ବିବାହ ବିଷୟରେ ଜାଣିଦେବା ଡରରେ ପ୍ରେମିକାକୁ ୫୦ଖଣ୍ଡ କରିଦେଲା ପ୍ରେମିକ

ଖୁଣ୍ଟି(ଝାଡ଼ଖଣ୍ଡ): ବିବାହ ବିଷୟରେ ଜାଣିଦେବା ଡରରେ ପ୍ରେମିକାକୁ ୫୦ଖଣ୍ଡ କରିଦେଲା ପ୍ରେମିକ। ଝାଡ଼ଖଣ୍ଡର ଖୁଣ୍ଟିରେ ଘଟିଛି ଏଭଳି ଘଟଣା। ପ୍ରେମିକା ସହ ଲିଭ୍-ଇନରେ ରହି ବି ଅନ୍ୟ ମହିଳାଙ୍କୁ ଲୁଚି ଲୁଚି ବିବାହ କରିଥିଲା ଅଭିଯୁକ୍ତ। ଏବିଷୟରେ ଜଣାପଡ଼ିଯିବା ଡରରେ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିବା ସହ ପ୍ରେମିକାକୁ ଅଭିଯୁକ୍ତ ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ପୁଲିସ ଅଭିଯୁକ୍ତ ନରେଶ ଭେଙ୍ଗ୍ରାକୁ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ଘଟଣାଟି ନଭେମ୍ବର ୮ରେ ଘଟିଥିବା ବେଳେ ନଭେମ୍ବର ୨୪ରେ ସାମ୍ନାକୁ ଆସିଥିଲା। ଏକ ବୁଲା କୁକୁର ପୀଡ଼ିତାଙ୍କ ହାତ ପାଟିରେ ଧରି ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହା ପରେ ପୁଲିସ ତଦନ୍ତ କରି ମହିଳାଙ୍କ ଶରୀରର ଅନ୍ୟ ଅଂଶଗୁଡ଼ିକ ଖୋଜିପାଇଥିଲା। ଅଧିକ ତଦନ୍ତ କରାଯିବା ପରେ ପୁଲିସ ହାତରେ ଧରାପଡ଼ିଥିଲା ନରେଶ। ଅଭିଯୁକ୍ତ ପଚରାଉଚରା ବେଳେ ହତ୍ୟା କରିଥିବା ସ୍ବୀକାର କରିବା ସହ ପୂରା କାହାଣୀ ଜଣାଇଥିଲେ।

ପୁଲିସର କହିବା ମୁତାବକ, ଅଭିଯୁକ୍ତ ତାମିଲନାଡୁରେ କଂସେଇ ଭାବେ କାମ କରେ। ସେ ମୃତକଙ୍କ ସହ କିଛି ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲା। ହେଲେ କିଛି ମାସ ତଳେ ଝାଡ଼ଖଣ୍ଡରେ ଥିବା ନିଜ ଗାଁକୁ ଫେରି ସେ ଅନ୍ୟ ମହିଳାଙ୍କୁ ବିବାହ କରିଥିଲା। ଏହା ପରେ ସେ ପତ୍ନୀଙ୍କୁ ନନେଇ ପୁଣି ତାମିଲନାଡୁ ଫେରିଯାଇଥିଲା। ସେଠାକୁ ଯିବା ପରେ ମୃତକ, ନରେଶ ସହ ତା’ ଘରକୁ ଆସିବାକୁ ଜିଦ୍ ଧରିଥିଲେ। କ’ଣ କରିବ ବୋଲି କିଛି ଜାଣିନପାରି ଅଭିଯୁକ୍ତ ମୃତକଙ୍କୁ ଝାଡ଼ଖଣ୍ଡ ଆଣି ଘରକୁ ନେବା ପରିବର୍ତ୍ତେ ଘର ପାଖ ଜଙ୍ଗଲକୁ ନେଇଯାଇଥିଲା। ସେଠାରେ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ, ମୃତକଙ୍କୁ ହତ୍ୟା କରି ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ ଏବଂ ଜଙ୍ଗଲରେ ଫିଙ୍ଗି ଘରକୁ ଚାଲିଆସିଥିଲେ।
ସୌଜନ୍ୟ-ସମ୍ୱାଦ

Related Articles

Back to top button