ଜାତୀୟ

ସମାପ୍ତ ହେବ ରୋଷେଇ ଗ୍ୟାସ୍ ସଂକଟ, ୪୬ ହଜାର ମେଟ୍ରିକ ଟନ LPG ନେଇ ଭାରତ ଆସୁଛି ବିଶାଳ ଜାହାଜ

ଭାରତର ୨ ଏଲପିଜି ଟ୍ୟାଙ୍କର ’ନନ୍ଦା ଦେବୀ’ ଓ ‘ଶିବାଲିକ୍’ ସଫଳତା ପୂର୍ବକ ଓ ସୁରକ୍ଷିତ ରୂପେ ହୋର୍ମୁଜ ପ୍ରଣାଳୀ ପାର ହୋଇଯାଇଛନ୍ତି। ଶୁକ୍ରବାର ରାତିରେ ଭାରତୀୟ ଏଲପିଜି କ୍ୟାରିୟର ନନ୍ଦା ଦେବୀ ଏହି ସମ୍ବେଦନଶୀଳ ମାର୍ଗକୁ ପାର କରି ଖୋଲା ସମୁଦ୍ରକୁ ପହଞ୍ଚିଛି।

  • ଇରାନ ବୈଦେଶିକ ମନ୍ତ୍ରାଳୟ ଭାରତ ସହ କଥାବାର୍ତ୍ତା ପରେ ସ୍ପଷ୍ଟ କରିଥିଲା ଯେ ଭାରତୀୟ ଜାହାଜଙ୍କୁ ରୋକା ଯିବ ନାହିଁ
  • ହୋର୍ମୁଜ ଷ୍ଟ୍ରେଟରେ ବଢୁଥିବା ବିପଦକୁ ନଜରରେ ରଖି ପାଖାପାଖି ୨୨ଟି ଜାହାଜ କାଣ୍ଡଲା ବନ୍ଦର ଆଡକୁ ମୁହାଁଇଛନ୍ତି
  • ଭାରତ ନିଜର ଅନ୍ୟ ୨୮ଟି ଜାହାଜଙ୍କ ସୁରକ୍ଷିତ ଯାତାୟାତ ସୁନିଶ୍ଟିତ କରିବା ପାଇଁ ଇରାନ ସହିତ ଲଗାତାର କୂଟନୈତିକ ବାର୍ତ୍ତା ଜାରି ରଖିଛି

ମୁମ୍ବାଇ ୧୪।୩: ଇରାନ ଓ ଅମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ସାରା ବିଶ୍ୱରେ ଇନ୍ଧନ ଓ ଶକ୍ତି ସଂକଟ ସୃଷ୍ଟି କରିଛି। ବିଶେଷ କରି ହୋର୍ମୁଜ ଷ୍ଟ୍ରେଟ ବନ୍ଦ ରହିବା ଆଶଙ୍କାରେ ବୈଶ୍ୱିକ ସିପିଂ ପ୍ରଭାବିତ ହୋଇଛି। ଏହି ଭୀଷଣ ଉତ୍ତେଜନା ମଧ୍ୟରେ ଭାରତ ନିମନ୍ତେ ଏକ ଆଶ୍ୱସ୍ତି କର ଖବର ସାମ୍ନାକୁ ଆସୁଛି। ଭାରତର ଶକ୍ତି ସୁରକ୍ଷାକୁ ମଜଭୁତ କରୁଥିବା ୨ ଏଲପିଜି ଟ୍ୟାଙ୍କର ’ନନ୍ଦା ଦେବୀ’ ଓ ‘ଶିବାଲିକ୍’ ସଫଳତା ପୂର୍ବକ ଓ ସୁରକ୍ଷିତ ରୂପେ ହୋର୍ମୁଜ ପ୍ରଣାଳୀ ପାର ହୋଇଯାଇଛନ୍ତି।

ସଫଳ କୁଟନୀତି ଓ ନୌସେନା ପ୍ରହରା
ଶୁକ୍ରବାର ରାତିରେ ଭାରତୀୟ ଏଲପିଜି କ୍ୟାରିୟର ନନ୍ଦା ଦେବୀ ଏହି ସମ୍ବେଦନଶୀଳ ମାର୍ଗକୁ ପାର କରି ଖୋଲା ସମୁଦ୍ରକୁ ପହଞ୍ଚିଛି। ଏହି ଜାହାଜରେ ୪୬,୦୦୦ ମେଟ୍ରିକ ଟନ ଲିକ୍ୱିଫାଏଡ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ବୋଝେଇ ରହିଛି, ଯାହା ଭାରତର ଘରୋଇ ଆବଶ୍ୟକତା ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ପୂର୍ବରୁ ଶିବାଲିକ୍ ଏଲପିଜି ଟ୍ୟାଙ୍କର ମଧ୍ୟ ସୁରକ୍ଷିତ ଏହି ମାର୍ଗକୁ ପାର କରିଥିଲା। ଏହି ଜାହାଜ ଦ୍ୱୟ ସୁରକ୍ଷି ହୋର୍ମୁଜ ଷ୍ଟ୍ରେଟ୍ ପାର କରିବା ଭାରତର ସଫଳ କୂଟନୀତିର ପରିଣାମ ବୋଲି ମନେ କରାଯାଉଛି।

୪୮ ଘଣ୍ଟାରେ ପହଞ୍ଚିବେ ଭାରତ
ଇରାନ ବୈଦେଶିକ ମନ୍ତ୍ରାଳୟ ଭାରତ ସହ କଥାବାର୍ତ୍ତା ପରେ ସ୍ପଷ୍ଟ କରିଥିଲା ଯେ ଭାରତୀୟ ଜାହାଜଙ୍କୁ ରୋକା ଯିବ ନାହିଁ। ଏବେ ଭାରତୀୟ ନୌସେନା ଜାହାଜଙ୍କ ଉପରେ କଡ଼ା ନଜର ରଖିଛି, ଯାହାଦ୍ୱାରା ପେଟ୍ରୋଲିୟମ ଗ୍ୟାସ ସୁରକ୍ଷିତ ଭାରତ ପହଞ୍ଚି ପାରିବ। ସରକାରୀ ସୂତ୍ର ଅନୁସାରେ ଭାରତୀୟ ନୌସେନା ମାର୍ଗଦର୍ଶନରେ ଦୁଇ ଜାହାଜ ସୁରକ୍ଷିତ ସମୁଦ୍ରରେ ଆଗକୁ ବଢୁଛନ୍ତି। ଆଗାମୀ ଦୁଇ ଦିନ ମଧ୍ୟରେ ଜାହାଜ ମୁମ୍ବାଇ ଅଥବା କାଣ୍ଡଲା ବନ୍ଦରରେ ପହଞ୍ଚି ପାରନ୍ତି। ଏହି ଯୋଗାଣ ପହଞ୍ଚିବା ପରେ ଦେଶରେ ଦେଖା ଦେଇଥିବା ଗ୍ୟାସ ସଂକଟ ଟଳିବ ବୋଲି ଆଶା କରାଯାଉଛି।

ପ୍ରମୁଖ ସାମୁଦ୍ରିକ କେନ୍ଦ୍ରରେ ପରିଣତ ହୋଇଛି କାଣ୍ଡଲା ବନ୍ଦର
ଉଲ୍ଲେଖଯୋଗ୍ୟ ଯେ ଭାରତ ନିଜର ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ ନିମନ୍ତେ ଉପସାଗରୀୟ ଦେଶଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏଣୁ ସପ୍ଲାଇ ଚେନ୍ ରେ ସାମାନ୍ୟ ଅସୁବିଧା ବି ଦେଶ ଲାଗି ବଡ଼ ସଂକଟର କାରଣ ହୋଇପାରେ। ଯେପରି ନିକଟରେ ଭୋପାଳ ଭଳି ସହରରେ ଦେଖିବାକୁ ମିଳିଥିଲା। ମଧ୍ୟପ୍ରାଚ୍ୟରେ ଉପୁଜିଥିବା ପରିସ୍ଥିତିରେ ଭାରତର କାଣ୍ଡଲା ବନ୍ଦର ଏବେ ପ୍ରମୁଖ ସାମୁଦ୍ରିକ କେନ୍ଦ୍ରରେ ପରିଣତ ହୋଇଛି। ହୋର୍ମୁଜ ଷ୍ଟ୍ରେଟରେ ବଢୁଥିବା ବିପଦକୁ ନଜରରେ ରଖି ପାଖାପାଖି ୨୨ଟି ଜାହାଜ କାଣ୍ଡଲା ବନ୍ଦର ଆଡକୁ ମୁହାଁଇଛନ୍ତି।

ଏହା ଛଡା ଭାରତ ନିଜର ଅନ୍ୟ ୨୮ଟି ଜାହାଜଙ୍କ ସୁରକ୍ଷିତ ଯାତାୟାତ ସୁନିଶ୍ଟିତ କରିବା ପାଇଁ ଇରାନ ସହିତ ଲଗାତାର କୂଟନୈତିକ ବାର୍ତ୍ତା ଜାରି ରଖିଛି। ବିଶେଷଜ୍ଞଙ୍କ ଅନୁସାରେ ଏହି ଦୁଇଟି ଜାହାଜ ନନ୍ଦା ଦେବୀ ଓ ଶିବାଲିକ୍ ସୁରକ୍ଷିତ ଆସିବା ଏହି କଥାର ସଂକେତ ଦେଉଛି ଯେ ଭାରତ ନିଜର ଇନ୍ଧନ ଯୋଗାଣ ସୁରକ୍ଷିତ ରଖିବା ପାଇଁ ପ୍ରଭାବଶାଳୀ ବ୍ୟବସ୍ଥା କରିପାରିଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button