ରାସାୟନିକ ଉପାଦାନ ଏଥିପାଇଁ ଦାୟୀ। ଅଧିକ ସ୍ବାଦଯୁକ୍ତ, ମୁସ୍ମୁସିଆ କରିବା ପାଇଁ ଅଥବା ଖାଦ୍ୟର ରୂପ ବଦଳାଇବା ପାଇଁ ଏବଂ ଦୀର୍ଘଦିନ ତଟକା ରଖିବା ଲାଗି ପ୍ରକ୍ରିୟାକରଣକାରୀ କମ୍ପାନିମାନେ ଏସବୁ କରନ୍ତି। ସୁପର୍ମାର୍କେଟ୍ଗୁଡ଼ିକରେ ମିଳୁଥିବା ଅଧିକାଂଶ ପ୍ରକ୍ରିୟାକୃତ ଖାଦ୍ୟଦ୍ରବ୍ୟରେ ଅଧିକ ଏମଲ୍ସିଫାୟର୍ ଥିବା କଥା ଗବେଷକମାନେ କହନ୍ତି। ଏ ଧରଣର ରାସାୟନିକ ଉପାଦାନ, ବିଶେଷ କରି ଏମଲ୍ସିଫାୟର୍ ମିଶ୍ରିତ ଆହାର ଭୋଜନ କଲେ ପାକସ୍ଥଳୀରେ ଥିବା ଅଣୁଜୀବଙ୍କ ଉପରେ କୁପ୍ରଭାବ ପଡ଼େ। ତା’ଛଡ଼ା ଏଥିଯୋଗୁଁ, ଆଇବିଡି, ଆଇବିଏସ୍, ଏବଂ କଲୋରେକ୍ଟାଲ୍ କ୍ୟାନ୍ସର୍ ଆଦି ରୋଗ ହେବାର ଆଶଙ୍କା ଥାଏ।
ପାକସ୍ଥଳୀର ଅନ୍ତରେ ଲାଗିରହିଥିବା ବହଳିଆ ଲାଳ ଅଣୁଜୀବମାନଙ୍କ କବଳରୁ ଏହାର ଭିତରପାର୍ଶ୍ବ ସୁରକ୍ଷିତ ରଖିଥାଏ। ଏ ଲାଳ ପ୍ରଦାହ ପ୍ରତିରୋଧକ ଭାବେ କାର୍ଯ୍ୟ କରିଥାଏ। ଅତି ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଯୋଗୁଁ ଉଦରସ୍ଥ ଲାଳ କ୍ଷୟ ହୋଇଯାଏ ଏବଂ ଅଣୁଜୀବମାନେ ଅନ୍ତ ଭିତରପାର୍ଶ୍ବକୁ ସଂକ୍ରମିତ କରି ପ୍ରଦାହ ସୃଷ୍ଟି କରନ୍ତି। ଏହାର ଅର୍ଥ ନୁହେଁ ଯେ ପ୍ରକ୍ରିୟାକୃତ ଖାଦ୍ୟ ଆଦୌ ନ ଖାଇବା। ମାତ୍ର ନିଜ ସ୍ବାସ୍ଥ୍ୟ ଓ ପାକସ୍ଥଳୀ ଅଣୁଜୀବଙ୍କ ହିତ ପାଇଁ ଏଥିସହିତ ଯଥା ସମ୍ଭବ ସଦ୍ୟ ରନ୍ଧା ଖାଦ୍ୟ ଖାଇବା ଉପରେ ଗୁରୁତ୍ବ ଦେବା ଆବଶ୍ୟକ।

