Breaking News

ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା; ମିଳିଲା ‘ବିଜୟିନୀ’ ମା’ର ପରିଚୟ

ଘଟଣାର ତଦନ୍ତ ବେଳେ ଉକ୍ତ ‘ବିଜୟିନୀ’ ମା’ଙ୍କୁ ଠାବ କରାଯାଇଥିଲା-‘ବିଜୟିନୀ’ ମା’

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଗୋଟିଏ ପରିତ୍ୟକ୍ତ ବୋରୱେଲ ଏକ ଶିଶୁକନ୍ୟା ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିଲା।
ଡାକ୍ତରଖାନା ପରିସରରେ ଗତକାଲି ତାହାର ଏକୋଇଶିଆ ପାଳନ କରାଯାଇଛି। ଏହା ସହ ତା’ର ନାମକରଣ କରାଯାଇଛି, ନାଁ ରଖାଯାଇଛି ‘ ବିଜୟିନୀ’। ଏବେ ବୁର୍ଲା ବଡ଼ ଡାକ୍ତରଖାନାର SNCU ରେ ଉକ୍ତ ଶିଶୁକନ୍ୟାର ଚିକିତ୍ସା ଜାରି ରହିଛି। ତେବେ ଉକ୍ତ ଶିଶୁ କନ୍ୟାର ମା’ଙ୍କ ପରିଚୟ ମିଳିଥିବା ଜଣାପଡିଛି। ଏନେଇ ‘ବିଜୟିନୀ’ ମା’ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ବେଳେ ଉକ୍ତ ମହିଳାଙ୍କୁ ଠାବ କରାଯାଇଥିଲା। ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର। ବର୍ତ୍ତମାନ ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ। ତେବେ ମାନସିକ ଅବସ୍ଥା ଭଲ ନଥିବାରୁ ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ପୁଲିସ୍ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହା ସହ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ପୂରା ସୁସ୍ଥ ହେଲା ପରେ ଘଟଣା ସମ୍ପର୍କରେ ପୁଲିସ୍ ତାଙ୍କୁ ପଚରାଉଚରା କରିବ। ମହିଳା ଜଣଙ୍କ ବିବାହିତା। ଏହି ଶିଶୁକନ୍ୟା ତାଙ୍କର ଦ୍ୱିତୀୟ ସନ୍ତାନ। ସେହିପରି ଶିଶୁକନ୍ୟାଟିକୁ ବୋରୱେଲ୍‌ରେ ଫିଙ୍ଗିବା ପୂର୍ବରୁ ତାଙ୍କର ମାନସିକ ସ୍ଥିତ ଭଲ ନଥିଲା ନା ତା’ ପରେ ତାଙ୍କ ମାନସିକ ସ୍ଥିତି ଖରାପ ହୋଇଥିଲା, ସେ ନେଇ ତଦନ୍ତ କରାଯାଇ ନାହିଁ ବୋଲି ଏସ୍‌ପି କହିଛନ୍ତି।

ତେବେ ଶିଶୁକନ୍ୟାକୁ ସେ ବୋରୱେଲ୍‌ରେ ଫିଙ୍ଗି ଥିବା ପୁଲିସ୍ ଆଗରେ ସ୍ୱୀକାର କରିଥିବା ଏସ୍‌ପି କହିଛନ୍ତି। ଶିଶୁକନ୍ୟାଟି ଜନ୍ମ ହେବାର ପ୍ରାୟ ୫/୬ ଘଣ୍ଟା ପରେ ସେ ତାକୁ ବୋରୱେଲ୍‌ରେ ଫିଙ୍ଗି ଦେଇଥିଲେ। ସେ ଏହାଠୁ ଅଧିକ କିଛି କହି ନାହାନ୍ତି। ସେ କେବଳ କାନ୍ଦୁଥିଲେ। ତାଙ୍କ ମାନସିକ ସ୍ଥିତି ଖରାପ ଥିବା ଦେଖି ତାଙ୍କୁ ପୁଲିସ୍ ପ୍ରଥମେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ତେବେ ମହିଳା ଜଣଙ୍କ ସୁସ୍ଥ ହୋଇ ଫେରିଲା ପରେ ଏସବୁ ଦିଗରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Comments are closed.