
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସତର୍କ କରାଇ ଦେଇଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଯାନର କୌଣସି ଭବିଷ୍ୟତ ନାହିଁ। କାରଣ ବାୟୁ ପ୍ରଦୂଷଣ ଓ ଜୀବାଶ୍ମ ଇନ୍ଧନ ଆମଦାନି ଉପରେ ଦେଶର ଅତ୍ୟଧିକ ନିର୍ଭରଶୀଳତା ବୃଦ୍ଧି ପାଉଥିବାରୁ ଏହି ଗାଡ଼ିଗୁଡ଼ିକ ବେଶି ଦିନ ପ୍ରାସଙ୍ଗିକ ରହିବ ନାହିଁ। ତେଣୁ ଗାଡ଼ି ନିର୍ମାତାମାନଙ୍କୁ ଜୀବାଶ୍ମ ଇନ୍ଧନରୁ ସ୍ୱଚ୍ଛ ବିକଳ୍ପ ଆଡ଼କୁ ପରିବର୍ତ୍ତନ କରିବା ବିଷୟରେ ଚିନ୍ତା କରିବା ଉଚିତ। ଯେଉଁ କମ୍ପାନି ପେଟ୍ରୋଲ, ଡିଜେଲ ଗାଡ଼ି ଦିଗରେ ଆଗକୁ ବଢ଼ିବାକୁ ଚାହୁଛନ୍ତି, ମୁଁ ସେମାନଙ୍କୁ ଜଣାଇ ଦେବାକୁ ଚାହୁଛି ଯେ ସେମାନଙ୍କ ଭବିଷ୍ୟତ ଭଲ ନାହିଁ ବୋଲି ଗଡ଼କରୀ କହିଛନ୍ତି।
ତେଲ ଆମଦାନି କରିବାରେ ବର୍ଷକୁ ୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ଏକ ବଡ଼ ଆର୍ଥିକ ଆହ୍ବାନ। ଏହା ସହିତ ପ୍ରଦୂଷଣ ଆହ୍ବାନ ମଧ୍ୟ ରହିଛି। ଆମଦାନିର ବିକଳ୍ପ, ସୁଲଭ, ପ୍ରଦୂଷଣମୁକ୍ତ ଭବିଷ୍ୟତକୁ ନେଇ ସରକାର ନୀତି ପ୍ରସ୍ତୁତ କରୁଥିବା ସେ କହିଛନ୍ତି। ହାଇଡ୍ରୋଜେନ୍କୁ ସେ ଭବିଷ୍ୟତର ଇନ୍ଧନ ବୋଲି କହିଛନ୍ତି। ଟାଟା ମୋଟର୍ସ, ଭଲ୍ଭୋ, ଇଣ୍ଡିଆନ ଅଏଲ୍, ବିପିସିଏଲ୍ ଓ ଏନ୍ଟିପିସିକୁ ନେଇ ସରକାର ହାଇଡ୍ରୋଜେନ ଚାଳିତ ବସ୍ ଓ ଟ୍ରକ୍ର ପରୀକ୍ଷଣ କରୁଥିବା ଶ୍ରୀ ଗଡ଼କରୀ କହିଛନ୍ତି।
ଫ୍ଲେକ୍ସ-ଫୁଏଲ ବିଷୟରେ ମନ୍ତ୍ରୀ ଗଡ଼କରୀ ଇଥାନଲର ବ୍ୟବହାରକୁ ଏକ ପ୍ରମୁଖ ବିକଳ୍ପ ଇନ୍ଧନ ବୋଲି ଦାବି କରି କହିଥିଲେ। ଖୁଦ ଚାଉଳ, ମକା, ବାଉଁଶ, ନଡ଼ା, ଆଖୁ, ଗୁଡ଼ରୁ ଦେଶରେ ଇଥାନଲ ଉତ୍ପାଦନ କରୁଛି। ଇନ୍ଧନ ଭାବରେ ଇଥାନଲର ବିପୁଳ ସମ୍ଭାବନା ଉପରେ ଆଲୋକପାତ କରି ଗଡକରୀ କହିଛନ୍ତି ଯେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ପୂର୍ବରୁ ଚାଲିଛି, ଏବଂ ସରକାର ଏବେ ଫ୍ଲେକ୍ସ ଇଞ୍ଜିନ ଉପରେ କାମ କରୁଛନ୍ତି।
ସେ ଏଭଳି ଏକ ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି ଯେତେବେଳେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଇ୮୫ ଓ ଇ୧୦୦ ଇନ୍ଧନକୁ ନେଇ ଏକ ଚିଠା ଜାରି କରିଛି। ଇ୮୫ର ଅର୍ଥ ହେଉଛି ୮୫ ପ୍ରତିଶତ ଇଥାନଲ ମିଶା ପେଟ୍ରୋଲ। ଇ୧୦୦ ହେଉଛି ସମ୍ପୂର୍ଣ୍ଣ ଇଥାନଲ୍ରେ ଗାଡ଼ି ଚାଲିବ। ଆମଦାନି ନିର୍ଭରଶୀଳତା ହ୍ରାସ କରିବାକୁ ସରକାର ଏହି ଯୋଜନା ଉପରେ କାମ କରୁଛନ୍ତି।
ସୌଜନ୍ୟ ସମ୍ବାଦ




