Historical : ମାନ୍ୟତା ଅପେକ୍ଷାରେ ଐତିହ୍ୟ ସ୍ମାରକୀ
ଗଞ୍ଜାମ ଜିଲ୍ଲାର ଐତିହାସିକ ସହର ଭଞ୍ଜନଗରରେ ଥିବା ବହୁ ପୁରାତନ କୋଠା ମଧ୍ୟରେ ‘ରସଲକୋଣ୍ଡା ପଣ୍ୟାଗାର’ ହେଉଛି ଅନ୍ୟତମ। ୧୯୪୫ ମସିହାରେ ବ୍ରିଟିସ୍ ଶାସନ ଅମଳରେ ନିର୍ମିତ...

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଐତିହାସିକ ସହର ଭଞ୍ଜନଗରରେ ଥିବା ବହୁ ପୁରାତନ କୋଠା ମଧ୍ୟରେ ‘ରସଲକୋଣ୍ଡା ପଣ୍ୟାଗାର’ ହେଉଛି ଅନ୍ୟତମ। ୧୯୪୫ ମସିହାରେ ବ୍ରିଟିସ୍ ଶାସନ ଅମଳରେ ନିର୍ମିତ ଏହି ପଣ୍ୟାଗାର (ରାଇସ୍ ଗୋଦାମ, ରସଲକୋଣ୍ଡା) ଅନେକ ଘଟଣାର ମୂକସାକ୍ଷୀ ହୋଇ ଛିଡ଼ା ହୋଇଥିବା ବେଳେ ପୁରୁଣା ସ୍ମୃତି ବହନ କରିଆସୁଛି। ହେଲେ ଏହାକୁ ଐତିହ୍ୟ ସ୍ମାରକୀର ମାନ୍ୟତା ପ୍ରଦାନ ଦିଗରେ ଏଯାବତ୍ ଉଦ୍ୟମ ଆରମ୍ଭ ହୋଇପାରୁନି।
ଇତିହାସର ଅବଲୋକନରୁ ଜଣାପଡ଼େ, ୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା। ଏଥିରେ ଘୁମୁସର ସମେତ ଆଖପାଖ ଇଲାକାର ସହସ୍ରାଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ଏହାପରେ ବ୍ରିଟିସ୍ ସରକାର ମରୁଡ଼ି ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ‘ଋଷିକୁଲ୍ୟା ଯୋଜନା’ର ରୂପରେଖ ପ୍ରସ୍ତୁତ କରିଥିଲେ। ଲୋକଙ୍କୁ କାମ ଯୋଗାଇବା ଓ ଚାଷଜମିକୁ ଜଳସେଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା। ଏଥିପାଇଁ ବରଙ୍ଗ ନାଳ ଉପରେ ୧୮୮୨ ମସିହାରେ ରସଲକୋଣ୍ଡା ଜଳଭଣ୍ଡାର ନିର୍ମାଣ କାମ ଇଂ. ଭେଙ୍କଟରତ୍ନ ନାଇଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆରମ୍ଭ ହୋଇ ୧୮୯୪ରେ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ଚାଷ ପରେ ଅମଳ ହୋଇଥିବା ବଳକା ଶସ୍ୟକୁ ସାଇତି ରଖିବାରେ ସମସ୍ୟା ହେବାରୁ ସହରର ୧୦ ନମ୍ବର ୱାର୍ଡରେ ୧୯୪୫ରେ ଏହି ପଣ୍ୟାଗାର ନିର୍ମାଣ ହୋଇଥିବା ଐତିହାସିକମାନେ କହିଛନ୍ତି। ଚାଉଳ ସଂରକ୍ଷଣରେ ଏହି ପଣ୍ୟାଗାର ଏକ ପ୍ରମୁଖ ଭୂମିକା ନେଇଥିବା ବେଳେ ଆଧୁନିକ ଶୈଳୀରେ କୋଠା ନିର୍ମାଣ କରାଯାଇଥିଲା। ପାରମ୍ପରିକ ଶୈଳୀରେ (ଗ୍ରେନ୍ ଗୋଲା) ଏଠାରେ ଧାନ ଓ ଶସ୍ୟ ସଂରକ୍ଷିତ ରଖାଯାଉଥିଲା।
ତେବେ ଏହାମଧ୍ୟରେ ଅନେକ ବର୍ଷ ବିତିସାରିଥିବା ବେଳେ ଏହି କୋଠା ସେମିତି ବନ୍ଦ ହୋଇ ପଡ଼ିରହିଥିବା ସ୍ଥାନୀୟ ବରିଷ୍ଠ ନାଗରିକ କହିଛନ୍ତି। ୮୦ ବର୍ଷ ପୁରୁଣା ଏହି କୋଠାର ଏଯାବତ୍ ବିଶେଷ କ୍ଷତି ହୋଇନାହିଁ। ଏଣୁ ରାଜ୍ୟ ସରକାର ଏହାର ପୁନରୁଦ୍ଧାର କରିବା ସହ ଐତିହ୍ୟ ସ୍ମାରକୀ କିମ୍ବା ସଂଗ୍ରହାଳୟରେ ପରିଣତ କରି ଘୁମୁସର ଅଞ୍ଚଳର ଇତିହାସ ସଂର୍ପକରେ ଆଗାମୀ ପିଢ଼ି ଜାଣିବା ଭଳି ଜିନିଷକୁ ସ୍ଥାନ ଦେବାର ଆବଶ୍ୟକତା ରହିଥିବା ମତପ୍ରକାଶ ପାଇଛି।
ସୂଚନା ଥାଉକି, ଭଞ୍ଜନଗର ସହରର ପୁରାତନ ନାମ ରସଲକୋଣ୍ଡା ରହିଥିବା ବେଳେ ଏହି ଅଞ୍ଚଳ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ପରିଚାଳିତ ହେଉଥିଲା। ଅନ୍ୟମାନଙ୍କ ତୁଳନାରେ ଏଠାରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ଅଧିକ ଥିଲା। ସହରର ମଧ୍ୟଭାଗରେ ବଡ଼ ପାହାଡ଼ ଥିବା ବେଳେ ପାଦଦେଶରେ ଜନବସତି ଗଢ଼ି ଉଠିଥିଲା। ତେଲୁଗୁ ଭାଷାରେ ପାହାଡ଼କୁ ‘କୋଣ୍ଡା’ କୁହାଯାଏ। ଏଡୱାର୍ଡ ରସେଲ୍ ଏଠାରେ ଶାସନଭାର ସମ୍ଭାଳୁଥିଲେ। ଏଣୁ, ରସେଲ୍ ସାହେବଙ୍କ ନାମ ଓ ପାହାଡ଼ (କୋଣ୍ଡା) ଶଦ୍ଦକୁ ମିଶାଇ ଏହି ଅଞ୍ଚଳର ନାମକରଣ ରସଲକୋଣ୍ଡା ହୋଇଥିଲା। ଏହି ସମୟରେ ବ୍ରିଟିସ୍ମାନେ ଜେଲ୍, ସେତୁ, ଜଳଭଣ୍ଡାର, ଅନେକ ଶିକ୍ଷାନୁଷ୍ଠାନ, ଉପଜିଲ୍ଲାପାଳ ଓ ତହସିଲ ଅଫିସ୍ ଭଳି ଅନେକ କୋଠା ନିର୍ମାଣ କରିଥିଲେ। ସ୍ବାଧୀନତା ପରେ ବି ତାହା କାମରେ ଲାଗିପାରିଥିଲା।
ସୌଜନ୍ୟ ସମ୍ବାଦ




