Health: ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ: ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବଣପାହାଡ଼ ଘେରା ଉପାନ୍ତ ଇଲାକାର ସାଧାରଣ ଗରିବ ଓ ଉପେକ୍ଷିତ ରୋଗୀସେବାରେ ଲାଗୁଥିବା ଓମ୍ବାଡ୍ସି ଆମ୍ବୁଲାନ୍ସ(ଓଡି-୩୪ଏମ୍-୯୨୬୯) ଗତ ନଭେମ୍ବର ମାସ ୧୯ ତାରିଖରୁ ପୁଣିଥରେ ଦେଢ଼ମାସ ଧରି ଅଚଳ ରହିଛି।

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକର ବଣପାହାଡ଼ ଘେରା ଉପାନ୍ତ ଇଲାକାର ସାଧାରଣ ଗରିବ ଓ ଉପେକ୍ଷିତ ରୋଗୀସେବାରେ ଲାଗୁଥିବା ଓମ୍ବାଡ୍ସି ଆମ୍ବୁଲାନ୍ସ(ଓଡି-୩୪ଏମ୍-୯୨୬୯) ଗତ ନଭେମ୍ବର ମାସ ୧୯ ତାରିଖରୁ ପୁଣିଥରେ ଦେଢ଼ମାସ ଧରି ଅଚଳ ରହିଛି। ଏମିତିରେ ସେପ୍ଟେମ୍ବର ମାସ ୧୭ ତାରିଖରୁ ୧୧୦ ଦିନ ମଧ୍ୟରେ ୨ଟି ପର୍ଯ୍ୟାୟରେ ଏହା ୯୦ ଦିନ ଅଚଳ ରହିଲାଣି। ଏଥର ଡିଜେଲ ଯୋଗାଣ ବନ୍ଦ୍ ରଖାଯାଇଥିବାରୁ ଆମ୍ବୁଲାନ୍ସ ବେଣାଗାଡ଼ିଆ ଗାଁର ଡ୍ରାଇଭର ସନ୍ତୋଷ କୁମାର ମହାନ୍ତଙ୍କ ଘରେ ଠିଆହୋଇ ରହିଛି। ଅନ୍ୟତମ ଡ୍ରାଇଭର କାଳିଆପାଣିର ମୁକ୍ତିକାନ୍ତ ମହାନ୍ତ ଓ ଫାର୍ମାସିଷ୍ଟ୍ ଅଂଶୁଜିତ ଚକ୍ର ହାତବାନ୍ଧି ବସିରହିଛନ୍ତି। ପ୍ରଶାସନିକ ଅପାରଗତାରୁ ଆମ୍ବୁଲାନ୍ସ ମାସମାସ ଧରି ଅଚଳ ରହିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି। ସ୍ଥିତି ସୁଧାରିବା କ୍ଷେତ୍ରରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦ ନିଜ ଅସହାୟତା ପ୍ରକାଶ କରନ୍ତି। ପ୍ରସଙ୍ଗକୁ ନେଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୁହିକା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ଉଦ୍ବେଗ ପ୍ରକାଶ କରିଛି।
୨୦୨୧ ମସିହାରେ ଲୋକାର୍ପଣ ଦିନରୁ ଏହି ଆମ୍ବୁଲାନ୍ସ ସାଧାରଣରେ ଆସ୍ଥାଭାଜନ ହୋଇପାରିଥିଲା। ୭ ତଳୁ ଏକାଧିକ ଦୁର୍ଘଟଣା, ଟାୟାର ଖରାପ ହେବା ଓ ବିଳମ୍ବିତ ରାତି ସେବା ବିଳମ୍ବିତ ହେବାକୁ ନେଇ ସାଧାରଣ ରୋଗୀ ମହଲରେ ଅଶାନ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏଥର ମନୁଷ୍ୟକୃତ ସମସ୍ୟାକୁ ନେଇ ସାଧାରଣ ଗରିବ ଆଦିବାସୀ ରୋଗୀ ହନ୍ତସନ୍ତ ହେବାରେ ଏହା ପ୍ରତି ସାଧାରଣରେ ଭରସା ତୁଟିବାରେ ଲାଗିଛି।
ଆମ୍ବୁଲାନ୍ସ ମିଳିନଥିଲା
ଗତମାସ ୧୬ ତାରିଖରେ ଚିଙ୍ଗୁଡ଼ିପାଳ ପୋଡ଼ାହରା ଗାଁ ଦାଣ୍ଡ ଦୁର୍ଘଟଣାରେ ସେହି ଗାଁର ନବବିବାହିତ ଆଦିବାସୀ ଯୁବକ ମଙ୍ଗଲ ଚାତମ୍ବା(୨୧)ଙ୍କର ବିଳମ୍ବିତ ଚିକିତ୍ସାରୁ ଶୋଚନୀୟ ମୃତ୍ୟୁ ହୋଇଥିଲା। ମହାଗିରି ପାହାଡ଼ ତଳ କରଡ଼ାଗାଡ଼ିଆ ଝରଣାସାହିରେ ବାଇକ୍ ଧକ୍କାରେ ଗରିବ ଆଦିବାସୀ ଶିଶୁ କ୍ରିଷ୍ଣା(୩) ଗୁରୁତର ଆହତ ହୋଇଥିଲେ ହେଁ ଆମ୍ବୁଲାନ୍ସ ମିଳିନଥିଲା। ପ୍ରଚଣ୍ଡ ଶୀତରେ ବାପା ଶିବ ମୁଣ୍ଡା ପୁଅକୁ ବାଇକ୍ରେ ଧରି ମେଡିକାଲ୍ ଯାଇଥିଲେ। ଅବସ୍ଥା ଗୁରୁତର ହେବାରୁ ଶିଶୁକୁ କଟକ ସ୍ଥାନାନ୍ତର କରାଯାଇଛି। ୧୦ ମିନିଟ୍ରୁ ଅଧଘଣ୍ଟା ମଧ୍ୟରେ ଉପାନ୍ତ ଇଲାକାର ଅଞ୍ଚଳବାସୀଙ୍କ ପାଖେ ଏହି ଆମ୍ବୁଲାନ୍ସ ପହଞ୍ଚି ପାରୁଥିବାରୁ ୪ ବର୍ଷ ଧରି ସାଧାରଣ ଗରିବ ଓ ଉପେକ୍ଷିତ ରୋଗୀଙ୍କ ପାଖେ ଭରସାଯୋଗ୍ୟ ହୋଇପାରିଥିଲା। ବକେୟା ବିଲ୍ ପୈଠ ହୋଇନଥିବାରୁ ଆମ୍ବୁଲାନ୍ସକୁ ଡିଜେଲ ଯୋଗାଣ ବନ୍ଦ୍ ରଖାଯାଇଥିବା ବିଭାଗୀୟ ସୂଚନା ମିଳିଛି। ୨ ଡ୍ରାଇଭର ଓ ଫାର୍ମାସିଷ୍ଟ୍ ବିବା ସେବାରେ ଦରମା ନେଉଛନ୍ତି।
ଅସହାୟତା ପ୍ରକାଶ
ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ନିଜ ଅସହାୟତା ପ୍ରକାଶ କରିଥିଲେ। ବିତ୍ତ ପ୍ରବନ୍ଧକ ପ୍ରଶାନ୍ତ କୁମାର ଦାସଙ୍କୁ ବାରମ୍ବାର ଯୋଗାଯୋଗ ସତ୍ତ୍ବେ ସେ ଫୋନ୍ ଉଠାଇନଥିଲେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଖଣିଅଞ୍ଚଳବାସୀ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




