ଦେଶ ବିଦେଶ

Government Announces Quota: ହୋଟେଲ ଓ ରେଷ୍ଟୁରାଣ୍ଟ ପାଇଁ ୨୦% କୋଟା ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତର ରୋଷେଇ ଶାଳରେ ଅନୁଭୂତ ହେଉଛି। ଦେଶବ୍ୟାପୀ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଥିବା ବେଳେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପକୁ ସଙ୍କଟରୁ ରକ୍ଷା କରିବା ପାଇଁ ସରକାର ୨୦ ପ୍ରତିଶତ ସ୍ୱତନ୍ତ୍ର କୋଟା ଘୋଷଣା କରିଛନ୍ତି।

ଯୁଦ୍ଧ ଯୋଗୁଁ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବାରୁ ଦେଶର ଅନେକ ସ୍ଥାନରେ ରେଷ୍ଟୁରାଣ୍ଟଗୁଡ଼ିକ ବନ୍ଦ ହେବା ସ୍ଥିତିକୁ ଚାଲିଆସିଥିଲା। ଗ୍ୟାସ ଅଭାବରୁ ଅନେକ ହୋଟେଲ ମାଲିକ ନିଜର ”ମେନୁ” ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ଏହି ଗମ୍ଭୀର ପରିସ୍ଥିତିକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ଜରୁରୀକାଳୀନ ବୈଠକ କରିଥିଲେ। ପର୍ଯ୍ୟଟନ ଓ ଖାଦ୍ୟ ବ୍ୟବସାୟ ଉପରେ ଏହାର ପ୍ରଭାବକୁ ସମୀକ୍ଷା କରିବା ପରେ ସରକାର ଏହି ଆଶ୍ୱସ୍ତିକର ପଦକ୍ଷେପ ଗ୍ରହଣ କରିଛନ୍ତି।

କାହାକୁ ମିଳିବ?

କେବଳ ପଞ୍ଜିକୃତ ବାଣିଜ୍ୟିକ ସିଲିଣ୍ଡର ସଂଯୋଗ ଥିବା ଗ୍ରାହକମାନେ ଏହି ସୁବିଧା ପାଇପାରିବେ। ବାଣିଜ୍ୟିକ ଗ୍ରାହକମାନେ ସେମାନଙ୍କର ମୋଟ ଚାହିଦାର ୨୦% ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପାଇବେ। ତିନୋଟି ପ୍ରମୁଖ ତୈଳ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ରାଜ୍ୟ ସରକାର ମିଳିତ ଭାବେ ସ୍ଥିର କରିବେ କେଉଁ କ୍ଷେତ୍ରକୁ ପ୍ରାଥମିକତା ଭିତ୍ତିରେ ଏହି ଯୋଗାଣ ଦିଆଯିବ।

ଇରାନ-ଇସ୍ରାଏଲ ସଂଘର୍ଷ ଯୋଗୁଁ ଅଶୋଧିତ ତୈଳ ଓ ଗ୍ୟାସ ଆମଦାନୀ ବାଧାପ୍ରାପ୍ତ ହୋଇଛି। ଏହି ବିଶ୍ୱସ୍ତରୀୟ ସଙ୍କଟ କାରଣରୁ ଭାରତୀୟ ବଜାରରେ ବାଣିଜ୍ୟିକ ସିଲିଣ୍ଡରର ଅଭାବ ଦେଖାଦେଇଥିଲା। ସରକାରଙ୍କ ଏହି ୨୦ ପ୍ରତିଶତ କୋଟା ବ୍ୟବସ୍ଥା ଦ୍ୱାରା ବଜାରରେ କୃତ୍ରିମ ଅଭାବ ଦୂର ହେବା ସହ ହୋଟେଲ ବ୍ୟବସାୟୀମାନେ ପୁଣି ସ୍ୱାଭାବିକ କାର୍ଯ୍ୟକ୍ଷମ ହୋଇପାରିବେ ବୋଲି ଆଶା କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button