ଅପରାଧଓଡିଶାଜିଲ୍ଲା

Hospital sealed: ଗର୍ଭସ୍ଥ ଶିଶୁଙ୍କ ସହ ପ୍ରସୂତିଙ୍କ ମୃତ୍ୟୁ ଘଟଣା: ସିଲ୍ ହେଲା ସୁକନ୍ୟା ହସ୍ପିଟାଲ

ପ୍ରସୂତିଙ୍କ ମୃତ୍ୟୁ ଘଟଣାକୁ ନେଇ ଗତ ଦୁଇ ଦିନ ହେଲା ଉତ୍ତେଜନା ପ୍ରକାଶ ପାଇବା ପରେ ଆଜି ସମ୍ପକ୍ତ ସୁକନ୍ଯା ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି। ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ଖୋଳତାଡ ଜାରି ରହିଥିବା ବେଳେ...

ଜଗତସିଂହପୁର (ଶୁଭକାନ୍ତ ପଢ଼ିଆରୀ): ପ୍ରସୂତିଙ୍କ ମୃତ୍ୟୁ ଘଟଣାକୁ ନେଇ ଗତ ଦୁଇ ଦିନ ହେଲା ଉତ୍ତେଜନା ପ୍ରକାଶ ପାଇବା ପରେ ଆଜି ସମ୍ପକ୍ତ ସୁକନ୍ଯା ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି। ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ଖୋଳତାଡ ଜାରି ରହିଥିବା ବେଳେ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦିଆଯିବ। ପୁଲିସ ମଧ୍ଯ ମାମଲାର ତଦନ୍ତ ଚଳାଇଛି।

ଜଗତସିଂହପୁର ସିପି ଠାରେ ଥିବା ସୁକନ୍ୟା ଘରୋଇ ହସ୍ପିଟାଲରେ ଭଙ୍ଗାରୁଜା ହୋଇଛି। ଉତ୍ତେଜନା ପ୍ରକାଶ ପାଇବାରୁ ଜଗତସିଂହପୁର ଏସଡିପିଓ ଆଜିଙ୍କ୍ୟ ମାଣେଙ୍କ ସମେତ ଜଗତସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ମୃତ ପ୍ରସୂତି ହେଲେ ଜଗତସିଂହପୁର ଥାନା ଦେନ୍ଦୁଅ ଅଞ୍ଚଳର ଶକ୍ତି ପ୍ରସାଦ ଭୋଳଙ୍କ ପତ୍ନୀ ସୁଶ୍ରୀ ସଙ୍ଗିତା ସାହୁ। ଅଭିଯୋଗରୁ ଜଣାପଡ଼ିଛି ଶକ୍ତି ପ୍ରସାଦଙ୍କର ସୁଶ୍ରୀ ସଙ୍ଗିତାଙ୍କ ସହ ୨୦୨୫ ମାର୍ଚ୍ଚ ୭ ତାରିଖରେ ବିବାହ ହୋଇଥିଲା। ପତ୍ନୀ ଗର୍ଭବତୀ ହେବା ପରେ ଉକ୍ତ ହସ୍ପିଟାଲରେ ନିୟମିତ ଚିକିତ୍ସା କରାଉଥିଲେ। ମାର୍ଚ୍ଚ ୧ରେ ଶେଷ ଥର ପାଇଁ ଅଲଟ୍ରାସାଉଣ୍ଡ ପରୀକ୍ଷା ହେବା ପରେ ଆସନ୍ତା ୨୩ ତାରିଖରେ ପ୍ରସବ ହେବ ବୋଲି ଡାକ୍ତର ସୁକାନ୍ତ କୁମାର ଦଳାଇ ଧାର୍ଯ୍ୟ କରିଥିଲେ ବୋଲି ସ୍ବାମୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଗତକାଲି ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର କହିଥିଲେ।

ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ପ୍ରସୂତିଙ୍କୁ ଅସ୍ତ୍ରୋପଚାର କକ୍ଷକୁ ନିଆ ଯାଇଥିଲା। ସେଠାରେ ତାଙ୍କୁ ନିଶ୍ଚେତକ ଇଞ୍ଜେକସନ୍ ଦିଆ ଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ଡାକ୍ତର କହିଥିଲେ ପ୍ରସୂତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତୁରନ୍ତ ତାଙ୍କୁ ଭୁବନେଶ୍ବର ହଂସପାଳ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ।  ଘରୋଇ ଆମ୍ବୁଲାନ୍ସରେ ପ୍ରସୂତିଙ୍କୁ ପରିବାର ଲୋକ ସେହି ମେଡିକାଲକୁ ନେଇଥିଲେ। ସାଙ୍ଗରେ ଡାକ୍ତର କାରରେ ମଧ୍ୟ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ମଧ୍ୟ ଡାକ୍ତର ମୃତ ଘୋଷଣା କରିବା ପରେ ଅପରାହ୍ନରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଡାକ୍ତରଙ୍କ ଅବହେଳାକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି ସ୍ବାମୀ। ଏହି ଠାରେ ହିଁ ମୃତ୍ୟୁ ହୋଇଥିବା ବେଳେ ଏହାକୁ ଲୁଚାଇବାକୁ ଭୁବନେଶ୍ବର ନିଆ ଯାଇଥିଲା ବୋଲି ସେ ଅଭିଯୋଗ କରିଛ ରସନ୍ତି।

ଏହା ଜଣାପଡ଼ିବା ପରେ ସମ୍ପର୍କୀୟ ଓ ଲୋକ ଉତ୍ତ୍ୟକ୍ତ ହୋଇ ଅପରାହ୍ନରେ ହସ୍ପିଟାଲ ଉପରକୁ ଢେଲାପଥର ମାଡ଼ କରିଥିଲେ। ହସ୍ପିଟାଲ କାଚ ଝରକା ଭାଙ୍ଗି ଯାଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଏସଡିପିଓ ଶ୍ରୀ ମାଣେ ଓ ଜଗତସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ନେଇ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଥାନାଧିକାରୀ ସରୋଜକାନ୍ତ ସାମଲ କହିଛନ୍ତି ଘଟଣାର ତଦନ୍ତ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ଜଗତସିଂହପୁର ଜିଲ୍ଲାରେ ଏହି ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ଯ ଅନେକ ପ୍ରସୂତିଙ୍କର ବିଭିନ୍ନ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button