ଦେଶ ବିଦେଶରାଜନୀତି

India-EU historic agreement: ଭାରତ-ଇୟୁ ଐତିହାସିକ ରାଜିନାମା: ଶସ୍ତା ହେବ ଦାମୀ କାର୍‌, ମଦ, ଚକୋଲେଟ୍‌

ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ରାଜିନାମା ଆଜି ନୂଆଦିଲ୍ଲୀରେ ଘୋଷଣା ହୋଇଛି। ୧୮ ବର୍ଷର ଆଲୋଚନା ପରେ ଏହି ସଫଳତା ମିଳିଛି। ୧୬ତମ ଭାରତ-ଇୟୁ ସମ୍ମିଳନୀ...

ନୂଆଦିଲ୍ଲୀ: ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ରାଜିନାମା ଆଜି ନୂଆଦିଲ୍ଲୀରେ ଘୋଷଣା ହୋଇଛି। ୧୮ ବର୍ଷର ଆଲୋଚନା ପରେ ଏହି ସଫଳତା ମିଳିଛି। ୧୬ତମ ଭାରତ-ଇୟୁ ସମ୍ମିଳନୀ ଅବସରରେ ଏ ନେଇ ଘୋଷଣା କରାଯାଇଛି। ୨୦୨୭ରୁ ଏହା କାର୍ଯ୍ୟକାରୀ  ହୋଇପାରେ।

ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଆଜି ମୋଟ ୭ଟି ରାଜିନାମା ହୋଇଛି। ବାଣିଜ୍ୟଠାରୁ ଆରମ୍ଭ କରି ନିରାପତ୍ତା, ପ୍ରତିରକ୍ଷା ସହଭାଗିତା, ମୋବିଲିଟି, ବିପର୍ଯ୍ୟୟ ବିପଦ ପରିଚାଳନା ଏବଂ ଗ୍ରିନ୍‌ ହାଇ‌ଡ୍ରୋଜେନ୍‌ ଏଥିରେ ରହିଛି। ବାଣିଜ୍ୟ ରାଜିନାମା ଫଳରେ ଭାରତ ଓ ଇୟୁ ଉଭୟ ପରସ୍ପରର ବଜାରରେ ପ୍ରବେଶ ନେଇ ଅଧିକ ସୁବିଧା ପାଇବେ। ଭାରତର ଶ୍ରମଭିତ୍ତିକ ଶିଳ୍ପଗୁଡ଼ିକ ସବୁଠୁ ଅଧିକ ଲାଭବାନ ହେବ। ବୟନଶିଳ୍ପ, ପୋଷାକ, ଚମଡ଼ା, ଜୋତା, ସାମୁଦ୍ରିକ ଖାଦ୍ୟ, ମୂଲ୍ୟବାନ ପ୍ରସ୍ତର, ଗହଣା, ହସ୍ତଶିଳ୍ପ, ଇଞ୍ଜିନିୟିରଂ ସାମଗ୍ରୀ ଏବଂ ଅଟୋମୋବାଇଲ କ୍ଷେତ୍ରରେ ଶୁଳ୍କ ହ୍ରାସ ପାଇବ। ଏହାଦ୍ବାରା ଶ୍ରମିକ, କାରିଗର, ମହିଳା, ଯୁବବର୍ଗ ଏବଂ ଏମ୍‌ଏସ୍‌ଏମ୍‌ଇ ଆଦି କ୍ଷେତ୍ର ଉପକୃତ ହେବେ। ରାଜିନାମା ଅନୁଯାୟୀ, ୧୦ ବର୍ଷ ମଧ୍ୟରେ ଦ୍ବିପାକ୍ଷିକ କାରବାରର ୯୩% ସାମଗ୍ରୀ କ୍ଷେତ୍ରରେ ଶୁଳ୍କ ଶୂନ ପ୍ରତିଶତକୁ ଭାରତ ହ୍ରାସ କରିବ। ସେହିଭଳି ୟୁରୋପୀୟ ସଂଘ ୭ ବର୍ଷ ମଧ୍ୟରେ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିବ। କୁଶଳୀ ମାନବସମ୍ବଳ ଯାଆସ ସହଜ ପାଇଁ ମଧ୍ୟ ରାଜିନାମା ହୋଇଛି। ଭାରତକୁ ୟୁରୋପୀୟ ସଂଘ ରପ୍ତାନି କରୁଥିବା ୯୬.୬% ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରାଯାଇଛି କିମ୍ବା ସଂପୂର୍ଣ୍ଣ ହଟାଇ ଦିଆଯାଇଛି।

ୟୁରୋପୀୟ କାର୍‌ ନିର୍ମାତାଙ୍କ ପାଇଁ ଭାରତରେ ପ୍ରିମିୟମ କାର୍‌ ବିକ୍ରିକୁ ପ୍ରୋତ୍ସାହନ ଦିଆଯାଇଛି। ଏଥିସହିତ ଭାରତରେ କାର୍‌ ଉତ୍ପାଦନକୁ ଉତ୍ସାହିତ କରିବା ସହିତ ବିଦେଶକୁ କାର ରପ୍ତାନି ପାଇଁ ରାସ୍ତା ଖୋଲାଯାଇଛି। ଫଳରେ ଭାରତକୁ ନୂଆ ପ୍ରଯୁକ୍ତି ଆସିବା ସହିତ ଗ୍ରାହକମାନେ ପ୍ରତିଯୋଗିତାର ଲାଭ ପାଇବେ। ଚା, କଫି, ମସଲା, ତାଜା ଫଳ, ପନିପରିବା ଏବଂ ପ୍ରକ୍ରିୟାକୃତ ଖାଦ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଗ୍ରାମାଞ୍ଚଳ ଲୋକଙ୍କ ଆୟ ବଢ଼ିବ ଏବଂ ସମାବେଶୀ ବିକାଶ ସମ୍ଭବ ହୋଇପାରିବ।

୧୮ ବର୍ଷର ଉଦ୍ୟମ ସଫଳ
କାର୍ବନ୍‌ ଟିକସରେ ମିଳିନି ରିହାତି
ସମ୍ବେଦନଶୀଳ କ୍ଷେତ୍ରକୁ ସୁରକ୍ଷା

ଅନ୍ୟପକ୍ଷରେ ଭାରତ ଏହାର ସମ୍ବେଦନଶୀଳ କ୍ଷେତ୍ର ଯଥା ଦୁଗ୍ଧଜାତୀୟ ଉତ୍ପାଦ, ଶସ୍ୟ, କୁକୁଡ଼ା, ସୋୟାମିଲ ସମେତ ଅନ୍ୟାନ୍ୟ କେତେକ ଫଳ, ପନିପରିବା ଆଦିକୁ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ସୁରକ୍ଷା ପ୍ରଦାନ କରିଛି। ୟୁରୋପୀୟ ସଂଘ ସହିତ ଆଜି ଘୋଷଣା ହୋଇଥିବା ମେଗା ମୁକ୍ତ ବାଣିଜ୍ୟ ରାଜିନାମା ଫଳରେ ଭାରତୀୟ ଗ୍ରାହକମାନେ ଅନେକ ୟୁରୋପୀୟ ସାମଗ୍ରୀକୁ କମ୍‌ ଦାମରେ ପାଇପାରିବେ। ସେଥିରେ କାର୍‌ଠାରୁ ଆରମ୍ଭ କରି ମଦ, ଚକୋଲେଟ୍‌ ଆଦି ରହିଛି। କାର୍‌ ଉପରେ ଶୁଳ୍କ ୧୧୦%ରୁ ୧୦% ସ୍ତରକୁ କମିବ। ଏଥିରେ କୋଟା ବ୍ୟବସ୍ଥା ରହିବ। ୨,୫୦,୦୦୦ ୟୁନିଟ୍‌ ପର୍ଯ୍ୟନ୍ତ କାର୍‌ ଉପରେ ଶୁଳ୍କ କମିପାରିବ। ମଦ ଉପରେ ଶୁଳ୍କ ୧୫୦%ରୁ ୨୦%କୁ କମିବ। ବର୍ତ୍ତମାନ ପାସ୍ତା ଓ ଚକୋଲେଟ୍‌ ଭଳି ପ୍ରକ୍ରିୟାକୃତ ଖାଦ୍ୟ ଉପରେ ଶୁଳ୍କ ୫୦% ରହିଥିବାବେଳେ ଆଗାମୀ ଦିନରେ ଏହାକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯିବ। ଔଷଧ ଉପରେ ଶୁଳ୍କ ୧୧%ରୁ ଶୂନ ପ୍ରତିଶତକୁ ହ୍ରାସ ପାଇବ।

ଏଥି ଯୋଗୁଁ ୟୁରୋପୀୟ ସଂଘରୁ ଆମଦାନି ହେବାକୁ ଥିବା ଔଷଧ ଭାରତରେ ଶସ୍ତା ହେବ। ମଦ (ୱାଇନ) ଉପରେ ବର୍ତ୍ତମାନ ୧୫୦% ଶୁଳ୍କ ଆଦାୟ କରାଯାଉଛି। ଆଗାମୀ ଦିନରେ ପ୍ରିମିୟମ୍‌ ୱାଇନ ଶୁଳ୍କ ୨୦%କୁ ଏବଂ ମିଡିୟମ ରେଞ୍ଜ ୱାଇନ୍‌ ଶୁଳ୍କ ୩୦%କୁ ହ୍ରାସ ପାଇବ। ସ୍ପିରିଟ୍‌ ଶୁଳ୍କ ଏବେ ୧୫୦% ପର୍ଯ୍ୟନ୍ତ ଥିବାବେଳେ ଆଗାମୀ ଦିନରେ ଏହା ୪୦%କୁ କମିଯିବ। ବିଅର ଉପରେ ଶୁଳ୍କ ୧୧୦% ଥିବାବେଳେ ଏହା ୫୦%କୁ ହ୍ରାସ ପାଇବ। ଅଲିଭ ଅଏଲ୍‌ ଏବଂ ଅନ୍ୟ କେତେକ ତେଲ ଉପରେ ଶୁଳ୍କ ବର୍ତ୍ତମାନ ୪୫% ପର୍ଯ୍ୟନ୍ତ ଆଦାୟ ହେଉଥିବା ବେଳେ ଆଗାମୀ ଦିନରେ ଏହାକୁ ସଂପୂର୍ଣ୍ଣ ଉଠାଇ ଦିଆଯିବ। ଫଳରସ ଏବଂ ଆଲକହଲ୍‌ବିହୀନ ବିଅର ଉପରେ ଶୁଳ୍କ ବର୍ତ୍ତମାନ ୫୫% ପର୍ଯ୍ୟନ୍ତ ରହିଛି। ଏହାକୁ ସଂପୂର୍ଣ୍ଣ ଉଠାଇ ଦିଆଯିବ। ସେହିଭଳି ପାଉଁରୁଟି, ପାଷ୍ଟ୍ରିଜ୍‌, ବିସ୍କୁଟ, ଚକୋଲେଟ୍‌, ମେଣ୍ଢା ମାଂସ ଉପରେ ଶୁଳ୍କ ରହିବ ନାହିଁ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ୟୁରୋପୀୟ ସଂଘ ସହିତ ସଂପର୍କ ମଜଭୁତ ହୋଇ ନୂଆ ଶିଖରରେ ପହଞ୍ଚିଛି। ଏହା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ମିଳିତ ସମୃଦ୍ଧି କ୍ଷେତ୍ରରେ ଏହା ଏକ ନୂଆ ନକ୍ସା। ଭାରତ ଆଜି ୨୭ଟି ଦେଶକୁ ନେଇ ଗଠିତ ୟୁରୋପୀୟ ସଂଘ ସହିତ ବଡ଼ ରାଜିନାମା କରିଛି। ଏହା ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ବିଶ୍ବରେ ଯୋଗାଣ ଶୃଙ୍ଖଳକୁ ମଜଭୁତ କରିବ। ଏହି ରାଜିନାମାକୁ ମଦର୍‌ ଅଫ୍‌ ଅଲ୍‌ ଟ୍ରେଡ୍‌ ଡିଲ୍‌ କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍‌ ଡେର୍‌ ଲେୟେନ ଏବଂ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟାଙ୍କ ଉପସ୍ଥିତିରେ ଏହି ରାଜିନାମାଗୁଡ଼ିକ ସ୍ବାକ୍ଷର ହୋଇଛି। ଭାରତର ରପ୍ତାନି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲଗାଇଥିବାରୁ ଭାରତ ବିକଳ୍ପ ବଜାରର ଅନୁସନ୍ଧାନ କରୁଛି। ଏଭଳି ସ୍ଥିତିରେ ଏହି ରାଜିନାମାକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଭାରତ-ଇୟୁ ମୁକ୍ତ ବାଣିଜ୍ୟ ରାଜିନାମା ସଂକ୍ରାନ୍ତ ଆଲୋଚନା ଶେଷ ହୋଇଥିବା ନେଇ ରାଜିନାମା ସ୍ବାକ୍ଷର ଏବଂ ରାଜନୈତିକ ଘୋଷଣାନାମା ବିନିମୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଆଜି ଦୁଇ ପ୍ରମୁଖ ଗାଣତାନ୍ତ୍ରିକ ଶକ୍ତି ସେମାନଙ୍କ ସଂପର୍କରେ ଏକ ନିର୍ଣ୍ଣାୟକ ଅଧ୍ୟାୟ ଯୋଡ଼ିଥିବାରୁ ଏହା ଆଉ ଏକ ଐତିହାସିକ ମୁହୂର୍ତ୍ତ।

ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଗତ କିଛିବର୍ଷ ମଧ୍ୟରେ ବୃଦ୍ଧି ପାଇଛି। ଭାରତ ଓ ଇୟୁ ମଧ୍ୟରେ ବାଣିଜ୍ୟ ରାଜିନାମା କ୍ଷେତ୍ରରେ ଏହା ଏକ ବିବାଦୀୟ ପ୍ରସଙ୍ଗ ଥିବା କାର୍ବନ୍‌ ଟିକସରେ କୌଣସି ରିହାତି ବର୍ତ୍ତମାନ ମିଳିନାହିଁ। କିନ୍ତୁ ଭବିଷ୍ୟତରେ ଯଦି କାହାକୁ ଏ ନେଇ କିଛି ରିହାତି ଦିଆଯାଏ ତାହେଲେ ଭାରତର ରପ୍ତାନିକାରୀମାନଙ୍କୁ ମଧ୍ୟ ତାହା ମିଳିବ ବୋଲି କୁହାଯାଇଛି। କାର୍ବନ୍‌ ବର୍ଡର ଆଡଜଷ୍ଟମେଣ୍ଟ୍‌ ମେକାନିଜିମ୍‌ (ସିବିଏଏମ୍‌) ବା କାର୍ବନ୍‌ ଟିକସ ଚଳିତମାସ ୧ରୁ କାର୍ଯ୍ୟକାରୀ ହୋଇଛି। ଏହି ବ୍ୟବସ୍ଥାରେ ଉତ୍ପାଦନ ସମୟରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ କାର୍ବନ୍‌ ନିର୍ଗମନ ହେଲେ ତାହା ଉପରେ ୟୁରୋପୀୟ ସଂଘ କାର୍ବନ୍‌ ଟିକସ ଲଗାଇବ।

ଓଡ଼ିଶାକୁ ଉପେକ୍ଷା
ଭୁବନେଶ୍ବର: କେନ୍ଦ୍ର ସରକାର ବିଭିନ୍ନ ଦେଶ ଓ ରାଷ୍ଟ୍ର ସମୂହ ସହ କରୁଥିବା ବାଣିଜ୍ୟ ରାଜିନାମା ଦ୍ବାରା ଓଡ଼ିଶା ଉପକୃତ ହେଉନାହିଁ। ଭାରତ-ୟୁ‌ରୋପୀୟ ସଂଘ (ଇୟୁ) ରାଜିନାମାରେ ଏହାର ପୁନରାବୃତ୍ତି ଘଟିଛି। କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଯେଉଁ ତଥ୍ୟ ଦେଇଛନ୍ତି, ସେଥିରେ ଓଡ଼ିଶାର କୌଣସି ସାମଗ୍ରୀର ନାମ ନାହିଁ। ଗତ ଜୁଲାଇରେ ବ୍ରିଟେନ ସହ ହୋଇଥିବା ମୁକ୍ତ ବାଣିଜ୍ୟ ରାଜିନାମା ବେଳେ ମଧ୍ୟ ଓଡ଼ିଶାର କୌଣସି ଉତ୍ପାଦ ନାମ ନଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button