gangua canal: ଗଙ୍ଗୁଆର ତଣ୍ଟି ଚିପି ସାରିଲେଣି: ନିଷ୍କାସନ ପଥରେ କୁଢ଼ କୁଢ଼ ଆବର୍ଜନା, ଯେଉଁଠି ପାରୁଛନ୍ତି ଅଳିଆ ଫିଙ୍ଗୁଛନ୍ତି
ପ୍ରାକୃତିକ ନାଳ ଗଙ୍ଗୁଆର ତଣ୍ଟି ଚିପି ସାରିଲେଣି ଅମାନିଆ ରାଜଧାନୀବାସୀ। ସିଧାସଳଖ ଏହା ଭିତରେ କଠିନ ଆବର୍ଜନା ଫିଙ୍ଗୁଛନ୍ତି। କୁଢ଼କୁଢ଼ ଆବର୍ଜନା ଏହାର ନିଷ୍କାସନ ପଥକୁ ଅବରୋଧ କରି ସାରିଲାଣି। ଆରମ୍ଭରୁ ଶେଷ, ଯୁଆଡ଼େ ଚାହିଁଲେ କେବଳ ଆବର୍ଜନା ହିଁ ଆବର୍ଜନା।

ଭୁବନେଶ୍ବର: ପ୍ରାକୃତିକ ନାଳ ଗଙ୍ଗୁଆର ତଣ୍ଟି ଚିପି ସାରିଲେଣି ଅମାନିଆ ରାଜଧାନୀବାସୀ। ସିଧାସଳଖ ଏହା ଭିତରେ କଠିନ ଆବର୍ଜନା ଫିଙ୍ଗୁଛନ୍ତି। କୁଢ଼କୁଢ଼ ଆବର୍ଜନା ଏହାର ନିଷ୍କାସନ ପଥକୁ ଅବରୋଧ କରି ସାରିଲାଣି। ଆରମ୍ଭରୁ ଶେଷ, ଯୁଆଡ଼େ ଚାହିଁଲେ କେବଳ ଆବର୍ଜନା ହିଁ ଆବର୍ଜନା। ଆଗରୁ ସହରବାସୀ ସିଧାସଳଖ ଘରର ଶୌଚାଳୟ ବର୍ଜ୍ୟ ଗଙ୍ଗୁଆକୁ ଛାଡ଼ୁଥିବାରୁ ଏହା ପ୍ରଦୂଷିତ ଓ ସଂକ୍ରମଣଯୁକ୍ତ ହୋଇ ରହିଛି। ଜବରଦଖଲ ବି ନାଳର କଳେବରକୁ ସଂକୁଚିତ କରିବାରେ ଲାଗିଛି। ଏଭଳି ସ୍ଥିତିରେ ମାଟିରେ ମିଶୁନଥିବା କଠିନ ବର୍ଜ୍ୟବସ୍ତୁ ଏହାର ପଥରୋଧ କରିବା ଚିନ୍ତାର କାରଣ ପାଲଟିଛି।
ଗଙ୍ଗୁଆର ପୁନରୁଦ୍ଧାର, ନାଳ ପାଣିର ବିଶୋଧନ ସହ ଏହାକୁ ଜବରଦଖଲମୁକ୍ତ କରିବାକୁ ଗଙ୍ଗୁଆ ସମନ୍ବୟ କମିଟି ନାଁରେ ରାଜ୍ୟ ସରକାର ବର୍ଷେ ତଳେ ଏକ ୧୦ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଯେଉଁଥିରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଅଧ୍ୟକ୍ଷ, ବିଡିଏ, ବିଏମ୍ସି, ଜଳନିଗମ, ସ୍ବେରେଜ ବୋର୍ଡ, ବନ ବିଭାଗ, ପର୍ଯ୍ୟଟନ ବିଭାଗ, କଟକ ଡ୍ରେନେଜ୍ ମୁଖ୍ୟଯନ୍ତ୍ରୀ ସଦସ୍ୟ ରହିଛନ୍ତି। ଶକ୍ତି ବିଭାଗ ନୋଡାଏ ଏଜେନ୍ସି ଥିବା ବେଳେ ଡ୍ରେନେଜ୍ ସର୍କଲ୍ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଆବାହକ ରହିଛନ୍ତି। କମିଟି ଗଠନକୁ ବର୍ଷେ ବିତିଲାଣି, କିନ୍ତୁ ଗଙ୍ଗୁଆ ସ୍ଥିତି ଯଥା ପୂର୍ବଂ ତଥା ପରଂ। ୱାଟ୍କୋ ଗଙ୍ଗୁଆ ଜଳ ବିଶୋଧନ ପ୍ରକଳ୍ପ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ଗଙ୍ଗୁଆ ଜଳର ପ୍ରଦୂଷଣ ମାତ୍ରା ଯାଞ୍ଚ କରିବା ପାଇଁ ଠିକାସଂସ୍ଥା ଚୟନ ପ୍ରକ୍ରିୟା ଜାରି ରଖିଛନ୍ତି। ଅଥଚ ଅମାନିଆଙ୍କୁ ଆବର୍ଜନା ଫିଙ୍ଗିବାରେ ବାରଣ କରାଯାଉନି। ଜଗିବାକୁ କି ଦେଖିବାକୁ କେହିନାହାନ୍ତି। ଫଳସ୍ବରପ ସମସ୍ତେ ମନଇଚ୍ଛା ଗଙ୍ଗୁଆରେ ଆବର୍ଜନା ଫିଙ୍ଗୁଛନ୍ତି। ଯଦ୍ବାରା ପ୍ରଦୂଷଣ ବଢ଼ିବା ସହ ଜଳପଥ ଅବରୋଧ ହେଉଛି। ସ୍ଥିତି ଏପରି ଯେ ଅନେକ ଜାଗାରେ ନାଳ ପୋତି ହୋଇଗଲାଣି।
ନିଷ୍କାସନ ପଥରେ କୁଢ଼ କୁଢ଼ ଆବର୍ଜନା
ଯେଉଁଠି ପାରୁଛନ୍ତି ଅଳିଆ ଫିଙ୍ଗୁଛନ୍ତି
ସ୍ଥାଣୁ ପାଲଟିଛି ବିଶେଷଜ୍ଞ କମିଟି
ଗଙ୍ଗୁଆ ନାଳର ଲମ୍ବ ୩୫.୭ କିଲୋମିଟର, ଓସାର ପ୍ରାୟ ୩୦ ମିଟର ଓ ଗଭୀରତା ପ୍ରାୟ ୨.୬୨ ମିଟର। ଜଳ ଗ୍ରହଣ ଅଞ୍ଚଳ ୭୫.୬ ବର୍ଗ କିଲୋମିଟର। ଏହା ଗାଡ଼କଣରୁ ବାହାରି ବିଏମ୍ସି ଦେଇ ପିପିଲି କଣ୍ଟିଠାରେ ଦୟା ନଦୀରେ ମିଶିଛି। ବିଏମ୍ସିରୁ ଦୈନିକ ୧୦୭ ଏମ୍ଏଲ୍ଡି ବର୍ଜ୍ୟଜଳ ବାହାରୁଛି। ଯେଉଁଥିରୁ ଘରୋଇ ବର୍ଜ୍ୟଜଳ ୪୬ ଏମ୍ଏଲ୍ଡି, ଶିଳ୍ପ ବର୍ଜ୍ୟଜଳ ୨୯ ଏମ୍ଏଲ୍ଡି ଓ ମିଶ୍ରିତ ବର୍ଜ୍ୟଜଳ ୩୦.୩୫ ଏମ୍ଏଲ୍ଡି। ସବୁ ବର୍ଜ୍ୟଜଳ ଗଙ୍ଗୁଆ ଦେଇ ନିଷ୍କାସିତ ହେଉଛି। ଏକାଧିକ ପ୍ରାକୃତିକ ନାଳ ସହ ଅନ୍ୟାନ୍ୟ ନାଳ ଦେଇ ଏହି ବର୍ଜ୍ୟଜଳ ଗଙ୍ଗୁଆରେ ମିଶିଛି। ରାଜଧାନୀବାସୀଙ୍କ ସମସ୍ୟା ଦୂର କରିବାରେ ଗଙ୍ଗୁଆ ପ୍ରମୁଖ ଭୂମିକା ତୁଲାଇ ଆସୁଛି। ତେଣୁ ସରକାର ଏକାଧିକ ଥର ଗଙ୍ଗୁଆ ପୁନରୁଦ୍ଧାର କଥା ଚିନ୍ତା କଲେଣି। କିନ୍ତୁ ଏହା ଫଳପ୍ରଦ ହୋଇପାରିନି। ପରିଣାମ ସ୍ବରୂପ ଗଙ୍ଗୁଆ ଏବେ ଆବର୍ଜନାରେ ଭର୍ତ୍ତି। ଜରି, ଥର୍ମୋକଲ୍, ପଇଡ଼ ଚୋପା, ନିର୍ମାଣ ବର୍ଜ୍ୟ ନିଷ୍କାସନ ପଥ ଅଟକାଇ ରଖିଛି। ଅନାବନା ଗଛ ସବୁ ନାଳ ଭିତରେ ଚରିଗଲାଣି। ଫଳରେ ଗଙ୍ଗୁଆ ଦେଇ ଆବର୍ଜନା ଜଳ ନିଷ୍କାସନ ହୋଇପାରୁନି। ଯେତିକି ପରିମାଣର ଆବର୍ଜନା ପାଣି ନିଷ୍କାସନ ହେବା କଥା ସେତିକି ହୋଇ ନପାରି ଜମା ହୋଇ ରହୁଛି। ଏବେଠୁ ଏଥିପ୍ରତି ଦୃଷ୍ଟି ଦେବାକୁ ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




