Forest Fire: ଶୀର୍ଷରେ ନବରଙ୍ଗପୁର ବନାଗ୍ନି, ୩ ରେଞ୍ଜରଙ୍କ ଦରମା ବନ୍ଦ
ଚଳିତ ବର୍ଷ ରାଜ୍ୟରେ ସର୍ବାଧିକ ନିଆଁ ନବରଙ୍ଗପୁର ଜିଲ୍ଲାରେ ଲାଗିଛି। ନବରଙ୍ଗପୁର ବନଖଣ୍ଡରେ ଜାନୁଆରିରୁ ମାର୍ଚ୍ଚ୨୪ ମଧ୍ୟରେ ୧୨୦୬ଟି ସ୍ଥାନରେ ନିଆଁ ଲାଗିଛି। ଏଥିରେ ୨୩୪.୬୨ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି।

ନବରଙ୍ଗପୁର (ସୁରେଶ ନାଇଡ଼ୁ): ଚଳିତବର୍ଷ ନବରଙ୍ଗପୁର ବନଖଣ୍ଡରେ ଜାନୁଆରିରୁ ମାର୍ଚ୍ଚ୨୪ ମଧ୍ୟରେ ୧୨୦୬ଟି ସ୍ଥାନରେ ନିଆଁ ଲାଗିଛି। ଏଥିରେ ୨୩୪.୬୨ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ଏହି ଘଟଣାରେ ରାଜ୍ୟ ସରକାର ବନଖଣ୍ଡ ଅଧିକାରୀ (ଡିଏଫ୍ଓ)ଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଅପରପକ୍ଷରେ, ଘଟଣାର ତଦନ୍ତ କରି ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଥିବାରୁ ଡିଏଫ୍ଓ ୩ ରେଞ୍ଜରଙ୍କ ଦରମା ବନ୍ଦ କରିଛନ୍ତି।
ନବରଙ୍ଗପୁରରେ ଅନିୟନ୍ତ୍ରିତ ବନାଗ୍ନି ଘଟଣାକୁ ରାଜ୍ୟ ସରକାର ଗୁରତର ସହ ନେଇଛନ୍ତି। ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେହିପରି ଡିଏଫଓ ଶ୍ରୀ ବେହେରା ଝରିଗାଁ, ରାଇଘର ଓ ଉମରକୋଟ ରେଂଜରଙ୍କର ମାସକର ଦରମା ବନ୍ଦ କରିଛନ୍ତି।
ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ବନଖଣ୍ଡ ଅଧିକାରୀ କହିଛନ୍ତି, ଯେତେ ବନସୁରକ୍ଷା ସମିତି ଗଠନ କରି ସଚେତନତା ସୃଷ୍ଟି କରିବା ସତ୍ତ୍ବେ ଜାଳେଣୀ କାଠ, ମକା ଚାଷ, ପୋଡ଼ୁଚାଷ ନିମନ୍ତେ ଲୋକମାନେ ନିଆଁ ଲଗାଉଛନ୍ତି। ଏସିଏଫ୍ଓ ସୁଶାନ୍ତ ଖୁଣ୍ଟିଆ କହିଛନ୍ତି, ନିଆଁ ଲିଭାଇବାକୁ ଯଥାସମ୍ଭବ ଉଦ୍ୟମ କରାଯାଉଛି। ଜୀବନକୁ ବାଜି ଲଗାଇ ନିଆଁ ଲିଭାଇବା ସ୍ଥାନରେ ବିଭାଗର କର୍ମଚାରୀମାନେ କାମ କରୁଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ସର୍ବାଧିକ ନିଆଁ ନବରଙ୍ଗପୁର ଜିଲ୍ଲାରେ ଲାଗିଛି। ଛୋଟ ବଡ ପାହାଡରେ ନିଆଁ ଲଗାଉଥିବାରୁ ପାରାସ୍କ୍ବାର୍ଡ, ନିଆଁ ଲିଭା ଦଳ ପାହାଡ ଉପରକୁ ଯାଇ ଲିଭାଇ ତଳକୁ ଫେରିବା ବେଳକୁ ପୁଣି ଲାଗୁଛି। ନିଆଁ ଲିଭାଇ ଲିଭାଇ ନାକେଦମ୍ ହୋଇ ପଡ଼ିଛି ବନବିଭାଗ। ଚଳିତ ବର୍ଷ ଜାନୁଆରିରୁ ଆଜି ଯାଏଁ ସର୍ବାଧିକ ଝରିଗାଁ ୪୩୬, ରାଇଘର ୨୭୬ ଓ ଉମରକୋଟ ୩୧୩, ରେଂଜରେ ଅଧିକା ସ୍ଥାନରେ ନିଆଁ ଲାଗିଛି। ନବରଙ୍ଗପୁର ରେଞ୍ଜ୍ରେ ୫୮ଟି, କୋଡ଼ିଙ୍ଗା ୩୬ଟି, ଡାବୁଗାଁ ୮୭ଟି ଆଜି ପର୍ଯ୍ୟନ୍ତ ୧୨୦୬ଟି ୨୩୪.୬୨ହେକ୍ଟରରେ ନିଆଁ ଲାଗିଛି। ତତକ୍ଷଣାତ ଏକହଜାରରୁ ଊର୍ଦ୍ଧ୍ବ ସ୍ଥାନରେ ନିଆଁ ଲିଭା ଯାଇଛି। ପ୍ରକାଶଯୋଗ୍ୟ, ଗତ ୨୦୨୪ଜୁନ ମାସ ଯାଏଁ ୭୧୮ଟି ଓ ୨୦୨୫ମସିହାରେ ୧୨୫୬ଟି ସ୍ଥାନରେ ନିଆଁ ଲାଗିଥିଲା। ଗତ ବର୍ଷ ଜାନୁଆରି ଓ ଫେବ୍ରୁଆରି ମାସରେ ୭୩୭ଟି ସ୍ଥାନରେ ଲାଗିଥିବା ବେଳେ ଏବର୍ଷ ୭୪ଟି ସ୍ଥାନ କମିଛି।
ସୌଜନ୍ୟ ସମ୍ବାଦ




