ଦେଶ ବିଦେଶ

Hormuz: ହର୍ମୁଜ୍‌ ପ୍ରଣାଳୀରେ ୩ ଜାହାଜ ଉପରେ ଆକ୍ରମଣ, ୩ କ୍ରୁ ସଦସ୍ୟ ନିଖୋଜ

ମଧ୍ୟପ୍ରାଚ୍ୟରେ ଲଢ଼େଇ ଭୟଙ୍କର ହୋଇଛି। ଯୁଦ୍ଧ ଆଜି ଦ୍ବାଦଶ ଦିନରେ ପହଞ୍ଚିଥିବା ବେଳେ ରଣନୈତିକ ଭାବେ ଗୁରୁତ୍ବପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀରେ ଆଜି ୩ଟି ଜାହାଜ ଉପରେ ଅଜଣା ପ୍ରୋଜେକ୍ଟାଇଲ ଦ୍ବାରା ଆକ୍ରମଣ ହୋଇଛି।

ତେହେରାନ/ତେଲଅଭିଭ: ମଧ୍ୟପ୍ରାଚ୍ୟରେ ଲଢ଼େଇ ଭୟଙ୍କର ହୋଇଛି। ଯୁଦ୍ଧ ଆଜି ଦ୍ବାଦଶ ଦିନରେ ପହଞ୍ଚିଥିବା ବେଳେ ରଣନୈତିକ ଭାବେ ଗୁରୁତ୍ବପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀରେ ଆଜି ୩ଟି ଜାହାଜ ଉପରେ ଅଜଣା ପ୍ରୋଜେକ୍ଟାଇଲ ଦ୍ବାରା ଆକ୍ରମଣ ହୋଇଛି। ଏଥି ମଧ୍ୟରୁ ଭାରତ ଆସୁଥିବା ଏକ ଥାଇ କା‌ର୍ଗୋ ଜାହାଜ ଉପରେ ଆକ୍ରମଣ ହେବାପରେ ଜାହାଜରେ ନିଆଁ ଲାଗିଯାଇଛି। ଜାହାଜରୁ ୨୦ ଜଣ କ୍ରୁ ସଦସ୍ୟଙ୍କୁ ଓମାନ ନୌସେନା ଉଦ୍ଧାର କରିଥିବାବେଳେ ଆଉ ୩ ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି। ନିଖୋଜ କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ଉଦ୍ଧାର ଅପରେସନ୍‌ ଜାରି ରହିଛି ବୋଲି ଥାଇଲାଣ୍ଡ ମନ୍ତ୍ରାଳୟ କହିଛି।

ତେବେ କିଏ ଏହି ଆକ୍ରମଣ କରିଛି ଏବଂ ପ୍ରୋଜେକ୍ଟାଇଲ କେଉଁଠାରୁ ଆସିଛି ତାହା ଜଣାପଡ଼ିନି। ଜାହାଜର ନାଁ ‘ମୟୂରୀ ନାରୀ’। ଏହା ଓମାନ ଜଳରାଶି ନିକଟରେ ଥିବାବେଳେ ଏହା ଉପରେ ଆକ୍ରମଣ ହୋଇଥିଲା। ଜାହାଜଟି ଦୁବାଇର ଖଲିଫା ବନ୍ଦରରୁ ଗୁଜରାଟର କାଣ୍ଡଲା ବନ୍ଦରକୁ ଆସୁଥିଲା। ଇତି ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଯାବତ୍ ମଧ୍ୟପ୍ରାଚ୍ୟ‌ରେ ମୋଟ୍‌ ୧୩ ଜାହାଜ ଉପରେ ଆକ୍ରମଣ ହେଲାଣି। ଅନ୍ୟପକ୍ଷେ ଆମେରିକା କହିଛି ଯେ, ଏହା ହର୍ମୁଜ୍ ପ୍ରଣାଳୀରେ ଇରାନ ବିସ୍ଫୋରକ ମାଇନ୍‌ ବିଛାଇବା ପାଇଁ ବ୍ୟବହାର କରିଥିବା ୧୬ ଯୁଦ୍ଧ ଜାହାଜକୁ ଧ୍ବଂସ କରିଦେଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଏହା ହର୍ମୁଜ୍ ପ୍ରଣାଳୀରେ ବିସ୍ଫୋରକ ବିଛାଏ ତେବେ ଅତି ସାଂଘାତିକ ପରିଣାମ ଭୋଗିବ। ଟ୍ରମ୍ପ କହିଛନ୍ତି, ଇରାନ ଏଭଳି ପରିଣାମ ଭୋଗିବ ଯାହା ପୂର୍ବରୁ କେବେ କେହି ଦେଖି ନ ଥିବେ। ଇତି ମଧ୍ୟରେ ଇରାନ ସେନା କହିଛି ଯେ ଆମେରିକା, ଇସ୍ରାଏଲ ଓ ଏହାର ସହଯୋଗୀଙ୍କ ସହ ଜଡ଼ିତ ଯେକୌଣସି ଜାହାଜକୁ ଏହା ହର୍ମୁଜ୍ ପ୍ରଣାଳୀରେ ଟାର୍ଗେଟ୍‌ କରିବ।

ଇରାନ ବୁଧବାର କହିଛି ଏହା ଆମେରିକା ଓ ଇସ୍ରାଏଲ ବି‌ରୋଧରେ ଆକ୍ରମଣକୁ ଆହୁରି ତୀବ୍ର କରିବ। ଇରାନ ଆଜି ଇସ୍ରାଏଲର ଅନେକ ସାମରିକ ଗୁଇନ୍ଦା ସଂସ୍ଥା ଓ ନୌସେନା ଘାଟିକୁ ଟାର୍ଗେଟ୍‌ କରି ଆକ୍ରମଣ ଆରମ୍ଭ କରିଛି। ଉତ୍ତର ବନ୍ଦର ସହର ହାଇଫାରେ ଏକ ନୌସେନା କେନ୍ଦ୍ର ଏବଂ ଇସ୍ରାଏଲୀ ରାଡାର ସିଷ୍ଟମ୍‌କୁ ଇରାନ ଟାର୍ଗେଟ୍‌ କରିଥିବା ଦାବି କରିଛି। ଆଇଆର୍‌ଜିସି (ଇସଲାମିକ୍ ରିପବ୍ଲିକ୍ ଗାର୍ଡ କର୍ପସ) ଦାବି କରିଛି ଯେ ଏହା କୁଏତ, ବାହାରିନରେ ଆମେରିକା ଘାଟିଗୁଡ଼ିକୁ ଟାର୍ଗେଟ୍‌ କରିଛି।

ଆମେରିକା ଓ ଇସ୍ରାଏଲ ସାମୁଦ୍ରିକ ଆମ୍ବୁଲାନ୍ସକୁ ଟାର୍ଗେଟ୍‌ କରି ଆକ୍ରମଣ କରୁଛନ୍ତି ବୋଲି ଇରାନ ଦାବି କରିଛି। ଅନ୍ୟପକ୍ଷେ ଇସ୍ରାଏଲ ପୂର୍ବ ଓ ପଶ୍ଚିମ ତେ‌ହେରାନରେ ସଦ୍ୟ ବିମାନ ଆକ୍ରମଣ କରି ବୋମାବର୍ଷା କରୁଛି। ଯୁଦ୍ଧ ସଙ୍କଟ ଜାରି ରହିଥିବାବେଳେ ରୁଷ୍ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତକାଲି ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସହ କଥା ହୋଇଥିଲେ। ପୁଟିନ ମଧ୍ୟ ଆଜି ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦ ଅଲ ନାହୟାନଙ୍କ ସହ ମଧ୍ୟପ୍ରାଚ୍ୟ ସଙ୍କଟ ନେଇ ଆଲୋଚନା କରିଛନ୍ତି। ଇତି ମଧ୍ୟରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ କହିଛନ୍ତି, ଇରାନ ସହ ଯୁଦ୍ଧ ଦୀର୍ଘ ଦିନ ପର୍ଯ୍ୟନ୍ତ ଜାରି ରହିବ।

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button