Heavy rain: ପ୍ରବଳ ବର୍ଷା ଓ ବଜ୍ରପାତର ସତର୍କ ସୂଚନା: ୧୦୦୦ କିମିର ବିଶାଳ ମେଘମାଳା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସାଟେଲାଇଟ୍ ଚିତ୍ରରେ ଏକ ବିରଳ ପାଣିପାଗ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରାୟ ୧୦୦୦ କିଲୋମିଟର ଲମ୍ବର ଏକ ବିଶାଳ ମେଘମାଳା ଭାରତ ଓ ପାକିସ୍ତାନର ଏକ ବଡ଼ ଅଞ୍ଚଳକୁ ଘୋଡ଼ାଇ ରଖିଛି। ଏହି ବାୟୁମଣ୍ଡଳୀୟ ପରିବର୍ତ୍ତନ କେବଳ ସାଧାରଣ ବର୍ଷା ନୁହେଁ, ବରଂ ଭୂମଧ୍ୟସାଗରୀୟ ଅଞ୍ଚଳରୁ ପୂର୍ବ ଦିଗକୁ ଗତି କରୁଥିବା ଅତି ଶକ୍ତିଶାଳୀ ପଶ୍ଚିମା ଝଡ଼ର ପରିଣାମ। ଏହା ବାୟୁମଣ୍ଡଳରେ ପ୍ରବଳ ଜଳୀୟ ବାଷ୍ପ ଓ ଅସ୍ଥିରତା ସୃଷ୍ଟି କରିଛି, ଯାହା ଆଗାମୀ କିଛି ଦିନ ପାଇଁ ଦକ୍ଷିଣ ଏସିଆର ଏହି ଦୁଇ ପ୍ରମୁଖ ଦେଶରେ ପାଣିପାଗର ଗତିବିଧିକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ଯାଉଛି। ବିଶ୍ଳେଷକଙ୍କ ମତରେ, ଏହି ମେଘମାଳାର ଆକାର ଓ ଏହାର ପ୍ରଭାବ କୃଷି କ୍ଷେତ୍ରଠାରୁ ଆରମ୍ଭ କରି ସହରାଞ୍ଚଳର ଜୀବନଯାତ୍ରା ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି।

ଏହି ବିଶାଳ ମେଘମାଳା ବର୍ତ୍ତମାନ ଜମ୍ମୁକାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳ ଉପରେ ସ୍ଥିର ରହିଛି। ପାଣିପାଗ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ ଏହି ପ୍ରଣାଳୀ ଯୋଗୁଁ ଉତ୍ତର ଓ ଉତ୍ତର-ପଶ୍ଚିମ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା, ବଜ୍ରପାତ ଓ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ଅଛି। ବିଶେଷ କରି ସମତଳ ଅଞ୍ଚଳ ଓ ହିମାଳୟର ପାଦଦେଶରେ କୁଆପଥର  ବୃଷ୍ଟି, ଘନଘନ ବଜ୍ରପାତ ସାଙ୍ଗକୁ ହଠାତ୍ ତାପମାତ୍ରାରେ ବଡ଼ଧରଣର ହ୍ରାସ ଘଟିପାରେ। ଯଦିଓ ଏହା ଗ୍ରୀଷ୍ମ ଲହରିରୁ ସାମୟିକ ଆଶ୍ୱସ୍ତି ଦେବ, କିନ୍ତୁ ଏହି ପରିବର୍ତ୍ତନ ସହ ଜଡ଼ିତ ପ୍ରାକୃତିକ ବିପର୍ଯ୍ୟୟକୁ ଏଡ଼ାଇ ଦିଆଯାଇ ନପାରେ। କୃଷି କ୍ଷେତ୍ର ପାଇଁ ଏହି ପୂର୍ବାନୁମାନ ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ଚାଷ ଜମିରେ ଥିବା ପାକଳ ଶସ୍ୟ ଉପରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ହେବା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହେବାର ଭୟ ରହିଛି। ଯେଉଁଥି ପାଇଁ ଆଇଏମ୍‌ଡି ଚାଷୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ପ୍ରଶାସନ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ ଆଗାମୀ ୪୮ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି।

ସୌଜନ୍ୟ ସମ୍ବାଦ