
ଭୁବନେଶ୍ୱର ୨୦/୦୩: ଘରଚଟିଆଙ୍କର କିଚିରିମିଚିରି କଳରବ ଆଉ କାନରେ ପଡୁନାହିଁ। ପ୍ରତିକୂଳ ପରିବେଶ, ଜଙ୍ଗଲ ହ୍ରାସ, ଚାଳଘରର ଦ୍ରୁତ ହ୍ରାସ, କ୍ଷେତରେ ରାସାୟନିକ ସାର ବ୍ୟବହାର, ଅସଂଖ୍ୟ ଗାଡ଼ିର ହର୍ନ ଓ ଧୂଆଁ ମୋବାଇଲ୍ ଟାୱାରରୁ ଚୁମ୍ବକୀୟ ବିକିରଣ ଯୋଗୁଁ ଏମାନଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟୁଛି। କଳନା କରାଯାଇଛି ଯେ ଗତ ୫୦-୬୦ ବର୍ଷ ଭିତରେ ଘରଚଟିଆଙ୍କ ସଂଖ୍ୟା ବେଶ୍ କମିଛି, ମାତ୍ର ୧୦% ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି।
ଦିନ ଥିଲା ଏ ପକ୍ଷୀଟି ମଣିଷର ଅତି ନିକଟତମ ବନ୍ଧୁ ଭାବେ ଚାଳଘର ଖୋପରେ ନୀଡ଼ ତିଆରି କରି ରହୁଥିଲା। ସକାଳୁ ସକାଳୁ ତା’ କିଚିରିମିଚିରି ସ୍ବରରେ ପିଲାମାନଙ୍କୁ ନିଦରୁ ଉଠାଉଥିଲା। ସୂର୍ଯ୍ୟାସ୍ତ ବେଳେ ଏ ପକ୍ଷୀର ନୀଡ଼ ବାହୁଡ଼ା ଆଉ ଦୃଶ୍ୟମାନ ହେଉନି। ତା’ ପାଇଁ ଖୁଦକଣିକା ସାଇତା ହେଉନି କି ମାଟି ସରାରେ ଚାଳ ଓରାରେ ଝୁଲା ଯାଉନି। ଘରଚଟିଆ ଏବେ ଗାଁ ଗଣ୍ଡା ପାଖ ବଣବୁଦାରେ, ନଈକୂଳ ବରଗଛ ଖୋପରେ, ବିଦ୍ୟୁତ୍ ଖୁଣ୍ଟ ଉପରେ, ଘରର ସ୍କାଏଲାଇଟ୍ ଖୋପରେ ବାଧ୍ୟ ହୋଇ ବସାଟିଏ ବାନ୍ଧୁଛି।
ହେଲେ ଏବେ ମଣିଷ ସମାଜ ତଥା ଚାଷୀର ପରମ ବନ୍ଧୁ ଭାବେ ବେଶ ଜଣାଶୁଣା ଏହି ଘରଚଟିଆ ଗାଁ ଗହଳିରେ ଆଉ ଦେଖିବାକୁ ମିଳୁନାହାନ୍ତି । ଗାଁରେ ଥିବା ଚାଳିଆ ଘରେ ଘରଚଟିଆ ବାସ କରି ରହୁଥିଲେ। ବର୍ତ୍ତମାନ ଗାଁ ଗହଳିରେ ପ୍ରାୟ ଚାଳିଆ ଘର ନଥିବା ଯୋଗୁଁ ଏହି ପକ୍ଷୀ ଆଉ ଦେଖା ଯାଉନାହାନ୍ତି। ଏହା ମଧ୍ୟ ଘରଚଟିଆ ବିଲୁପ୍ତ ହେବାର ଏକ ମୁଖ୍ୟ କାରଣ ବୋଲି କୁହାଯାଇପାରେ। ପ୍ରାୟ ଚାଳଘର ପକ୍କାଘରରେ ପରିବର୍ତ୍ତନ ହେବା ପରେ ଘରଚଟିଆଙ୍କ ସଂଖ୍ୟା କମିଯାଉଛି। ଖାଲି ସେତିକି ନୁହଁ ବହୁଳ ମାତ୍ରାରେ ମୋବାଇଲ ବ୍ୟବହାର ଯୋଗୁଁ ଟାୱାରରୁ ବାହାରୁଥିବା ତରଙ୍ଗ ଘରଚଟିଆଙ୍କ ସଂଖ୍ୟା ବିଶେଷ ଭାବରେ କମି ଯାଉଥିବା ମଧ୍ୟ କୁହାଯାଉଛି।
ସୌଜନ୍ୟ Prameya News7




