Hat-trick: ଅନୁଭବଙ୍କ ସହ ହାଟ୍ରିକ୍
ସଫଳ ଅଭିନେତା ଅନୁଭବ ମହାନ୍ତି ତାଙ୍କ କ୍ୟାରିୟରରେ ଓଲିଉଡ୍ର ଅଧିକାଂଶ ସଫଳ ନାୟିକାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି। ତେବେ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ସର୍ବାଧିକ ସିନେମା କରିଛନ୍ତି।

ସଫଳ ଅଭିନେତା ଅନୁଭବ ମହାନ୍ତି ତାଙ୍କ କ୍ୟାରିୟରରେ ଓଲିଉଡ୍ର ଅଧିକାଂଶ ସଫଳ ନାୟିକାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି। ତେବେ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ସର୍ବାଧିକ ସିନେମା କରିଛନ୍ତି। ଅନୁଭବ-ବର୍ଷା ଯୋଡ଼ିର ପ୍ରଥମ ସିନେମା ଥିଲା ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଥ୍ୟାଙ୍କ୍ ୟୁ ଭଗବାନ’। ଏହାପରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଏସ୍ କେ ମୁରଲୀଧରନ୍ଙ୍କ ନିର୍ଦ୍ଦେଶିତ ‘ନେଇଯାରେ ମେଘ ମତେ’ ଓ ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ସୁନା ଚଢ଼େଇ ମୋ ରୁପା ଚଢ଼େଇ’ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଅନୁଭବ-ବର୍ଷା ଯୋଡ଼ି ହାଟ୍ରିକ୍ କରିବା ପରେ ବି ଏକାଠି ବେଶ୍ କେତୋଟି ଓଡ଼ିଆ ଛବିରେ କାମ କରିଥିଲେ। ତେବେ ବର୍ଷାଙ୍କୁ ବାଦ୍ ଦେଲେ ସେ ଅନ୍ୟ ତିନିଜଣ ନାୟିକାଙ୍କ ସହ ବି ହାଟ୍ରିକ୍ କରିଛନ୍ତି।
ଅନୁଭବ-ଅର୍ଚ୍ଚିତ ଯୋଡ଼ି ବି ହାଟ୍ରିକ୍ କରିଛି। ଅନୁଭବ ବ୍ଲକବଷ୍ଟର ମୁଭି ‘ଆଇ ଲଭ୍ ୟୁ’ ଜରିଆରେ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିବା ବେଳେ ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଓ ମାଇଁ ଲଭ୍’ ସିନେମା ଜରିଆରେ ଓଲିଉଡ୍କୁ ଆସିଥିଲେ ଅର୍ଚ୍ଚିତା। ଅନୁଭବ-ଅର୍ଚ୍ଚିତା ଯୋଡ଼ି ପ୍ରଥମେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ତୋ ବିନା ମୋ କାହାଣୀ ଅଧା’ରେ ନଜର ଆସିଥିଲେ। ଏହା ପରେ ୨୦୦୮ରେ ରିଲିଜ୍ ହୋଇଥିବା ଶାରଦା ପ୍ରସନ୍ନ ପଣ୍ଡାଙ୍କ ପ୍ରଯୋଜିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଧନରେ ରଖିବୁ ଶପଥ ମୋର’ରେ ଅନୁଭବ-ଅର୍ଚ୍ଚିତା ଯୋଡ଼ି ଦେଖିବାକୁ ପାଇଥିଲେ ଦର୍ଶକ। ୨୦୦୯ରେ ପୁଣି ଏହି ଯୋଡ଼ି ସୀତାରାମ ଅଗ୍ରୱାଲ୍ଙ୍କ ପ୍ରଯୋଜିତ ତଥା ଏସ୍ କେ ମୁରଲୀଧରନ୍ ନିର୍ଦ୍ଦେଶିତ ‘ଆକାଶେ କି ରଙ୍ଗ ଲାଗିଲା’ରେ ନଜର ଆସିଥିଲେ। ତେବେ ଦୀର୍ଘ ୧୭ ବର୍ଷ ହେବ ଏହି ହିଟ୍ ଯୋଡ଼ି ଆଉ ବଡ଼ ପରଦାକୁ ଫେରିନାହାନ୍ତି।
ଠିକ୍ ସେହିପରି ଅନୁଭବ-ଝିଲିକ୍ଙ୍କ ଯୋଡ଼ି ବି ଏଯାଏ ତିନିଟି ଓଡ଼ିଆ ଛବିରେ ନଜର ଆସିଛନ୍ତି। ଏହି ଯୋଡ଼ିକୁ ଦର୍ଶକ ପ୍ରଥମେ ୨୦୧୫ରେ ମୁକ୍ତିଲାଭ କରିଥିବା ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଜଗା ହାତରେ ପଘା’ରେ ଦେଖିବାକୁ ପାଇଥିଲେ। ପରେ ମୁରଲୀକ୍ରିଷ୍ଣାଙ୍କ ‘ଅଗସ୍ତ୍ୟ(୨୦୧୬)’ ଓ ‘ବେବି’(୨୦୧୬)ରେ ମଧ୍ୟ ଅନୁଭବ-ଝିଲିକ୍ ଯୋଡ଼ି ସ୍କ୍ରିନ୍ ସେୟାର କରିଥିଲେ। କିନ୍ତୁ ପରେ ଅନ୍ୟ କୌଣସି ଛବିରେ ଅନୁଭବ ଓ ଝିଲିକ୍ ଏକାଠି କାମ କରିନାହାନ୍ତି।ଅନୁଭବ-ଏଲିନା ଯୋଡ଼ି ପ୍ରଥମେ ନଜର ଆସିଥିଲେ ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଜଗା ହାତରେ ପଘା’ରେ। ଏହାପରେ ଉଭୟେ ଏକାଠି ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଅଭୟ’(୨୦୧୭) ଓ ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘କାବୁଲା ବାରବୁଲା’(୨୦୧୭)ରେ ନଜର ଆସିଥିଲେ। ପ୍ରାୟ ୯ ବର୍ଷ ହେବ ଏହି ଯୋଡ଼ିକୁ କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳିନାହିଁ।
ଏହା ଅବଶ୍ୟ ଭିନ୍ନ କଥା ଯେ ନମ୍ରତା ଥାପ୍ପାଙ୍କୁ ‘ଆଇ ଲଭ୍ ୟୁ’ ଓ ‘ପ୍ରିୟା ମୋ ପ୍ରିୟା’ରେ ଅନୁଭବଙ୍କ ସାଥ୍ ମିଳିଥିଲା। ଆଉ ସେ ଅନୁଭବଙ୍କ ‘ଅଭିମନ୍ୟୁ’ରେ ଆଇଟମ୍ ଗାର୍ଲ ବନିଥିଲେ। ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ଥିଲେ ପ୍ରିୟା।
ସୌଜନ୍ୟ ସମ୍ବାଦ




