Breaking News

୪ରେ ଲଘୁଚାପ, ୩ରୁ ଉପକୂଳ ଓ ଦକ୍ଷିଣରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଯୋଗୁଁ ରାଜ୍ୟରେ ବର୍ଷାର ମାତ୍ରା କମିଥିବା ବେଳେ ତାପମାତ୍ରା ସାମାନ୍ୟ ବଢ଼ିଛି। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଯୋଗୁଁ ଗୁଳୁଗୁଳି ମଧ୍ୟ ବଢ଼ିଛି। ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି। ଶନିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୬.୬ ଡିଗ୍ରି ‌ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ରହିଥିଲା ୫୭%।

ରାଜଧାନୀବାସୀ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଥିଲେ। ସେହିପରି ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୭୦%ରୁ ଅଧିକ ରହିଥିଲା। ଫଳରେ ଗୁଳୁଗୁଳିରେ ଉପକୂଳବାସୀ ସନ୍ତୁଳି ହୋଇଥିଲେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅପରପକ୍ଷେ ୪ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୩ରୁ ୫ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ, ପୂର୍ବ-ପଶ୍ଚିମ ନିମ୍ନ ଚାପ ‌ରେଖା ପଞ୍ଜାବରୁ ମଣିପୁର ଯାଏ ଲମ୍ବିଥିବା ବେ‌ଳେ ଏହାର ଅବସ୍ଥାନ ପୂର୍ବ ଭାଗରେ ହିମାଳୟ ପାଦଦେଶ ନିକଟରେ ରହିଛି। ଏହି ନିମ୍ନଚାପ ରେଖା ଓଡ଼ିଶାଠାରୁ ଯଥେଷ୍ଟ ଉତ୍ତରରେ ଥିବାରୁ ରାଜ୍ୟରେ ଗତ ୩ଦିନ ଧରି ମୌସୁମୀ ବାୟୁର ପ୍ରଭାବ କମିବା ସହ ରାଜ୍ୟରେ ମୌସୁମୀ ଦୁର୍ବଳ ସ୍ଥିତି ଜାରି ରହିଛି। ଆଜିଠାରୁ ରାଜ୍ୟର କିଛି ଅଞ୍ଚଳ ଯଥା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଆଦି ଜିଲ୍ଲା‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୩ ତାରିଖ ଦିନ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, ‌କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ‌କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସିଇସି ସୂଚନା ମୁତାବକ, ପୂର୍ବ ଭାରତରେ ପଶ୍ଚିମା ପବନ ପ୍ରବାହିତ ହେବା ଦ୍ୱାରା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇପଡ଼ିଥିବା ସତ୍ତ୍ବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇପାରେ ବୋଲି ସିଇସି ପକ୍ଷରୁ ସୂଚନା ମିଳିଛି। ଜୁଲାଇ ୪ରେ ଏହି ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇପାରେ ଓ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଜୁଲାଇ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଜୁଲାଇ ୫ରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କମ୍ ବର୍ଷା ହେବ ବୋଲି ସିଇସି ପକ୍ଷରୁ କୁହାଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଂଚଳଗୁଡ଼ିକରେ ଜୁଲାଇ ୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଓ ଏହା ଫଳରେ ଜୁଲାଇ ୧୦ କିମ୍ବା ୧୧ ତାରିଖରେ ମଧ୍ୟ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ସିଇସି ପକ୍ଷରୁ ସୂଚନା ମିଳିଛି। ସେହିପରି ଜୁଲାଇ ୯ ତାରିଖରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବୃଷ୍ଟିପାତର ତୀବ୍ରତା ବୃଦ୍ଧି ପାଇବ।

Comments are closed.