Breaking News

ନୂଆ ନୂଆ ଉତ୍ପାଦ ଲୋକାର୍ପଣ କରିବାଠାରୁ ଆରମ୍ଭ କରି ପୁଞ୍ଜିନିବେଶକୁ ଆକର୍ଷିତ କରିବା ପର୍ଯ୍ୟନ୍ତ, ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଗତ ୪ ବର୍ଷ ମଧ୍ୟରେ ବେଶ୍‌ ଅଭିବୃଦ୍ଧି ହାସଲ କରିଛି

ପର୍ଯ୍ୟଟନ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପର୍ଯ୍ୟଟନ ବିଭାଗର ବିଗତ ୪ ବର୍ଷର ବିଭିନ୍ନ ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ଏବଂ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ବାବଦରେ ସମୀକ୍ଷା କରିଥିଲେ । ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ  ଅଶ୍ୱିନୀ କୁମାର ପାତ୍ର ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭିନ୍ନ ଲକ୍ଷ୍ୟ ହାସଲରେ ବିଗତ ୪ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ଅନ୍ୟାନ୍ୟ ରୂପାନ୍ତରଣଶୀଳ ପଦକ୍ଷେପଗୁଡ଼ିକ ବାବଦରେ ଉଲ୍ଲେଖ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ପରେ ଗୀତଗୋବିନ୍ଦ ସଦନରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ୨୦୦୦ ମସିହାରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ବିପର୍ଯ୍ୟୟ ପରିଚାଳନା ଓ ଦାରିଦ୍ର୍ୟ ଭଳି ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବର୍ତ୍ତମାନ ଏହା ବହୁ ଆଗକୁ ବଢ଼ିଛି । ବିଶେଷ କରି ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଗତ ୪ ବର୍ଷ ମଧ୍ୟରେ ଅଭୂତପୂର୍ବ ହୋଇଛି ।

ରାଜ୍ୟରେ ଜିଲ୍ଲା ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଗଠନ ପାଇଁ ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି ଏବଂ ପର୍ଯ୍ୟଟନରେ ବ୍ୟବସାୟିକ ସୁଯୋଗ ଯୋଗାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଦୁଇଟି ପ୍ରତିଶ୍ରୁତିକୁ ପୂରଣ କରି ବିଭାଗ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨ ଅନୁଯାୟୀ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ସ୍ଥାନୀୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ  ଗଠନ କରାଯାଇଛି । ଏହି ପରିଷଦଗୁଡ଼ିିକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ । ଏହାବ୍ୟତୀତ ପର୍ଯ୍ୟଟନ ବିଭାଗ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଥିବା ୨୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବଂ ୧୨ଟି କାଫେଟେରିଆକୁ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ।

କୋଭିଡ୍‌ ମହାମାରୀ ସତ୍ତେ୍ୱ ୨୦୨୧ରେ ରାଜ୍ୟରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୩୭ ଲକ୍ଷ ୪୨ ହଜାର ୨୨୧ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଙ୍ଖ୍ୟା ୨ ହଜାର ୨୬୯ ରହିଛି, ଯାହା ଆଗକୁ ଆହୁରି ବଢ଼ିବ ବୋଲି ଆଶା
କରାଯାଉଛି । କୋଭିଡ୍‌ ଭଳି ମହାମାରୀ ଏବଂ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସତ୍ତେ୍ୱ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଦ୍ରୁତ ଅଭିବୃଦ୍ଧି ଲାଭ କରିଛି । ଗତ ୪ ବର୍ଷ ମଧ୍ୟରେ ୫୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ସହିତ ରାଜ୍ୟରେ ଅଗ୍ରଣୀ ଗ୍ଲୋବାଲ ହସ୍ପିଟାଲିଟି ଏବଂ ଆମୋଦପ୍ରମୋଦ ପାର୍କ ବ୍ରାଣ୍ଡର ପ୍ରବେଶ ସହିତ ଏହା ପ୍ରତିଫଳିତ ହୋଇଛି । ତାଜ୍‌ ଭିଭାନ୍ତା, ଆଇଟିସି େୱଲକମ୍‌, ଲେମନ୍‌ ଟ୍ରି, ପାର୍କ ହୋଟେଲ୍ସ ଏବଂ ନୋଭୋଟେଲ୍‌ ଭଳି ଗ୍ଲୋବାଲ୍‌ ହସ୍ପିଟାଲିଟି ବ୍ରାଣ୍ଡ୍‌ଗୁଡିକ ଭୁବନେଶ୍ୱର ଏବଂ ଗୋପାଳପୁରରେ ହୋଟେଲ ପ୍ରତିଷ୍ଠା ସହିତ ରାଜ୍ୟରେ ପ୍ରବେଶ କରିଛନ୍ତି । ଏହାବ୍ୟତୀତ ତାଜ୍‌ ଗ୍ରୁପ୍‌ ଓ ସ୍ୱାସ୍ତି ଗ୍ରୁପ୍‌ ପୁରୀରେ ହୋଟେଲ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଭାରତର ଅଗ୍ରଣୀ ଆମୋଦପ୍ରମୋଦ ପାର୍କ ୱଣ୍ଡରଲା ଭୁବନେଶ୍ୱରରେ ଦେଶର ଚତୁର୍ଥ ଆମୋଦପ୍ରମୋଦ ପାର୍କ ଖୋଲିବାକୁ ଯାଉଛି । ଏଭଳି ଅଗ୍ରଣୀ ପୁଞ୍ଜିନିବେଶକାରୀମାନେ ରାଜ୍ୟକୁ ପ୍ରବେଶ କରିବା ଦ୍ୱାରା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ କେତେ ସମ୍ଭାବନା ସୃଷ୍ଟି କରିଛି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର କହିଥିଲେ ଯେ ୨୦୨୨-୨୩ ବର୍ଷରେ ପର୍ଯ୍ୟଟନ ବିଭାଗର ବଜେଟ୍‌ ୬୬୦ କୋଟି ଟଙ୍କା ହୋଇଥିବାବେଳେ ୨୦୦୦-୦୧ ରେ ଏହା ୨.୬୭ କୋଟି ଟଙ୍କା ଥିଲା, ଯାହା ଓଡ଼ିଶା ସରକାର ପର୍ଯ୍ୟଟନ କ୍ଷେତ୍ର ପ୍ରତି ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଦର୍ଶାଉଛି । ଏଥିରେ ୨୪୬୧୯% ବା ୨୪୬.୧୯ ଗୁଣ ବୃଦ୍ଧି ଘଟିଛି । ସେ ଆହୁରି କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି । ୨୦୦୦ ମସିହାରେ ରାଜ୍ୟ ପକ୍ଷରୁ ସ୍ୱାଗତ କରାଯାଇଥିଲା ୨୮,୮୮,୩୯୨ ଜଣ ଘରୋଇ ପର୍ଯ୍ୟଟକ ଓ ୨୩୭୨୩ ଜଣ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଯାହା କୋଭିଡ ମହାମାରୀ ଆରମ୍ଭ ହେବା ପର୍ଯ୍ୟନ୍ତ ୨୦୧୯ ରେ ୧,୫୩,୦୭,୬୩୭ ଘରୋଇ ପର୍ଯ୍ୟଟକ (୪୩୩% ବୃଦ୍ଧି) ଏବଂ ୧,୧୫,୧୨୮ ଅନ୍ତର୍ଜାତୀୟ ପର୍ଯ୍ୟଟକ (୩୮୫% ବୃଦ୍ଧି) ଆସିଛନ୍ତି ।

ରାଜ୍ୟ ଭିତରେ ଉନ୍ନତମାନର ସଡ଼କ ଯୋଗାଯୋଗ ସହିତ ଦେଶ ଏବଂ ଦେଶ ବାହାରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ଯୋଗାଯୋଗ ବୃଦ୍ଧି, ଅପରାଧ ହାର କମ୍‌, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚମତ୍କାର ପରିବର୍ତ୍ତନ, ଦକ୍ଷତା ବିକାଶ, ଆଧାର ବୃଦ୍ଧି ଏବଂ ସ୍ଥିର ସରକାର ନିବେଶକଙ୍କ ଆତ୍ମବିଶ୍ୱାସ ବଢ଼ାଉଛି, ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମ ଫଳରେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇବା ସହ ପର୍ଯ୍ୟଟନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ।
ଯେତେବେଳେ ମହାମାରୀ ସମୟରେ ଯାତ୍ରା କଟକଣା ପ୍ରଚଳନ ଥିଲା, ସେତେବେଳେ ଓଡିଶା ସରକାର ରାଜ୍ୟରେ ଏକ ସ୍ଥାୟୀ ପର୍ଯ୍ୟଟନ ପରିବେଶର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିଥିଲେ ।

ଏଥିସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସୁରେନ୍ଦ୍ର କୁମାର ୫-‘ଟି’ ଢାଞ୍ଚା ଅନୁସାରେ ବିକଶିତ ହୋଇଥିବା ନୂତନ ଏବଂ ଅଭିନବ ପର୍ଯ୍ୟଟନ ଉତ୍ପାଦର ଦାୟିତ୍ୱପୂର୍ଣ୍ଣ ପରିକଳ୍ପନା ପାଇଁ ନିଆଯାଇଥିବା ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ରାଜ୍ୟର ୨୦୧୯ ରେ ଗୋଟିଏ ସ୍ଥାନରୁ ଆରମ୍ଭ କରି ୨୦୨୨ରେ ୭ଟି ସ୍ଥାନକୁ ଇକୋ ରିଟ୍ରିଟ୍‌ ର ସମ୍ପ୍ରସାରଣ କରାଯାଇଛି । ରାଜ୍ୟର ଜୈବ ବିବିଧତା ତଥା ପରିବେଶଭିତ୍ତିକ ଆକର୍ଷଣୀୟ ଶିବିର ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଏହାର ଲକ୍ଷ । ଏହି ପ୍ରକଳ୍ପ ମାଧ୍ୟମରେ କୋଣାର୍କର ରାମଚଣ୍ଡୀ ବେଳାଭୂମି ବ୍ୟତୀତ ସାତକୋଶିଆ, ଭିତରକନିକା, ହୀରାକୁଦ, ଦାରିଙ୍ଗବାଡି, ପୁଟସିଲ ଏବଂ ସୋନାପୁର ଭଳି ଅଧିକ ପର୍ଯ୍ୟଟନ ସମ୍ଭାବନା ଥିବା ସ୍ୱଳ୍ପ ପରିଚିତ ପର୍ଯ୍ୟଟନ ସ୍ଥଳୀକୁ ଲୋକମାନଙ୍କ ନିକଟରେ ପରିଚିତ କରାଇବା ପାଇଁ ଏକ ପ୍ରୟାସ ।
ଗଞ୍ଜାମସ୍ଥିତ ତାମ୍ପରା ହ ୍ରଦ ସମ୍ମୁଖ ପ୍ରକଳ୍ପରେ ଜଳଭିତ୍ତିକ ମନୋରଞ୍ଜନର ଶୁଭାରମ୍ଭ ଏବଂ କଟକ ମହାନଦୀରେ ସିଲଭର ସିଟି ବୋଟ୍‌ କ୍ଲବ୍‌, ଯାହା ପର୍ଯ୍ୟଟକଙ୍କୁ ଜଳକ୍ରୀଡ଼ା – କାୟାକ୍‌, ଜେଟ୍‌ ସ୍କି, ବାନାନା ବୋଟ୍‌ ଆଦିର ମନୋରଞ୍ଜନ ସୁବିଧା ପ୍ରଦାନ କରିଥାଏ ।

ସମୁଦ୍ର ପର୍ଯ୍ୟଟନ ହେଉଛି ଅନ୍ୟ ଏକ ଜଳଭିତ୍ତିକ ମନୋରଞ୍ଜନ ପ୍ରକଳ୍ପ ଯାହା ଉପରେ ଓଡ଼ିଶା ବର୍ତ୍ତମାନ କାର୍ଯ୍ୟ କରୁଛି । ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ୍‌ ବୋଟ୍‌ ଚିଲିକା ୨୦୨୨ରେ ଆରମ୍ଭ ହୋଇଥିବାବେଳେ ହୀରାକୁଦ ଓ ଚିଲିକାରେ ଈrଫiଟe Veଟଟeଝଟ ପ୍ରଚଳନ ପାଇଁ କାମ ଚାଲିଛି । ଏଠାରେ ସୂଚନାଯୋଗ୍ୟ ଯେ ତାମ୍ପରା ହ ୍ରଦ ସମ୍ମୁଖ ବିକାଶ ପ୍ରକଳ୍ପ ସ୍ୱଦେଶଦର୍ଶନ ଯୋଜନାରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଶ୍ରେଷ୍ଠ କାଫେଟେରିଆ ୨୦୨୩ରେ ପୁରସ୍କାର ପାଇଛି ।

ସକ୍ରିୟ ନିବେଶ ସୁବିଧା ଏବଂ ଓଡ଼ିଶାର ପ୍ରଗତିଶୀଳ ପର୍ଯ୍ୟଟନ ନୀତି, ୫୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ବିଶ୍ୱସ୍ତରୀୟ ଆତିଥ୍ୟ ପ୍ରଦାନକାରୀ ସଂସ୍ଥା ଏବଂ ପର୍ଯ୍ୟଟକଙ୍କୁ ମନୋରଞ୍ଜନ ଯୋଗଉଥିବା ସଂସ୍ଥାକୁ ସ୍ୱାଗତ କରିବାରେ ସାହାଯ୍ୟ କରିଛି ।

ଭୁବନେଶ୍ୱର ଓ ପୁରୀରେ ଥିବା ପ୍ରାମାଣିକ ଓଡ଼ିଆ ଖାଦ୍ୟର ଶୃଙ୍ଖଳ ‘ନିମନ୍ତ୍ରଣ’ର ଶୁଭାରମ୍ଭ ମାଧ୍ୟମରେ କୁଇଜିନ ପର୍ଯ୍ୟଟନ ର ପରିଚୟ ।
ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଆତିଥ୍ୟ ପ୍ରଦାନକାରୀ କ୍ଷେତ୍ର ଗୁଡ଼ିକର ପରିବର୍ତ୍ତନ, ଯେଉଁଥିରେ ରହିବା କ୍ଷେତ୍ରଗୁଡ଼ିକୁ ବିଳାସପୂର୍ଣ୍ଣ ରୁମରେ ପରିଣତ କରିବା ଏବଂ ପାନ୍ଥନିବାସ ବ୍ରାଣ୍ଡର ମଲଫିକୁଇଜିନ ରେଷ୍ଟୁରାଣ୍ଟ, ବାର୍‌ ଏବଂ ବେକରୀର ପ୍ରଚଳନ ଏଥିରେ ଅନ୍ତର୍ଭୁକ୍ତ ।
www.odishatourism.gov.in ମାଧ୍ୟମରେ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବୈଷୟକ ଜ୍ଞାନ କୌଶଳରେ ଭିତ୍ତିଭୂମିର ପରିବର୍ତ୍ତନ ସହିତ ଅନଲାଇନ ବୁକିଂ ପୋର୍ଟାଲ୍‌ www.bookodisha.com ଏବଂ ମୋବାଇଲ୍‌ ଆପ୍‌ ବୁକ୍‌ ଓଡ଼ିଶାର ବହୁଳ ପ୍ରସାରିତ । ଏଠାରେ ସୂଚନାଯୋଗ୍ୟ ଯେ ଆଡୋବେ ଏକ୍ସପେରିଏନ୍ସ ମ୍ୟାନେଜର ପ୍ଲାଟଫର୍ମରେ ସୃଷ୍ଟି ହୋଇଥିବା www.odishatourism.gov.in ପର୍ଯ୍ୟଟନ େୱବସାଇଟକୁ ୨୦୧୯ରେ ଫିକି ପକ୍ଷରୁ ପର୍ଯ୍ୟଟନ ଉତ୍କର୍ଷ ପୁରସ୍କାରରେ ଶ୍ରେଷ୍ଠ ପର୍ଯ୍ୟଟନ ବେସାଇଟ ଭାବେ ପୁରସ୍କୃତ କରାଯିବାର ଶ୍ରେୟ ରହିଛି ।
ଏହାବ୍ୟତୀତ ଓଡ଼ିଶାରେ ବେଳାଭୂମି, ଐତିହ୍ୟ, ଜଳାଶୟ ଇତ୍ୟାଦି ରହିଛି । ୧୫ଟି ପ୍ରାଥମିକତାପ୍ରାପ୍ତ ସ୍ଥାନର ସାମଗ୍ରିକ ବିକାଶ ଯଥା ସାତକୋଶିଆ, ହୀରାକୁଦ, ଭିତରକନିକା, ଚିଲିକା, ଚନ୍ଦ୍ରଭାଗା ବେଳାଭୂମି ସମ୍ମୁଖ, ଦାରିଙ୍ଗବାଡି, ତାଳସାରୀ ବେଳାଭୂମି, ଖଣ୍ଡଗିରି-ଉଦୟଗିରି, ଦେଓମାଳୀ, ନୃସିଂହନାଥ-ହରିଶଙ୍କର, ଧବଳେଶ୍ୱର, ମହେନ୍ଦ୍ରଗିରି, ବକୁଳବଣ, ଧଉଳି ଓ ରଘୁରାଜପୁରକୁ ପର୍ଯ୍ୟଟନ ସ୍ଥଳୀର ବ୍ୟବସ୍ଥିତ ବିକାଶକୁ ଶୃଙ୍ଖଳିତ କରିବା ପାଇଁ ସମନ୍ୱିିତ ପର୍ଯ୍ୟଟନ ମାଷ୍ଟରପ୍ଲାନ ମାଧ୍ୟମରେ ନିଆଯାଇଛି । ଏଥି ନିମନ୍ତେ ରାଜ୍ୟ ସରକାର ୧୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହାବ୍ୟତୀତ ଓଡ଼ିଶାର ୩୩ଟି ଚିହ୍ନଟ ପର୍ଯ୍ୟଟନସ୍ଥଳୀ ପାଇଁ ଭିତ୍ତିଭୂମି ବ୍ୟବଧାନ ଆକଳନ ଆଧାରରେ ବିକାଶ ଆରମ୍ଭ ହୋଇଛି ।
୨୦୧୬ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ବିପିଏଲ୍‌ ପରିବାରର ୧୯ ହଜାରରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ତୀର୍ଥଯାତ୍ରାର ସୁବିଧା ଯୋଗାଇ ଦିଆଯାଇଛି । ଓଡ଼ିଶା ପର୍ଯ୍ୟଟନ ଓ ଆଇଆରସିଟିସି ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁୟାୟୀ ୨୦ଟି ତୀର୍ଥଯାତ୍ରାର ଆୟୋଜନ କରାଯାଇଛି ।
ମିଳିତ ଜାତିସଙ୍ଘର ନିରନ୍ତର ବିକାଶ ଲକ୍ଷ୍ୟକୁ ଠିକ୍‌ ସମୟରେ ପୂରଣ କରିବା ପାଇଁ ସାରା ଓଡ଼ିଶାରେ ପର୍ଯ୍ୟଟନ ପ୍ରକଳ୍ପର ବିକାଶ ପାଇଁ ରାଜ୍ୟ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨ ଦ୍ୱାରା ଲାଭଜନକ ନିବେଶ ସୁଯୋଗ ସହିତ ପ୍ରଫେସନାଲ ମ୍ୟାନେଜମେଣ୍ଟ ଏବଂ ଘରୋଇ କ୍ଷେତ୍ରର ଭାଗିଦାରୀ ମାଧ୍ୟମରେ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ପର୍ଯ୍ୟଟନ ବିଭାଗର ଏଭଳି ସକ୍ରିୟ ପଦକ୍ଷେପ ରାଜ୍ୟକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବାରେ ସହାୟକ
ହୋଇଛି । ପର୍ଯ୍ୟଟନ କ୍ଷେତ୍ରର ଚାହିଦାକୁ ଦୃଷ୍ଟିରେ ରଖି ୨୦୧୯-୨୦ରେ ୧୯୪.୧୦ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ରେ ଏହା ୨୪୦ ପ୍ରତିଶତ ବୃଦ୍ଧି ପାଇଁ ୬୬୦ କୋଟି ଟଙ୍କା ହୋଇଛି ।
ଫିକି, ସ୍କୋଚ୍‌, ଟ୍ରାଭେଲ ଲିଜର, ଇଣ୍ଡିଆ ଟୁଡେ, Uକ୍ତଘTକ୍ସ ଇତ୍ୟାଦି ବିଶିଷ୍ଟ ଶିଳ୍ପ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ପୁରସ୍କାର ଏବଂ ସ୍ୱୀକୃତି ସଂଖ୍ୟାରୁ ଏହା ସ୍ପଷ୍ଟ ହୋଇଛି ଯେ ବିଗତ କିଛି ବର୍ଷ ମଧ୍ୟରେ ଓିଶାରେ ଇନବାଉଣ୍ଡ ପର୍ଯ୍ୟଟନ ଆହୁରି ଅଧିକ ପ୍ରାଧାନ୍ୟ ଲାଭ କରିଛି । ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ସାରା ବିଶ୍ୱରେ ଓଡିଶା ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ ବିଭାଗ ଦ୍ୱାରା ନିରନ୍ତର ଉଦ୍ୟମ ଜାରିରହିଛି ବୋଲି ଶ୍ରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଥିଲେ ।
ଏହି ଅବସରରେ ପର୍ଯ୍ୟଟନ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.