ଡେନ୍ପାସାର: ଇଣ୍ଡୋନେସିଆର ବାଲି ଦ୍ୱୀପରେ ପବିତ୍ର ହିନ୍ଦୁ ପର୍ବ ‘ନ୍ୟେପି’ ବା ‘ନିରବତା ଦିବସ’କୁ ସୋସିଆଲ ମିଡିଆରେ ଅପମାନ କରିବା ମାମଲାରେ ସୁଇଜରଲ୍ୟାଣ୍ଡର ଜଣେ ୨୬ ବର୍ଷୀୟ ପର୍ଯ୍ୟଟକଙ୍କୁ ୧ ବର୍ଷ ଜେଲ୍ଦଣ୍ଡ ହୋଇଛି। ଡେନ୍ପାସାର ଜିଲ୍ଲା ଅଦାଲତ ଅଗଷ୍ଟ ୨୦ ତାରିଖ, ଗୁରୁବାର ଏହି ରାୟ ଦେଇଛନ୍ତି। ଅଭିଯୁକ୍ତ ଲୁଜିଆନ୍ ଆନ୍ଦ୍ରିନ୍ ଗ୍ରାଗେନ୍ ନ୍ୟେପି ପାଳନ ସମୟରେ ନିୟମ ଉଲ୍ଲଂଘନ କରି ଅପମାନଜନକ ମନ୍ତବ୍ୟ ସହ ଭିଡିଓ ପୋଷ୍ଟ କରିଥିଲେ।
ନ୍ୟେପି ବାଲିର ଏକ ପ୍ରମୁଖ ହିନ୍ଦୁ ଧାର୍ମିକ ପର୍ବ। ଏହି ଦିନ ୨୪ ଘଣ୍ଟା ପାଇଁ ଦ୍ୱୀପରେ ନିରବତା ପାଳନ କରାଯାଏ। ଲୋକେ ଘର ଭିତରେ ରହିବା ସହ ଯାତାୟାତ, କାମ ଓ ମନୋରଞ୍ଜନରୁ ଦୂରେଇ ରହନ୍ତି। ଏହି ସମୟରେ ବାଲି ବିମାନବନ୍ଦର ବନ୍ଦ ରହିବା ସହ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଏ। ଧର୍ମ କିମ୍ବା ଜାତୀୟତା ନିର୍ବିଶେଷରେ ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ ହୁଏ। ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରେ ନ୍ୟେପି ପାଳନ କରାଯାଇଥିଲା। ସେତେବେଳେ ଗ୍ରାଗେନ୍ ନିଜ ରହୁଥିବା ଭିଲ୍ଲାରୁ ବାହାରି ସମୁଦ୍ରକୂଳକୁ ଯାଇଥିଲେ। ସେ ସେଠାରେ ଏକ ଭିଡିଓ ତିଆରି କରି ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଥିଲେ। ଭିଡିଓରେ ନ୍ୟେପିର ନିୟମକୁ ନେଇ ଅପମାନଜନକ ମନ୍ତବ୍ୟ ଦେବା ସହ ପର୍ବର ପରମ୍ପରାକୁ ‘ପାଗଳାମି’ ଭଳି ଶବ୍ଦରେ ବର୍ଣ୍ଣନା କରିଥିଲେ। ତାଙ୍କ ରହୁଥିବା ଭିଲ୍ଲାର କର୍ମଚାରୀମାନେ ନ୍ୟେପିର ନିୟମ ସମ୍ପର୍କରେ ତାଙ୍କୁ ପୂର୍ବରୁ ସୂଚନା ଦେଇଥିଲେ ବୋଲି ଅଦାଲତ କହିଛନ୍ତି।
ଭିଡିଓଟି ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରଚାର ହେବା ପରେ ବାଲିର ସ୍ଥାନୀୟ ଲୋକେ ତୀବ୍ର ଆପତ୍ତି ଜଣାଇଥିଲେ। ଅଭିଯୋଗ ପରେ ପୁଲିସ ତାଙ୍କୁ ଖୋଜି ଲେଗିଆନ୍ ଅଞ୍ଚଳର ଏକ ଭିଲ୍ଲାରୁ ଗିରଫ କରିଥିଲା। ଜୁନ୍ ମାସରୁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଅଦାଲତରେ ଗ୍ରାଗେନ୍ କହିଥିଲେ ଯେ, ସେ ହିନ୍ଦୁ ପର୍ବ କିମ୍ବା ବାଲିବାସୀଙ୍କୁ ଅପମାନ କରିବାକୁ ଚାହି ନ ଥିଲେ। ନ୍ୟେପି ସମୟରେ ଖାଦ୍ୟ ନ ମିଳିବାରୁ ସେ ଭୋକ ଓ ଅସନ୍ତୋଷରେ ଏପରି ପୋଷ୍ଟ କରିଥିବା କହିବା ସହ ଅଦାଲତରେ କ୍ଷମା ମାଗିଥିଲେ। ତଥାିପି ଇଣ୍ଡୋନେସିଆର ନୂଆ ଦଣ୍ଡବିଧି ଅନୁଯାୟୀ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷର ଜେଲ୍ଦଣ୍ଡ ଦେଇଛନ୍ତି। ନ୍ୟେପି ଦିନ ନିୟମ ଭାଙ୍ଗି ବାହାରକୁ ଯିବା ଘଟଣାରେ ପୂର୍ବରୁ କେତେକ ପର୍ଯ୍ୟଟକଙ୍କୁ ଅଟକ ରଖାଯାଇଥିଲେ ମଧ୍ୟ ଏଭଳି ମାମଲାରେ ଅଦାଲତରେ ଦଣ୍ଡିତ ହେବା ଘଟଣା ବିରଳ ବୋଲି ଜଣାପଡ଼ିଛି।