ଇସଲାମାବାଦ: ସାରା ବିଶ୍ୱରେ ଇନ୍ଧନ ସଙ୍କଟ ଘନଉଥିବା ବେଳେ ପାକିସ୍ତାନ ଏବେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼ୁଥିବା ସଂଗଠନଗୁଡ଼ିକ ପକ୍ଷରୁ କରାଯାଇଥିବା ସିରିଜ୍ ଆକ୍ରମଣରେ ପାକିସ୍ତାନୀ ସେନା ଛତ୍ରଭଙ୍ଗ ଦେଇଥିବା ବେଳେ ଦେଶର ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ଗ୍ୟାସ୍ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।
ବଲୁଚ୍ ରିପବ୍ଲିକାନ୍ ଗାର୍ଡସ୍ (ବିଆରଜି) ବୁଧବାର ସନ୍ଧ୍ୟାରେ ସିନ୍ଧ ପ୍ରଦେଶର କାଶମୋର ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ କରିଛି। ସୁଇ ଗ୍ୟାସ୍ କ୍ଷେତ୍ରରୁ କରାଚୀକୁ ଇନ୍ଧନ ନେଇଯାଉଥିବା ୩୬ ଇଞ୍ଚର ପ୍ରମୁଖ ପାଇପଲାଇନକୁ ବିସ୍ଫୋରକ ଦ୍ୱାରା ଉଡ଼ାଇ ଦିଆଯାଇଛି। ବିଆରଜି ମୁଖପାତ୍ର ଦୋସ୍ତାଇନ୍ ବଲୁଚ୍ କହିଛନ୍ତି ଯେ, ବଲୁଚିସ୍ତାନର ପ୍ରାକୃତିକ ସମ୍ପଦକୁ ପାକିସ୍ତାନ ସରକାର ଯେଉଁ ଶୋଷଣ କରୁଛନ୍ତି, ଏହା ତାହାର କଡ଼ା ଜବାବ।
ପାକିସ୍ତାନ ସରକାର କରୁଥିବା ଶୋଷଣର କଡ଼ା ଜବାବ
ଅନ୍ୟପଟେ, ବଲୁଚିସ୍ତାନ ଲିବରେସନ ଫ୍ରଣ୍ଟ (ବିଏଲଏଫ୍) ସେନା ବିରୁଦ୍ଧରେ ଏକ ବଡ଼ ଅପରେସନ ଆରମ୍ଭ କରିଛି। ଟମ୍ପ ଅଞ୍ଚଳର ଆପସି ଖାନଠାରେ ଥିବା ପାକିସ୍ତାନୀ ସାମରିକ ଚେକପୋଷ୍ଟକୁ ଚାରିପଟୁ ଘେରିଯାଇ ବିଏଲଏଫ୍ ଯୋଦ୍ଧାମାନେ ରକେଟ୍, ମୋର୍ଟାର ଓ ସ୍ନାଇପର ରାଇଫଲ୍ରେ ପ୍ରବଳ ଗୁଳିବର୍ଷା କରିଥିଲେ। ଏହି ଭୟଙ୍କର ରକ୍ତପାତରେ ୧୫ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ସେନା ମୃତଦେହ ଉଦ୍ଧାର କରିବାକୁ ଯାଉଥିବା ସମୟରେ ବିଦ୍ରୋହୀମାନେ ପୂର୍ବରୁ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ କରିଥିଲେ, ଯେଉଁଥିରେ ସାମରିକ ଗାଡ଼ି ସହ ଆହୁରି ୪ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି।
ଏହା ବ୍ୟତୀତ, ତୁରବତ ନିକଟରେ ପଞ୍ଜାବ ପ୍ରଦେଶକୁ ଯାଉଥିବା ଦୁଇଟି ଗ୍ୟାସ୍ ଟ୍ୟାଙ୍କରକୁ ବିଦ୍ରୋହୀମାନେ ନିଆଁ ଲଗାଇ ଭସ୍ମ କରିଦେଇଛନ୍ତି। ଏହି ଘଟଣା ପରେ ପାକିସ୍ତାନର ଶିଳ୍ପାଞ୍ଚଳଗୁଡ଼ିକୁ ଗ୍ୟାସ୍ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଦେଶରେ ଏକ ବଡ଼ ଧରଣର ଅର୍ଥନୈତିକ ସଙ୍କଟ ଦେଖାଦେଇଛି।
ସୌଜନ୍ୟ ସମ୍ବାଦ
