ପୁନଶ୍ଚ ପୃଥିବୀ

Hydrogen fuel: କେତେ ପରିବେଶ ଅନୁକୂଳ ଉଦ୍‌ଜାନ ଇନ୍ଧନ?

ପରିବେଶ ଅନୁକୂଳ ଇନ୍ଧନ ବୋଲି କୁହାଯାଉଥିବା ଉଦ୍‌ଜାନ ହିଁ ଜଗତ୍‌କୁ ଜୀବାଶ୍ମ ଇନ୍ଧନଠାରୁ ଦୂରେଇ ନେବାରେ ସହାୟକ ହେବ। ସେଥିଲାଗି ଭାରତ ସମେତ ବିଶ୍ବର ଅନେକ ଦେଶ ନିକଟ ଭବିଷ୍ୟତରେ ଅଟୋମୋବାଇଲ୍‌ କ୍ଷେତ୍ରରେ....

ଅଙ୍ଗାରକାମ୍ଳ ଅଥବା ମିଥେନ୍‌ ଭଳି ଉଦ୍‌ଜାନ ପ୍ରତ୍ୟକ୍ଷ ଭାବେ ଉତ୍ତାପ ଧରି ରଖେ ନାହିଁ। କିନ୍ତୁ, ତାପନ କ୍ଷେତ୍ରରେ ଏହାର ପରୋକ୍ଷ ଭୂମିକା ରହିଛି। 

ପରିବେଶ ଅନୁକୂଳ ଇନ୍ଧନ ବୋଲି କୁହାଯାଉଥିବା ଉଦ୍‌ଜାନ ହିଁ ଜଗତ୍‌କୁ ଜୀବାଶ୍ମ ଇନ୍ଧନଠାରୁ ଦୂରେଇ ନେବାରେ ସହାୟକ ହେବ। ସେଥିଲାଗି ଭାରତ ସମେତ ବିଶ୍ବର ଅନେକ ଦେଶ ନିକଟ ଭବିଷ୍ୟତରେ ଅଟୋମୋବାଇଲ୍‌ କ୍ଷେତ୍ରରେ ଉଦ୍‌ଜାନ ଇନ୍ଧନ ପ୍ର‌େୟାଗ କରିବା ଲାଗି ବ୍ୟବସ୍ଥା କରୁଛନ୍ତି। କିନ୍ତୁ, ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ପରିବେଶ ଅନୁକୂଳ ଭଳି ପ୍ରତୀୟମାନ ହେଲେ ବି ବାସ୍ତବରେ ଉଦ୍‌ଜାନ ବାଷ୍ପ ସେଭଳି ହୋଇ ନ ପାରେ।

‘ନେଚର୍‌’ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏହି ଆଲେଖ୍ୟରେ ଉଲ୍ଲେଖ ଅଛି ଯେ ୧୯୯୦ରୁ ୨୦୨୦ ମଧ୍ୟରେ ବୈଶ୍ବିକ ଜଳବାୟୁକୁ ଉତ୍ତପ୍ତ କରାଇବାରେ ବର୍ଦ୍ଧିଷ୍ଣୁ ଉଦ୍‌ଜାନ ନିଃସରଣର ଅବଦାନ ପ୍ରାୟ ୦.୦୨ ଡିଗ୍ରି ସେଣ୍ଟିଗ୍ରେଡ୍‌। ପ୍ରାକ୍‌-ଶିଳ୍ପାୟନ ଅମଳରୁ ବୃଦ୍ଧି ପାଇଥିବା ୧.୫ ସେଣ୍ଟିଗ୍ରେଡ୍‌ ହାରାହାରି ବୈଶ୍ବିକ ତାପମାତ୍ରାରେ ଉଦ୍‌ଜାନ ବାଷ୍ପର ଅବଦାନ ସାମାନ୍ୟ ଅଂଶ ମାତ୍ର। କିନ୍ତୁ ବୈଜ୍ଞାନିକମାନେ କହୁଛନ୍ତି ଯେ ଜଳବାୟୁ ଉପରେ ଉଦ୍‌ଜାନର ବ୍ୟାପକ ପ୍ରଭାବ ସଂକ୍ରାନ୍ତରେ ଅଧିକ ସତର୍କତାର ସହ ନିରୀକ୍ଷଣ କରିବା ଆବଶ୍ୟକ।

ଅଙ୍ଗାରକାମ୍ଳ ଅଥବା ମିଥେନ୍‌ ବାଷ୍ପ ଭଳି ଉଦ୍‌ଜାନ ବାଷ୍ପ ପ୍ରତ୍ୟକ୍ଷ ଭାବେ ଉତ୍ତାପ ଧରି ରଖେ ନାହିଁ। କିନ୍ତୁ, ଗବେଷଣା ଦର୍ଶାଉଛି ଯେ ତାପନ କ୍ଷେତ୍ରରେ ଏହାର ପରୋକ୍ଷ ଭୂମିକା ରହିଛି। ମିଥେନ୍‌ ଭଳି ସବୁଜଗୃହ ବାଷ୍ପକୁ ବିଘଟିତ କରିବାରେ ବାୟୁମଣ୍ଡଳର ପ୍ରାକୃତିକ ସାମର୍ଥ୍ୟରେ ଉତ୍ପନ୍ନ ଉଦ୍‌ଜାନ ପ୍ରତିବନ୍ଧକ ସୃଷ୍ଟି କରେ।
ଏହି ଗବେଷଣାର ମୁଖ୍ୟ ଜୁତାଓ ଓୟୁୟାଙ୍ଗ୍‌ କହିଛନ୍ତି, ‘‘ଉଦ୍‌ଜାନ ଅଧିକ ହେବା ଅର୍ଥ ବାୟୁମଣ୍ଡଳରେ ‘ଡିଟର୍‌ଜେଣ୍ଟ୍‌’ ପରିମାଣ କମିଯିବା। ଫଳରେ ବାୟୁମଣ୍ଡଳରେ ମିଥେନ୍‌ ବାଷ୍ପ ଦୀର୍ଘକାଳ ରହିବ। ତେଣୁକରି ଉଷ୍ମ ଜଳବାୟୁ ବେଶୀ ଦିନ ତିଷ୍ଠିବ।’’ ‘ଡିଟର୍‌ଜେଣ୍ଟ୍‌’ ହେଉଛି ବାୟୁମଣ୍ଡଳ ପରିଷ୍କାର କରିବାରେ ସହାୟକ ହେଉଥିବା ବିଭିନ୍ନ ରାସାୟନିକ ପଦାର୍ଥ ମଧ୍ୟରୁ ଗୋଟିଏ। ଉଦ୍‌ଜାନ ସେଗୁଡ଼ିକୁ ଶୋଷିନେଲେ ବାୟୁରେ ମିଥେନ୍‌ ବାଷ୍ପ ଦୀର୍ଘ ସମୟ ରହେ।

ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଏସବୁ ପ୍ରତିକ୍ରିୟା ମେଘ ସୃଷ୍ଟିକୁ ପ୍ରଭାବିତ କରେ ଏବଂ ଓଜୋନ୍‌ ଭଳି ଅନ୍ୟାନ୍ୟ ଉତ୍ତାପ ସୃଷ୍ଟିକାରୀ ବାଷ୍ପ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି କରେ। ଭାରତ ନିଜ ଜଳବାୟୁ ନୀତିରେ ଉଦ୍‌ଜାନ ଉପରେ ପ୍ରାଧାନ୍ୟ ଦେଇଛି। ‘ନ୍ୟାସ୍‌ନାଲ୍‌ ଗ୍ରିନ୍‌ ହାଇଡ୍ରୋଜେନ୍‌ ମିସନ୍‌’ ମାଧ୍ୟମରେ ଭାରତ ସରକାର ‘ଗ୍ରିନ୍‌ ହାଇଡ୍ରୋଜେନ୍‌’ ବା ସବୁଜ ଉଦ୍‌ଜାନକୁ ପ୍ରୋତ୍ସାହିତ କରୁଛନ୍ତି। ଉଦ୍ଦେଶ୍ୟ ହେଉଛି ଇସ୍ପାତ୍‌, ସାର ଓ ଭାରୀ ପରିବହନ କ୍ଷେତ୍ରରୁ ଅଙ୍ଗାରକାମ୍ଳ ନିଃସରଣ ହ୍ରାସ କରିବା। ତେବେ ସମସ୍ୟା ହେଲା, ଅକ୍ଷୟଶକ୍ତି ଦ୍ବାରା ଇଲେକ୍ଟ୍ରୋଲିସିସ୍‌ ମାଧ୍ୟମରେ ‘ସବୁଜ ଉଦ୍‌ଜାନ’ ଉତ୍ପାଦନ କରିବା ବ୍ୟୟବହୁଳ ବ୍ୟାପାର। ତେଣୁ ଭାରତ ପାଇଁ ଯେତେ ପରିମାଣର ‘ସବୁଜ ଉଦ୍‌ଜାନ’ ଆବଶ୍ୟକ ତାହା ଉତ୍ପାଦନ କରିବା କଷ୍ଟସାଧ୍ୟ। ତେଣୁ କୋଇଲା ଓ ପ୍ରାକୃତିକ ବାଷ୍ପ ଭଳି ଶକ୍ତି ବ୍ୟବହାର କରି ଅଧିକାଂଶ ଉଦ୍‌ଜାନ ଉତ୍ପାଦିତ ହୋଇଥାଏ। ଏଥିନିମନ୍ତେ ବ୍ୟାପକ ଶକ୍ତି ଖର୍ଚ୍ଚ କରାଯାଉଥିବାରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ନିଃସରଣ ହେଉଛି।

‘ଗ୍ଲୋବାଲ୍‌ କାର୍ବନ୍‌ ପ୍ରୋଜେକ୍ଟ୍‌’ ଦ୍ବାରା ସମାହିତ ଏ ଗବେଷଣା ସମ୍ପୂର୍ଣ୍ଣ ଉଦ୍‌ଜାନ ବିରୋଧୀ ନୁହେଁ, ବରଂ ଏଥିପ୍ରତି ସତର୍କ ରହିବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି। ଏଥିରେ ଗବେଷଣା କରିଥିବା ଦଳେ ଆନ୍ତର୍ଜାତିକ ବୈଜ୍ଞାନିକ କହିଛନ୍ତି ଯେ ମୁଖ୍ୟତଃ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଉଦ୍‌ଜାନ ନିଃସରଣ ବୃଦ୍ଧି ପାଉଛି। ୧୯୯୦ରୁ ୨୦୨୦ ମଧ୍ୟରେ ଯେଉଁ ଉଦ୍‌ଜାନ ସ୍ତର ବୃଦ୍ଧି ପାଇଛି ସେଥିଲାଗି ଜୀବାଶ୍ମ ଇନ୍ଧନ, ପ୍ରାଣୀସମ୍ପଦ ଓ ଗର୍ତ୍ତ ଖନନ କରି ଆବର୍ଜନା ପୋତାଯିବା ମଧ୍ୟ କିଛି ପରିମାଣରେ ଦାୟୀ। ବାୟୁମଣ୍ଡଳରେ ବିଘଟିତ ହେଲାବେଳେ ମିଥେନ୍‌ରୁ ମଧ୍ୟ ଉଦ୍‌ଜାନ ନିଃସରଣ ହୋଇଥାଏ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button