Breaking News

ନଅଙ୍କ ଦୁର୍ଭିକ୍ଷର ଚିତ୍ର ସହ ରାଜ୍ୟର ସମସ୍ୟାକୁ ଲୋକଲୋଚନକୁ ଆଣିବାକୁ ‘ଉତ୍କଳ ଦୀପିକା’ ପ୍ରକାଶନ କରିଥିଲେ କର୍ମବୀର ଗୌରୀଶଙ୍କର ରାୟ

ଭୁବନେଶ୍ୱର: ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରତିଷ୍ଠାତା, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅନ୍ୟତମ ସଂଗ୍ରାମୀ, କଟକ ପ୍ରିଣ୍ଟିଙ୍ଗ କମ୍ପାନୀର ପ୍ରତିଷ୍ଠାତା, ଓଡ଼ିଶାର ସ୍ୱାର୍ଥ ପାଇଁ ଅହରହ ସଂଗ୍ରାମ କରିଥିବା କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୫ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଛି । ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ପିଏମଜି ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷାବିତ କାମଦେବ ମହାପାତ୍ର ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।
ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରଫେସର ରଙ୍ଗାଧର ସାହୁ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ଶଙ୍କର ମହାପାତ୍ର, କର୍ମବୀର ଗୌରୀଶଙ୍କର ସ୍ମୃତି ସଂସଦ ପକ୍ଷରୁ ଉଦୟ ଶଙ୍କର ରାୟ, ସତ୍ୟେନ୍ଦ୍ର ବୋଷ, ବାବାଜୀ ଚାନ୍ଦ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ, ଅଶ୍ୱିନୀ ପଟ୍ଟନାୟକ, ପ୍ରଗତି ରଥ, ଜୟ ଓଡ଼ିଶା ପକ୍ଷରୁ ହରପ୍ରିୟା ପାଟ୍ଟଯୋଶୀ, ତାପସ ସାହୁ, ଜ୍ୟୋତି ରଞ୍ଜନ ରାଉତ, ନଗେନ କୁମାର ନାୟକ, ସତ୍ୟବ୍ରତ ଜେନା ପ୍ରମୁଖ ଯୋଗଦେଇ କର୍ମବୀରଙ୍କ ସ୍ମୃତିଚାରଣ କରିଥିଲେ ।
କଟକ ଜିଲା ଅସୁରେଶ୍ୱର ନିକଟ ଦୀକ୍ଷିତପଡ଼ାରେ ଜନ୍ମିତ ସ୍ୱର୍ଗତ ରାୟ କଟକରେ ଚାକିରିରେ ଅବସ୍ଥାପିତ ଥିବା ସମୟରେ ରାଜ୍ୟରେ ସ୍ୱତନ୍ତ୍ର ଭାଷାଭିତ୍ତିକ ଓଡିଶା ପ୍ରଦେଶ ଗଠନ, ନଅଙ୍କ ଦୁର୍ଭିକ୍ଷର ଚିତ୍ର ସହ ରାଜ୍ୟର ସମସ୍ୟାକୁ ଲୋକଲୋଚନକୁ ଆଣିବାକୁ ‘ଉତ୍କଳ ଦୀପିକା’ ପ୍ରକାଶନ କରିଥିଲେ । ଏଥିରେ ସାଧାରଣ ଜନତାଙ୍କ ସମସ୍ୟା ଓ ସ୍ୱରକୁ ପ୍ରକାଶନ କରି ବ୍ରିଟିଶ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ରାଜ୍ୟରେ ପୁସ୍ତକ ପ୍ରକାଶନ ଭିତ୍ତିଭୂମି ଉନ୍ନୟନ ପାଇଁ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରତିଷ୍ଠା କରିଥିଲେ ଯାହା ଫଳରେ ଓଡ଼ିଆ ଭାଷାରେ ପୁସ୍ତକ ପ୍ରକାଶନ ସୁଗମ ହୋଇଥିଲା । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ ନିଜକୁ ଉତ୍କଳ ସମ୍ମିଳନୀ ସହିତ ଜଡିତ କରିଥିଲେ । ରାଜ୍ୟର ସାମଗ୍ରିକ ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଉଦୟ ଶଙ୍କର ରାୟଙ୍କୁ ସମ୍ମାନିତ କରାଯାଇଥିବାବେଳେ କାୟସ୍ଥ ସମାଜ ପକ୍ଷରୁ ଅଧ୍ୟାପକ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ପ୍ରଗତି ରଥ, ନରେନ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ବିଭାଗୀୟ ପୂର୍ବତନ ଅନୁଶାସନ ସଚିବ ଲଷ୍ମୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.